ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ବଳବତ୍ତର, ସୁପ୍ରିମକୋର୍ଟ ପାଇଁ ରହିଛି ବିକଳ୍ପ

ଗାନ୍ଧୀ ନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ନାଁର ହୋଇଥିବା ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଶ୍ରୀ ଗାନ୍ଧୀଙ୍କ ବିପକ୍ଷରେ ସେସନ୍ କୋର୍ଟ ଦେଇଥିବା ପୂର୍ବ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ସେସନ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ଶ୍ରୀ ଗାନ୍ଧୀ ଦାଖଲ କରିଥିବା ‘ରିଭ୍ୟୁ ପିଟିସନ୍’କୁ ଖାରଜ କରି ସେହି ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ଗୁଜରାଟ ହାଇକୋର୍ଟ କହିଛନ୍ତି, ଟ୍ରାଏଲ୍ କୋର୍ଟର ଦଣ୍ଡାଦେଶ ସମୁଚ୍ଚିତ, ଏହି ଆଦେଶରେ ହସ୍ତକ୍ଷେପ କରିବା ଅନାବଶ୍ୟକ। ତେଣୁ, ଏହି ଆବଦେନକୁ ଅଗ୍ରାହ୍ୟ କରାଗଲା। ଶ୍ରୀ ଗାନ୍ଧୀଙ୍କ ନାଁରେ ଆହୁରି ୧୦ଟି ଅପରାଧିକ ମାମଲା ପଡ଼ିରହିଥିବା କୋର୍ଟ ପକ୍ଷରୁ ଉଲ୍ଲେଖ କରାଯାଇଛି।ଏହି ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ବିଚାରପତି ହେମନ୍ତ ପ୍ରଚାଚକ କହିଲେ, ସାମ୍ପ୍ରତିକ ମାମଲାକୁ ଛାଡ଼ି ରାହୁଲ ଗାନ୍ଧୀଙ୍କ ବିରୋଧରେ ଆହୁରି କିଛି ମାମଲା ରହିଛି। ସେଥିରୁ ଗୋଟିଏ ମାମଲା ଫାଇଲ୍ କରିଛନ୍ତି ବୀର ସବର୍କରଙ୍କ ନାତି। ତେଣୁ ଦଣ୍ଡାଦେଶ ଦିଆଯାଇ ଅନ୍ୟାୟ କରାଯାଇନାହିଁ। ମାତ୍ର ବିକଳ୍ପ ଭାବେ ରାହୁଲ୍ ଗାନ୍ଧୀ ଆଗାମୀ ଦିନରେ ସୁପ୍ରିମ୍ କୋର୍ଟରେ ଆବେଦନ କରିପାରିବେ ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।

ଗତ ମାର୍ଚ୍ଚ ମାସ ୨୩ ତାରିଖ ଦିନ ସୁରତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମା ରାହୁଲ୍ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ପ୍ରାୟ ଚାରି ବର୍ଷ ପୂର୍ବେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ରାହୁଲ୍ କହିଥିଲେ, ସବୁ ଚୋରଙ୍କର ସାଙ୍ଗିଆ ମୋଦି ହେଲା କେମିତି। ଏହି ଟିପ୍ପଣୀ ଲାଗି ତାଙ୍କ ବିରୋଧରେ ମାମଲା କରାଯାଇଥିଲା।