ଲଣ୍ଡା ଗୋପାଳ ନେଇଥିଲା ଶପଥ, ନିଜେ ମରିବା ପୂର୍ବରୁ ନବଙ୍କୁ ମାରିଦେଲା ..କ୍ରାଇମବ୍ରାଞ୍ଚ ଦେଲା ରିପୋର୍ଟ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବାହୁବଳି ନେତା ନବଦାସଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ନବଙ୍କୁ ମାରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ବଜ୍ର ଶପଥ ନେଇଥିଲା। ସ୍ୱର୍ଗତ ଦାସଙ୍କୁ ହତ୍ୟା କରିବା ପାଇଁ  କୁଆଡେ ଏକଦା ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଓଡ଼ିଶା ପୁଲିସ୍ ରେକର୍ଡଭୁକ୍ତ କରିଛି । ହତ୍ୟାକାଣ୍ଡ ପୂର୍ବରୁ ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ । ଏଥିସହ ସେ ସେଠାରେ ଲଣ୍ଡା ହେବା ସହ ଆଗାମୀ ଦିନରେ ମନ୍ତ୍ରୀ ତଥା ବିଜେଡି ନେତା  ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିବା ଚାର୍ଜସିଟ୍ ରେ ଉଲ୍ଲେଖ କରାଯାଇଛି। ମନ୍ତ୍ରୀଙ୍କୁ ମାରିବାକୁ ବାରମ୍ବାର ପ୍ରୟାସ କରି ସେ ବିଫଳ ହୋଇଛି।  ଏକଦା ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲେ ଗୋପାଳ ଦାସ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଳରେ ସେ ଗୁଳି ଲୋଡ୍ କରି ବିନା କାରଣରେ ରଖି ଆସୁଥିଲା।

 

ହତ୍ୟାର କାରଣ ସମ୍ପର୍କରେ  କ୍ରାଇମବ୍ରାଞ୍ଚର ଲିକ୍ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ଗୋପାଳ ବଡ଼ମାଲ ଥାନାରେ ଥିବା ବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ  । ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ ଦାସ । ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ । ଗୋପାଳରୁ ଅସଭ୍ୟ ଭାଷା କହିଥିଲେ। ସେଦିନ ସିନା ନବ ସମର୍ଥକଙ୍କ ଧମକ ଗୋପାଳ ଚେକିଂ ନ କରି ଗାଡ଼ି ଛାଡ଼ି ଦେଇଥିଲା। ହେଲେ ସବୁଦିନ ପାଇଁ ନବଙ୍କୁ ନେଇ ରକ୍ତମୁଖା ହୋଇଯାଉଥିଲା। ଏପରି କି ନବଙ୍କ ଆଡୁ  ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରୁଥିଲେ ଗୋପାଳ । ନବଙ୍କ ସମର୍ଥକ ତାଙ୍କୁ ଜୀବନରୁ ମାରି ଦେବେ ବୋଲି ତାଙ୍କ ମନରେ ଏକ ଧାରଣା ଥିଲା।  ତେଣୁ ନିଜେ ମରିବା ପୂର୍ବରୁ ନବଙ୍କୁ ମାରିବା ପାଇଁ ଗୋପାଳ ଏକ ପ୍ରକାର ମନସ୍ଥ କରିଥିବା କ୍ରାଇମବ୍ରାଞ୍ଚ ନିଜ ଚାର୍ଜସିଟ୍ ରେ ଉଲ୍ଲେଖ କରିଛି।

Leave a Reply

Your email address will not be published. Required fields are marked *