ତୃତୀୟ ମହଲାକୁ ଚ୍ୟାଲେଞ୍ଜ କରିଥିଲେ ଦୀପାଳି-ବିଶାଲ

ଭୁବନେଶ୍ୱର,୧୮।୫ : ଆମ ନବ ଦାସଙ୍କ ପୁଅ, ଝିଅ। ବାପାଙ୍କ ସଙ୍ଗଠନ ଦୁଇ ଦଶନ୍ଧିରୁ ଅଛି। ନିଜ ଦମ୍ , ନିଜ କର୍ମୀ ଏବଂ ନିଜ ଟଙ୍କାରେ ନିର୍ବାଚନ ଜିତିପାରିବୁ। ଦଳ ଝାରସୁଗୁଡ଼ା ନିର୍ବାଚନରେ ବେଶୀ ମୁଣ୍ଡ ନ ପୂରାଉ। ପର୍ଯ୍ୟବେକ୍ଷକ ଆମ ହିସାବରେ କାମ କରନ୍ତୁ। ଆମକୁ ବାଦ୍ ଦେଇ କାମ କରିବା ଦ୍ୱାରା ଆମର ପରୋକ୍ଷରେ କ୍ଷତି ହେବ। ହଁ ପାଠକ ବନ୍ଧୁ ଝାରସୁଗୁଡ଼ା ନିର୍ବାଚନ ଜାରି ରହିଥିବା ସମୟରେ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ପରୋକ୍ଷରେ ଏମିତି ଶୁଣାଇଥିଲେ ନବଙ୍କ ପୁଅ ବିଶାଲ ଓ ଦୀପାଲି। ଏମିତି କି ନିର୍ବାଚନ ଦାୟିତ୍ୱରେ ଥିବା କେତେକ ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ, ସୁଶାନ୍ତ ସିଂଙ୍କୁ ପ୍ରଚାରରେ ନ ନେବା ପାଇଁ ସ୍ୱର୍ଗତ ନବଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା।
ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ନିର୍ବାଚନ ବୁଝୁଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡା ନେବା ପୂର୍ବରୁ ହୋଇଥିବା ଏକ ଭିଡିଓ କଲରେ ବବିଙ୍କ ପକ୍ଷରୁ ବିଶାଲ-ଦୀପାଲୀଙ୍କୁ ଯାହା ବୁଝା ଯାଇଥିଲା। ତାହା ଠାରୁ ଭିନ୍ନ କଥା ମୁଖ୍ୟମନ୍ତ୍ରୀଙ୍କୁ ଦୀପାଳି ଶୁଣାଇ ଦେଇଥିଲେ। ଏ ସାହସ ବିଜେଡିର ଆଚ୍ଛା ଆଚ୍ଛା ବିଧାୟକ କି ମନ୍ତ୍ରୀ କରିପାରନ୍ତି ନାହିଁ। ଏକଥା ବବି ଏଣ୍ଡ କୋଙ୍କୁ ହଜମ ହୋଇ ନ ଥିଲା। ଦୀପାଳି ଏବଂ ନବ ଦାସଙ୍କ ପରିବାରକୁ ଷ୍ଟେଜରେ ନ ବସାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଥିଲା। ହେଲେ ବିଶାଲ-ଦୀପାଲିଙ୍କ ରଣନୀତି ବବି ଏଣ୍ଡ ବିଜେଡିକୁ ନାକେଦମ୍ କରିଥିଲା। ଯେତେବେଳେ କୁହାଗଲା ଦୀପାଳି ଷ୍ଟେଜକେ ବସିବ ନାହିଁ। ସେତେବେଳେ ନବ ପରିବାର କହିଥିଲେ ହଉ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଚାର କରନ୍ତୁ। ଆମେ ଅନ୍ୟ ଜାଗାରେ ପ୍ରଚାର କରିବୁ। ଦୀପାଳି ମଞ୍ଚରେ ନ ରହିଲେ ଅସୁବିଧା ହେବ ବୋଲି ମନେ କରି ବାଧ୍ୟ ହୋଇ ତାଙ୍କୁ ମଞ୍ଜରେ ବସାଗଲା।
ଦଳ ପକ୍ଷରୁ ନବଙ୍କ ପରିବାରକୁ 10 କୋଟି ଟଙ୍କା ନିର୍ବାଚନ ଖର୍ଚ୍ଚ ପାଇଁ ପ୍ରଦାନ କରାଯାଇଥିଲା। ହେଲେ ତାହାକୁ ମଧ୍ୟ ସେମାନେ ଫେରାଇ ଦେଇଥିଲେ। ବରଂ ସେମାନେ ଏଠାରୁ ଯାଇଥିବା ଏମଏଲଏ ଓ ପର୍ଯ୍ୟବେକ୍ଷକମାନଙ୍କୁ ବିଭିନ୍ନ ଖର୍ଚ୍ଚ ଦେଇଥିଲେ। କୌଣସି ନେତାଙ୍କ ଦାୟାଦ ବିଜେଡି କର୍ତ୍ତୃପକ୍ଷକୁ ଏମିତି ଚ୍ୟାଲେଞ୍ଜ କରି ନ ଥିଲେ। ଯେପରି ଦୀପାଳି ଏବଂ ବିଶାଲ କରିଛନ୍ତି। ସ୍ଥାନୀୟ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଝାରସୁଗୁଡାରେ ଖଣି ବେପାର ଅର୍ଥ କାମ କରେ। ଏବେ ବି ଏହି ଲବି ନବ ପରିବାର ହାତରେ ରହିଛି। ତେଣୁ ନବ ପରିବାରକୁ ବାଦ୍ ଦେଇ ଏଠାରେ କିଛି ହୋଇପାରିବ ନାହିଁ। ଯଦି ବିଜେଡି ତାଙ୍କୁ ହଇରାଣ କରେ , ତେବେ ଭାୟା ଧର୍ମେନ୍ଦ୍ର ପ୍ରଧାନ ସେମାନେ ବିଜେପି ମୁହାଁ ହେବେ।

Leave a Reply

Your email address will not be published. Required fields are marked *