ନିଶ୍ଚିତ ବିଦାୟ ଜାଣି ନିଜ ଆଡୁ ଓହରୁଛନ୍ତି ଚେଲ୍ଲା କୁମାର, ସିଡବ୍ଲୁସି ସଦସ୍ୟ ନ ହୋଇ ପାରନ୍ତି ନିରଞ୍ଜନ
ଭୁବନେଶ୍ୱର : ଏଆଇସିସିସ୍ତରରେ ବ୍ୟାପକ ପରିବର୍ତ୍ତନର ଆଭାସ ମିଳିଲାଣି। ପ୍ରାୟ ୯ରୁ ୧୦ଟି ରାଜ୍ୟର ପ୍ରଭାରୀ ବଦଳିବେ। ଏଥିରେ ଓଡ଼ିଶା ମଧ୍ୟ ରହିଛି। ଏହା ଜାଣି ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ନିଜ ଆଡ଼ୁ ଦାୟିତ୍ୱମୁକ୍ତ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ହେଲେ ଏହା ଗଣମାଧ୍ୟମରେ କେବଳ ନିଜ ଛବି ସଜାଡ଼ିବା ପାଇଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ତାମିଲନାଡୁରୁ ଆସିଥିବା ଏହି ପ୍ରଭାରୀ ଜଣଙ୍କ ଜଣେ ମାଇନିଂ ମ୍ୟାନଙ୍କ ଫାର୍ମ ହାଉସରେ ଭୋଜି କରିବା ଏବଂ ତାଙ୍କ ଇସାରାରେ ଦଳକୁ ପରିଚାଳନା କରିବା ଅଭିଯୋଗ ହୋଇଥିଲା। ଏନେଇ କେତେଜଣ ଏଆଇସିସିରେ ଅଭିଯୋଗ କରିଥିବା ଜଣାପଡିଛି। ଏହା ପରେ ତାଙ୍କୁ ବିଦା କରାଯିବା ନିଶ୍ଚିତ ଜାଣି ସେ ନିଜ ଆଡୁ ଅପସାରିତ ହେବାକୁ ଚାହୁଁଥିବା ଜଣାପଡିଛି।
ଅପରପକ୍ଷରେ ପିସିସି ସଭାପତି ପଦରୁ ଯିବା ପରେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ସର୍ବୋଚ୍ଚ ଫୋରମ ସିଡବ୍ଲୁସିର ସଦସ୍ୟ ହେବାକୁ ପ୍ରୟାସ ଜାରି ରଖିଛନ୍ତି। ଏହା ହୋଇ ପାରିଲେ ଭବିଷ୍ୟତରେ ତାଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ନୂଆଦିଲ୍ଲୀ ଲବି ତାଙ୍କ ପରେ ନବଜ୍ୟୋତିଙ୍କ ସାଥିରେ ରହିବ। ମାତ୍ର ଗତଥରର ପ୍ରଦର୍ଶନ ଓ ଓଡ଼ିଶା ଭଳି ଗରିବ ରାଜ୍ୟରେ ଶ୍ରୀ ପଟ୍ଟନାୟକ ଆର୍ଥିକ ଅଭ୍ୟୁଦୟ ତାଙ୍କୁ ସିବ୍ଲୁସି ସଦସ୍ୟ କରିବାକୁ ବଞ୍ଚିତ କରିପାରେ।