ସୁନା ପୁଅ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗତକାଲି ଭାରତୀୟ ପୁରୁଷ ହକି ଟିମ୍ ଏସୀୟ କ୍ରୀଡ଼ାରେ ବହୁ ପ୍ରତୀକ୍ଷିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରଦର୍ଶ ମଧ୍ୟ ଉଚ୍ଚକୋଟୀର ଥିଲା।  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତ ରୋହିଦାସଙ୍କ ପାଇଁ  ଦେଢ଼ କୋଟି ଟଙ୍କାର ପୁରସ୍କାର  ରାଶି ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି।

ତୃଣମୂଳରୁ ଆରମ୍ଭ କରି  ଅନ୍ତର୍ଜାତୀୟ ହକି ଟର୍ଫରେ ଖେଳୁଥିବା ଅମିତ ରୋହିଦାସଙ୍କ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା। କ୍ୟାରିୟର ପ୍ରଥମ ପର୍ଯ୍ୟାୟରେ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ସେ ଆସିଥିଲେ। ଏହା ପରେ ୨୦୦୯ରେ ଉପକନିଷ୍ଠ ଏସିଆ କପ୍‌ରେ ଭାଗନେବା ସହ ୨୦୧୨ରେ ଏସିଆନ ଚାମ୍ପିଅନସିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୨ରେ ଲଣ୍ଡନ  ଅଲିମ୍ପିକ ପାଇଁ କ୍ୟାମ୍ପରେ ସ୍ଥାନ ପାଇଥିଲେ। ମାତ୍ର ସେ ସେ ସମୟରେ  ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ପ୍ରତିଯୋଗିତା; ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍‌ (ରୌପ୍ୟ), ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍‌ (କାଂସ୍ୟ), ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ। ୨୦୨୧ରେ ଅମିତ ରୋହିଦା ଅର୍ଜୁନ ପୁରସ୍କାର ଲାଭ କରିଥିଲେ।  ୨୦୨୧ରେ ଅଲିମ୍ପିକ୍‌ରେ  ଭାରତ ବ୍ରୋଞ୍ଚ ପଦକ ଜିତି ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ କରିଥିଲା। ଅମିତ ଏହି ଐତିହାସିକ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଅଂଶ ରହିଥିଲେ।

Leave a Reply

Your email address will not be published. Required fields are marked *