ଏଥର ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା – ବଜ୍ରପାତର ସୂଚନା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍ ୱେଦ୍ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍ଆର୍ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ୍ ସୂଚନା ମିଳିଯିବ ।ଭୁବନେଶ୍ୱରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍ଡ଼ି ଏସ୍ଆର୍ସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍ର ଜମି ମାଗିଛି। ତେବେ ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଚିଠିରେ କୁହାଯାଇଛି ।