World Petroleum Crisis and India ଚଣ୍ଡୀଖୋଲ ଭୂତଳ କଞ୍ଚା
ତୈଳ ପ୍ରକଳ୍ପ
ଚଣ୍ଡିଖୋଲ :(ବିଜୟ ସାହୁ )-ଇରାନ -ଆମେରିକା ଯୁଦ୍ଧ ପରେ ତୈଳ ସଙ୍କଟ ଯୋଗୁଁ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ଅଧୁନା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଚିଠି ଲେଖି ଯାଜପୁର ଜିଲ୍ଲା ଡଙ୍କାରୀ ପଥର ପାହାଡ଼ ନିକଟରେ ପ୍ରସ୍ତାବିତ ଭୂତଳ କଞ୍ଚାପେଟ୍ରୋଲିୟମ ଗୋଦାମ ନିର୍ମାଣ ତ୍ବରାନ୍ବିତ କରିବାକୁ ନିବେଦନ କରିଛନ୍ତି । କାରଣ ରାଜ୍ୟ ସରକାର 600 ଏକର ଜମି IDCO କୁ ହସ୍ତାନ୍ତର କରି ସାରିଲେଣି । IDCO ଜମି ସଂକ୍ରାନ୍ତରେ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିବ ଓ ଯଥାବିଧି କାଗଜାତି କାର୍ଯ୍ୟ ସାରି ISPRL ସହ ଚୁକ୍ତି କରିବ ।
ଇତି ମଧ୍ୟରେ Indian Strategic Petroleum Researves Ltd ( ISPRL ) ରାଜ୍ୟ ସରକାରଙ୍କୁ ବିକ୍ରି ଦସ୍ତାବିଜ ଚୂଡାନ୍ତ କରିବା ଓ 500 କିମି ଦୂରରେ ରହିଥିବା ବେଆଇନ ପଥର ଖାଦାନଗୁଡିକୁ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ଅବଶ୍ୟ ଏହା ସରକାର ମାଗଣା ଦେଉଛନ୍ତି, ତେଣୁ ବିକ୍ରି ଦଲିଲ ପ୍ରଶ୍ନ ଉଠୁନି । ଏହାପରେ ଗ୍ଲୋବାଲ ଟେଣ୍ଡର ହେଇ ପ୍ରକଳ୍ପ କାର୍ଯ୍ୟ ନଭେମ୍ବର 2026 ରୁ ଆରମ୍ଭ ହେଇ ଅକ୍ଟୋବର 2032 ରେ ଶେଷ ହେବ ।ଏହା PPP MODE ରେ ନିର୍ମାଣ ହେବ ଓ କାର୍ଯ୍ୟ ଶେଷ ହେଲେ 7 ଦିନ ପାଇଁ କଞ୍ଚା ତୈଳ ମହଜୁଦ ହେଇ ପାରିବ । ଏହା ଦ୍ଵାରା ବର୍ତ୍ତମାନର କଞ୍ଚା ତୈଳ ମହଜୁଦ ପରିମାଣ 9.5 ଦିନରୁ ବଢି 17 ଦିନ ପାଇଁ ରହି ପାରିବ ।
ଏହି ଖବର ମିଡିଆରେ ଆସିବା ପରେ କିଛି ବନ୍ଧୁ ଏହା ସମ୍ପର୍କରେ ଜାଣିବା ପାଇଁ ଚାହିଁଛନ୍ତି । ଅବଶ୍ୟ ମୁଁ ଏହି ପ୍ରକଳ୍ପ ସମ୍ପର୍କରେ 2018 ମସିହାରୁ କିଛି କିଛି ପୋଷ୍ଟ ଲେଖିଛି ।
ପୁଣି ଯେତେବେଳେ ପ୍ରକଳ୍ପ କଥା ଉଠିଛି ତେଣୁ ସଦ୍ୟତମ ତଥ୍ୟ ସହ ଏହି ଆଲୋଚନା କରୁଛି । ପୋଷ୍ଟ ଟି ବହୁତ ବଡ଼ ହେଇପାରେ । ତଥାପି ହାତରେ ସମୟ ରଖି ପଢିବେ ଓ ମଜା ନେବେ । କାରଣ ଏହି ପ୍ରକଳ୍ପ ସହ ଆମେରିକା ,ୟୁଏଇ,ସାଉଦୀ ଆରବିୟା ,ଚନ୍ଦ୍ରାବବୁ ନାଇଡୁ, ମେଘା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକଚର କମ୍ପାନୀର ଇଲେକ୍ଟ୍ରୋରାଲ ବଣ୍ଡ , ଅଦାନୀ ଅମ୍ବାନୀ କମ୍ପାନୀ , ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ୟୁଏଇ ଗସ୍ତ ଓ ଏମଓୟୁ ସ୍ବାକ୍ଷର ଇତ୍ୟାଦି ଜଡିତ ।
ଆମେ SPR ର ଟିକିଏ ଇତିହାସକୁ ଯିବା ।
ଆମେ ଜାଣିଛେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ କଞ୍ଚା ତେଲ ଆମଦାନୀକାରୀ ରାଷ୍ଟ୍ର ।
ଭାରତର 89.1% ତୈଳ ଆବଶ୍ୟକତା ବାହାର ଦେଶ ଉପରେ ନିର୍ଭରଶୀଳ ଯାହା ଆମଦାନୀ ହେଇଥାଏ ( 2025 ଆର୍ଥିକ ବର୍ଷରେ 242 MT ଆମଦାନୀ ହେଇଥିଲା ଓ 272 MT ବ୍ୟବହାର ହେଇଥିଲା ) ।
ଏହା ଏକ ନିରନ୍ତର ପ୍ରକ୍ରିୟା । ଭାରତୀୟ ବଜାରର ଚାହିଦା ପରିବର୍ତ୍ତନ ହେଇ ଚାଲିଛି । ଉଦାହରଣ ସ୍ୱରୂପ 2020ରେ ଦୈନିକ 4.83 ମିଲିୟନ ବାରେଲ ରୁ 2024ରେ 5.5 ମିଲିୟନ ବାରେଲରେ ପହଞ୍ଚି ଥିଲା । ଏବଂ ଏହି ଚାହିଦା 2030 ସୁଦ୍ଧା 6.66 ମିଲିୟନ ବାରେଲରେ ପହଞ୍ଚି ପାରେ । ଏହି ତୈଳ ଆମଦାନୀ ଵିଲ 2025ଆର୍ଥିକ ବର୍ଷରେ $161 ବିଲିୟନରେ ପହଞ୍ଚିଛି । କିନ୍ତୁ ବୈଶିକ ତୈଳମୂଲ୍ୟ ରେ ଅସ୍ଥିରତା ଓ ଭୂ-ରାଜନୈତିକ ଉତ୍ତେଜନା ସମୟରେ ଆମଦାନୀ ଵିଲ ଉପରେ ଚାପ ପଡିଥାଏ । ଅଧିକ ବ୍ୟୟ କରିବାକୁ ପଡିଥାଏ ।
1991ରେ ଉପସାଗରୀୟ ଯୁଦ୍ଧ ଯୋଗୁଁ ଆମର ଅବସ୍ଥା ଶୋଚନୀୟ ହେଇଥିଲା । କାରଣ ସେତେବେଳେ ମାତ୍ର 3 ଦିନର ତୈଳ ଗଚ୍ଛିତ ଥିଲା । 1998ରେ ବାଜପେୟୀ ସରକାର SPR ପାଇଁ ପ୍ରସ୍ତାବ ଦେଇଥିଲେ । 2004-2005 ରେ ପ୍ରଥମ ଉପା ସରକାର ISPRL ଗଠନ କଲେ । ଏହା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ନିୟନ୍ତ୍ରଣରେ ସରକାରୀ ସଂସ୍ଥା ଭାବରେ ଗଠନ ହେଇଥିଲା ଓ ଜାତୀୟ ଶକ୍ତି ନିରାପତ୍ତା ପାଇଁ କଞ୍ଚା ତୈଳ ଭୂତଳ ଗୋଦାମ ନିର୍ମାଣ ଆରମ୍ଭ ହେଇଥିଲା । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ 1.33 MMT , କର୍ଣ୍ଣାଟକର ମାଙ୍ଗାଲୋର ଠାରେ 1.5MMT ଓ ପାଦୁର ଠାରେ 2.5MMT ର ମହଜୁଦ ବ୍ୟବସ୍ଥା ହେଇଥିଲା । ଏହା ସବୁ ଭୂତଳ ବ୍ୟବସ୍ଥା ଯାହାକି ମହଜୁଦ କରିବା ପାଇଁ ନିରାପଦ ।
ପ୍ରଥମ ପର୍ଯ୍ୟାୟ ଷ୍ଟୋରେଜ ଜୁନ 2015 ରୁ ଡିସେମ୍ବର 2018 ମଧ୍ୟରେ କାର୍ଯ୍ୟକ୍ଷମ ହେଇଥିଲା ।
କ୍ରମାଗତ ତୈଳ ଚାହିଦା ଓ ବୈଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଦ୍ଵିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ 2017-18 ବାର୍ଷିକ ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ । ଏଥିରେ ଓଡିଶା ଓ ରାଜସ୍ଥାନ ଉଲ୍ଲେଖ ହେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ 2018 ଜୁନ 17 ରେ ଓଡ଼ିଶା (4 MMT ) ଓ ପାଦୁର (2.5MMT ) ଷ୍ଟୋରେଜ ନିର୍ମାଣ ପାଇଁ ନୀତିଗତ ନିଷ୍ପତ୍ତି ଘୋଷଣା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ପାଦୁର ଷ୍ଟୋରେଜ ସମ୍ପ୍ରସାରଣ ପାଇଁ ଓ ଓଡ଼ିଶା ନୂତନ ନିର୍ମାଣ ପାଇଁ ନିଷ୍ପତ୍ତି ହେଇଥିଲା । କିନ୍ତୁ ଏହା ପୂର୍ଵ ଭଳି ସରକାରୀ ପାଣ୍ଠି ମାଧ୍ୟମରେ ନହେଇ DBFOT ଭିତ୍ତିରେ କରିବାକୁ ନିଷ୍ପତ୍ତି ହେଇଥିଲା । ପାଦୁର 2025 ସେପ୍ଟେମ୍ବରରେ Megha Engineering & Infrastructures Limited ( (MEIL ) କୁ ଠିକା ପ୍ରଦାନ କରା ଯାଇଛି । ଏହା 5 ବର୍ଷ ଭିତରେ ସମାପ୍ତ ହେବା ପାଇଁ ସର୍ତ୍ତ ରହିଛି । ଏହା ପ୍ରଥମ ଘରୋଇ କମ୍ପାନୀ ଭାବରେ SPR ଠିକା ପାଇଛି । ଏଠାରେ ଏତିକି ଉଲ୍ଲେଖ କରା ଯାଇପାରେ MEIL ସହିତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଘନିଷ୍ଠ ସମ୍ପର୍କ ଓ ଏହି କମ୍ପାନୀ ପୋଲାଭରମ ପ୍ରକଳ୍ପ, ମଛଲିପଟନମ ବନ୍ଦର ଓ ଅଧିକାଂଶ ନଦୀ ସଂଯୋଗୀକରଣ ଜଳସେଚନ ପ୍ରକଳ୍ପ ନିର୍ମାଣର ଠିକା ପାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି କମ୍ପାନୀ ଓ ଏହାର ଆସୋସିଏଟ କମ୍ପାନୀଗୁଡିକରୁ ଇଲେକ୍ଟ୍ରୋରାଲ ବଣ୍ଡର ସର୍ବାଧିକ ଲାଭାର୍ଥୀ ବିଜେପି (₹669 କୋଟି ), ଟିଡିପି ( ₹48-₹53 କୋଟି) ,ବିଆରଏସ ₹195 କୋଟି ।
ଆମେ MEIL ଦ୍ଵାରା ଦ୍ଵିତୀୟ ପର୍ଯ୍ୟାୟ ଷ୍ଟୋରେଜ ଠିକା ପ୍ରକଳ୍ପର ବାଣିଜ୍ୟିକ ଓ ରାଜସ୍ୱ ମଡେଲ ଦେଖି ନେବା । କାରଣ ଚଣ୍ଡୀଖୋଲ ପ୍ରକଳ୍ପ ଠିକା ପ୍ରଦାନ ପରେ ଆମେ ବୁଝିବା ସହଜ ହେବ ।
ଏହି ପ୍ରକଳ୍ପ ନିର୍ମାଣ ପାଇଁ ₹5700 କୋଟି ପୁଞ୍ଜି ବ୍ୟୟ ହେବ ଓ ଏଥିରେ ମହଜୁଦ କରିବାକୁ ଯୋଜନା ଥିବା କଞ୍ଚା ତୈଳ ବାବଦରେ ₹11020 କୋଟି ବ୍ୟୟ ହେବ । ISPRL ମାଗଣାରେ 214 ଏକର ଜମି ପାଇବ । ଅର୍ଥାତ ସରକାର ପ୍ରଦାନ କରିବେ । MEIL ଉପରେ ଆର୍ଥିକ ବୋଝ ହାଲୁକା କରିବା ପାଇଁ କେନ୍ଦ୍ର ସରକାର 60% ପର୍ଯ୍ୟନ୍ତ ଅର୍ଥାତ ₹34.2 ବିଲିୟନ Viability Gap Funding ସୁଯୋଗ ଦେବେ । MEIL ଭାରତର ତିନି ସରକାରୀ ତୈଳ ମାର୍କେଟିଂ କମ୍ପାନୀ ( OMC )- IOCL, BPCL ଓ HPCL କୁ ଷ୍ଟୋରେଜ ସ୍ଥାନ ଦୀର୍ଘସୂତ୍ରୀ ଲିଜରେ ଦେଵ ଓ ଏଥିପାଇଁ Fixed Storage Fees ନେବ ।
ଏହା ବ୍ୟତୀତ MEIL ଆନ୍ତର୍ଜାତିକ ତୈଳ ଉତ୍ପାଦନକାରୀ ଓ ବାଣିଜ୍ୟିକ ସଂସ୍ଥାଗୁଡିକୁ Storage lease ପ୍ରଦାନ କରି ପାରିବ । ଏହି ସଂସ୍ଥା ଗୁଡିକ ମଧ୍ୟରେ ADNOC,Aramco ଓ ସ୍ୱାଧୀନ ଟ୍ରେଡ଼ିଂ କମ୍ପାନୀ ରହିଛନ୍ତି ।
ADNOC ଅର୍ଥାତ ଆବୁଧାବୀ ନେସନାଲ ଅଏଲ କମ୍ପାନୀ ହେଉଛି ଆମେରିକା ପେଟ୍ରୋ ଡଲାର କମ୍ପାନୀ ସହ ଚୁକ୍ତି ସୂତ୍ରରେ ବନ୍ଧା ।
ସେହିପରି Aramco ହେଉଛି ସାଉଦୀ ଆରବିୟାରେ ଅବସ୍ଥିତ ବିଶ୍ୱର ସର୍ବ ବୃହତ ରପ୍ତାନୀକାରୀ ଓ ସମନ୍ବିତ ଶକ୍ତି ଏବଂ ରସାୟନିକ ପ୍ରତିଷ୍ଠାନ । ଏହି କମ୍ପାନୀର
ସବସିଡିଆରୀ କମ୍ପାନୀ (Aramco Americas )ଆମେରିକାର ହଷ୍ଟନ ,ଟେକ୍ସସରେ ନିଜର ମୁଖ୍ୟ ଦପ୍ତର ରହିଛି ଓ ଆରବୀୟା Aramco କୁ ଇଞ୍ଜିନିୟରିଂ, ସଂଗ୍ରହ, ସରବରାହ ଓ ଗବେଷଣା କ୍ଷେତ୍ରରେ ସହଯୋଗ କରୁଛି । ତୈଳ ବ୍ୟତୀତ ଏହି କମ୍ପାନୀ ପ୍ରାକୃତିକ ଗ୍ୟାସ ତରଳ ବସ୍ତୁ ଓ ରାସାୟନିକ ପଦାର୍ଥ ଉତ୍ପାଦନ କରୁଛି । ARAMCO SAUDI ବିଶ୍ଵବ୍ୟାପୀ 50ଟି ଦେଶରେ ନିଜର
ସବସିଡିଆରୀ କମ୍ପାନୀ ଓ ଯୁଗ୍ମ କମ୍ପାନୀ ମାଧ୍ୟମରେ ବ୍ୟବସାୟ କରୁଛି । ଭାରତରେ ଏହି କମ୍ପାନୀର Marketing & Sourcing କ୍ଷେତ୍ରରେ ଯଥେଷ୍ଟ ଉପସ୍ଥିତ ରହିଛି ।
ତେଣୁ ପାଦୁର ଦ୍ଵିତୀୟ ପର୍ଯ୍ୟାୟ ଷ୍ଟୋରେଜ ସମ୍ପ୍ରସାରଣ ଓ MEIL ଠିକା କମ୍ପାନୀକୁ ଏହି ପ୍ରେକ୍ଷାପଟରେ ଆଲୋଚନା କରିବାକୁ ହେବ ।
ତଥାପି ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବରେ 2017 ମାର୍ଚ୍ଚରେ ୱାଶିଙ୍ଗଟନ , ଡିସି, ବୋଷ୍ଟନ,ହଷ୍ଟନ ସରକାରୀ ଗସ୍ତ କରିଥିଲେ । ଆମେରିକାର ଏନର୍ଜି ସେକ୍ରେଟାରୀ Rick Perry ଙ୍କ ସହ ଏଲ ଏନ ଜି ଆମଦାନୀ ଓ ଭାରତର ଏନର୍ଜି ସେକ୍ଟରରେ ପୁଞ୍ଜି ଲଗାଣ ଆଲୋଚନା କରି ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଓ ଧର୍ମେନ୍ଦ୍ର ପ୍ରଧାନ ଆମେରିକା ସ୍ୱତନ୍ତ୍ର ଭାବରେ ଗସ୍ତ କରି ଏନର୍ଜି, ଶିକ୍ଷା ଓ ବୈଷୟିକ ଜ୍ଞାନ କୌଶଳ ଉପରେ ପାର୍ଟନରଶିପ ପାଇଁ ନିମନ୍ତ୍ରଣ କରି ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଓ ତୈଳମନ୍ତ୍ରୀ ପ୍ରଧାନ ମଧ୍ୟପ୍ରାଚ୍ୟର ଅନେକ ତୈଳ ରପ୍ତାନୀକାରୀ ଦେଶକୁ 2014 ରୁ 2021 ମଧ୍ୟରେ ଅନେକ ଉଚ୍ଚ ସ୍ତରୀୟ ସରକାରୀ ଗସ୍ତ କରିଛନ୍ତି । ଏହି ଗସ୍ତବେଳେ ଗୌତମ ଅଦାନୀ ଓ ମୂକେଶ ଅମ୍ବାନୀ ଯଦିଓ ସାଙ୍ଗରେ ଯାଇ ନାହାନ୍ତି, ସେମାନଙ୍କ ଗୋଷ୍ଠୀ ଏହି ଗସ୍ତବେଳେ ପୂର୍ବରୁ ଯାଇ ସେହି ଦେଶର ବିଜିନେସ ଫୋରମର ସିଓଇମାନଙ୍କ ବୈଠକ କରିଛନ୍ତି ।
ଗୌତମ ଅଦାନୀ ପ୍ରଧାନମନ୍ତ୍ରୀ ଙ୍କ ଅଧିକାଂଶ ଆନ୍ତର୍ଜାତିକ ସରକାରୀ ଗସ୍ତ ବେଳେ ସିଇଓ ପ୍ରତିନିଧି ଦଳରେ ସବୁବେଳେ ବିଭିନ୍ନ ଦେଶକୁ ଯାଇଛନ୍ତି । ଅଦାନୀଙ୍କର UAE Sovereign Funds ଯଥା Abu Dhabi Investment Authority ( ADIA ) ଅଦାନୀ ଏନର୍ଜି ରେ ପ୍ରାୟ $1 ବିଲିୟନ ପୁଞ୍ଜି ଲଗାଣ କରିଛନ୍ତି ।
ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନଙ୍କ ଏନର୍ଜି ସଂକ୍ରାନ୍ତୀୟ ଆଲୋଚନାରେ ସବୁବେଳେ ଉପସ୍ଥିତ ରହିଛନ୍ତି । ସାଉଦୀ ଆରବୀୟା ଏନର୍ଜି ସମ୍ପର୍କ ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରି ବୋର୍ଡ଼ରେ Saudi-Aramco ର ଚେୟାରମ୍ୟାନ Yasir Al Rumayyan 2021ରୁ ରହିଛନ୍ତି ।
2019ରେ ମନ୍ତ୍ରୀ ପ୍ରଧାନ ତିନି ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତ କରି Prince Abdulaziz bin Salman ,Jeddah ,Dr Sultan Al Jaber ,Abu Dhabi ରେ ଭେଟକରି Saudi Aramco, ADNOC ପାଦୁର ଓ ଚଣ୍ଡୀଖୋଲ SPR ଦ୍ଵିତୀୟ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରି ଆସିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ 2016ରେ ସାଉଦୀ ଆରବୀୟା ଗସ୍ତ କରି Order of King Abdullaziz ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଥମ ଅଣ ମୁସଲିମ ଭାବରେ ପାଇଥିଲେ ।
2019 ରେ India-Saudi Arabia Strategic Partnership Council ରେ ଯୁଗ୍ମ ଅଧ୍ୟକ୍ଷତା କରିଥିଲେ । ଏହି ସମୟରେ Saudi Aramco ଓ ISPRL ମଧ୍ୟରେ ପାଦୁର ଠାରେ 4.6 ମିଲିୟନ ବାରେଲ କଞ୍ଚା ତୈଳ ମହଜୁଦ ରଖିବାକୁ MOU ସ୍ବାକ୍ଷର କରିଥିଲେ ।
ସୁତରାଂ ଚଣ୍ଡୀଖୋଲ ଡଙ୍କାରୀ ପାହାଡ଼ ଭୂତଳ କଞ୍ଚା ତୈଳ ଖଣି ଟେଣ୍ଡରରେ କେଉଁ କେଉଁ ପେଟ୍ରୋ ଖେଳାନୀ ଆନ୍ଧ୍ର ପ୍ରଦେଶରୁ ଆମେରିକା ପର୍ଯ୍ୟନ୍ତ ଭାଗ ନେଉଛନ୍ତି ତାହା ଆଗକୁ ଦେଖିବା ।
ଏହା ପଛରେ କେଉଁ କେଉଁ ଡିଲ ହେଉଛି ତାହା ଜାଣିବା ସମ୍ଭବ ନୁହେଁ । କାରଣ ଏହା ଜାତୀୟ ଏନର୍ଜି ନିରାପତ୍ତା ପ୍ରଶ୍ନ । କିନ୍ତୁ ଆମେ ଚଣ୍ଡୀଖୋଲ ଅଞ୍ଚଳରେ ଅନେକ ଆମେରିକୀୟ,ସାଉଦୀ ରାଜା, ମନ୍ତ୍ରୀ ଦେଖିବା ସୁଯୋଗ ପାଇବା । 60 ବର୍ଷ ପରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ହାତକୁ ଚାଲି ଆସିବ ।
