ଶିକ୍ଷା ଓ ସରକାରୀ ନିୟନ୍ତ୍ରଣ :ସେଦିନ ଓ ଆଜି ଜ୍ଞାନ ଓ ବିଜ୍ଞାପନ
ନୂଆଦିଲ୍ଲୀ :(ବିଜୟ ସାହୁ )-ମୋଦୀ ସରକାର Make in India ମାଧ୍ୟମରେ1947 ସୁଦ୍ଧା ବିଶ୍ୱରେ AI ରେ ତୃତୀୟ ମହାଶକ୍ତି ହେବା ଲକ୍ଷ୍ୟ ରଖି ଦିଲ୍ଲୀ ପ୍ରଗତି ମଇଦାନରେ ଯେଉଁ 5 ଦିନିଆ AI ମହାକୁମ୍ଭ ଆୟୋଜନ କରିଛନ୍ତି ତାହା ସମ୍ପର୍କରେ ଦେଶ ସାରା ଚର୍ଚ୍ଚା ଏତେ ହେଲାଣି ଯେ ଆଉ ଅଧିକ ଚର୍ଚ୍ଚା କରି ପାଠକଙ୍କୁ ବିରକ୍ତ କରିବା ଅନୁଚିତ ।
କୃତ୍ରିମ ବୁଦ୍ଧିମତା ହେଉଛି କମ୍ପୁଟର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏକ ଶାଖା ଯାହାକି ମନୁଷ୍ୟର ବୁଦ୍ଧିମତା ଅନୁସରଣ କରି କୃତ୍ରିମ ବୁଦ୍ଧିମତା ମେସିନ ପ୍ରସ୍ତୁତ କରିଥାଏ । ଏହି ମେସିନ ଗଣିତ, ସ୍ନାୟୁବିଜ୍ଞାନ ଓ ମନୋବିଜ୍ଞାନ ଉପରେ ଭିତ୍ତିକରି ଜଟିଳ ସମସ୍ୟା ସମାଧାନ, ଅନୁଶୀଳନ ଓ ସିଦ୍ଧାନ୍ତ ଗ୍ରହଣ ପାଇଁ
Algorithms ଓ Data ବ୍ୟବହାର କରିଥାଏ । ପ୍ରତ୍ୟେକ ସ୍କୁଲରେ ପଢୁଥିବା ପିଲା ଏପରି କି କଳା ଓ ବାଣିଜ୍ୟ ପାଠ୍ୟକ୍ରମର ପିଲା Algorithms କଣ ବୁଝି ପାରେ । ଏହାକୁ ଆମେ ଓଡ଼ିଆ ଭାଷାରେ କଳନା ଵିଧି ବା ସମାଧାନ ପ୍ରଣାଳୀ କହିଥାଉ । କମ୍ପ୍ୟୁଟର ପ୍ରୋଗ୍ରାମିଂରେ ତଥ୍ୟକୁ ପ୍ରକ୍ରିୟାକରଣ କରିବା ପାଇଁ ବ୍ୟବହୃତ ହେଇଥାଏ । ଏହା ସୁନିର୍ଦିଷ୍ଟ ନିର୍ଦେଶାବଳୀ ବା ନିୟମ ଅନୁସରଣ କରି ନିର୍ଦ୍ଦିଷ୍ଟ ସମସ୍ୟା ସମାଧାନ , ଗଣନା ସମ୍ପାଦନା ଅଥବା କାର୍ଯ୍ୟଟି କରିଥାଏ ।
ଆମେ ବ୍ୟବହାର କରୁଥିବା Mobile Hand set ମଧ୍ୟ କୃତିମ ବୁଦ୍ଧିମତା ସହିତ ଜଡ଼ିତ ।
ତେଣୁ AI ସମ୍ପର୍କରେ ଏହାର ବିଶ୍ୱରେ ଓ ଆମ ଦେଶରେ ସ୍ଥିତି ଏବଂ ଉଦେଶ୍ୟ ସମ୍ପର୍କରେ ଜାଣିବା ଆଗ୍ରହ ସମସ୍ତଙ୍କର ରହିଛି । ପୁଣି ଏହା ଦେଶର ସମସ୍ୟା ଅର୍ଥାତ ରୋଟି, କପଡ଼ା, ମକାନ, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ,ଯାତାୟାତ ଇତ୍ୟାଦି ପାଇଁ କେତେ ଜରୁରୀ ତାହା ମଧ୍ୟ ଲୋକେ ଜାଣିବା ପାଇଁ ଆଗ୍ରହୀ ।
କିନ୍ତୁ ଏହି ମୌଳିକ ଦିଗଟି ଉପରେ ମୋଦୀ ସରକାର ଆଦୌ ଗୁରୁତ୍ୱ ନ ଦେଇ ବିଜ୍ଞାନର ଏହି ଗୁରୁତ୍ୱପୂର୍ଣ ଅବଦାନକୁ ନିଜର ବିଜ୍ଞାପନ ପାଇଁ
ଆଉ ଏକ ଇଭେଣ୍ଟ କରୁଛନ୍ତି ।
ଇଉରୋପୀୟ ଦେଶମାନଙ୍କରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଅନେକ ପୂର୍ବରୁ ଭାରତରେ ଉଚ୍ଚଶିକ୍ଷା କେନ୍ଦ୍ରଗୁଡିକ ଗଢି ଉଠିଥିଲା । ନାଳନ୍ଦା, ତକ୍ଷଶିଳା ଓ ବିକ୍ରମଶିଳାକୁ
ଦୂରଦୂରାନ୍ତ ଦେଶରୁ ବିଦ୍ୱାନମାନେ ଆସୁଥିଲେ ଓ ବର୍ଷବର୍ଷ ଧରି ଶିକ୍ଷାର୍ଜନ କରି ଫେରୁଥିଲେ । ସେମାନଙ୍କର ଏହି ପ୍ରତିଷ୍ଠାନଗୁଡିକର ଜ୍ଞାନର ପ୍ରୋତ୍ସାହନ ଓ ପ୍ରସାର ପ୍ରତି ବିଶେଷ ସମାନ ଓ ଶ୍ରଦ୍ଧା ରହିଥିଲା ।
ସେଇ ସମୟର ଇତିହାସ ଅନୁଯାୟୀ ଶାସକମାନେ ଏହି ଶିକ୍ଷାକେନ୍ଦ୍ରଗୁଡିକର ଶାନ୍ତି ଓ ସଦ୍ଭାବନା ତଥା ବୌଦ୍ଧିକ ସ୍ୱାଧୀନତା ଉପରେ କୌଣସି ହସ୍ତକ୍ଷେପ କରୁ ନଥିଲେ । ବରଂ ସେମାନେ ଆବଶ୍ୟକ ସାହାଯ୍ୟ ଓ ସୁରକ୍ଷା ପ୍ରଦାନ କରୁଥିଲେ । ତେଣୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଦାନ ହେଉଥିଲା ।
ଏପରି କି ବ୍ରିଟିଶ ବିଶ୍ୱବିଦ୍ୟାଳୟ ଗୁଡିକ ପ୍ରତିଷ୍ଠା ବେଳେ ମଧ୍ୟ ଏହି ଅନୁଷ୍ଠାନଗୁଡିକକୁ ମଡେଲ ଭାବେ ଗ୍ରହଣ କରି ଡିଜାଇନ ପ୍ରସ୍ତୁତ କରିଥିଲେ । ଭାରତରେ ବ୍ରିଟିଶ ଶାସନ କାଳରେ1854 ରେ ସାର୍ ଚାର୍ଲେସ ଉଡଙ୍କ ଡେସପାଚ, ଯାହାକି Magna Carta of Modern English Education System in India କୁହାଯାଏ, ସେଇ ଅନୁଯାୟୀ କଲିକତା,ବମ୍ବେ ଓ ମାଡ୍ରାସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଇଥିଲା ଓ ପ୍ରୋକ୍ତ ପ୍ରାଚୀନ ବିଶ୍ୱସ୍ତରୀୟ ଶିକ୍ଷା ପ୍ରତିଷ୍ଠାନଗୁଡିକ ର ବୌଦ୍ଧିକ ସ୍ୱାଧୀନତାକୁ ନିର୍ଭୟ ଓ ନିରନ୍ତର ଜ୍ଞାନ ଆହରଣର ପ୍ରାକ ସର୍ତ୍ତ ଭାବରେ ବିବେଚନା କରା ଯାଇଥିଲା । ବର୍ଟାଣ୍ଡ ରସେଲ ଲେଖିଛନ୍ତି, ” Where independent thinking dies out,whether from lack of courage or discipline, there the evil weeds of propagonda and authorita- nism proliferate unchecked …it is pity that men in the places of powers and responsibility are not more often aware of it ”
କିନ୍ତୁ ବ୍ରିଟିଶ ଶାସକମାନେ କିଛି ବର୍ଷ ଭିତରେ ହୃଦୟଙ୍ଗମ କଲେ ଇଂରେଜ ଶିକ୍ଷା ପ୍ରସାର କରି ସେମାନେ ଯେଉଁ ନିରୀହ ମାଇ କୁକୁଡ଼ା ପାଳିବେ ବୋଲି ଚାହୁଁଥିଲେ, ତାହା ଲଢୁଆ ଗଞ୍ଜା ହେଇ ଯାଉଛନ୍ତି । ତେଣୁ ଇଂରେଜ ଶିକ୍ଷାକୁ ସଙ୍କୁଚିତ କରିବା ପ୍ରୟାସ ଆରମ୍ଭ କଲେ । ସ୍ୱୟଂ ଉଡ଼ ସାହେବ ମଧ୍ୟ ଇଂରେଜ ଶିକ୍ଷାକୁ ସମସ୍ତଙ୍କୁ ପ୍ରଦାନ କରିବାକୁ ଇଚ୍ଛୁକ ନଥିଲେ । ତାଙ୍କର ମତ ଥିଲା ଏହା ଦ୍ଵାରା ଏକ ଅସନ୍ତୁଷ୍ଟ ବର୍ଗ ସୃଷ୍ଟି ହେବେ ଯାହାକି ବ୍ରିଟିଶ ରାଜ ଧ୍ୱଂସ କରିପାରେ ।
1882ରେ ଉଇଲିୟମ ହଣ୍ଟରଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ ଶିକ୍ଷା କମିଶନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସରକାରୀ ଆର୍ଥିକ ସହାୟତା ପ୍ରତ୍ୟାହାର କରିବାକୁ ସୁପାରିଶ କଲେ । 1904 ମସିହାରେ ଲର୍ଡ଼ କର୍ଜନ ଭାରତୀୟ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ କଲେ । ଏହି ଆଇନ ଦେଶର 5ଟି ବିଶ୍ୱବିଦ୍ୟାଳୟ କଲିକତା,ବମ୍ବେ, ମାଡ୍ରାସ, ଲାହୋର ଓ ଆଲାହାବାଦ ପରିଚାଳନା କ୍ଷେତ୍ରରେ ସରକାରଙ୍କ ହାତରେ ଅଧିକ କ୍ଷମତା ପ୍ରଦାନ କଲେ । ଏହା ବିରୁଦ୍ଧରେ ଦେଶାସାରା ଦୃଢ଼ ପ୍ରତିବାଦ ଆରମ୍ଭ ହେଲା ।ଆଶୁତୋଷ ମୁଖାର୍ଜୀ କହିଲେ ଆଇନରେ ରହିଥିବା କେତେକ
ପ୍ରାବଧାନ ଯୋଗୁଁ ବିଶ୍ଵ ବିଦ୍ୟାଳୟଗୁଡିକୁ ସରକାରଙ୍କ ଏକ ବିଭାଗ ଭାବରେ ପରିଣତ କରିବା ସମ୍ଭାବନା ରହିଛି । ତେଣୁ ତୀବ୍ର ପ୍ରତିବାଦ କଲେ ।
ଭାରତୀୟ ଜାତୀୟ କଂଗ୍ରେସର ଉନବିଂଶ ଅଧିବେଶନରେ ସୁରେନ୍ଦ୍ର ନାଥ ବାନାର୍ଜୀ ବିଲକୁ ତୀବ୍ର ବିରୋଧ କରି କହିଲେ, ” Today we stand face to face with the gravest crises in our history ,Are we to succumb to it or play the role of men .”
ସ୍ୱାଧୀନତା ପରେ ଅନ୍ତତଃ କାଗଜ କଲମରେ ଶିକ୍ଷା ପ୍ରତିଷ୍ଠାନଗୁଡିକୁ ସ୍ୱାତନ୍ତ୍ର୍ୟ ପ୍ରଦାନ କରିବା ପାଇଁ ଅନେକ ପ୍ରସ୍ତାବ ଆସିଛି । କୋଠାରୀ କମିଶନ ବିଶ୍ୱବିଦ୍ୟାଳୟଗୁଡିକର ସ୍ୱାତନ୍ତ୍ର୍ୟ ମୌଳିକ ବିଚାର ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସେ କହିଥିଲେ, ଏହାକୁ ବାଦ ଦେଇ ବିଶ୍ୱବିଦ୍ୟାଳୟଗୁଡିକ ନିଜର ମୁଖ୍ୟ କାର୍ଯ୍ୟ ଯଥା ଶିକ୍ଷାଦାନ, ଗବେଷଣା ଓ ସମାଜ ପ୍ରତି ସେବା ପ୍ରଦାନ
କରିବାରେ ସକ୍ଷମ ହେବେ ନାହିଁ । ସ୍ୱାତନ୍ତ୍ର୍ୟ ଦ୍ଵାରା ହିଁ ଶିକ୍ଷାନୁଷ୍ଠାନ ଗୁଡିକ ଚିନ୍ତାଧାରାର ନିର୍ଦ୍ଦିଷ୍ଟ ଢାଞ୍ଚାରେ ବାନ୍ଧି ନହେଇ କିମ୍ବା ରାଜନୈତିକ ଦଳର ଚାପ ବା କ୍ଷମତା ରାଜନୀତିକୁ ଭୟ ନକରି ସତ୍ୟାନୁଶୀଳନ କରି ପାରିବେ । ଗଜେନ୍ଦ୍ର ଗଡ଼କର କମିଟି ମଧ୍ୟ ଅନୁରୂପ ମତ ଦେଇଥିଲେ ।
କିନ୍ତୁ ସମୟ କ୍ରମେ ପ୍ରତ୍ୟେକ ଦଳର ସରକାର କେନ୍ଦ୍ର ଓ ରାଜ୍ୟରେ ଶିକ୍ଷାନୁଷ୍ଠାନ ଏବଂ ବିଶେଷକରି ଉଚ୍ଚ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ
ବିଭିନ୍ନ ଆଳରେ ନିୟନ୍ତ୍ରଣ କରି ଚାଲିଥିଲେ । ଆଶୁତୋଷ ମୁଖାର୍ଜୀଙ୍କମହୀଶୂର ବିଶ୍ୱବିଦ୍ୟାଳୟ ର ସମାଵର୍ତନ ଉତ୍ସବରେ 1918 ମସିହାରେ ଉଦବୋଧନ ଦେଇ କହିଥିଲେ -” teachers, the most eminent, the most earnest, the most independent in their work ,for, it is the eagle alone that is fit to teach the eaglets “
ଆଜିର ପରିସ୍ଥିତି ଦେଖିଲେ ବିଶେଷ କରି ମୋଦୀ ସରକାର ଅମଳରେ ବିଶ୍ୱ ବିଦ୍ୟାଳୟଗୁଡିକର ସ୍ୱାତନ୍ତ୍ର୍ୟ କେଉଁ ସ୍ତରକୁ ଯାଇଛି ତାହା ଚର୍ଚ୍ଚା କରିବା ନିଷ୍ପ୍ରାୟୋଜନ ।ଦେଶର ପ୍ରଖ୍ୟାତ ଐତିହାସିକମାନେ ବିଶ୍ୱବିଦ୍ୟାଳୟ ଭିତରେ ମାଡ଼ ଖାଇଲେଣି, ଯେ କୌଣସି ବ୍ୟକ୍ତି କୁଳପତି ହେଇ ପାରୁଛନ୍ତି ।
ଆଇଆଇଟି,ଏମ୍ସ ଭଳି ଶିର୍ଷ ପ୍ରତିଷ୍ଠାନଗୁଡ଼ିକର ଡାଇରେକ୍ଟରମାନଙ୍କ ମେଧା ଓ ପ୍ରତିଷ୍ଠା ଦେଖିଲେ ଦୟା ଲାଗୁଛି ।
ଆମ ସମୟର କଲେଜର ଅଧ୍ୟାପକ ହେବା ଯୋଗ୍ୟତା ନଥିବା ବ୍ୟକ୍ତି ସରକାରୀ ଶିକ୍ଷା ପ୍ରତିଷ୍ଠାନଗୁଡିକର ମୁଖ୍ୟ ହେଇ ଦଳୀୟ କାର୍ଯ୍ୟାଳୟ କରି ଦେଇଛନ୍ତି ।
ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକର ପ୍ରଫେସର ପଦବୀ ପ୍ରାୟ 60%ଶୁନ୍ୟ ରହିଛି । ଏଗୁଡିକ ହେଉଛନ୍ତି ଆଇ ଆଇ ଟି, ଆଇ ଆଇ ଏମ, ଏନ ଆଇ ଟି,କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପ୍ରଭୃତି ।
ଅନ୍ୟାନ୍ୟ ପଦବୀ ନ କହିଲେ ଭଲ । କ୍ରମାଗତ ଶିକ୍ଷା ବଜେଟ, ଗବେଷଣା ବଜେଟ ହ୍ରାସ ହେଇ ଚାଲିଛି । ଅନେକ ଅନୁଷ୍ଠାନ ଠିକା ଫାକଲ୍ଟି ଦ୍ଵାରା ଚାଲିଛି ।
ଅନ୍ୟ ପକ୍ଷରେ ସାଧାରଣ କଲେଜ ଭଳି ଯୋଗ୍ୟତା ନଥିବା ଘରୋଇ ବିଶ୍ଵ ବିଦ୍ୟାଳୟ ଛତୁ ଫୁଟିଲା ଭଳି ଗଢି ଉଠୁଛି । ବହି ଦୋକାନୀ କରିଥିବା ବ୍ୟବସାୟିକ ଶିକ୍ଷାନୁଷ୍ଠାନ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱପ୍ରସିଦ୍ଧ ବିଶ୍ଵ ବିଦ୍ୟାଳୟ ଭାବରେ ପ୍ରଚାରିତ ହେଉଛି । ତେଣୁ ବିଶ୍ୱର 500 ବିଶ୍ଵ ବିଦ୍ୟାଳୟ ମଧ୍ୟରେ ଭାରତ ଗୋଟିଏ ସ୍ଥାନ ମଧ୍ୟ ହାସଲ କରି ପାରୁ ନାହିଁ ।
ଅଥଚ ଆମେ କୃତ୍ରିମ ବୁଦ୍ଧିମତାରେ
ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିବୁ ବୋଲି ପ୍ରଧାନମନ୍ତ୍ରୀ ଚାଇନା କୁକୁରକୁ ନିଜ ଦେଶର ବହି ଦୋକାନୀ ବିଶ୍ୱବିଦ୍ୟାଳୟର ବୋଲି ଦାବୀ କରିବାକୁ ଲଜ୍ଜା ବୋଧ କରୁ ନାହାଁନ୍ତି ।
