ଆଳୁ, ପିଆଜ ପରେ ଏବେ ବିଜୁଳି ହେବ ମହଙ୍ଗା

ଭୁବନେଶ୍ୱର : ଓଇଆରସିଙ୍କ ଦ୍ଵିତୀୟ ଦିନ ଜନଶୁଣାଣୀରେ ଓପିଟିସିଏଲ ଓ ଏସଏଲଡ଼ିସି ପରିବହନ ଶୁକ୍ଳ ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ।
ସରକାରୀ ଅଂଶଧନ ଓ ଅନୁଦାନ ନିବେଶକୁ ଅପବ୍ୟବହାର କରି ପରିବହନ ଶୁକ୍ଳ ବୃଦ୍ଧି ପାଇଁ ଚକ୍ରାନ୍ତ।
ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ବେଆଇନି, ପିଓସି ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ପାଇଁ ଶକ୍ତି ସମୀକ୍ଷକଙ୍କ ପ୍ରସ୍ତାବ ଉପରେ ଓପିଟିସିଏଲ ରାଜି। ଆୟୋଗଙ୍କ ନିର୍ଦ୍ଧେଶକୁ ଅପେକ୍ଷା।
ଆସନ୍ତା ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିରୂପଣ କରିବା ପାଇଁ ଆଜି ଦ୍ଵିତୀୟ ଦିନରେ ଉଭୟ ଓପିଟିସିଏଲ ଓ ଏସଏଲଡ଼ିସି ଦରଖାସ୍ତ ଉପରେ ଜନଶୁଣାଣୀ ଓଇଆରସି କାର୍ଯ୍ୟାଳୟରେ ଅନୁଷ୍ଟିତ ହୋଇଛି। ଉଭୟ ଆବେଦନକାରୀ ଓ ଅଭିଯୋଗକାରୀଙ୍କ ଉପସ୍ତିତିରେ ଆୟୋଗ ପୂର୍ବାହ୍ନରେ ଓପିଟିସିଏଲ ଦରଖାସ୍ତ ଶୁଣିଥିବା ବେଳେ ଅପରାହ୍ନରେ ଏସଏଲଡ଼ିସି ପାଇଁ ଜନଶୁଣାଣୀ କରିଛନ୍ତି।
ପୂର୍ବାହ୍ନରେ ଓପିଟିସିଏଲର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଧେଶକ ଭାସ୍କର ଜ୍ୟୋତି ଶର୍ମା ନିଜର ପକ୍ଷ ରଖି ବିଦ୍ୟୁତ ପରିବହନ ଶୁକ୍ଳ ବୃଦ୍ଧିପାଇଁ ଆବେଦନ କରିଥିବା ଦରଖାସ୍ତକୁ ଉପସ୍ଥାପନ କରିଥିଲେ । ଆସନ୍ତା ଆର୍ଥିକ ବର୍ଷପାଇଁ ନେଟ ରାଜସ୍ୱ ଆବଶ୍ୟକତା ପରିମାଣ ଚଳିତବର୍ଷ ତୁଳନାରେ ୪୮୫ କୋଟିଟଙ୍କା ବୃଦ୍ଧିକରି ସମୁଦାୟ ୧୩୯୯ କୋଟିଟଙ୍କା ଦର୍ଶାଇ ଥିଲେ। ଏହାକୁ ଭରଣା କରିବା ପାଇଁ ପରିବହନ ଶୁକ୍ଲକୁ ୟୁନିଟ ପିଛା ୧୨ପଇସା ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ। ଓପିଟିସିଏଲର ୧୨ ପଇସା ଶୁକ୍ଳବୃଦ୍ଧିକୁ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପତି ପ୍ରବଳ ବିରୋଧ କଲେ। ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଥିବା ଅଭାବକୁ ସାମ୍ନାକୁ ଆଣି ଓପିଟିସିଏଲକୁ ଦାୟୀ କରିଥିଲେ। ପୂର୍ବବର୍ଷର ଅଡିଟେଡ ଆର୍ଥିକ ବିବରଣୀ ରିପୋର୍ଟକୁ ଉଦ୍ଧାର କରି ବରିଷ୍ଟ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଲେଯେ ଓପିଟିସିଏଲ ୭୩ କୋଟିଟଙ୍କା ଲାଭ କରିଛନ୍ତି। ଓପିଟିସିଏଲର ଅଂଶଧନ ୨୪୪୬ କୋଟିଟଙ୍କା ଓ ସରକାରୀ ପୁଞ୍ଜିନିବେଶ ପରିମାଣକୁ ୨୧୫୮ କୋଟିଟଙ୍କାରେ ଅଡିଟର ସ୍ଥିର କରିଥିବା ତଥ୍ୟ ଉପସ୍ଥାପନ କରି ଶ୍ରୀ ମହାପାତ୍ର ଯୁକ୍ତି କଲେଯେ ଏହା ଜନଗଣଙ୍କ ଅଂଶଧନ ଓ ନିବେଶ। ତେଣୁ ତାହା ଉପରେ ପ୍ରସ୍ତାବିତ ରିଟର୍ନ ଅନ ଇକୁଇଟି ବ୍ୟୟ ୨୮୫ କୋଟିଟଙ୍କାକୁ ସମ୍ପୂର୍ଣ ବରଖାସ୍ତ କରାଯାଉ ଓ ଡ଼େପ୍ରିସିଏସନ ବାବଦକୁ ପ୍ରସ୍ତାବିତ ୩୫୭ କୋଟିଟଙ୍କା ବ୍ୟୟକୁ ସମାନୁପାତିକ ଭାବେ ହ୍ରାସ କରାଯାଉ। ଆୟୋଗ ବର୍ଷବର୍ଷ ଧରି ଯେଉଁ ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ପରିବହନ ଶୁକ୍ଳ ନିର୍ଧାରଣ କରୁଛନ୍ତି ତାହା ସମ୍ପୂର୍ଣ ବେଆଇନି ଦର୍ଶାଇ କେନ୍ଦ୍ରୀୟ ଆୟୋଗ ଜାରି କରିଥିବା ପିଓସି ପଦ୍ଧତିକୁ ଲାଗୁ କରନ୍ତୁ। ପିଓସି ପଦ୍ଧତିକୁ ଓପିଟିସିଏଲର ସମର୍ଥନ ଦର୍ଶାଇ ଶ୍ରୀ ମହାପାତ୍ର କହିଲେ ଏହି ପଦ୍ଧତି ଲାଗୁ କରାଗଲେ ଯେଉଁ ଉତ୍ପାଦନ କମ୍ପାନୀ ଓ ଶିଳ୍ପସଂସ୍ଥାଗୁଡିକ ଗ୍ରୀଡ ବ୍ୟବହାର କରିବି କୌଣସି ମୂଲ୍ୟ ପଇଠ କରୁନାହାନ୍ତି ଓ ଠକିଠାକି ଚାଲିଛନ୍ତି, ସେମାନେ ପରିବହନ ଶୁକ୍ଳ ପଇଠ କରିବା ପାଇଁ ବାଧ୍ୟ ହେବେ। ଏଥିରେ ଓପିଟିସିଏଲର ପ୍ରବଳ ରାଜସ୍ୱ ଆସିବା ସହିତ ଉପଭୋକ୍ତାଙ୍କ ବିଦ୍ୟୁତବିଲ କମ ହେବ। ଆୟୋଗ ଏହା ଉପରେ ନିଜର ମତାମତ ନିର୍ଦ୍ଧେଶ ପତ୍ରରେ ଜଣାଇବେ ବୋଲି ସନମତି ଦେଇଛନ୍ତି। ଆଜିର ଜନଶୁଣାଣୀରେ ୨୦ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୯ ଜଣଙ୍କ ପାଇଁ ବିଭୁ ସ୍ଵାଇଁ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଗ୍ରୀଡ୍କୋର ପୂର୍ବତନ ବାଣିଜ୍ୟ ନିର୍ଦ୍ଧେଶକ ଅଲେଖ ମଲ୍ଲିକ ଯୁକ୍ତି ଉପସ୍ଥାପନ କଲେ। ଆୟୋଗ ସମସ୍ତ ପକ୍ଷଙ୍କ ଯୁକ୍ତିଶୁଣି ଆଦେଶ ପତ୍ର ମାର୍ଚ ସେସ ସପ୍ତାହରେ ଜାରି କରିବେ।
ଅପରାହ୍ନରେ ଏସଏଲଡ଼ିସି ଆସନ୍ତା ବର୍ଷପାଇଁ ସମୁଦାୟ ରାଜସ୍ୱ ଆବଶ୍ୟକତାକୁ ଚଳିତ ବର୍ଷ ତୁଳନାରେ ୧ କୋଟି ୨୪ ଲକ୍ଷ ବୃଦ୍ଧିକରି ୧୪.୩୪ କୋଟିଟଙ୍କା ମଞ୍ଜୁର କରିବା ପାଇଁ ଏହାର ନିର୍ଦ୍ଧେଶକ ଭଦ୍ରେସ ମେହେଟା ଆୟୋଗଙ୍କୁ ନିବେଦନ କଲେ। ଆୟୋଗଙ୍କ ଦ୍ଵାରା ନିଯୁକ୍ତ ଉପଭୋକ୍ତା ପରାମର୍ଶଦାତା WISE ଏସଏଲଡ଼ିସି ଆବେଦନ ଉପରେ ଏକ ରିପୋର୍ଟ ଉପସ୍ଥାପନ କଲେ। ଜନଶୁଣାଣୀରେ ୩ ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେବି କେବଳ ବରିଷ୍ଟ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏସଏଲଡ଼ିସି ଆବେଦନ ଉପରେ ଯୁକ୍ତି ରଖି କହିଲେ ଏସଏଲଡ଼ିସି ଓଡିଶା ପାୱାର ସିଷ୍ଟମର ମସ୍ତିସ୍କ ଅଟେ କିନ୍ତୁ ଏହା ପ୍ରାୟ ରୁଗ୍ଣ ଥିବା ମନେହୁଏ କାରଣ ଏହା ଅଭିଯୋଗ ଉପରେ ଉତ୍ତର ରଖିବାକୁ ଅସମର୍ଥ ହୋଇଛି। ସର୍ବସାଧାରଣଙ୍କ ଗୋଚରାର୍ଥେ ସିଷ୍ଟମ ଅପରେଟର ଏସଏଲଡ଼ିସି ଗ୍ରୀଡ ସୁବିଧା ଓ ଉପଲବ୍ଧ ଉପରେ ବିଦ୍ୟୁତ ଆଇନି ଓ ଆୟୋଗଙ୍କ ନିୟମ ଅନୁସାରେ ଯେଉଁ ଆବଶ୍ୟକୀୟ ତଥ୍ୟ ନିଜର ୱେବସାଇଟ ପ୍ରକାଶ କରିବା କଥା ସେଥିରେ ଟାଳଟୁଳ ନୀତି ଆପନେଇଛି। ଏପରି ବିଫଳତା ପାଇଁ ରାଜ୍ୟଗ୍ରୀଡର ପୂର୍ଣ ବିନିଯୋଗ ହେବାରେ ବାଧା ଉପୁଜିଛି। ତେଣୁ ଆୟୋଗ ଏହାକୁ ସମାଧାନ କଲେ, ରାଜ୍ୟର ଅର୍ଥନୈତିକ ବିକାଶ ନିଶ୍ଚୟ ଘଟିବ। ଶକ୍ତି ବିଭାଗର ଅଧିକାରୀ ସୋନାଲୀ ପଟ୍ଟନାୟକ ଜନଶୁଣାଣୀ ସରିବା ପରେ କନସୋଲିଡେଟେଡ ରିପୋର୍ଟ ପଇଠ କରିବେ ବୋଲି ଆୟୋଗଙ୍କୁ ଅବଗତ କଲେ। ଆୟୋଗ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆଦେଶକୁ ସୁରକ୍ଷିତ ରଖିଛନ୍ତି।