ପାରାଦୀପ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଦାନା’

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ଆସନ୍ତା ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ସଂପୂର୍ଣ୍ଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମୁହାଁଇବ। ତେବେ ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି ରହିଛି ଏହି ସାମ୍ଭବ୍ୟ ବାତ୍ୟାଟି ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ। ଅତି ଭୀଷଣ ବାତ୍ୟାର ରୂପ ନେବ ‘ଦାନା’ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ତାଣ୍ଡବ ରଚିବ ବୋଲି କୁହାଯାଉଛି। ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ତେବେ ବାତ୍ୟାକୁ ନେଇ ଓଡ଼ିଶା ସରକାର ସତର୍କ ହୋଇଯାଇଛନ୍ତି। ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ। ଯେଉଁଠାରେ ବାତ୍ୟାର ଗତିପଥ ଉପରେ ନଜର ରଖୁଛି କଣ୍ଟ୍ରୋଲ ରୁମ। ସେହିପରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର କାର୍ଯ୍ୟ ଉପରେ ନଜର ରଖିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ।
ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ସହିତ ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୨୩ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।