‘ଚାଟ୍ଜିପିଟି’କେବେ ମଣିଷ ମସ୍ତିଷ୍କର ବିକଳ୍ପ ନୁହେଁ; ଏନ୍ ଆର୍ ନାରାୟଣମୂର୍ତ୍ତି

ଆମେରିକୀୟ ସଂସ୍ଥା ଓପନ୍ଏଆଇ ବିକାଶ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ‘ଚାଟ୍ଜିପିଟି’କୁ ମାନବ ମସ୍ତିଷ୍କର ବିକଳ୍ପ ଭାବେ ଅନେକ ବିଚାର କରୁଛନ୍ତି। ମଣିଷ ଯେଭଳି ଭାବୁଛି ଚାଟ୍ଜିପିଟି ତାହାର ଅବିକଳ ନକଲ କରିପାରୁଛି। ଏହା ଭବିଷ୍ୟତରେ ମଣିଷର ବିକଳ୍ପ ଭାବେ ଉଭା ହେବ ବୋଲି ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି। ଯଦି ସେଭଳି କିଛି ଘଟିବ ତେବେ ମଣିଷଙ୍କୁ ଆଉ କେହି ଖୋଜିବେନି। ସେମାନଙ୍କ ଚାକିରି ଚାଲିଯିବ। ସମାଜ ପ୍ରତି ବଡ଼ ଧରଣର ବିପଦ ମାଡ଼ି ଆସିବ ବୋଲି କୁହାଯାଉଛି। ଏଭଳି ଚର୍ଚ୍ଚାକୁ ନେଇ ଆଇଟି କଂପାନି ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି କିନ୍ତୁ ଆଦୌଁ ଚିନ୍ତିତ ନୁହନ୍ତି। ବର୍ତ୍ତମାନ ପରିସ୍ଥିତିରେ ଚାଟ୍ଜିପିଟି ମଣିଷ ମସ୍ତିଷ୍କର ବିକଳ୍ପ ହୋଇପାରିବନି ବୋଲି ସେ କହିଛନ୍ତି।ସେ କହିଛନ୍ତି ଯେ ମାନବ ମସ୍ତିଷ୍କ ହେଉଛି କଳ୍ପନା କରିବାର ସବୁଠୁ ଶକ୍ତିଶାଳୀ ମେସିନ। ଏହା ଉପରେ ମୋର ଦୃଢ଼ ବିଶ୍ବାସ ରହିଛି। କିଛି ବି ତାହାର ବିକଳ୍ପ ହୋଇପାରିବନି। ସେ ଆହୁରି କହିଛନ୍ତି ଯେ ସବୁ ମଣିଷଙ୍କ ମସ୍ତିଷ୍କ ସମାନ ନୁହେଁ। ଜଣଙ୍କ ମସ୍ତିଷ୍କ ଅନ୍ୟ ଜଣଙ୍କଠାରୁ ଅଲଗା। ଏଭଳିକି ଯଦି ସମାନ ପ୍ରଯୁକ୍ତିକୁ ଭିନ୍ନ ଭିନ୍ନ ଲୋକ ବ୍ୟବହାର କରିବେ ତେବେ ତାହାର ଫଳାଫଳ ଅଲଗା ରହିବ । ଯଦି ଦୁଇ ଜଣଙ୍କ ଭିତରେ ପ୍ରତିଯୋଗିତା ହେବ ତେବେ ଚାଟ୍ଜିପିଟିକୁ ବ୍ୟବହାର କରିଥିବା ବ୍ୟକ୍ତି ଯଦି ତା’ପରେ ନିଜର ବୁଦ୍ଧି, ଚତୁରପଣ ଆଦିକୁ ବ୍ୟବହାର କରି ଭିନ୍ନତା ଆଣିପାରିବେ ତେବେ ଯାଇ ସେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଭିନ୍ନ ହୋଇପାରିବେ ବୋଲି ସେ କହିଛନ୍ତି।