ସୂର୍ଯ୍ୟପ୍ରଭାର ସମ୍ପାଦକ ରବି କାନୁନ୍ଗୋଙ୍କ ପରଲୋକ
ଭୁବନେଶ୍ୱର : ସୂର୍ଯ୍ୟପ୍ରଭାର ସମ୍ପାଦକ ରବି କାନୁନଗୋଙ୍କର ପରଲୋକ ହୋଇଯାଇଛି । ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସ୍ୱନ୍ତଦୀପ୍ତି କାନୁନଗୋ, ବିଭୂଦତ୍ତ କାନୁନ୍ଗୋ, ବୋହୂ କାନନ ମହାନ୍ତି, ଝିଅ ସଂଘମିତ୍ରା ମହାନ୍ତି, ପ୍ରଜ୍ଞା ପଟ୍ଟନାୟକ ଓ ଶାସ୍ୱତୀ କାନୁନଗୋ ଉପସ୍ଥିତ ଥିଲେ ।
୧୯୪୪ ଅପ୍ରେଲ ୨୦ରେ ଜନ୍ମିତ ସ୍ୱର୍ଗତ କାନୁନ୍ଗୋ ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଚାକିରୀ କରିଥିଲେ । ସେହି ସମୟରେ ସେ ମଜଦୁର ସଂଘ ସହ ବି ଜଡ଼ିତ ଥିଲେ ।‘ସମ୍ବାଦ’ ରେ ସେ ବେଶ୍ କିଛିବର୍ଷ ଧରି କାର୍ଯ୍ୟ କରିଥିଲେ । ଚାକିରୀରୁ ଅବସର ପରେ ସେ ‘ସୂର୍ଯ୍ୟପ୍ରଭା’ର ଫିଚର ସମ୍ପାଦକ ଭାବେ ଯୋଗ ଦେଇଥିଲେ । ଗତ ଏକ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ସ୍ୱର୍ଗତ୍ କାନୁନ୍ଗୋ ସୂର୍ଯ୍ୟପ୍ରଭାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ସମ୍ପାଦକୀୟ ବେଶ୍ ଉଚ୍ଚକୋଟିର ଥିଲା । ସରଳ ସାବଲୀଳ ଭାଷାରେ ବ୍ୟଙ୍ଗ ଗଳ୍ପ ଢଙ୍ଗରେ ସେ ସମ୍ପାଦକୀୟ ଲେଖି ସାରା ଓଡ଼ିଶାରେ ଆଦୃତ ହୋଇଥିଲେ ।
୧୯୯୪ରେ ସୁରେନ୍ଦ୍ର ମହାନ୍ତି କଥା ସାହିତ୍ୟ ସମ୍ମାନ, ୧୯୯୬ରେ ପ୍ରଜାତନ୍ତ୍ର ବିଷୁବ ସମ୍ମାନ, ୨୦୦୯ରେ ନାରଦ ସମ୍ମାନ, ୨୦୧୧ରେ ଡକ୍ଟର ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ ପାଇଥିଲେ । ଜଣେ ଲେଖକ ଭାବେ ବି ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କ ରଚିତ କଥା କିଞ୍ôଚତ, କାଗଜ ବାଘ, କେଶବତୀ କନ୍ୟା, ଅଇନା, ପୁଅ ଓ କୋଡ଼ିଏଟି ଗପ, ଆଶା ତମସା, ଏକ ରାଜ୍ୟପାଳଙ୍କ ଅନୁଭୂତି, ସବୁ ନାରୀ ଟିକେ ଟିକେ ସୀତା, ମନେ ଥାଉ ସେମିତି ସେମିତି ଭଳି ଅନେକ ପୁସ୍ତକ ପାଠକୀୟ ଆଦୃତି ହାସଲ କରିଛି ।
