ମୌସୁମୀ ବାଟରେ ବାଧକ ସାଜିଛି ବାତ୍ୟା ‘ବିପର୍ଯ୍ୟୟ’
ଭୁବନେଶ୍ବର : ଆରବ ସାଗରରେ ଅବପାତ ହେତୁ କେରଳ ପହଞ୍ଚି ପାରୁନି ମୌସୁମୀ । ଯଦି ଠିକ୍ ସମୟରେ ମୌସୁମୀ ଓଡ଼ିଶାକୁ ଆସିଥାନ୍ତା ତେବେ ଏତେବେଳକୁ ବର୍ଷା ହେବା ସହ ଗରମ ଓ ଗୁଳୁଗୁଳିରୁ ବି ଆଶ୍ବସ୍ତି ମିଳିସାରନ୍ତାଣି। କିନ୍ତୁ ମୌସୁମୀ ଆସିବାର ବାଟ ଉଗାଳିଛି ବାତ୍ୟା ‘ବିପର୍ଯ୍ୟୟ’। ଆରବସାଗରରେ ଲଘୁଚାପ ପରେ ଏହା ବାତ୍ୟା ‘ବିପର୍ଯ୍ୟୟ’ ରୂପ ନେବ ବୋଲି ଆକଳନ କରାଯାଇଛି। ଏହି ସାମ୍ଭାବ୍ୟ ବାତ୍ୟା ଯୋଗୁଁ ସେଠାରେ ମେଘଖଣ୍ଡ ଏକାଠି ରହୁଛି ଓ ମୌସୁମୀ କେରଳ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି। ସେହିପରି ମୌସୁମୀ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ‘ସୁରେନ୍ଦ୍ରନାଥ ପଶୁପାଳକ ‘କହିଛନ୍ତି ଯେ ସ୍ୱାଭାବିକ ଭାବେ ଜୁନ୍ ୧ରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜୁନ୍ ୯ ପୂର୍ବରୁ ଏହି ସମ୍ଭାବନା କମ୍ ରହିଛି । ଏହି ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାତାର ଦୁଇ ଦିନ ଅତିକମ୍ରେ ୨.୫ ମିମି ବର୍ଷା ନ ହେବା ଓ ‘ଆଉଟ ଗୋଇଙ୍ଗ ଲଙ୍ଗ୍ୱେଭ୍ ରେଡିଏସନ୍’ ଅଧିକ ରହୁଥିବା କାରଣରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମୌସୁମୀ ଆସିବାର ସମ୍ଭାବନାକୁ କମ୍ କରୁଛି ।