ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ପୁଅଙ୍କୁ ଟପିଲେ ଝିଅ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ହେଉ କି ଆଇଏଏସ୍ ପରୀକ୍ଷା କିମ୍ବା ନିଟ୍ , ଯୁକ୍ତ ଦୁଇ ସବୁଥିରେ ଝିଆ ମାନଙ୍କ ପ୍ରଦର୍ଶନ ଆକାଶଛୁଆଁ ରହିଆସୁଛି। ଏହି କ୍ରମରେ ବୁଧବାର ପ୍ରକାଶିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ବିଜ୍ଞାନରେ ଝିଅଙ୍କ ପାସ ହାର ୮୫.୬୭ % ଥିବା ବେଳେ ପୁଅଙ୍କ ପାସହାର ରହିଛି ୮୪.୨୮ % ।

ଏଥର ବିଜ୍ଞାନରେ ୭୭ହଜାର ୪୬୮ ନିୟମିତ ପରୀକ୍ଷାର୍ଥୀ ପାସ କରିଛନ୍ତି । ୧୪୭୦ ଅନିୟମିତ ପରୀକ୍ଷାର୍ଥୀ ପାସ କରିଛନ୍ତି। ୩୯ହଜାର ୫୭୩ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୪ହଜାର ୨୫୭ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୪ହଜାର ୮୫୨ ଜଣ । ନୟାଗଡ଼ରେ ସର୍ବାଧିକ ପାସ ହାର ୯୬.୪୧ ପ୍ରତିଶତ । ଗଜପତିରେ ସର୍ବନିମ୍ନ ପାସ ହାର ୬୧.୫୫ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାପଡିଛି । ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ, ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୧୯,୫୩୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୧୮୭୪୦ ରେଗୁଲାର ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୭୮୯ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ନୟାଗଡରେ ସର୍ବାଧିକ ପାସ୍ ହାର ୯୩.୦୯% ଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ପାସ୍ ହାର ୫୫.୫୫% ରହିଛି । ତେବେ ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୭୯.୫୨% ରହିଛି । ସେହିଭଳି ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୮୩.୮୭% ରହିଛି ।
ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍ଙ୍କ ଦ୍ୱାରା ଫଳ ପୁସ୍ତିକାକୁ ଉନ୍ମୋଚନ କରାଯାଇଛି। ଏ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍‌ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *