କ୍ୟାବିନେଟ ବୈଠକରେ ପନ୍ଦରଟି ପ୍ରସ୍ତାବକୁ ମୋହର, ଗ୍ରାମ୍ୟ ଭିତ୍ତିଭୂମି ଓ ଜନଜାତି ବିକାଶକୁ ଗୁରୁତ୍ୱ
ଭୁବନେଶ୍ଵର;ରାଜ୍ୟ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିଥିଲେ ।
ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ପ୍ରଥମେ ମାନ୍ୟବର ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯିବା ଏବଂ ମା ମଝିଘରିଆଣୀ ମନ୍ଦିର, ରାୟଗଡାର ଭିତ୍ତିଭୂମି ବିକାଶ ସଂପର୍କିତ ପ୍ରସ୍ତାବ ସ୍ୱୀକୃତି ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ ।
ପରେ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ୟ ସମସ୍ତ ୧୩ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜିର କ୍ୟାବିନେଟ ବୈଠକରେ ମୋଟ ୧୫ ଟି ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ସଦୟ ବିଚାର ପୂର୍ବକ ସମସ୍ତ ପ୍ରସ୍ତାବ ଗୁଡିକ ସ୍ୱୀକୃତି ଲାଭ କରିଛି ।
ସେହିଭଳି ପୁରୀରେ କାର୍ଯ୍ୟକାରୀ ହେଉଥିବା ଅବଢା ଯୋଜନାର ବ୍ୟୟଭାର ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି । ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଅବଢା ଯୋଜନାପାଇଁ ୩୨୦୮ କୋଟି ଟଙ୍କାକୁ ଅନୁମୋଦନ କରିଥିବାବେଳେ ଆଜି ବର୍ଦ୍ଧିତ ବ୍ୟୟଭାର ୪୨୨୪.୨୨ କୋଟି ଟଙ୍କାକୁ ସବୁଜ ସଙ୍କେତ ଦେଇଛି । ଏହି ପ୍ରକଳ୍ପର କାର୍ଯ୍ୟକାରୀ ସମୟ ୨୦୧୭-୧୮ରୁ ୨୦୨୪-୨୫ ପର୍ଯ୍ୟନ୍ତ ରହିଛି ।