ଇଣ୍ଟରନେଟ ବନ୍ଦ ଦ୍ବାରା ଅର୍ଥନୈତିକ କ୍ଷତି ସହିବାକୁ ପଡୁଛି; ନୀତି ବିୟାନି

ଭୁବନେଶ୍ଵର,୧୫/୪:ଭାରତରେ ଯେଉଁଭଳି ଭାବେ ବାରମ୍ବାର ଇଣ୍ଟରନେଟ୍ ବନ୍ଦ କରାଯାଉଛି ତାହାକୁ ନେଇ ଏକ ଆନ୍ତର୍ଜାତିକ ସଂସ୍ଥା ଚିନ୍ତା ପ୍ରକଟ କରିଛି। ‘ଇଣ୍ଟରନେଟ୍ ସୋସାଇଟି’ର ବରିଷ୍ଠ ଉପଦେଷ୍ଟା ନୀତି ବିୟାନି କହିଛନ୍ତି ଯେ ଇଣ୍ଟରନେଟ୍ ବନ୍ଦ ଘୋଷଣାରେ ସ୍ବଚ୍ଛତା ରହୁନି। ହଠାତ୍ ଇଣ୍ଟରନେଟ୍ ବନ୍ଦ କରାଯିବା ଦ୍ବାରା ବିପୁଳ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ୁଛି। ଜୀବନଜୀବିକା ପ୍ରଭାବିତ ହେଉଛି ଓ ଲୋକମାନେ ମଧ୍ୟ ବହୁ ଅସୁବିଧା ସାମ୍ନା କରୁଛନ୍ତି। ସଟ୍ଡାଉନ୍ ଟ୍ରାକର୍ ଅପ୍ଟିମାଇଜେସନ୍ ପ୍ରୋଜେକ୍ଟ (ଷ୍ଟଫ୍) ତଥ୍ୟ ଅନୁଯାୟୀ ୨୦୨୨ରେ ୮୭ଟି ଦେଶରେ ୧୮୭ ଥର ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା। ସେଥିରୁ ଭାରତରେ ୮୪ ଥର ଇଣ୍ଟରନେଟ୍ ବନ୍ଦ ହୋଇଥିଲା। ଅର୍ଥାତ ସମଗ୍ର ବିଶ୍ବରେ ଯେତିକି ଥର ଇଣ୍ଟରନେଟ୍ ବନ୍ଦ କରାଯାଇଛି ତାହାର ଅଧାରୁ ଅଧିକ ଥର ଭାରତରେ ଇଣ୍ଟରନେଟ୍ ବନ୍ଦ ହୋଇଛି। ଏହି ତାଲିକାରେ ଭାରତ ଲଗାତାର ପଞ୍ଚମ ବର୍ଷ ପାଇଁ ଶୀର୍ଷ ସ୍ଥାନରେ ରହିଛି।ସାରା ବିଶ୍ବ ଏବେ ଡିଜିଟାଲ୍ ଦୁନିଆରେ ପରିଣତ ହୋଇଥିବା ବେଳେ ତାହାକୁ ଚାଲୁ ରଖିବା ଲାଗି ଆବଶ୍ୟକ ଶକ୍ତି ଇଣ୍ଟରନେଟ୍କୁ ବନ୍ଦ କରାଯିବା ଦ୍ବାରା ଦୈନନ୍ଦୀନ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହେଉଛି। ଅନ୍ଲାଇନ୍ ଯୋଗାଯୋଗ ଉପରେ ଅଙ୍କୁଶ ଲଗାଇବା ଲାଗି ଇଣ୍ଟରନେଟ୍ ବନ୍ଦକୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ହିଂସା, ପ୍ରତିବାଦ, ଉତ୍ତେଜନାକୁ ରୋକିବା, ନିର୍ବାଚନ, ପରୀକ୍ଷା, ରାଜନୈତିକ ଅସ୍ଥିରତା ଓ ଗୁରୁତ୍ବପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ ଆଦିରେ ଇଣ୍ଟରନେଟ୍ ବନ୍ଦ କରିବା ଭଳି ନିଷ୍ପତ୍ତି ନିଆଯାଉଛି। ବାରମ୍ବାର ଇଣ୍ଟରନେଟ୍ ବନ୍ଦ କରୁଥିବା ଦେଶ ତାଲିକାରେ ଭାରତ ଏକ ନମ୍ବର ସ୍ଥାନରେ ଥିବା ବେଳେ ୟୁକ୍ରେନ୍ ଭାରତଠାରୁ ବହୁ ଦୂରରେ ଦ୍ବିତୀୟ ସ୍ଥାନରେ ରହିଛି। ୟୁକ୍ରେନ୍ରେ ମାତ୍ର ୨୨ ଥର ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଇରାନ (୧୮) ତୃତୀୟ ଓ ମିଆଁମାର (୭) ଚତୁର୍ଥ ସ୍ଥାନରେ ରହିଛି। ଜି-୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଏକମାତ୍ର ଦେଶ ଯାହାର ଇଣ୍ଟରନେଟ୍ ବନ୍ଦ କରିବା ରେକର୍ଡ ସବୁଠୁ ଖରାପ। ଭାରତରେ ୨୦୨୨ରେ ଜାମ୍ମୁ କାଶ୍ମୀରରେ ୪୯ ଥର, ରାଜସ୍ଥାନରେ ୧୨, ପଶ୍ଚିମବଙ୍ଗରେ ୭, ହରିୟାଣାରେ ୪, ଝାଡ଼ଖଣ୍ଡରେ ଏବଂ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଆସାମ, ବିହାର, ଓଡ଼ିଶା, ମଣିପୁର, ମେଘାଳୟ ଓ ପଞ୍ଜାବରେ ଥରେ ଲେଖାଏଁ ଇଣ୍ଟରନେଟ୍କୁ ବନ୍ଦ କରାଯାଇଥିଲା।