ଅବସର ନେଲେ ଏସଟିଏରେ କାର୍ଯ୍ୟରତ ପିଅନ ମାତାଲ୍ ସୋରେନ୍ପାଖରେ ବସାଇ ସାଥୀରେ ମଧ୍ୟାହ୍ନ ଭୋଜନ କଲେ ପରିବହନ କମିସନର
କଟକ : ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ସେ ସମ୍ମାନର ହକଦାର । 38 ବର୍ଷ ଧରି ପିଅନ ଭାବରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ)ରେ ସେବା ଦେଇଛନ୍ତି । ଆଉ ତାଙ୍କ ଅବସର ଦିନରେ ସମ୍ମାନର ସହ ବିଦାୟ ସମ୍ବର୍ଦ୍ଧନା ଜଣାଇ ଏକ ଭଲ ଉଦାହରଣ ସ୍ଥାପନ କରିଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଏସଟିଏରେ ପିଅନ ଭାବରେ କାର୍ଯ୍ୟରତ ଥିଲେ ମାତାଲ ସୋରେନ୍ । 1987ରେ ସରକାରୀ ଚାକିରିରେ ଯୋଡ଼ିହେଲେ । ଚାକିରି ଏସଟିଏରୁ ଆରମ୍ଭ, ବିଦାୟ ବି ଏଇଠି । ଏତେ ବର୍ଷ ଧରି କାର୍ଯ୍ୟାଳୟକୁ ସେବା ଦେଇଥିବା ମାତାଲଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି ନେଇଥିଲେ ପରିବହନ କମିସନର। ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଚୌକି ପାଖରେ ମାତାଲଙ୍କ ଚୌକି ପକାଇବାକୁ କହିଥିଲେ । ଏହା ଶୁଣି ମାତାଲ୍ ପଛେଇ ପଛେଇ ରହିଥିଲେ । ହେଲେ ଅମିତାଭ ତାଙ୍କୁ ପାଖକୁ ଡାକି ବସାଇଥିଲେ । ମାତାଲଙ୍କ ନିଷ୍ଠାପର ସେବାକୁ ବି ମନେ ପକାଇଥିଲେ । ଏସବୁ ଦେଖି ବେଶ୍ ଭାବବିହ୍ୱଳ ହୋଇଯାଇଥିଲେ ମାତାଲ୍ । ଏପିରିକି ତାଙ୍କୁ ମଧ୍ୟ ନିଜ କଥା ରଖିବାକୁ ପରିବହନ କମିସନର କହିଥିଲେ । ତାଙ୍କୁ ମିଳିଥିବା ସମ୍ମାନ କଥା ସେ କେବେ ବି ସ୍ୱପ୍ନରେ ବି ଭାବି ନ ଥିଲେ । ଏଥିପାଇଁ ସେ ପରିବହନ କମିସନରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଏସଟିଏର ଅଧିକାରୀମାନେ ମାତାଲଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ଉପହାର ପ୍ରଦାନ କରିଥିଲେ ।
ଏହାପରେ ଚାକିରି ଜୀବନର ଶେଷ ଦିନରେ ମାତାଲଙ୍କ ସମ୍ମାନରେ ତାଙ୍କୁ ପାଖରେ ବସାଇ କମିସନରଙ୍କ ସମେତ ସମସ୍ତ ଅଧିକାରୀ ସାଥୀରେ ମଧ୍ୟାହ୍ନ ଭୋଜନ କରିଥିଲେ। ମାତାଲଙ୍କ ଆଖିରେ ଖୁସିର ଲୁହ ଥିଲା । ଏହା ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।
