ଡୋଭାସ ସମ୍ମିଳନୀ ସେଦିନ ରୁ ଏଯାବତ
ନୂଆଦିଲ୍ଲୀ : (ବିଜୟ ସାହୁ)- ଏକଥା ଠିକ World Economic Forum ର ଜନ୍ମଦାତା ଜଣେ ଜର୍ମାନୀ ଇଞ୍ଜିନିୟର କ୍ଲାଉଜ ଶୋଆବ ( Klaus Schwab ) ଓ 1971 ମସିହା ଜାନୁଆରୀ 24 ରେ ସୁଇଜରଲାଣ୍ଡର ପର୍ବତ ଶୀତନିବାସରେ ଗୋଟିଏ ବେସରକାରୀ ଥିଙ୍କ ଟ୍ୟାଙ୍କ କ୍ଲବ ଭାବରେ ପ୍ରତିଷ୍ଠା କରିଥିଲେ । ଏହାର ଘୋଷିତ ନୀତି ଥିଲା ବାଣିଜ୍ୟ, ରାଜନୀତି, ଏକାଡେମୀ ଓ ଅନ୍ୟାନ୍ୟ ନେତାମାନଙ୍କୁ ପେଇଙ୍ଗ ଗେଷ୍ଟ ଭାବରେ ନିମନ୍ତ୍ରଣ କରି ବିଶ୍ୱ, ଆଞ୍ଚଳିକ ଓ ଶିଳ୍ପ ଏଜେଣ୍ଡାର ରୂପରେଖ ସୃଷ୍ଟି କରିବା ।
ପ୍ରଥମେ ଏହା European Management Forum ଭାବରେ ଗଠନ ହେଇଥିଲା । ଏହାର ନିର୍ଦ୍ଦିଷ୍ଟ ଉଦେଶ୍ୟ ଥିଲା । ସେତେବେଳେ ଆଧୁନିକ ଆମେରିକୀୟ ମ୍ୟାନେଜମେଣ୍ଟ ସହିତ ଇଉରୋପୀୟ କମ୍ପାନୀ ଓ ବାଣିଜ୍ୟ ନେତାମାନଙ୍କ ସମ୍ପର୍କ ପ୍ରତିଷ୍ଠା କରିବା, କାରଣ ସେତେବେଳେ ଆମେରିକା ମ୍ୟାନେଜମେଣ୍ଟ ଉନ୍ନତ ଥିଲା ।ପ୍ରଥମ ବୈଠକରେ କ୍ଲାଉଜ ଶୋଆବ ଇଉରୋପର ପ୍ରମୁଖ କାର୍ଯ୍ୟନିର୍ବାହୀମାନଙ୍କୁ କର୍ପୋରେଟ ମ୍ୟାନେଜମେଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଏହାର ଲକ୍ଷ୍ୟ ସମ୍ପ୍ରସାରଣ ହେଇଥିଲା । ସେ ଏହାକୁ ବାଣିଜ୍ୟ, ସରକାର,ସିଭିଲ ସୋସାଇଟି ଓ ଅନ୍ୟାନ୍ୟ ସଂଗଠନକୁ ସମ୍ପ୍ରସାରଣ କରାଇଥିଲେ । ଏହି ସଂସ୍ଥାର ମୁଖ୍ୟ ଦର୍ଶନକୁ Philosophy of Stake holder Capitalism or Stake holder Responsibility ରଖା ଯାଇଥିଲା ଯେଉଁଠି କମ୍ପାନୀମାନେ କେବଳ ଅଂଶୀଦାରମାନଙ୍କୁ ଲାଭ ଦେବେ ନାହିଁ,କର୍ମଚାରୀ,ସମ୍ପ୍ରଦାୟ ଓ ଗ୍ରାହକମାନଙ୍କୁ ଭାଗିଦାରୀ ଲାଭ ଦେବେ । ପୁଞ୍ଜିବାଦୀ/ ମୁକ୍ତ ବାଣିଜ୍ୟ ଅର୍ଥନୀତି ର ବାଣିଜ୍ୟ ନେତା ଓ ସରକାରଗୁଡିକର ପ୍ଲାଟଫର୍ମ ଥିଲା ।
ଏଠାରେ ବିଶ୍ୱର ଶକ୍ତିଶାଳୀ ପୁଞ୍ଜିପତି, ବହୁଜାତୀୟ କମ୍ପାନୀ, ପ୍ରମୁଖ ବ୍ୟାଙ୍କ,ପ୍ରଭାବଶାଳୀ ପ୍ରଯ୍ୟୁକ୍ତି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମାନେ ମିଳିତ ହେଇ ପାରସ୍ପରିକ ବିଶ୍ୱ ସହାୟତା ମାଧ୍ୟମରେ ପୁଞ୍ଜିବାଦୀ ବ୍ୟବସ୍ଥାର ନିରନ୍ତର ବିକାଶ ପାଇଁ ଚର୍ଚ୍ଚା କରୁଥିଲେ ଓ ନୀତି ନିର୍ଦ୍ଧାରଣ କରୁ ଥିଲେ ।
ଏହି ପ୍ରକ୍ରିୟା କିନ୍ତୁ ଜର୍ମାନୀରେ ବିସ୍ମାର୍କଙ୍କ କାଳରୁ ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗରେ Codetermination ଅର୍ଥାତ ପ୍ରତିଷ୍ଠାନ ଓ ପରିଚାଳନାରେ କର୍ମଚାରୀଙ୍କ ସହଭାଗୀତାକୁ ସ୍ୱୀକୃତି ପ୍ରଦାନ ମାଧ୍ୟମରେ ଆରମ୍ଭ ହେଇଥିଲା । ପ୍ରଥମ ବିଶ୍ଵ ଯୁଦ୍ଧ ପରେ ଜର୍ମାନୀର ୱେମାର ସାଧାରଣତନ୍ତ୍ର ବେଳେ 1920 କାଉନ୍ସିଲ ଆଇନ ମାଧ୍ୟମରେ ଶ୍ରମିକମାନଙ୍କୁ କାରଖାନାର ଆର୍ଥିକ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଦିଆ ଯାଇଥିଲା । ପ୍ରଥମେ କେବଳ ଇସ୍ପାତ ଶିଳ୍ପରେ ସୀମିତ ଅର୍ଥରେ କାର୍ଯ୍ୟକାରୀ ହେଇଥିଲା ।
ହିଟଲର କ୍ଷମତାକୁ ଆସିବା ପରେ Codetermination କୁ ବାତିଲ କରି ସ୍ୱାଧୀନ ୟୁନିୟନ German Labor Front ଗଠନ ହେଲା ଓ ଶ୍ରମିକଙ୍କ ଅଧିକାରଗୁଡିକୁ ବାତିଲ କରି ଦିଆ ଗଲା ।
ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟିଶ ଅଧିକୃତ ଅଞ୍ଚଳ ଯଥା ରୁର ରେ ମିତ୍ର ପକ୍ଷ ଓ ଜର୍ମାନୀ ୟୁନିୟନଗୁଡିକ Codetermination କୁ ପୁନରୁଦ୍ଧାର କରି ଏକନାୟକତ୍ୱକୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଅର୍ଥନୀତିକୁ ଗଣତାନ୍ତ୍ରିକରଣ କରା ଗଲା ।1947ରେ ବ୍ରିଟିଶ ସାମରିକ ସରକାର କୋଇଲା ଓ ଇସ୍ପାତ ପରିଚାଳନା ବୋର୍ଡରେ ଅଂଶୀଦାର ଓ ଶ୍ରମିକଙ୍କ ପ୍ରତିନିଧିତ୍ୱରେ ସମାନତା ଆଣିଲେ । ଏହାର ଉଦେଶ୍ୟ ଥିଲା କମ୍ୟୁନିଷ୍ଟ ପ୍ରଭାଵକୁ ରୋକିବା ପାଇଁ ପୁଞ୍ଜିବାଦୀ ବ୍ୟବସ୍ଥାର ମହନୀୟତା ସମ୍ପର୍କରେ ଶ୍ରମିକଙ୍କ ଭିତରେ ସଚେତନତା ସୃଷ୍ଟି କରିବା । 1971 ରୁ 1979 ମଧ୍ୟରେ WEF ମୂଳତଃ ପଶ୍ଚିମ ପୁଞ୍ଜିବାଦୀ ଜଗତର ଏକ ମଞ୍ଚ ଥିଲା । ଏଥିରେ ଇଉରୋପ ଓ ଉତ୍ତର ଆମେରିକାର ବଜାର ଅର୍ଥନୀତି, ବାଣିଜ୍ୟରେ ସମ୍ପୃକ୍ତ କର୍ପୋରେଟ କ୍ୟାପଟେନ , ସରକାର ମାନେ ଅଂଶ ଗ୍ରହଣ କରୁଥିଲେ । ସୋଭିଏତ ୟୁନିୟନ, ପୂର୍ଵ ଇଉରୋପୀୟ ସମାଜବାଦୀ ଦେଶ ଓ ଚୀନ ଏଥିରେ ସାମିଲ ନଥିଲେ । କାରଣ ମାର୍କ୍ସବାଦ-ଲେନିନବାଦ ହିଁ ସେମାନଙ୍କ ଆଦର୍ଶ ଥିଲା ଓ ସମାଜବାଦର ଉତ୍ତରୋତ୍ତର ବିକାଶ ଘଟାଇ ବିଶ୍ୱ ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିବା । ପୁଞ୍ଜିବାଦୀ ବ୍ୟବସ୍ଥାକୁ ଅଧିକ ବିକଶିତ କରି ବିଶ୍ୱ କଲ୍ୟାଣ ପାଇଁ ଆଉ କୌଣସି ସଂସ୍କାର ସମ୍ଭବ ନଥିଲା । ପୁଞ୍ଜିବାଦ ବିକାଶର ଚରମ ସୀମାରେ ପହଞ୍ଚି ସାରିଥିଲା ଓ ଯୁଦ୍ଧ ଅଭିଯାନ ଦ୍ୱାରା ଅର୍ଥନୀତିରେ କୃତ୍ରିମ ତେଜିଭାବ ସୃଷ୍ଟି କରିବା ପାଇଁ ତଥାକଥିତ ବିକଳ୍ପକୁ ପରୀକ୍ଷା ନିରୀକ୍ଷା କରା ଯାଉଥିଲା ।
ସେଥିପାଇଁ Global Cooperation, Stakeholder Capitalism , Sustainable Development ଇତ୍ୟାଦି ମନଲୋଭା ପ୍ରୋଜେକ୍ଟ ପରଦା ଆଢୁଆଳରେ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥକୁ ସୁରକ୍ଷା ଦେବା ଏକମାତ୍ର ଉଦେଶ୍ୟ ଥିଲା ।
ଶୀତଳ ଯୁଦ୍ଧ କାଳରେ କମ୍ରେଡ଼ ଜୋଶେଫ ଷ୍ଟାଲିନଙ୍କ ମୃତ୍ୟୁ ପରେ ନିକିତା କ୍ରୁଶ୍ଚେଭଙ୍କ ନେତୃତ୍ବ କମ୍ରେଡ଼ ଲେନିନ -ଷ୍ଟାଲିନଙ୍କ ସମାଜବାଦୀ ସମାଜ ଗଠନ ପଥରୁ ବିଚ୍ୟୁତ ହେଇ ତଥାକଥିତ ବିଶ୍ୱଶାନ୍ତି ପାଇଁ ଆମେରିକାର Peace Maneuver ଦ୍ୱାରା କବଳିତ ହେବା ପରେ ଓ ମିଖାଇଲ ଗୋର୍ବାଚୋଭଙ୍କ ଗ୍ଲାସ ନଷ୍ଟ ଓ ପେରିଷ୍ଟ୍ରୋଇକା ସୋଭିଏତ ୟୁନିୟନରେ ସମ୍ପୂର୍ଣ୍ଣ ପତନ ପରଦା ଟାଣିବା ପରେ ସୋଭିଏତ ୟୁନିୟନ 1987ରେ ପ୍ରଥମେ ପ୍ରତିନିଧିମଣ୍ଡଳୀ ଡାଭୋସ ସମ୍ମିଳନୀକୁ ପଠେଇ ଥିଲା ।
ଏହା ପୂର୍ବରୁ ମାଓ ସେତୁଙ୍ଗଙ୍କ ମୃତ୍ୟୁ ପରେ ଚୀନ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱକୁ ଡେଙ୍ଗ ସିଆଓ ପିଙ୍ଗ ଆସିବା ପରେ 1978ରେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲା ।ଏହା ପର ଠାରୁ ଚୀନ ପ୍ରମୁଖ ପ୍ରଭାବଶାଳୀ ଅଂଶୀଦାର ହେଇଥିଲା ଓ ଆଞ୍ଚଳିକ ଇଭେଣ୍ଟ Summer Davos 2007 ଆୟୋଜନ କରିଥିଲା ।
ପୂର୍ଵ ଇଉରୋପର ପୋଲାଣ୍ଡ, ହଙ୍ଗେରୀ,ପୂର୍ଵ ଜର୍ମାନୀ ଏଥିରେ ଯୋଗ ଦେଉ ନଥିଲେ । କିନ୍ତୁ ସୋଭିଏତ ୟୁନିୟନର ପୂରା ସମାଧି ହେବା ପରେ ଏହି ଦେଶସମୂହ ଯୋଗଦାନ କଲେ । ମାର୍କ୍ସବାଦୀ ଚିନ୍ତନକାର ଜାଣନ୍ତି ଏହାର ଏଜେଣ୍ଡା ହେଉଛି ସଂସ୍କାରବାଦୀ ମରୀଚିକା ।ପୁଞ୍ଜି ଓ ଶ୍ରମ ମଧ୍ୟରେ ରହିଥିବା ଅନ୍ତର୍ନିହିତ ବିରୋଧାତ୍ମକ ଦ୍ବନ୍ଦ୍ୱକୁ ପ୍ରଚ୍ଛନ୍ନ ରଖିବା ପାଇଁ ପ୍ରୟାସ । ଏହା ଉତ୍ପାଦନଯନ୍ତ୍ର ଉପରେ ବ୍ୟକ୍ତି ମାଲିକାନା ବିଲୋପ କରି ଅର୍ଥାତ ଶୋଷଣମୂଳକ ପୁଞ୍ଜିବାଦୀ ବ୍ୟବସ୍ଥା ବିଲୋପ ନକରି ପୁଞ୍ଜିବାଦ ଭିତରେ ରହିଥିବା ଦ୍ବନ୍ଦ୍ୱକୁ ଥଣ୍ଡା ମାଲିସ କରୁଛି ।
2020 ପାଣ୍ଡେମିକ ପରବର୍ତ୍ତୀ Great Reset କୌଶଳ ମାଧ୍ୟମରେ ଶାସକ ପୁଞ୍ଜିପତି -ସାମ୍ରାଜ୍ୟବାଦୀଙ୍କ ଦ୍ଵାରା ପୁଞ୍ଜିବାଦର ପୁନର୍ଗଠନ କରି ପାଣ୍ଡେମିକ, ଜଳବାୟୁ ପରିବର୍ତ୍ତନ ,ଅର୍ଥନୈତିକ ଧ୍ୱଂସରୁ କିଛିଟା ଉଦ୍ଧାର ହେବାକୁ ପ୍ରୟାସ କଲେ । କିନ୍ତୁ ଏହି ପ୍ରୟାସ କ୍ଷମତାଶାଳୀ କର୍ପୋରେଟ ବର୍ଗ ନିଜର ମୁନାଫାକୁ ସୁରକ୍ଷିତ ରଖି ଥିଲେ ।କିନ୍ତୁ ମୁନାଫାର ପ୍ରକୃତ ପୁନର୍ବଣ୍ଟନ ହେଲା ନାହିଁ । ବରଂ କର୍ପୋରେଟ ଜଗତକୁ ଏହି ସଂକଟ ରୁ ଉଦ୍ଧାର କରିବା ପାଇଁ ରାଷ୍ଟ୍ରମାନେ Bailout Package ଘୋଷଣା କଲେ,ଗୁପ୍ତଚରୀ ଓ ଡିଜିଟାଲ ନିୟନ୍ତ୍ରଣକୁ ବ୍ୟାପକ କଲେ ଓ ତଥାକଥିତ ମିତବ୍ୟୟତା ମାଧ୍ୟମରେ ଶ୍ରମଜୀବୀଙ୍କ ଉପରେ ଏହାର ବୋଝ କୁ ଲଦି ଦେଲେ ।
2026 ଡାଭୋସ ପୂର୍ବରୁ ଆମେରିକା ର ଟାରିଫ ନୀତି ଯୋଗୁଁ ଯେତେବେଳେ ସମଗ୍ର ବିଶ୍ୱରେ ଆର୍ଥିକ ଅନିଶ୍ଚିତତା ସୃଷ୍ଟି ହେଇଛି ସେଇ ପୃଷ୍ଠଭୂମିରେ ତଥାକଥିତ Global Order ମୁଖା ଖୋଲି ଯାଇଛି । ବିଗତ ବର୍ଷଗୁଡିକରେ ଯେଉଁମାନେ ଆମେରିକାର ମିତ୍ର ରାଷ୍ଟ୍ର ଥିଲେ ସେମାନେ କେଉଁ ପନ୍ଥା ଗ୍ରହଣ କରିବେ ଚିନ୍ତା କରି ପାରୁ ନାହାଁନ୍ତି । ଇଉରୋପର ବନ୍ଧୁମାନଙ୍କୁ ଟ୍ରମ୍ପ ଧିକ୍କାର କରି ଭାଷଣ ଦେଲେ ଓ ସେମାନଙ୍କ ଭୂଗୋଳକୁ ପୋଛିବା ପାଇଁ ପରାମର୍ଶ ଦେଇ ଗଲେ । ଭାରତର ଅବସ୍ଥା ସାପ ପାଟିରେ ବ୍ରାହ୍ମଣୀ ବେଙ୍ଗ ଭଳି, ନା ଗିଳି ହେଉଛି ନା ଓକାଳି ହେଉଛି ।
ଭାରତ ତାର ପୁରୁଣା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସମୟର ବିଶ୍ୱସ୍ତ ମିତ୍ର ମାନଙ୍କ ପାଇଁ ମଧ୍ୟ ପଦେ ମୁହଁ ଖୋଲି କହି ପାରୁନି । ସମସ୍ତେ ଭାବିଥିଲେ ପ୍ରଧାନମନ୍ତ୍ରୀ ଡାଭୋସ ମଞ୍ଚରେ ଠିଆ ହେଇ ଦୁଇ ପଦ କଡା କଥା ଆମେରିକାକୁ କହିବେ । କିନ୍ତୁ ସେ ଗଲେନି । କେବଳ 4000 ପ୍ରତିନିଧି ପରିବାର ସରକାରୀ ଖର୍ଚ୍ଚରେ ସୁଇଜରଲାଣ୍ଡର ମନୋହର ପର୍ବତ , ଝରଣା, ତୁଷାର ଶଯ୍ୟାରେ ମୁକ୍ତହାୱା ସେବନ ,ସ୍କେଟିଂ କରି ଫଟୋ ନେଇ ଆସିଲେ ।
ଆମର 11 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ସ୍ୱପ୍ନ ନେଇ ଯାଇଥିଲେ । ସେମାନେ କଣ ନେଇ ଆସିଲେ ଆମେ ଭବିଷ୍ୟତରେ ଦେଖିବା ।
କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ସମ୍ମିଳନୀର ବିଜୟୀ ହେଉଛନ୍ତି Three Musketeers – ଆମେରିକା, ଚୀନ ଓ ରୁଷିଆ ।
ବିଶ୍ୱର ନୂଆ ମାନଚିତ୍ର ଅଙ୍କନ ପାଇଁ ସେମାନେ ପ୍ରସ୍ତୁତ ହେଇ ଗଲେଣି ।
ବିଶ୍ୱ ଶ୍ରମିକ ଶ୍ରେଣୀ ନିକଟରେ ମହାନ ଦାର୍ଶନିକ କାର୍ଲ ମାର୍କ୍ସ ଙ୍କ ସେଇ ଗୋଟିଏ ଆହ୍ୱାନ – Workers Of The World Unite !
କଥା ଏତିକି ।
