ଅପବିଜ୍ଞାନର କ୍ରମବିକାଶ : ଏକ ଆଲୋଚନା
ଭୁବନେଶ୍ୱର:(ସୁଧାଂଶୁ ଶେଖର ଧଡ଼ା):- ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ଛାତ୍ର ସମାଜକୁ ବିଜ୍ଞାନର କ୍ରମବିକାଶ କିମ୍ବା ଇତିହାସ ସମ୍ପର୍କରେ ପଢିବାକୁ ଦିଆଯାଏ, କିନ୍ତୁ ; ଅପବିଜ୍ଞାନର (Pseudo science) କ୍ରମ ବିକାଶ ମଧ୍ୟ ଜାଣିବା ଜରୁରୀ । ପ୍ରାଚୀନ ମନୁଷ୍ୟର ସାମାଜିକ ଜୀବନରେ ବିଜ୍ଞାନର ପ୍ରୟୋଗ ଅପେକ୍ଷା ଅପବିଜ୍ଞାନର ପ୍ରୟୋଗ ଅଧିକ ଥିଲା । ଅପବିଜ୍ଞାନରୁ ବିଜ୍ଞାନର ସୃଷ୍ଟି । କୌଣସି ତତ୍ତ୍ବର ସମର୍ଥନ ନଥାଇ ଚଳିଆସିଥିବା ସାମାଜିକ କିମ୍ବା ବ୍ୟକ୍ତିଗତ ବିଶ୍ବାସ ହେଉଛି ଅପବିଜ୍ଞାନ । କୌଣସି ଅବଧାରଣା ଉପରେ ଦୀର୍ଘକାଳର ନୀରୀକ୍ଷଣ, ପରୀକ୍ଷଣ, ଘଟଣାର ସାର୍ବଜନୀନ ଓ ସର୍ବକାଳୀନ ପ୍ରୟୋଗ ଆଦି ପରେ ସମସ୍ତ ପ୍ରଶ୍ନ ଓ ପ୍ରତିପ୍ରଶ୍ନର ସମ୍ମୁଖୀନହୋଇ ଗ୍ରହଣୀୟ ହେବା ଅବଧାରଣା ହେଉଛି ବିଜ୍ଞାନ। ଅପବିଜ୍ଞାନର ପରିମାର୍ଜିତ ଓ ପରିକ୍ଷୀତ ରୂପ ବିଜ୍ଞାନର ମାନ୍ୟତା ପାଏ। ଏ ଦୃଷ୍ଟିରୁ ଅପବିଜ୍ଞାନ ହିଁ ବିଜ୍ଞାନର ଜନନୀ । ତେବେ ସବୁ ଅପବିଜ୍ଞାନ ବିଜ୍ଞାନ ପର୍ଯ୍ୟାୟକୁ ଆସିନଥାଏ । କାରଣ ଅନେକ ଅବଧାରଣା ପରୀକ୍ଷଣ , ନିରୀକ୍ଷଣ , ଆହ୍ବାନ ଆଦିକୁ ଗ୍ରହଣ କରେନାହିଁ । ପରୀକ୍ଷା କିମ୍ବା ପ୍ରଶ୍ନପ୍ରତିପ୍ରଶ୍ନ କରିବା ପରିବର୍ତ୍ତେ ବିନାପ୍ରଶ୍ନରେ ବିଶ୍ବାସ କରିଯିବାପାଇଁ ପ୍ରବର୍ତ୍ତାଯାଏ । ଏଭଳି ଅବଧାରଣା ହେଉଛି ଅପବିଜ୍ଞାନ । ଅପବିଜ୍ଞାନ ଭିତରୁ ବିଜ୍ଞାନ ସୃଷ୍ଟିଲାଭ କରୁଥିବାରୁ ବିଜ୍ଞାନ ଆଗକୁ ମାଡିଚାଲେ ଆଉ ଅପବିଜ୍ଞାନ ତାଠାରୁ ଦୂରେଇ ରହେ ।
ପ୍ରାୟ ୧୦ ହଜାର ବର୍ଷତଳେ ମନୁଷ୍ୟ ଗୋଷ୍ଠୀଗତ କୃଷି କୈନ୍ଦ୍ରିକ ସାମାଜିକ ଜୀବନଯାପନ କରିଲା । ଏହି ସମୟ ବେଳକୁ ପ୍ରକୃତିର ବିଭିନ୍ନ ଉପାଦାନକୁ ନିରୀକ୍ଷଣ କରି ଅନେକ କିଛି ରହସ୍ୟର ଉଦଘାଟନ କରିସାରିଥିଲା । ସେ ସବୁ ବିଜ୍ଞାନର ବିଭିନ୍ନ ବିଭାଗ ହୋଇ ସମୃଦ୍ଧ ହେବାରେ ଲାଗିଲା । ଯେଉଁ ଘଟଣା ଗୁଡିକର ରହସ୍ୟ ସାଧାରଣଲୋକେ ଜାଣି ପାରିଲେ ନାହିଁ ଅଥଚ ମୁଷ୍ଟିମେୟ ଲୋକ ଜାଣିଛନ୍ତି ବୋଲି ମିଛ କହି ଲୋକଙ୍କୁ ଠକିଲେ , ସେସବୁ ଭିନ୍ନ ଏକ ବିଦ୍ୟା ଭାବରେ ସମୃଦ୍ଧ ହେବାରେ ଲାଗିଲା । ତାହା ଅପବିଜ୍ଞାନ । ସେସବୁକୁ କିଏ ମ୍ୟାଜିକ କହିଲା ତ ଆଉ କିଏ ମନ୍ତ୍ର-ତନ୍ତ୍ର କହି ଲୋକଙ୍କୁ ବୁଝାଇଦେଲା । ଲୋକଙ୍କ ନିକଟରେ ସ୍ପଷ୍ଟ ଧାରଣା ନଥିବାରୁ କିମ୍ବା ଧାରଣା ସ୍ପଷ୍ଟ କରିବାଭଳି କୌଣସି ସାଧନ ନଥିବାରୁ ମିଛ ଓ ଅସତ୍ୟକୁ ସତ୍ୟ ଭାବରେ ଦୃଢ ବିଶ୍ବାସର ସହ ଲୋକେ ଗ୍ରହଣ କରିଗଲେ । ଏ ପ୍ରକାରର ଅବଧାରଣା ସହିତ ଧର୍ମ , ଅଲୌକିକତା ଓ ଈଶ୍ବର ଅବଧାରଣାକୁ ଯୋଡି ଦିଆଯିବାରୁ ସମୟକ୍ରମେ ଏସବୁ ସିଧା ସଳଖ ଧର୍ମ ଓ କର୍ମକାଣ୍ଡ ସହ ଗୃହୀତ ହୋଇଗଲା। ବିଶ୍ବବ୍ୟାପୀ ସବୁ ଧର୍ମରେ ଅପବିଜ୍ଞାନ ଏହି ପ୍ରକ୍ରିୟାରେ ଲୋକଙ୍କ ଭାବନା ସହ ଯୋଡିହେଲା । ଜଣେ ବ୍ୟକ୍ତି କିମ୍ବା ପରିବାରରର ବ୍ୟବହାର , ଆଚରଣ , ମତ ଆଦିକୁ କିଛି ପରିବାର ଗ୍ରହଣ କରିଗଲେ ତାହା ଏକ “ଚଳଣୀ”ରେ ପରିଣତ ହୁଏ । “ଚଳଣୀ”କୁ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକେ ଗ୍ରହଣ କରିଲେ ତାହା ” ସାମାଜିକ ପ୍ରଥା”ରେ ପରିଣତ ହୁଏ । “ସାମାଜିକ ପ୍ରଥା” ବ୍ୟାପକ ଭାବରେ ଗ୍ରହଣୀୟ ହେଲେ ତାହା “ପରମ୍ପରା”ରେ ପରିଣତ ହୁଏ । “ପରମ୍ପରା ” ପୁରୁଣା ହେଲେ “ସଂସ୍କୃତି “ରେ ପରିଣତ ହୁଏ । “ସଂସ୍କୃତି” ନାମରେ ପ୍ରଚଳିତ ଅନେକ ପ୍ରଥାକୁ କୌଣସି ବିଜ୍ଞାନ ସମ୍ମତ ଯୁକ୍ତି ନଥାଇ ମଧ୍ୟ କେବଳ ଧାର୍ମିକ ମହନୀୟତା ଦେଖାଇବାଲାଗି ସେସବୁକୁ ବିଜ୍ଞାନ ସମ୍ମତ ଭାବରେ ଦାବୀ କରାଯାଏ। ଏଥିପାଇଁ ଅପବିଜ୍ଞାନର କ୍ରମବିକାଶ ବିଷୟରେ ଜାଣିବା ଜରୁରୀ ।
ପ୍ରାୟ ୧୦ ହଜାର ବର୍ଷତଳେ ମନୁଷ୍ୟ ସଭ୍ୟତାର ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଖ୍ରୀଷ୍ଟପୂର୍ବ ୪୦୦୦ ରୁ ୩୫୦୦ ମଧ୍ୟରେ ଟାଇଗ୍ରୀସ ଓ ଇଉଫ୍ରେଟିସ ନଦୀର ମଧ୍ୟବର୍ତ୍ତୀ ପ୍ରାଚୀନ ଇରାକ , କୁଏତ ସିରିଆ ଅଞ୍ଚଳରେ ଏକ ପ୍ରଚୀନ ସଭ୍ୟତା ଗଢି ଉଠିଥିଲା । ଖ୍ରୀଷ୍ଟପୂର୍ବ ୩୧୦୦ ବେଳକୁ ନୀଳନଦୀ ଅବବାହୀକାରେ ପ୍ରାଚୀନ ଇଜିପ୍ଟର ସିରିଆରୁ ସୁଦାନ ପର୍ଯ୍ୟନ୍ତ ଏକ ସଭ୍ୟତା ବ୍ୟାପ୍ତ ଥିଲା । ଖ୍ରୀଷ୍ଟପୂର୍ବ ୩୩୦୦ ବେଳକୁ ଭାରତୀୟ ଉପମହାଦେଶର ସିନ୍ଧୁନଦୀ କୂଳରେ ବର୍ତ୍ତମାନର ଭାରତ ଆଫଗାନିସ୍ତାନ ଓ ପାକିସ୍ତାନ ଅଞ୍ଚଳରେ ଏକ ସଭ୍ୟତା ଗଢିଉଠିଥିଲା । ଖ୍ରୀଷ୍ଟପୂର୍ବ ୨୦୦୦ ବେଳକୁ ଚୀନର ୟେଲୋ ନଦୀ ଓ ୟାଙ୍ଗଜୀ ନଦୀକୂଳରେ ଏକ ପ୍ରାଚୀନସଭ୍ୟତା ଗଢିଉଠିଥିଲା । ପ୍ରାଚୀନ ପେରୁ ଏବଂ ବର୍ତ୍ତମାନର କଲମ୍ବିଆ ଓ ଚିଲ୍ଲୀ ଅଞ୍ଚଳରେ ଖ୍ରୀଷ୍ଟପୂର୍ବ ୧୨୦୦ ବେଳକୁ ଏକ ପ୍ରାଚୀନସଭ୍ୟତା ଗଢିଉଠିଥିଲା । ବର୍ତ୍ତମାନର ମେକ୍ସିକୋ ଏବଂ କେନ୍ଦ୍ର ଆମେରିକାରେ ଖ୍ରୀଷ୍ଟପୂର୍ବ ୧୨୦୦ ବେଳକୁ ମେସୋଆମେରିକୀୟ ସଭ୍ୟତା ବା ମାୟା ସଭ୍ୟତା ଗଢିଉଠିଥିଲା । ଏ ସମସ୍ତ ସଭ୍ୟତା ଅପବିଜ୍ଞାନର ଅବଧାରଣା ଭିତରୁ ସୃଷ୍ଟି ହୋଇ ବିଜ୍ଞାନ ଦିଗରେ ଅଗ୍ରସର ହୋଇଛି । ଅପବିଜ୍ଞାନର କ୍ରମବିକାଶ ନଜାଣି ବିଜ୍ଞାନର କ୍ରମବିକାଶ ପଢିଲେ ନିଜକୁ ବିଜ୍ଞାନୀ କିମ୍ବା ବୈଜ୍ଞାନିକ ବୋଲାଉଥିବା ଲୋକେ ଏଇ ସୁନ୍ଦର ସାମାଜିକ ବ୍ୟବସ୍ଥା ପୂର୍ଣ୍ଣ ବ୍ୟକ୍ତି ବ୍ୟକ୍ତି ସହାବସ୍ଥାନକୁ ଯୁଦ୍ଧଭୂମିରେ ପରିଣତ କରିଦେବେ ।
ବିଜ୍ଞାନର ବିଭିନ୍ନ ଧାରାର ବିକାଶ ମାନବ ସଭ୍ୟତାର ଇତିହାସ ସହ ଜଡିତ । କିନ୍ତୁ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ମଧ୍ୟରେ ଅପବିଜ୍ଞାନାବଧାରଣାର ଦୁଇଟି ଶବ୍ଦ ମାନବ ସଭ୍ୟତାକୁ ବଦଳାଇ ଦେଇଛି । ସେହି ଶବ୍ଦ ଦୁଇଟି ହେଉଛି ” ମାଗି” ଓ ” କେମୀ” ।
ଖ୍ରୀଷ୍ଟପୂର୍ବ ଷଷ୍ଠରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ପ୍ରାଚୀନ ପାରସ୍ୟ ଓ ବେବିଲୋନୀୟ ସଭ୍ୟତାରେ ରୋଗୀଙ୍କ ଚିକିତ୍ସା କରୁଥିବା ଏକ ଗୋଷ୍ଠୀ “ମାଗୀ” ଭାବରେ ପରିଚିତ ଥିଲେ । ମାଗୀ (Magi) ଶବ୍ଦ କ୍ରମେ ” ମାଗସ୍ ” ( Magus)ରେ ପରବର୍ତ୍ତିତ ହେଲା । ମାଗସ୍ ଶବ୍ଦରୁ ସମୟକ୍ରମେ Magic ବା ଯାଦୁକର ଓ ଯାଦୁବିଦ୍ୟା ଶବ୍ଦର ସୃଷ୍ଟି ହେଲା । ରୋଗୀଙ୍କୁ ସୁସ୍ଥ କରିବାଲାଗି ଅନେକ ଅଦ୍ଭୁତ କାର୍ଯ୍ୟକଳାପ ଏମାନେ କରୁଥିଲେ। ଏଥିସହିତ କାହାରି ଅନିଷ୍ଠ କରିବାକୁ କଳାଯାଦୁ ମ୍ୟାଜିକ, ଯୌନ ଜୀବନ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବାଜୀକରଣ ମ୍ୟାଜିକ, ଝାଡଫୁଙ୍କ ଭୂତପ୍ରେତ ସମ୍ପର୍କୀତ ମ୍ୟାଜିକ, ଶିକାର ନିମିତ୍ତ ପଶୁପକ୍ଷୀଙ୍କୁ ମୋହିତ କରିବା ଓ ଆକର୍ଷିତ କରାଇବା ମ୍ୟାଜିକ , ଭବିଷ୍ୟ କଥନ ମ୍ୟାଜିକ , ପ୍ରକୃତି , ପରିବେଶ ଜୀବଯନ୍ତୁ ତଥା ମନୁଷ୍ୟଙ୍କ ଉପରେ ନିୟନ୍ତ୍ରଣ ରଖିବା ମ୍ୟାଜିକ , ମ୍ୟାଜିକ ଦ୍ବାରା କୃଷି କ୍ଷେତ୍ରରେ ଅମଳ ଅଧିକ କରାଇବା ଭଳି ବିଭିନ୍ନ କ୍ଷମତା ଥିବା ଦାବୀ କରୁଥିଲେ । ମ୍ୟାଜିକ ବା ଯାଦୁବିଦ୍ୟା ସମୟକ୍ରମେ ଅନେକ ଶାଖାପ୍ରଶାଖା ସହିତ ସମୃଦ୍ଧ ହେଲା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ପୂର୍ବରୁ ରହିଥିବା ଯାଦୁବିଦ୍ୟା କ୍ରମେ ମାଗସ୍ ମାନଙ୍କ ଶହଶହ ବର୍ଷର କାର୍ଯ୍ୟକଳାପରୁ ଶତାଧିକ ବିଭାଗରେ ବିଭାଜିତ ହେଲା । ଯାଦୁବିଦ୍ୟାର Arcane ( ଅଧ୍ୟୟନ ଓ ଅଭ୍ୟାସ ) , Divining (ସାଧାରଣ ଇନ୍ଦ୍ରିୟ ଦ୍ବାରା ଅନୁଭୂତ ହେଉନଥିବା ଅବଧାରଣା ପାଇବା ), Natural ( ପ୍ରକୃତି ଓ ପରିବେଶର ବିଭିନ୍ନ ଉପାଦାନ ନିରୀକ୍ଷଣ ), Psychic ( ମାନସିକ ଶକ୍ତି ପ୍ରୟୋଗ କରି ଅସମ୍ଭବ କାର୍ଯ୍ୟ କରିବା ), Conjuration ( ଶାରୀରୀକ କୌଶଳ ଓ ହାତସଫେଇ), Illusion ( ଇନ୍ଦ୍ରିୟଭ୍ରମ), Necromancy ( ଭୁତପ୍ରେତ ନାମରେ ଛଳନାପୂର୍ଣ ବିଦ୍ୟା ପ୍ରୟୋଗ), Transmutation, Alteration (ଗୋଟିଏ ବସ୍ତୁକୁ ଅନ୍ୟ ବସ୍ତୁରେ ପରିଣତ କରିବା ), Talisman and Amulets ( ଡେଉଁରିଆ ତାବିଜ ଶୂନ୍ୟରୁ ସୃଷ୍ଟି କରିବା ), Astrology ( ଭବିଷ୍ୟ କଥନ), Numerology ( ସଂଖ୍ୟାତତ୍ତ୍ବ) , Palmistry( ସାମୁଦ୍ରିକ ବିଦ୍ୟା) ଆଦି ସମେତ ମୂଳତଃ ପ୍ରାୟ ୩୦ଟି ଶାଖାରେ ବିଭକ୍ତ ହୋଇଗଲା। ଏସବୁ ପୁଣି ବିଭାଜିତ ହୋଇ Mantic Arts (ଅଜ୍ଞାତ ବିଦ୍ୟା) ନାମରେ ଶତାଧିକ ଶାଖାରେ ବିଭକ୍ତ ହେଲା । ସେଗୁଡିକ ମଧ୍ୟରୁ କିଛି ହେଲା – ଶକୁନବିଦ୍ୟା ( Apantomancy), ଏକ ମୁଦ୍ରାକୁ ଶୂନ୍ୟକୁ ଫିଙ୍ଗି ଫଳାଫଳ କହିବା (Belomancy), ଘରୁ ବାହାରିବା ବେଳେ ପବନ ବହୁଥିବା ଦିଗକୁ ବିଶ୍ଥେଷଣ କରି ଶୁଭାଶୁଭ କହିବା (Austromancy), ମସ୍ତିଷ୍କର ରେଖାଦେଖି ବ୍ୟକ୍ତିର ଶୁଭାଶୁଭ କହିବା (Phrenology, Bumpology), ବିଭିନ୍ନ ଇଶ୍ବରୀୟ ଚରିତ୍ରର ମୂର୍ତ୍ତି ସହ କଥାହେବା ( Ventriloquism), ଉଲ୍କାପାତକୁ ନେଇ ଭବିଷ୍ୟବାଣୀ କରିବା( Meteoromancy), ସ୍ବପ୍ନରେ ଦେଖିଥିବା ଘଟଣା ବିଶ୍ଳେଷଣ (Oneiromancy), ଶରୀରଗଠନ ଦେଖି ଚରିତ୍ର ବର୍ଣ୍ଣନ (Physiognomy), ଛୁଞ୍ଚିଫୋଡି ରୋଗ ଚିକିତ୍ସା (Acupuncture), ରୋଗୀକୁ ଛୁଇଁଦେଇ ସୁସ୍ଥ କରିବା (Touch therapy), ମୁଦ୍ରା ମୂର୍ତ୍ତି ଆଦି ପୁରୁଣା ହୋଇଗଲେ ସେଥିରେ ଅଲୌକିକ ଶକ୍ତି ସୃଷ୍ଟିହେବା ଅବଧାରଣା (Artefacts Relics), ଶରୀରରୁ ଆତ୍ମା ବାହାରିଯାଇ ପୁଣି ପ୍ରବେଶ କରିବା ( Astral travel ), କାଳିସି ହୋଇ ଘଟଣା ବର୍ଣ୍ଣନା ( Channeling), ମୁଦ ନଖୋଲି ଭିତରେ ଥିବା ପଦାର୍ଥ ବିଷୟରେ କହିବା ( Clairvoyance) , ଅସ୍ତ୍ର ବ୍ୟବହାର ନକରି ଖାଲିହାତରେ ପେଟ ଅରେସନ କରିବା (Psychic surgery), ମାନସିକ ଶକ୍ତି ବଳରେ କୌଣସି ଏକ ଦୁଃସାଧ୍ୟ କାର୍ଯ୍ୟ କରିବା (Psycho kinesis) , ଗଛକୁ ବେତମାଡ କରିଲେ ଅପରାଧୀ ପିଠିରେ ମାଡଚିହ୍ନ ବସାଇବା ( Stigmata), ଆଦି Mantic Arts ଅନ୍ତର୍ଗତ କିଛି ବିଷୟ । ଏ ସମସ୍ତ କାର୍ଯ୍ୟରେ ବ୍ୟକ୍ତିର ଧୋକାବାଜୀ, ଛଳନା, ମାନସିକ ଦୁର୍ବଳତା ଓ ଅଜ୍ଞତାର ସୁଯୋଗ ନେବା ଆଦି ରହିଛି । ତନ୍ତ୍ରମନ୍ତ୍ର , ଯାଦୁବିଦ୍ୟା କେବେହେଲେ ପରୀକ୍ଷାର ସମ୍ମୁଖୀନହେବା, ଆହ୍ବାନ ଗ୍ରହଣ କରିବା, ବାରମ୍ବାର କରିବା ଅନୁରୋଧ ଓ ଜାଞ୍ଚକରିବା ଅନୁରୋଧ ଆଦିକୁ ଗ୍ରହଣ କରେନାଗିଁ , କୌଶଳ ପ୍ରକାଶ କରେନାହିଁ , ଅନ୍ୟ କାହାରିକୁ ଶିକ୍ଷା ଦିଏନାହିଁ । ଏହିବିଦ୍ୟା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରୁ ବାହାରକୁ ଆସେନାହିଁ । ତେଣୁ ଏ ସମସ୍ତ ବିଦ୍ୟା ଓ ତାର ଶାଖା ଗୁଡିକୁ ଅପବିଜ୍ଞାନ କହିବାରେ କୌଣସି ଦ୍ବିଧା ନାହିଁ । ଏସବୁ ସତ୍ତ୍ବେ ଏହି ଅପବିଜ୍ଞାନ ଗୁଡିକରୁ ଶହଶହ ବର୍ଷ ଭିତରେ ପାଣିପାଗ ବିଜ୍ଞାନ, ମହାକାଶ ବିଜ୍ଞାନ, ଭୂବିଜ୍ଞାନ, ଭୂଗୋଳ, କୃଷିବିଜ୍ଞାନ ଆଦି କେତେକ ବିଜ୍ଞାନର ଶାଖା ସମୃଦ୍ଧ ହୋଇଛି ।
ଏବେ “କେମି” ଶବ୍ଦରୁ ସୃଷ୍ଟି ହୋଇଥିବା ଅପବିଜ୍ଞାନ ସମ୍ପର୍କରେ ଆଲୋଚନା କରାଯାଉଛି । ପ୍ରାଚୀନ ଇଜିପ୍ଟ , ଶିରିଆ, ତୁର୍କ , ଇରାକ , ମେସୋପଟାମିଆ , ଟାଇଗ୍ରୀସ ଓ ୟୁଫ୍ରେଟିସ୍ ନଦୀଦ୍ବୟର ମଧ୍ୟବର୍ତ୍ତୀ ଅଞ୍ଚଳ ଆଦିର ପ୍ରାଚୀନ ସଭ୍ୟତାରେ ରୋଗୀ ଚିକିତ୍ସା କରୁଥିବା ଏକ ଗୋଷ୍ଠି ଥିଲେ । ତୃତୀୟ ଶତାବ୍ଦୀରେ ଇଜିପ୍ଟର ଏହି ଗୋଷ୍ଠୀଙ୍କୁ ” କେମି” ଭାବରେ ନାମିତ କରାଯାଇଥିଲା । କେମି ମାନେ ଇଜିପ୍ଟରେ Kimia , Kemet , ଗ୍ରୀସରେ Khemeia ଆଦି ନାମରେ ପରିଚିତ ଥିଲେ । ଇଜିପ୍ଟର “କେମି” ମାନେ ବିଭିନ୍ନ ଅଦ୍ଭୁତ ପଦ୍ଧତିରେ ରୋଗୀଙ୍କ ଚିକିତ୍ସା କରୁଥିଲେ । ଏମାନେ ଶାସକ ଗୋଷ୍ଠିଙ୍କ ଅପେକ୍ଷା ଅଧିକ ଲୋକପ୍ରିୟ ହେଲେ । ତେଣୁ ଶାସକ ଗୋଷ୍ଠି କେମି ମାନଙ୍କୁ ଗୋପନରେ ହତ୍ୟା ଷଡଯନ୍ତ୍ର କରିଲେ । ଏହା ଜଣିବାପରେ କେମିମାନେ ଲୋହିତ ସାଗର ଅତିକ୍ରମ କରି ଆରବକୁ ଚାଲିଆସିଲେ । ଆରବର ଭାଷାଶୈଳୀ ଅନୁସାରେ କେମି ଶବ୍ଦ ପୂର୍ବରୁ “ଆଲ” ଯୋଗକରି “ଆଲକେମି” ଭାବରେ ଏକ ନୂଆ ପରିଚୟ ନିଜପାଇଁ ସୃଷ୍ଟି କରିଲେ । ଏହି ଆଲକେମିଷ୍ଟ ମାନଙ୍କର ରୋଗୀ ଚିକିତ୍ସା ସମ୍ପର୍କୀତ ଏକ ଅଦ୍ଭୁତ ବିଶ୍ବାସ ରହିଥିଲା । ଏହି ବିଶ୍ବାସ ଅନୁଯାୟୀ ପୃଥିବୀରେ ଅଲୌକିକ ଶକ୍ତିଥିବା ‘ଫିଲୋସଫିକାଲ ଷ୍ଟୋନ୍’ ନାମକଏକ ପଦାର୍ଥ ରହିଛି । ଏହାକୁ ଛୁଆଁଇଦେଲେ ରୋଗୀ ସୁସ୍ଥ ହୋଇଯାଇ ପାରିବ, ବ୍ୟକ୍ତିର କାମନା ପୂରଣ ହୋଇ ପାରିବ , ଏହାର ଧାରଣକର୍ତ୍ତା ଅସାଧ୍ୟ ସାଧନ କରିପାରିବ , ଅଖଣ୍ଡ ଯୌବନ ପ୍ରାପ୍ତି ହୋଇ ପାରିବ , ଦୀର୍ଘ ଜୀବନ ଲାଭ ହୋଇ ପାରିବ …ଇତ୍ୟାଦି । ଏସବୁ ଧାରଣା କେବଳ କଳ୍ପନା ପ୍ରସୂତ ଅବଧାରଣା ହୋଇଥିବାସ୍ଥଳେ କେହି ଏଭଳି ପଦାର୍ଥର ଅଧିକାରୀ ହୋଇ ଥିବାର କୌଣସି ପ୍ରମାଣ ନାହିଁ । ବରଂ, ଏହାକୁ ନେଇ ଦୁଇପ୍ରକାରର ଧାରଣା ସେମାନଙ୍କର ରହିଥିଲା । କିଛି ଆଲକେମିଷ୍ଟ ଏହାକୁ ଶୁଭ ସମୟରେ ଖୋଜିଲେ ମିଳିଯିବ ବୋଲି ଭାବୁଥିଲେ । ଆଉକିଛି ଏହାକୁ ସୃଷ୍ଟି କରାଯାଇପାରିବ ବୋଲି ଭାବୁଥିଲେ । ଖୋଜିଲେ ଏହା ମିଳିବ ବୋଲି ବିଶ୍ବାସ ରଖିଥିବା ଗୋଷ୍ଠୀ ଶୁଭ ମୁହୂର୍ତ୍ତ , ଶୁଭ ସମୟ, ସୂର୍ଯ୍ୟପରାଗ , ଚନ୍ଦ୍ର ଗ୍ରହଣ, ତିଥି-ବାର-ନକ୍ଷତ୍ର ସଂଯୋଗରେ ବିଭିନ୍ନ ସ୍ଥାନ ଖୋଳାଖୋଳି କରିବା , ବଳି ଦେବା ,ପୂଜା ଆଦି କରିବାରେ ବ୍ୟସ୍ତ ରହିଲେ । ସେମାନଙ୍କର ଏ ପ୍ରକାର ବିଶ୍ବାସରୁ ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷରୁ ପାଶ୍ଚତ୍ୟ ଜଗତରେ ପ୍ରଚଳିତ ଫଳିତ ଜ୍ୟୋତିଷ ପାଠ (Astrology) ନୂଆ ନୂଆ ଅବଧାରଣା ନେଇ ସମୃଦ୍ଧ ହେଲା। ଏହା ଏକ ସଂଯୋଗ ବୋଲି କୁହାଯାଇ ପାରିବ ଯେ ଇଜିପ୍ଟରେ ଖ୍ରୀଷ୍ଟପୂର୍ବ ୩୦୦୦ ସମୟରେ ଜଣେ ଜୋତିର୍ବିତ୍ ‘କ୍ଲାଉଡିଅସ୍ ଟଲୋମିୟସ୍’ ପ୍ରଥମଥରପାଇଁ “ଟେଟ୍ରାବିବ୍ଲିୟସ” ନାମକ ଜ୍ଯୋତିଷ ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକ ହିଁ ଗୋଟାଏ ଗୋଷ୍ଠିର ଅାଲକେମିଷ୍ଟ ମାନଙ୍କଲାଗି ଫିଲୋସଫିକାଲ ଷ୍ଟୋନ ଖୋଜି ଆବିଷ୍କାର କରିବାର ଆଧାର ଥିଲା । ଏହା ତ କାହାରିକୁ ମିଳିଲା ନାହିଁ , ବରଂ ଏସବୁ ଉଦ୍ୟମରୁ ବାସ୍ତୁ ଶାସ୍ତ୍ର (Geomancy), ପ୍ରକୃତିକୁ ନିରୀକ୍ଷଣ କରି ପୂର୍ବାନୁମାନ କରିବା (Prophecy), ଶକୁନ ବିଦ୍ୟା (Omen) ଭଳି କିଛି ଆଧାରହୀନ ଅପବିଜ୍ଞାନର ସୃଷ୍ଟିହେଲା । ଶହଶହ ବର୍ଷ ପରେ ଏହି ଅପବିଜ୍ଞାନ ବାସ୍ତୁରୁ ଗୁଡିକରୁ ଭୂବିଜ୍ଞାନ, ପୂର୍ବାନୁମାନରୁ ପାଣିପାଗ ବିଜ୍ଞାନ କ୍ଷେତ୍ରକୁ କେବେ କେମିତି ନୂଆ ତତ୍ତ୍ବ ଆସିଲା । କିନ୍ତୁ ମୂଳ ରୂପରେ ଅପବିଜ୍ଞାନ ଅବଧାରଣାରେ କୌଣସି ପରିବର୍ତ୍ତନ ନହୋଇ , ବରଂ ନୂଆ କାଳ୍ପନିକ ଅବଧାରଣା ଯୋଡିହୋଇ ଏପର୍ଯ୍ୟନ୍ତ ରହିଆସିଛି ।
‘ଫୋଲୋସଫିକାଲ ଷ୍ଟୋନ’ ନାମକ କାଳ୍ପନିକ ପଦାର୍ଥକୁ ଉଦ୍ଭାବନ ( Invent) କରିବାକୁ ସେହି ପୂର୍ବ ଜ୍ୟୋତିଷ ଶାସ୍ତ୍ର ଟେଟ୍ରାବିବ୍ଲିୟସ ଆଧାରରେ ଚେଷ୍ଟା କରୁଥିବା ଆଲକେମିଷ୍ଟମାନେ ବିଭିନ୍ନ ଧାତୁ , ବିଭିନ୍ନ ଚେରମୂଳି, ଔଷଧୀୟ ପଦାର୍ଥ ଆଦି ମିଶାଇଲେ, ଧାତୁ ତରଳାଇ ମିଶାଇଲେ । ଏସବୁ ଉଦ୍ୟମରୁ ଫିଲୋସଫିକାଲ ଷ୍ଟୋନ ତିଆରି ହୋଇପାରିଲା ନାହିଁ , ବରଂ ସବୁଧାତୁର ଗୁଣ ସମାନ ନୁହେଁ ବୋଲି ଜାଣିଲେ । ଏହି ଜ୍ଞାନରୁ ଧାତୁ ବିଜ୍ଞାନ( Metallurgy ), ଆପରସାୟନ( Alchemy ) ମଶ୍ର ଧାତୁଜ୍ଞାନ ( Alloy), ଶଙ୍ଖୁଆ ବିଷ (Arsenic poison), ଜଡିବୁଟି ଚିକିତ୍ସା ( Aroma therapy), ଭଳି ନୂଆ ନୂଆ ବୈଜ୍ଞାନିକ ଏବଂ ଅବୈଜ୍ଞାନିକ ଅବଧାରଣା ସୃଷ୍ଟିକରିଲେ । ସେଥିରୁ ନିକୃଷ୍ଟ ଧାତୁକୁ ସୁନାରେ ପରିଣତ କରିବା ବିଦ୍ୟା (Alchemy) , ଜଡିବୁଟି (Aroma therapy ), ମୂଳତଃ ସାତ ପ୍ରକାରର ଧୋକାବାଜୀପୂର୍ଣ୍ଣ ଯାଦୁବିଦ୍ୟା ଭଳି କିଛି ଅପବିଜ୍ଞାନ ଏବେବି ପ୍ରଚଳିତ ଥିବା ଦେଖାଯାଏ । ୧୯୫୦ ଡିସେମ୍ବର ଓ ୧୯୫୧ ଜାନୁଆରୀ ମାସରେ ଓଡିଶାର ଅନୁଗୁଳ ନିକଟସ୍ଥ ରନ୍ତଲେଇ ନାମକ ଏକ ଗାଁ’ରେ ବିଭିନ୍ନ ରୋଗପାଇଁ ଏକମାତ୍ର ଜଡିବୁଟିକୁ ମହୌଷଧି ଭାବି ସେବନ କରିବା ଫଳରେ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଥିଲେ । ତେବେ ‘ଫିଲୋସଫିକାଲ ଷ୍ଟୋନ ଉଦ୍ଭାବନ ଉଦ୍ୟମରୁ ଧାତୁବିଜ୍ଞାନ, ଔଷଧ ବିଜ୍ଞାନ, ଶରୀରତତ୍ତ୍ବ, ପାତନ ବିଜ୍ଞାନ(Distillation ), ରସାୟନ ବିଜ୍ଞାନ, ଭୂଗୋଳ, ଉଦ୍ଭିଦବିଜ୍ଞାନ ଭଳି ବିଜ୍ଞାନର କ୍ଷେତ୍ର ସମୃଦ୍ଧ ହୋଇଥିଲେ ମଧ୍ୟ ଏସବୁର ନାମନେଇ ଅବିଜ୍ଞାନ ନୂଆ ଶାଖାମାନ ମେଲିଛି । ରୋଗୀଙ୍କ ଆରୋଗ୍ୟଲାଭ ଉଦ୍ୟମରୁ ସର୍ବାଧିକ ଅପବିଜ୍ଞାନର ସୃଷ୍ଟି । ନିମ୍ନ ବର୍ଣ୍ଣିତ ପାଞ୍ଚଟି କାରଣ ଲାଗି ଲୋକେ ଅପବିଜ୍ଞାନକୁ ବିଶ୍ବାସ କରନ୍ତି ।
କାରଣ ୧- ପ୍ଲାସେବୋ ପ୍ରଭାବ (Placebo effect) – ଏଥିରେ ବ୍ୟକ୍ତି କୌଣସି ନିଦାନ ( Pathology) ପରୀକ୍ଷା ନକରି ନିଜକୁ ନିର୍ଦ୍ଦିଷ୍ଟ ଏକ ରୋଗ ହୋଇଥିବାର ଦୃଢ ବିଶ୍ବାସ ରଖନ୍ତି । ଚିକିତ୍ସା ବିଜ୍ଞାନ ସମ୍ପର୍କୀତ ଜ୍ଞାନ ନଥିବା ଅଥଚ ଜଡିବୁଟିରେ ରୋଗ ଭଲ କରୁଥିବା ଲୋକଙ୍କ ( Quack) ଚିକିତ୍ସାରେ ସୁସ୍ଥ ହୋଇଯାନ୍ତି ।
କାରଣ-୨ : ୟୁଫୋରିଆ ପ୍ରଭାବ ( Euphoria effect) – ଏଭଳି ରୋଗୀଙ୍କର ରୋଗ ଥାଏ । ସେମାନେ ଡାକ୍ତରଙ୍କ ନିକଟକୁ ଯାଇ ପୂର୍ବରୁ କାହାଠାରୁ ଶୁଣିଥିବା ଔଷଧର ନାଁ କହି ସେହି ଔଷଧ ଦେବାକୁ ଅନୁରୋଧ କରନ୍ତି । କିମ୍ବା ସେହି ଔଷଧ ନିଜେ ଦୋକାନରୁ କିଣିଆଣି ଖାଇ ସୁସ୍ଥ ହୋଇ ଯାଇଥିବାର ଅନୁଭୂତି କହନ୍ତି । ଏହା କେବଳ ରୋଗୀର ଆତ୍ମସନ୍ତୋଷ । ଏ କ୍ଷେତ୍ରରେ ରୋଗ ପ୍ରକୃତରେ ଥିଲେ କିଛିଦିନ ବ୍ୟବଧାନରେ ପୁଣି ଲକ୍ଷଣ ପ୍ରକାଶପାଏ ।
କାରଣ ୩ : ସାଇକୋସୋମାଟିକ୍ ପ୍ରଭାବ- ( Psychosomatic effect ) । କିଛି ବ୍ୟକ୍ତି ଶରୀରର କିଛି ଲକ୍ଷଣ ନିଜେ ଦେଖି ନିଜକୁ ନିଜେ ନିର୍ଦ୍ଦିଷ୍ଟ ଏକ ରୋଗ ହୋଇଥିବା ଗଭୀର ଭାବରେ ଭାବନ୍ତି । ପ୍ରକୃତରେ ନିଦାନ ହୋଇନଥିବାରୁ କହୁଥିବା ରୋଗ ହୋଇ ନଥାଏ , କିନ୍ତୁ ଗଭୀର ବିଶ୍ବସ ହେତୁ ଶରୀରରେ ସେହି ରୋଗର ଲକ୍ଷଣ ପ୍ରକାଶପାଏ । ମନ ( Psycho)ର ଭାବନା ଶରୀରରେ ( Somatic) ଲକ୍ଷଣ ଭାବରେ ପ୍ରକାଶ ପାଉଥିବାରୁ ବିଶ୍ବାସ ଥିବା ଅବୈଜ୍ଞାନିକ ପଦ୍ଧତିର ଚିକିତ୍ସାରେ ରୋଗୀ ସୁସ୍ଥ ହୋଇଯାଏ । ବିଷ ନଥିବା ସାପକାମୁଡା କ୍ଷେତ୍ରରେ ରୋଗୀ ଶରୀରରେ ବିଷକ୍ରିୟାର ଲକ୍ଷଣ ଦେକଜାଦେବା ଓ ଦେଶୀ ଚିକିତ୍ସାରେ ସୁସ୍ଥ ହୋଇଯିବା ୃହାର ଉଦାହରଣ ।
କାରଣ ୪: କ୍ରିପଟେଇସ୍ଥେଇସିଆ ପ୍ରଭାବ ( Cryptaesthesia effect )- ବିଭିନ୍ନ ଧର୍ମର ଧର୍ମଗ୍ରନ୍ଥ ଗୁଡିକରେ ବର୍ଣ୍ଣନା ରହିଛି ଯେ- କିଛି ଚରିତ୍ର ଅଭିଶାପ ଏବଂ ଅନ୍ୟ କିଛି କାରଣରୁ କେତେକ ରୋଗରେ ପଡିଥାନ୍ତି । ପରେ କିଛି ଅବୈଜ୍ଞାନିକ ଉପାୟ , ପୂଜାପାଠ ଆଦିଦ୍ବାରା ସୁସ୍ଥ ହୋଇଯାଇଥିବା ବର୍ଣ୍ଣନା ରହିଛି । କିଛି ରୋଗୀ ଏହି ଧର୍ମଗ୍ରନ୍ଥ ଗୁଡିକ ଉପରେ ଗଭୀର ବିଶ୍ବାସ ରଖି ଧର୍ମଗ୍ରନ୍ଥ ବର୍ଣ୍ଣିତ ପୂଜାପାଠ କରି ସୁସ୍ଥ ହୋଇଥିବା କହନ୍ତି । ଏ ପ୍ରକାରର ଅନୁଭୂତି ବିଭ୍ରାନ୍ତିକର ।
କାରଣ ୫: ସେଲଫ ଲିମିଟିଙ୍ଗ ଡିଜିଜ୍ ( Self limiting disease ) -କିଛି ରୋଗ କ୍ଷେତ୍ରରେ ଔଷଧ ଖାଇଲେ କିମ୍ବା ନଖାଇଲେ ନିର୍ଦ୍ଦିଷ୍ଟ କିଛିଦିନ ମଧ୍ୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇ ଆରୋଗ୍ୟଲାଭ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତି କେତେକ ଅନାବଶ୍ୟକ ଓ ଅଯୌକ୍ତିକ ଔଷଧ ଖାଇ ସୁସ୍ଥ ହୋଇଥିବା ଦୃଢତାର ସହ କହନ୍ତି ।
ଅପବିଜ୍ଞାନର ଧାରା ହଜାର ହଜାର ବର୍ଷର ମାନବ ସଭ୍ୟତାର କ୍ରମବିକାଶ ସହ ତାଳଦେଇ ଶାଖା ପ୍ରଶାଖା ମେଲିଛି । ଦୁଃଖ ଓ ପରିତାର ବିଷୟ , ଏବେ ମଧ୍ୟ ସମାଜରେ ସ୍ପର୍ଶ ଚିକିତ୍ସା, ଚେଙ୍କ ଚିକିତ୍ସା , ହନୁମାନ ପଇସା ଅବଧାରଣା, ବଳିରେ ବିଶ୍ବାସ, ଗୁଣିଗାରେଡ଼ିରେ ବିଶ୍ବାସ, ତନ୍ତ୍ରମନ୍ତ୍ରରେ ବିଶ୍ବାସ, ଭୂତପ୍ରେତରେ ବିଶ୍ବାସ , ରତ୍ନପଥର ଓ ଗ୍ରହଶାନ୍ତି ମାଧ୍ୟମରେ ସମସ୍ୟା ସମାଧାନ ଭଳି ଅପବିଜ୍ଞାନ ଉପରେ ଦୃଢ ବିଶ୍ବାସ ରଖିଥିବା ଲୋକଙ୍କ ସଂଖ୍ୟା କିଛି କମ ନୁହେଁ । ଏସବୁର ଶେଷ ପରିଣତି ଅତ୍ୟନ୍ତ ଦୁଃଖଦାୟକ ।
