ଆମ ଦଳରେ ତ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ପିସିସି ଉପରେ ବର୍ଷିଲେ ଚିରଞ୍ଜୀବ….

ଭୁବନେଶ୍ୱର,୮/୫(ବ୍ୟୁରୋ): ଆମର ୯ ଜଣ ବିଧାୟକ ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯିଏ ପିସିସି ସଭାପତି ଆଶାୟୀ ଥାଆନ୍ତି, ସେ ସମସ୍ତଙ୍କୁ ପଚାରନ୍ତି। ହେଲେ ଥରେ ପିସିସି ସଭାପତି ହେଲେ ସବୁ ଭୁଲି ଯାଆନ୍ତି। ସତରେ କହିବାକୁ ଗଲେ ଓଡ଼ିଶା କଂଗ୍ରେସର ଲଢିବା ମନୋବୃତ୍ତି ନାହିଁ। ନୂଆ ଯୁବକ କଂଗ୍ରେସ ସହ ଯୋଡ଼ି ହେଉ ନାହାନ୍ତି। ତେଣୁ କଂଗ୍ରେସ ହେବ କେମିତି ବୋଲି ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି। ସ୍ଥାନୀୟ ସୂଚନା ଭବନରେ ଆୟୋଜିତ ଏକ ରାଜନୈତିକ ଆଲୋଚନା ଚକ୍ରରେ ବକ୍ତାଭାବେ ଯୋଗ ଦେଇ ଶ୍ରୀ ବିଶ୍ୱାଳ ଏହା କହିଛନ୍ତି। ଯାହାକୁ ନେଇ କଂଗ୍ରେସ ଶିବିରରେ ବେଶ୍ ଆଲୋଡନ ସୃଷ୍ଟି ହୋଇଛି।


ଚିରଞ୍ଜୀବ ଆହୁରି କହିଛନ୍ତି ଯେ, ୧୯୭୭ ତଥା ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସର ଏପରି ଖରାପ ସ୍ଥିତି ନ ଥିଲା। କିଏ ଗୋଟେ ନିର୍ବାଚନ ମଣ୍ଡଳୀରେ ପ୍ରସ୍ତୁତି କରିବା ବେଳେ ଭୋଟ ସମୟରେ ଅନ୍ୟ ଜଣେ ଟିକେଟ୍ ନେଇ ଯାଉଛି। ଆଗାମୀ ଦିନରେ ୧୪୭ ପ୍ରାର୍ଥୀ କଂଗ୍ରେସ ପାଇବ ନା ନାହିଁ, ସେ କଥା ସମୟ କହିବ। ବିଧାୟକ ସଂଖ୍ୟା ୯ରୁ ୯୦ ହେଉଛି ନା ୯୧ ହେଉଛି, ତାହା ଦେଖିବାକୁ ବାକି ରହିଲା। ପିସିସି ସଭାପତି ଆଉ କାହାକୁ ପଚାରୁ ନାହାନ୍ତି। ଦଳର ସଙ୍ଗଠନ କେମିତି ହେବ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। ମହମ୍ମଦ ମୋକ୍କିମଙ୍କ ପୌରହିତ୍ୟରେ ଜାନକୀ ବାବୁ-ବସନ୍ତ ବାବୁଙ୍କ ଯୋଡି-ଓଡ଼ିଶା ରାଜନୀତିର ଅନ୍ୟତମ ସୂବର୍ଣ୍ଣ ଯୁଗ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବାଦ ସମ୍ପାଦକ ତଥା ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବିଦାସ ଏବଂ ସନ୍ଦୀପ ସାହୁ ପ୍ରମୁଖ ଅଂଶଗ୍ରହଣ କରି ବକ୍ତବ୍ୟ ଦେଇଥିଲେ। ମୋକ୍କିମଙ୍କ ଏହି ପ୍ରୟାସ ଆଗାମୀ ଦିନରେ କଂଗ୍ରେସକୁ ସକ୍ରିୟ କରିବ ବୋଲି ରବି ଦାସ ମତ ରଖିଥିଲେ। କିଛିଦିନ ହେବ ଚିରଞ୍ଜୀବ ବିଶ୍ୱାଳ ବିଜେଡିକୁ ଚାଲିଯିବେ ବୋଲି ଚର୍ଚ୍ଚା ହେଉଛି, ହେଲେ କିଛି ଜଣା ପଡୁନାହିଁ। ତେଣୁ ମୋକ୍କିମ ଶ୍ରୀ ବିଶ୍ୱାଳଙ୍କୁ ଡାକି ତାଳିପକା ଉଦ୍ୟମ କରିଥିବା କୁହାଯାଉଛି। ମୋକ୍କିମ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ଚିରଞ୍ଜୀବଙ୍କ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ୨୦୧୯ ପୂର୍ବରୁ ରାହୁଲ ଗାନ୍ଧୀ 3 ଜଣ ନେତାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଲେ। ସେଥିରୁ ୨ ଜଣ ବିଜେଡିରେ ଯୋଗ ଦେଲେ। ମାତ୍ର ଚିରଞ୍ଜୀବ ବିଶ୍ୱାଳ ଦେଲେ ନାହିଁ। ପ୍ରତିକୂଳ ପରିସ୍ଥିତିରେ ସେ ୨ ଥର ବିଧାୟକ ହୋଇଛନ୍ତି। କଂଗ୍ରେସ ତାଙ୍କୁ ଆବଶ୍ୟକତା କରେ ବୋଲି ମୋକ୍କିମ କହିଥିଲେ।

Leave a Reply

Your email address will not be published. Required fields are marked *