ଲୋକସେବା ଭବନରେ ଖୋଲିବ ଶିଶୁ ଯତ୍ନ ପ୍ରକୋଷ୍ଠ

ଭୁବନେଶ୍ୱର,୧୮/୪(ବ୍ୟୁରୋ ): ଓଡ଼ିଶା ପ୍ରଶାସନିକ ମୁଖ୍ୟାଳୟ ତଥା ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ପାଇଁ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍(ଶିଶୁ ଯତ୍ନ ପ୍ରକୋଷ୍ଠ) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏହାକୁ କାର୍ଯ୍ୟକ୍ଷମ କରାଯିବ l କ୍ରେଚ ସୁବିଧା ଚାହୁଁଥିବା ଅଭିଭାବକ ୨ହଜାର ଟଙ୍କା ପଞ୍ଜିକରଣ ଫି(ଥରେ) ଓ ମାସିକ ୧୫୦୦ଟଙ୍କା ଦେଇ କର୍ମଚାରୀମାନେ ନିଜର ୬ମାସରୁ ୬ବର୍ଷ ବୟସର ପିଲାମାନଙ୍କୁ ଏହି କ୍ରେଚରେ ରଖିପାରିବେ । ଏହାର ସମୟ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରଖା ଯାଇଛି l
ଦିନକ ପୂର୍ବରୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ରୀତାରାଣୀ ପଟ୍ଟନାୟକ ସମସ୍ତ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି l ଵିଭାଗ ପକ୍ଷରୁ ପରିଚାଳନା ନେଇ ଏନେଇ ମଧ୍ୟ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି l କର୍ମଚାରୀମାନେ ଯେଭଳି ଏହାର ସୁବିଧା ନେଇପାରିବେ ସେଥିପାଇଁ ବ୍ୟାପକ ସଚେତନତା ପ୍ରତି ଧ୍ୟାନ ଦିଆଯାଇଛି l ଏହି କ୍ରେଚ୍ କେବଳ ସରକାରୀ କର୍ମଚାରୀଙ୍କ ପିଲାଙ୍କ ପାଇଁ ଉଦ୍ଦିଷ୍ଟ । ୬ମାସରୁ ୬ବର୍ଷ ବୟସ(ସ୍ୱତନ୍ତ୍ର କେସରେ ଅଧିକ ବୟସର) ପିଲାଙ୍କୁ ଏହି କ୍ରେଚରେ ରଖାଯାଇଛି । ଏହି କ୍ରେଚ୍ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ସକାଳ ସାଢ଼େ ୯ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ଖୋଲିବ ବୋଲି ଜଣାପଡିଛି । ଏଠାରେ ଥରେ ୨ହଜାର ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡ଼ିବ ଓ ପ୍ରତିମାସ ୫ତାରିଖ ସୁଦ୍ଧା ୧୫୦୦ଟଙ୍କା ଲେଖାଏଁ ଦେୟ ଦେବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୫ଜଣ ଶିଶୁଙ୍କ ପାଇଁ ପଞ୍ଜିକରଣ କରାଯିବ ।
ପଞ୍ଜିକରଣ କ୍ରମାଙ୍କ ଅନୁଯାୟୀ ସୁବିଧା ପ୍ରଦାନ କରାଯିବ । କ୍ରେଚରେ ୬ମାସରୁ ୩ବର୍ଷ ବୟସର ପିଲାଙ୍କୁ ଅଗ୍ରାଧିକାର ଦିଆଯିବ ।କ୍ରେଚରେ ପରିଚ୍ଛନ୍ନତା ପରିବେଶ, ଉଚ୍ଚ ପ୍ରଶିକ୍ଷିତ ସହାୟିକା, ଖେଳଣା, ବହି, ଅନ୍ୟାନ୍ୟ ଖେଳ ଗତିବିଧି ସହ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ମଧ୍ୟ ରହିବ । ପିଲାଙ୍କ ବୟସକୁ ଦୃଷ୍ଟିରେ ରଖି ସେମାନଙ୍କ ବିକାଶ ଆଧାରିତ ଗତିବିଧି କରାଯିବ ।
ଏହି କ୍ରେଚରେ ପିଲାମାନଙ୍କୁ ଛାଡ଼ିବାକୁ ହେଲେ ଅଭିଭାବକଙ୍କୁ ପ୍ରତ୍ୟେକ ଦିନ ଅତିରିକ୍ତ ୨/୩ହଳ ଡ୍ରେସ ଓ ଡାଇପର ଦେବାକୁ ପଡ଼ିବ । ଦିନତମାମ ପାଇଁ ଟିଫିନ ବାକ୍ସରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ସ୍ନାକସ୍ ମଧ୍ୟ ଦେବାକୁ ହେବ । କ୍ରେଚରେ ଫ୍ରିଜ୍ ଓ ଖାଦ୍ୟ ଗରମ ପାଇଁ ବ୍ୟବସ୍ଥା ରହିବ । ପିଲାଙ୍କ ପିତାମାତା ଯେତେବେଳେ ଚାହିଁବେ କ୍ରେଚକୁ ଯାଇ ସେମାନଙ୍କ ପିଲାଙ୍କୁ ଦେଖିପାରିବେ । ସର୍ବାଧିକ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପିଲାଙ୍କୁ ନେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି । ଅଭିଭାବକଙ୍କ ବ୍ୟତୀତ ଅନ୍ୟ କେହି ଏହି କ୍ରେଚ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ।ତେବେ ଅନ୍ୟ କେହି ବାହାରର ବ୍ୟକ୍ତିଙ୍କ ପ୍ରବେଶ ଉପରେ କ୍ରେଚ୍ ସଂଯୋଜକ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି ଜଣା ପଡ଼ିଛି ।