ଭିନ୍ନକ୍ଷମ କମିସନରଙ୍କୁ ନିଯୁକ୍ତ କରିବା ଭୁଲି ଗଲେ କି ରାଜ୍ୟ ସରକାର!

ଭୁବନେଶ୍ୱର : ଓଡ଼ିଆଙ୍କ ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ। ତାଙ୍କ ରୂପ ସମସ୍ତ ଦେବାଦେବୀଙ୍କ ଠାରୁ ଭିନ୍ନ। ସମସ୍ତେ ତାଙ୍କୁ ନିଜ ସହ ଯୋଡି ପାରନ୍ତି। ସାଧାରଣ ମଣିଷଟିଏ ହେଉ କି ଦିବ୍ୟାଙ୍ଗ। ସେ ନିଜ ଭିତରେ ଜଗନ୍ନାଥ ଖୋଜେ ଏବଂ ଶ୍ରୀଜଗନ୍ନାଥଙ୍କ ଭିତରେ ନିଜକୁ ହଜାଇ ଦିଏ। ତାଙ୍କ ଦୁଆରରେ ସମସ୍ତେ ସମାନ। ତାଙ୍କ ମନ୍ଦିରର ସୁରକ୍ଷା ଏବଂ ଉନ୍ନୟନ ପାଇଁ ରାଜ୍ୟ ସରକାର କେତେ କଣ କରୁଛନ୍ତି। ହେଲେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରାଜ୍ୟ ଦିବ୍ୟାଙ୍ଗ ସମାଜ ପାଇଁ ସରକାରଙ୍କ ଆନ୍ତରିକତା ନ ଥିବା ସ୍ପଷ୍ଟ ହେଉଛି। ପ୍ରାୟ ଅଠର ମାସ ହେବ ରାଜ୍ୟରେ ଭିନ୍ନକ୍ଷମ କମିସନ ପଦ ଖାଲି ପଡିଛି। ପୂର୍ବରୁ ସୁଲୋଚନା ଦାସ ଏହି ପଦରେ କାର୍ଯ୍ୟ କରୁଥିଲେ। ସେ ନିର୍ବାଚିତ ହୋଇ ଭୁବନେଶ୍ୱର ମେୟର ହେବା ପରେ ଏହି ପଦରେ କାହାକୁ ନିଯୁକ୍ତି ଦିଆଯାଇନାହିଁ।

ଗତ ବର୍ଷ ଡିସେମ୍ବର ମାସ 12 ତାରିଖରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଗତବର୍ଷ ଅଗଷ୍ଟ 20ରୁ ଭିନ୍ନକ୍ଷମ କମିସନଙ୍କ ପଦ ଖାଲିଥିବା କୁହାଯାଇଥିଲା। ତେଣୁ ଏହି ପଦ ପୂରଣ ନେଇ ଆବେଦନ ଆହ୍ୱାନ କରାଯିବା ସହ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିପାଇଁ ଆବେଦନ ମଧ୍ୟ ଆସିଛି। ମାତ୍ର ରାଜ୍ୟ ସରକାର କାହାକୁ ଏ ପଦରେ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ ସାଧାରଣ ବୁଦ୍ଧିଜୀବୀ ବିଶେଷ କରି ଦିବ୍ୟାଙ୍କ ଅଧିକାର ପାଇଁ ଲଢେଇ କରୁଥିବା ବ୍ୟକ୍ତିବିଶେଷମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶାସକ ଦଳ ଏହି ପଦ କୌଣସି ଦିବ୍ୟାଙ୍ଗ ବର୍ଗରୁ ପ୍ରତିନିଧିଙ୍କୁ ନ ଦେଇ ରାଜନୈତିକ ଭାବେ ଥଇଥାନ କରିବାକୁ ଚାହୁଁଛି। ହେଲେ କାହାକୁ ନିଯୁକ୍ତି ଦେବ, ସେ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟରେ ପହଞ୍ଚିପାରୁନାହିଁ। ମାତ୍ର ଏହା ମଧ୍ୟରେ ଦେଢ ବର୍ଷ ବିତିଗଲାଣି। ଏହି ଦାୟିତ୍ୱରେ ବିଭାଗୀୟ ନିର୍ଦ୍ଦେଶକ ଅତିରିକ୍ତ ଭାବେ ରହିଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ଏହି କି ଯେ, ସେହି ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଅଭିଯୋଗମାନ ଆସୁଛି। କମିସନ ଏହାର ବିଚାର କରିବା କଥା। ଯେଉଁ ଲୋକ ଏଠି ଅଭିଯୁକ୍ତ, ସେହି ଲୋକ ହିଁ ବିଚାରପତି। ତେଣୁ ଦିବ୍ୟାଙ୍ଗ ବର୍ଗ କିପରି ପ୍ରଶାସନିକ ନ୍ୟାୟ ପାଇବେ, ତାହା ଏଥିରୁ ସହଜରେ ଅନୁମେୟ।

ଏହି ପ୍ରସଙ୍ଗରେ ବୁଦ୍ଧିଜୀବୀ ତଥା ଭିନ୍ନକ୍ଷମ ଅଧିକାରୀ ପାଇଁ ଲଢୁଥିବା ଜିତେନ୍ଦ୍ର ବିଶ୍ୱାଳ ନିୟମିତ ବ୍ୟବଧାନରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଓ ରାଜନୈତିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମାତ୍ର ଏହାକୁ ନେଇ ସରକାର ଯେତିକି ତତ୍ପରତା ପ୍ରକାଶ କରିବା କଥା, ତାହା କରିପାରୁ ନାହାନ୍ତି।  ନିକଟରେ ପୁନର୍ବାର ଶ୍ରୀ ବିଶ୍ୱାଳ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ବିଶ୍ୱାଳ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗୋଟିଏ ବିଭାଗର ନିର୍ଦ୍ଦେଶକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କମିସନର ଅତିରିକ୍ତ ଦାୟିତ୍ୱ ସମାନ ସମୟରେ ରହିବ ବେଆଇନ। ଏହା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ସମ୍ଭବ ହେଉନାହିଁ। ତେଣୁ ସରକାର ପୂର୍ଣ୍ଣକାଳୀନ ଭିନ୍ନକ୍ଷମ କମିସନର ନିଯୁକ୍ତ କରନ୍ତୁ।

Leave a Reply

Your email address will not be published. Required fields are marked *