ମତାମତ ଦେଇ ପାରିବେ ଉପଭୋକ୍ତା

ଭୁବନେଶ୍ୱର : (ଆନନ୍ଦ ମହାପାତ୍ର)-ଓଡିଶାର ଏକକୋଟି ଉପଭୋକ୍ତାଙ୍କୁ ପ୍ରାୟ ୫ ବର୍ଷଧରି ଟାଟା ପାୱାର ବିଦ୍ୟୁତସେବା ଯୋଗାଇ ଆସୁଛି। କେନ୍ଦ୍ରୀୟ ଓଡିଶାର ୮ ଟି ଜିଲ୍ଲାକୁ ଜୁନ ପହିଲା ୨୦୨୦ରୁ ଟିପିସିଓଡ଼ିଏଲ ବିଦ୍ୟୁତସେବା ଯୋଗଉଥିବା ବେଳେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲା ଓ ଦକ୍ଷିଣ ଓଡିଶାର ୮ଟି ଜିଲ୍ଲାକୁ ଜାନୁଆରୀ ପହିଲା ୨୦୨୧ରୁ ଯଥାକ୍ରମେ ଟିପିଡବ୍ଲୁଓଡ଼ିଏଲ ଓ ଟିପିଏସଓଡ଼ିଏଲ ବିଦ୍ୟୁତ ଯୋଗାଣ କରୁଛି। ସେହିପରି ଉତ୍ତର ଓଡିଶାର ଅବଶିଷ୍ଟ ୫ଟି ଜିଲ୍ଲାକୁ ଏପ୍ରିଲ ପହିଲା ୨୦୨୧ରୁ ଟାଟା ବିଦ୍ୟୁତସେବା ଯୋଗାଇଆସୁଛି। ଓଇଆରସିର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନା ଏପ୍ରିଲ ୮, ୨୦୨୫ରେ ଯୋଗଦେବାପରେ ଟାଟାର ନିମ୍ନମାନର ବିଦ୍ୟୁତସେବା ଉପରେ ଆୟୋଗ ବାରମ୍ବାର ଅଭିଯୋଗ ପାଉଥିଲେ। ତେଣୁ ଟାଟାର ବିଦ୍ୟୁତସେବା ଉପରେ ଆୟୋଗ ଅସନ୍ତୁଷ୍ଟ ଥିଲେ। ଓଇଆରସିର ପୂର୍ବତ୍ତନ ସଭ୍ୟ ବିଜୟ ଚନ୍ଦ୍ର ଜେନା ଟାଟାର ଦୁର୍ବଳ ବିଦ୍ୟୁତ ବିତରଣ ଭିତ୍ତିଭୂମି ତଥା ନିମ୍ନମାନର ବିଦ୍ୟୁତସେବା ଉପରେ ଶକ୍ତି ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଶ୍ରୀ ଜେନାଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ ପାଇଁ ୦୯.୦୬.୨୦୨୫ରେ ଶକ୍ତିମନ୍ତ୍ରୀ ଏକ ଡ଼ିଓ ଚିଠି ମାଧ୍ୟମରେ ଗ୍ରୀଡ୍କୋ ଓ ଟାଟାକୁ ନିର୍ଦ୍ଧେଶ ଦେଇଥିଲେ। ତେବେ ଚାରୋଟି ବିଦ୍ୟୁତ ବିତରଣ ଜୋନକୁ ଟାଟାକୁ ହସ୍ତାନ୍ତର ସର୍ତ୍ତାବଳୀ ଆଦେଶରେ ପାଞ୍ଚବର୍ଷ ପରେ ସମୀକ୍ଷା କରିବାପାଇଁ ସର୍ତ୍ତଥିଲା। ଉପଭୋକ୍ତା ଓ ଶ୍ରୀ ଜେନାଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ତଥା ହସ୍ତାନ୍ତର ସର୍ତ୍ତାବଳୀକୁ ବିଚାରକୁ ନେଇ ଓଇଆରସିର ନିର୍ଦ୍ଧେଶକ (ନିୟାମକ ବ୍ୟାପାର) ପ୍ରିୟବର୍ତ୍ତ ପଟ୍ଟନାୟକ ଏକ ସୋ-ମୋଟୁ ମାମଲା କେସ ନ ୫୧/୨୦୨୫ ଦାୟର କଲେ। ମାମଲାର ସମାଧାନ ପାଇଁ ଟାଟାର ଚାରୋଟି ଆବଣ୍ଟନ କମ୍ପାନୀ, ଶକ୍ତି ସଚିବ, ବି ସି ଜେନା ଓ ଅନ୍ୟ ଦୁଇଜଣ ଉପଭୋକ୍ତାଙ୍କୁ ମାମଲାରେ ପକ୍ଷକରି ୨୫.୦୬.୨୦୨୫ରେ ଓଇଆରସି ନୋଟିସ ଜାରିକଲେ। ଟାଟା ଆବଣ୍ଟନ କମ୍ପାନୀଗୁଡ଼ିକ ୦୪.୦୭.୨୦୨୫ରେ ମାମଲାରେ ଥିବା ଅଭିଯୋଗ ଉପରେ ଉତ୍ତର ରଖି ଏପରି ମାମଲାକୁ ବନ୍ଦ କରିବାପାଇଁ ଆୟୋଗଙ୍କୁ ନିବେଦନ କଲେ। ଗତ ୧୫.୦୭.୨୦୨୫ରେ ମାମଲାର ଶୁଣାଣୀ ସମୟରେ ଟାଟାର ନିବେଦନକୁ ଆୟୋଗ ଖାରଜ କରିଦେଲେ। ଟାଟାର ନିମ୍ନମାନର ବିଦ୍ୟୁତସେବା ତଥା ଦୁର୍ବଳ ଭିତ୍ତିଭୂମି ଉପରେ ହୋଇଥିବା ଅଭିଯୋଗଗୁଡିକ ଉପରେ ଅଧିକରୁ ଅଧିକ ଉପଭୋକ୍ତାଙ୍କ ମତାମତ ଆବଶ୍ୟକ ଥିବା ଦର୍ଶାଇ ଆୟୋଗ ଜନଶୁଣାଣୀ କରିବା ପାଇଁ ନିର୍ଦ୍ଧେଶ ଦେଲେ। ଓଇଆରସି ୧୮.୦୭.୨୦୨୫ରେ ଏକ ସାଧାରଣ ବିଜ୍ଞପ୍ତି ମାଧ୍ୟମରେ ଓଡିଶାର ସମସ୍ତ ଏକକୋଟି ଉପଭୋକ୍ତାଙ୍କ ଠାରୁ ମତାମତ ଆହ୍ଵାନ କରିଛନ୍ତି। ପରବର୍ତ୍ତୀ ଶୁଣାଣୀ ୨୯.୦୮.୨୦୨୫ରେ ଅନୁଷ୍ଟିତ ହେବ। ସାଧାରଣ ବିଜ୍ଞପ୍ତି ଓ ମାମଲାର ଦରଖାସ୍ତଟି ଓଇଆରସି ୱେବସାଇଟରେ ଉପଲବ୍ଧ ଅଛି।
ଓଇଆରସି ଗଠନର ୩୦ ବର୍ଷ ଭିତରେ ବିଦ୍ୟୁତସେବାର ମାନକ ଉପରେ ଉପଭୋକ୍ତାଙ୍କ ମତାମତକୁ ଆୟୋଗ ଉପେକ୍ଷା କରିଆସିଛନ୍ତି। ପ୍ରଥମ ଥର ପାଇଁ ଓଇଆରସି ବିଦ୍ୟୁତସେବା ମାନକ ଉପରେ ଉପଭୋକ୍ତାଙ୍କ ମତାମତକୁ ଜନଶୁଣାଣୀ ମାଧ୍ୟମରେ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଉପଭୋକ୍ତାଙ୍କୁ ମତାମତ ଦେବାପାଇଁ ପ୍ରାୟ ଏକମାସ ପ୍ରଦାନ କରାଯାଇଛି। ଅର୍ଥାତ ଉପଭୋକ୍ତମାନେ ସାଧାରଣ ବିଜ୍ଞପ୍ତି ଅନୁସାରେ ନିଜନିଜର ଅଭିଯୋଗକୁ ୧୬.୦୮.୨୦୨୫ ମଧ୍ୟରେ ସିଧାସଳଖ ଓଇଆରସିରେ ଦାଖଲ କରିବେ। ତେବେ ଗୁରୁତ୍ଵପୂର୍ଣ କଥାଟି ହେଉଛି ଉପଭୋକ୍ତାଟି ବିଦ୍ୟୁତସେବାର କେଉଁ କେଉଁ ଦିଗ ଉପରେ ମତାମତ ଦେବେ? ଶ୍ରୀ ମହାପାତ୍ର କହିଛନ୍ତିଯେ ସାଧାରଣ ବିଜ୍ଞପ୍ତି ଅନୁସାରେ ନିଜନିଜ ଅଞ୍ଚଳରେ ବିଦ୍ୟୁତସେବା କିପରି ଅଛି, ମାସକୁ ହାରାହାରି କେତେଥର ଓ କେତେ ଘଣ୍ଟାପାଇଁ ଲାଇନ କଟୁଛି, ଭୋଲଟେଜ କିପରି ଅଛି, କେତେ ଦୂରରେ ଟ୍ରାନ୍ସଫର୍ମର ବସିଛି, ଲାଇନ, ଖମ୍ବ, ଓ ଟ୍ରାନ୍ସଫର୍ମର କେତେ ପୁରୁଣା ଓ କିପରି ଅବସ୍ତା ଅଛି, ନିକଟରେ ଥିବା ବିଦ୍ୟୁତ ସେକ୍ସନ ଅଫିସ ଉପଭୋକ୍ତାଙ୍କ ଅଭିଯୋଗକୁ କିପରି ଓ କେତେ ସମୟରେ ସମାଧାନ କରୁଛି, ବିଦ୍ୟୁତବିଲ ଛଡା ଆଉ କେଉଁ ବାବଦରେ ଅର୍ଥ ଭରଣା କରିବାକୁ ପଡୁଛି, ବିଦ୍ୟୁତବିଲ ଠିକ ସମୟରେ ଆସୁଛି କି ନାହି, ମିଟର ସମସ୍ୟା, ବିଦ୍ୟୁତ କର୍ମଚାରୀଙ୍କ ସାଧୁତା, ନୂଆ ଲାଇନ ସମସ୍ୟା ତଥା ପଡୋଶୀ ଗ୍ରାମ କିମ୍ବା ପଡାରେ ଲାଇନ ଅଛି ନା ନାହି ଆଦି ଦିଗ ଉପରେ ଉପଭୋକ୍ତାମାନେ ମତାମତ ଦେଇପାରିବେ। ତେବେ ମତାମତ ଦେବାପାଇଁ ଉପଭୋକ୍ତାଟି ଇମେଲ କିମ୍ବା ସ୍ପିଡପୋଷ୍ଟରେ ଓଇଆରସିଙ୍କୁ ପଠାଇ ତାହାର ଗୋଟେ ନକଲ ନିଜର ଆବଣ୍ଟନ କମ୍ପାନୀକୁ ପ୍ରେରଣ କରିବେ। ଜନଶୁଣାଣୀ ଦିନ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି କିମ୍ବା ବ୍ୟକ୍ତିଗତ ଭାବେ ଓଇଆରସି ଶୈଳଶ୍ରୀ ବିହାର ଭୁବନେଶ୍ଵର ଅଫିସରେ ଉପସ୍ଥିତ ରହି ଆୟୋଗଙ୍କୁ ମତାମତ ଦେଇ ପାରିବେ।