ଚନ୍ଦ୍ର ଅଭିଯାନ ହେଲା ସଫଳ; ୪ର୍ଥ ଦେଶ ଭାବେ ଭାରତ ରଚିଲା ଇତିହାସ

ଭାରତ ଇତିହାସରେ ଯୋଡି ହୋଇଛି ଆଉ ଏକ ଫର୍ଦ। ଚନ୍ଦ୍ର ମାଟିରେ ଭାରତ ଉଡ଼ାଇଛି ତ୍ରିରଙ୍ଗା ପତାକା। ଆଜି ସଂଧ୍ୟା ୬ ଟା ବାଜି ୩ ମିନିଟରେ ଚନ୍ଦ୍ରରେ ପାଦ ରଖିଛି ଭାରତ। ୪ ବର୍ଷ ତଳେ ଯେଉଁ ସଫଳତାର ସ୍ଵାଦ ଚାଖିବା କଥା ଆଜି ସେ ମିଶନ ହୋଇଛି ପୁରା । ଚୀନ, ଆମେରିକା, ରୁଷିଆ ପରେ ଭାରତ ଚନ୍ଦ୍ରରେ ପହଞ୍ଚିଥିବା ୪ର୍ଥ ଦେଶ ହୋଇଛି। ଏବେ ଇସ୍ରୋ ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇପାରିଛି । ବର୍ତ୍ତମାନ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।
୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।
ଏହି ପରିପ୍ରେକ୍ଷୀରେ ଦେଶର ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ, “ଏହି ମୁହୂର୍ତ୍ତ ଆମ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଅବିସ୍ମରଣୀୟ । ଏହି ମୁହୂର୍ତ୍ତ ନୂଆ ଭାରତର ଜୟଯାତ୍ରା । ଏହି ମୁହୂର୍ତ୍ତ ୧୪୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ । ଏହା ଅମୃତ କାଳରେ ସଫଳତାର ଅମୃତ ବର୍ଷା । ଆଜି ନୂଆ ଯୁଗର ଉଦୟ ହୋଇଛି । ପ୍ରତ୍ୟେକ ଭାରତୀୟ ଆଜି ଉତ୍ସବ ମନାଉଛନ୍ତି । ପ୍ରତିଟି ଘର ଆଜି ଉତ୍ସବ ମୁଖର ହୋଇଉଠିଛି । ମୁଁ ଆଜି ଗର୍ବିତ ଏବଂ ଏହି ଗର୍ବ କରିବା ଭଳି ସମୟରେ ମୋ ଦେଶବାସୀଙ୍କ ସହ ଯୋଡ଼ି ହୋଇଛି। ଆଜିର ଦିନ ଏକ ନୂଆ ଯୁଗର ଆରମ୍ଭ ।”