ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା …

ଭୁବନେଶ୍ୱର: ଲଗାତର ପାଞ୍ଚ ଥର ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଏଣିକି ବିଧାନସଭାରେ ବିରୋଧୀ ଦଳର ନେତା ଆସନରେ ଦେଖିବାକୁ ମିଳିବ । ଆଜି ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି । ସେ ହୋଇଛନ୍ତି ବିରୋଧୀ ଦଳର ନେତା । ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଂଝାରପୁରରୁ ନିର୍ବାଚିତ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ଏବଂ ଆଳି ବିଧାୟକ ପ୍ରତାପ ଦେବ ଉପମୁଖ୍ୟ ସଚେତକ ନିର୍ବାଚିତ ହୋଇଛନ୍ତି ।
ବିଧାନସଭାରେ ଦଳର ନେତା ଚୟନ ପାଇଁ ଆଜି ଅପରାହ୍ନରେ ଶଙ୍ଖ ଭବନଠାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିରୁ ଲଗାତର ଷଷ୍ଠ ଥର ପାଇଁ ନିର୍ବାଚିତ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସମସ୍ତ ବିଧାୟକ ଏକାସ୍ୱରରେ ନବୀନଙ୍କୁ ନେତା ଭାବେ ଚୟନ କରିଥିଲେ । ସେହିଭଳି ଉପନେତା, ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ଭାବେ ଯଥାକ୍ରମେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ଏବଂ ପ୍ରତାପ ଦେବ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।
ବୈଠକ ଶେଷରେ ଦଳର ସଭାପତି ତଥା ନବ ନିର୍ବାଚିତ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏହା ଘୋଷଣା କରିଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଚଳିତ ନିର୍ବାଚନ ଫଳାଫଳ ନେଇ ମଧ୍ୟ ଆଲୋଚନା ହୋଇଥିବା ନବୀନ ଜଣାଇଥିଲେ

Leave a Reply

Your email address will not be published. Required fields are marked *