ଓଡିଆ ଭାଷା ସମ୍ମିଳନୀ ; ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହେବ ଦୁଇ ଦିନିଆ ଆଲେଚନା ଚକ୍ର

ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଓଡ଼ିଶା ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଓଡ଼ିଆ ମାତୃଭାଷାର ପ୍ରଚାର ପ୍ରସାର ଓ ବିକାଶ ପାଇଁ ଓଡ଼ିଆ ଭାଷାକୁ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି ।
ଏହି ପରିପ୍ରେକ୍ଷୀରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆସନ୍ତା ଫେବୃୟାରୀ ୧ ଓ ୨ ତାରିଖରେ ଉତ୍କଳ ରଙ୍ଗମଞ୍ଚରେ ‘ଓଡ଼ିଆ ଭାଷା ଓ ଓଡ଼ିଶାର କଳାସଂସ୍କୃତି’ ଶୀର୍ଷକ ଦୁଇ ଦିନିଆ ଆଲେଚନା ଚକ୍ର ଆୟୋଜିତ ହେବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଭାଷାବିଜ୍ଞାନୀ, ଗବେଷକ, ସାହିତ୍ୟିକ, ସାରସ୍ୱତ ସାଧକ, ସଂଗୀତ ଏବଂ ନୃତ୍ୟ ସାଧକ/ସାଧିକା, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ଆଦି ଯୋଗଦାନ କରି ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିବେ।
ପ୍ରତ୍ୟେହ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ । ପ୍ରଥମ ଦିନର ଆଲୋଚ୍ୟ ବିଷୟ ଗୁଡ଼ିକ ହେଉଛି ‘ଚର୍ଯ୍ୟାଗୀତିର ଭାଷା ଓ ସାଙ୍ଗୀତିକ ବିଭାବ ଏବଂ ରୀତିଯୁଗୀୟ କାବ୍ୟର ଗୀତିମୟ ଭାଷା’ । ଏଥିରେ ବକ୍ତା ଭାବରେ ଡକ୍ଟର ବାବାଜୀ ପଟ୍ଟନାୟକ ଏବଂ ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ ଯୋଗଦେବା ସହିତ ଏଥିରେ ଡକ୍ଟର ବସନ୍ତା ପଣ୍ଡା ଏବଂ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିବେ । ସେହିପରି ଭାବେ ଦ୍ୱିତୀୟ ଦିନରେ ଆଲୋଚ୍ୟ ପ୍ରସଙ୍ଗ ‘ମଧ୍ୟଯୁଗୀୟ ଗୀତି କବିତାର ଭାଷା’ ଓ ‘ଓଡ଼ିଆ ଲୀଳା ଯାତ୍ରା ସାହିତ୍ୟର ଭାଷା ବିଭବ’ ରହିଛି । ଓଡ଼ିଆ ଭାଷାକୁ ଆଗାମୀ ଦିନରେ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ଦିଗରେ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ ।

One thought on “ଓଡିଆ ଭାଷା ସମ୍ମିଳନୀ ; ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହେବ ଦୁଇ ଦିନିଆ ଆଲେଚନା ଚକ୍ର

Leave a Reply

Your email address will not be published. Required fields are marked *