ଖରାଦିନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବସୁଥିବା ବେଳେ ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ। ପ୍ରାକ୍ ମୌସୁମୀ ମାସ ଓ ମୌସୁମୀ ମାସର ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଅଲଗା ଅଲଗା ପ୍ରସ୍ତୁତି ବୈଠକ କରୁଛନ୍ତି । ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ନେଇ ସମୀକ୍ଷା ହେବ। ମାର୍ଚ୍ଚରୁ ମେ ମାସ ଭିତରେ ରାଜ୍ୟରେ ଫନି ଓ ଅମ୍ଫନ ଭଳି ବଡ଼ ବାତ୍ୟା ହୋଇଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କରିପାରିଥିଲେ।
ବୈଠକରେ ଆଇଏମ୍ଡି ପାୱାର ପଏଣ୍ଟ ମାଧ୍ୟମରେ ବାତ୍ୟା ସମ୍ପର୍କରେ ତଥ୍ୟ ରଖିବ। ଡପଲାର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚାଇ ଦିଆଯିବ। ବାତ୍ୟା ସମୟରେ କିପରି ଟେଲି ଯୋଗାଯୋଗର ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହେବ। ଲୋକମାନଙ୍କୁ କିପରି ଏସଏମ୍ଏସ ଯୋଗେ ସତର୍କ କରାଯାଇପାରିବ ସେନେଇ ମଧ୍ୟ ବୈଠକରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ। ଏହି ବୈଠକରେ ଓଡ୍ରାଫ୍ ବାହନୀ ସହିତ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଏବଂ ଆବଶ୍ୟକ ସ୍ଥଳେ ସେନାର ସହାୟତା ନେଇ ଆଲୋଚନା ହେବ। ବନ୍ଦରଗୁଡ଼ିକରେ ସତର୍କତା, ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ଓ ମକଡ୍ରିଲ ସମ୍ପର୍କରେ ରୋଡମ୍ୟାପ ପ୍ରସ୍ତୁତ ହେବ। ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ତ୍ବରିତ ପୁନରୁଦ୍ଧାର ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଯୋଜନା ରହିଛି।
ଏହି ବୈଠକରେ ମୁଖ୍ୟ ସଚିବ ଓ ଏସ୍ଆରସିଙ୍କ ସମେତ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ, ଜଳସମ୍ପଦ, ଜଙ୍ଗଲ ଓ ପରିବେଶ, ବିଭାଗ ସଚିବ, ପଞ୍ଚାୟତିରାଜ, କୃଷି, ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଆଇଟି ସଚିବ, ପୁଲିସ ଡିଜି, ଅଗ୍ନଶମ ଡିଜି, ଏନ୍ଡିଆର୍ଏଫ୍ କମାଣ୍ଡାଣ୍ଟ ଓ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ।