ବଢୁଛି ରାହୁଲଙ୍କ ଲୋକପ୍ରିୟତା, ତାଙ୍କ ଆମେରିକା ଗସ୍ତ ଉପରେ ଲାଗିବ କି ପ୍ରତିବନ୍ଧକ
ନୂଆଦିଲ୍ଲୀ : ଭାରତ ଯୋଡ଼ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଦେଶ, ବିଦେଶରେ ରାହୁଲ ପୂର୍ବାପେକ୍ଷା ଅଧିକ ଗ୍ରହଣୀୟ ହେବାରେ ଲାଗିଛନ୍ତି। ହେଲେ ନିକଟରେ ତାଙ୍କୁ ଏକ ମାମଲାରେ ଦୋଷୀ କରାଯିବା ସହ 2 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି କ୍ରମରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଛି।
ଆସନ୍ତା 28 ତାରିଖରେ ରାହୁଲ ଗାନ୍ଧୀ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ରାହୁଲ ଜଣେ ସାଧାରଣ ନାଗରିକ ଭାବେ କରିବେ। ସାଂସଦ ଭାବେ ତାଙ୍କୁ ମିଳିଥିବା ଡିପ୍ଲୋମାଟ ପାସପୋର୍ଟ ସେ ଫେରାଇ ଦେଇଛନ୍ତି। ହେଲେ ଏହି ସମୟରେ ସୁବ୍ରମନ୍ୟମ ସ୍ୱାମୀ ରାହୁଲ ଗସ୍ତ ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଯେ କୌଣସି ଉପାୟରେ ରାହୁଲ ଗସ୍ତ ରୋକାଯାଉ ବୋଲି ସୁବ୍ରମନ୍ୟମ ସ୍ୱାମୀ ଚାହୁଁଛନ୍ତି। ହେଲେ କୋର୍ଟ କହିଛନ୍ତି ଯେ, ଏହି ମାମଲା 2018ରୁ ଜାରି ରହିଛି। ଇତି ମଧ୍ୟରେ ରାହୁଲ ଅନେକଥର ବିଦେଶ ଗସ୍ତ କରିବା ସହ ଫେରି ଆସିଛନ୍ତି। ତାଙ୍କ ବିଦେଶ ଯିବା ଏକ ମୌଳିକ ଅଧିକାର। ରାହୁଲଙ୍କ ବିରୋଧରେ କୌଣସି ସଙ୍ଗୀନ ଫୌଜଦାରୀ ମାମଲା ନାହିଁ ବୋଲି ରାହୁଲଙ୍କ ଆଇନଜୀବୀ ଯୁକ୍ତି ଦର୍ଶାଇଛନ୍ତି। ତେଣୁ ଏହି ମାମଲା କେନ୍ଦ୍ର ସରକାର ହସ୍ତକ୍ଷେପ କରି ରାହୁଲଙ୍କ ଭିସା ରୋକିବାକୁ ଚେଷ୍ଟା କରିପାରନ୍ତି ବୋଲି କଂଗ୍ରେସ ଅନୁଭବ କରୁଛି। ଏହି ମାମଲାରେ ସୁବ୍ରମନ୍ୟମ ସ୍ୱାମୀ ପୁନଶ୍ଚ ବିଜେପିର ନିକଟତର ହେବାର ସମ୍ଭାବନା ସୃଷ୍ଟି ହୋଇଛି।