କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଗମନ, ତାଳଚେର-ଅନୁଗୁଳ ରାଜନୀତିରେ ବଦଳୁଥିବା ପବନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର,ଅନୁଗୋଳକୁ ଏକାଧିକ ଥର ଗସ୍ତ ଜାରି ରଖିଛନ୍ତି। ପ୍ରତିଥର ଆସିଲେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେ ଏଥର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ରହିଛି। ତାଙ୍କ ପସନ୍ଦର 2ଟି ଆସନ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ। ତେଣୁ ଢେଙ୍କାନାଳ-ଅନଗୁଳୁ ରାଜନୀତି ଶ୍ରୀ ପ୍ରଧାନଙ୍କ ଚାରିପଟେ ବୁଲୁଛି। ତାଙ୍କ ଗସ୍ତକୁ ବିଜେଡି ବଡ଼ ଆକାରରେ ବିରୋଧ କରି ନ ଥାଏ। ହେଲେ ନିକଟରେ ବିଜେଡି ଆନୁଷ୍ଠାନିକ ଭାବେ ଢେଙ୍କାନାଳରେ ଧର୍ମେନ୍ଦ୍ର ରାଜନୈତିକ କାର୍ଯ୍ୟକ୍ରମକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କଲା। ଏଥିରେ ଆରଏସଏସ୍ ମାର୍କା ବିଜେଡି ନେତା ତଥା ସ୍ଥାନୀୟ ସାଂସଦ ମହେଶ ସାହୁ ଉପସ୍ଥିତ ରହିଲେ। ତେଣୁ ବିଜେଡ଼ିର ହଠାତ ଏପରି ଆଭିମୁଖ୍ୟ ବିଭିନ୍ନ ଆଲୋଚନାକୁ ବଢାଇ ଦେଇଛି।

ପୂର୍ବରୁ ବିଜେଡିର  ମୁଖପାତ୍ରମାନେ ବିଶେଷ କରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସଂଘଠନ ସମ୍ପାଦକ ପ୍ରଣବ ଦାସ ଗଣମାଧ୍ୟମରେ ମନ୍ତ୍ରୀ ପ୍ରଧାନଙ୍କୁ ପ୍ରଶ୍ନ କରନ୍ତି । ହେଲେ ବିଜେଡି ରାଜ୍ୟ ନେତାଙ୍କୁ ବାଦ୍ ଦେଇ ସାଂସଦ ଶ୍ରୀ ସାହୁଙ୍କୁ ଆଗକୁ ଆଣିବା ଭିନ୍ନ ରଣନୀତିର ଅଂଶ ବିଶେଷ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଯଦି ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ଲଢନ୍ତି, ତାଙ୍କ ପ୍ରଭାବରେ ଦଳର ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବିଧାନସଭା ଆସନ ଗୁଡ଼ିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଯେଉଁଥି ପାଇଁ ବିଜେଡି ଏପରି କରୁଥିବା କୁହାଯାଉଛି।

କିନ୍ତୁ ତାଙ୍କର ଚଳିତ ତାଳଚେର ଆଗମନରେ ଦୁଇଟି ଭିନ୍ନ ଘଟଣା  ଅବିଭକ୍ତ ଢେଙ୍କାନାଳ ବିଶେଷ କରି ତାଳଚେରରେ ଆଲୋଚନାର ବିଷୟ ହୋଇଛି । ପ୍ରଥମ ଘଟଣା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପିତୃ ଵିୟୋଗରେ ମନ୍ତ୍ରୀ ପ୍ରଧାନ ଵିଧାୟକଙ୍କ ବାସଭଵନକୁ ଯାଇ ପରିବର ବର୍ଗର ଦୁଃଖରେ ସାମିଲ ହେବା ସହ ସମବେଦନା ଜ୍ଞାପନ କରିଛନ୍ତି । ବିଧାୟକଙ୍କ ପୁରା ପରିବାର ଉପସ୍ଥିତ ଥିବା ବେଳେ ବିଧାୟକ ଅନୁପସ୍ଥିତ ଚର୍ଚ୍ଚାର କାରଣ ହୋଇଥିଲା। ତାଳଚେର ସବୁ ଖଟିରେ ଗୋଟିଏ ଆଲୋଚନା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି ମାନେ, ବିଧାୟକଙ୍କୁ ସୂଚନା ଦେଇ ଯାଇଥିବେ, ବିଧାୟକ ସେ ସମୟରେ ବାସଗୃହରେ ନ ରହିବାର କାରଣ କଣ ବୋଲି ଜୋରଦାର ଆଲୋଚନା ଚାଲିଛି।

ସେହିପରି ଗତବର୍ଷ ଅନେକ କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲାଖୋଲି ପ୍ରଶଂସା କରିସାରିଛନ୍ତି । ଢେଙ୍କାନାଳର ସଦାଶିଵପୁରଠାରେ ତୈଳ ଡିପୋ ଶୁଭାରମ୍ଭଠାରୁ, ଶହୀଦ ବାଜିରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ,ଅନୁଗୋଳର ବଳରାମପ୍ରସାଦଠାରେ ଇଏସାଇ ହସ୍ପିଟାଲର ଉଦଘାଟନ, ତାଳଚେର ବଲଣ୍ଡାଠାରେ ଡିଏଭି ସ୍କୁଲ ଉଦଘାଟନ ସମୟରେ ସାଂସଦ ସାହୁ ମନ୍ତ୍ରୀ ପ୍ରଧାନଙ୍କ ଉଚ୍ଚ ପ୍ରଶଂସା କରିସାରିଛନ୍ତି । ବଳରାମପ୍ରସାଦଠାରେ ତ ସାଂସଦ ସାହୁ ,”ମନ୍ତ୍ରୀ ପ୍ରଧାନ ଏ ଅଞ୍ଚଳ ପାଇଁ ଯାହା ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଲାଗିପଡିଛନ୍ତି । ଯାହା   କରିଛନ୍ତି, ତାଙ୍କୁ ପ୍ରଶଂସା ନକଲେ ମତେ ପାପ ଲାଗିବ ।” ଏହା ସହ ନିଜ ଦଳର  ସ୍ଥାନୀୟ ନେତାଙ୍କୁ ସମାଲୋଚନା କରିଥିଲେ । ତେଣୁ ବର୍ଷ ପୂର୍ଵରୁ ଯେଉଁ ସାଂସଦ ମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରୁଥିଲେ ଆଜି ତାଙ୍କ ମୁହଁରୁ ମନ୍ତ୍ରୀଙ୍କୁ ସମାଲୋଚନା ନିନ୍ଦାକୁ କେହି ସହଜ

ରେ ଗ୍ରହଣ କରି ପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *