ଗାନ୍ଧୀ ବିଚାର ଏକ ଅଲିଭା ଦୀପଶିଖା


ଭୁବନେଶ୍ୱର: (ପ୍ରହଲାଦ କୁମାର ସିଂହ): -‘ମୁଁ ଓ ଅନ୍ୟମାନେ ବିପ୍ଲବୀ ହୋଇପାରୁ; କିନ୍ତୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମେମାନେ ହେଉଛୁ ମହାତ୍ମା ଗାନ୍ଧୀଙ୍କ ଶିଷ୍ୟ’ – ମହାନ ବିପ୍ଲବୀ ତଥା ଭିଏତନାମର ଦୀର୍ଘବର୍ଷ ଧରି ରାଷ୍ଟ୍ରପତି ଥିବା ହୋ ଚି ମିନ୍‍ଙ୍କର ଏହା ହେଉଛି ଉଦ୍‍ଘୋଷଣା । ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ପ୍ରଭାବରେ ଦେଶ ବିଦେଶର ବହୁ ବ୍ୟକ୍ତି ଆକର୍ଷିତ ହୋଇଛନ୍ତି । ତାଙ୍କ ପଥରେ ଚାଲି ମାର୍ଟିନ୍‍ ଲୁଥର କିଙ୍ଗ୍‍, ନେଲସନ୍‍ ମଣ୍ଡେଲା, ଅଙ୍ଗ ସାନ୍‍ ସୁକିଙ୍କ ଭଳି ବିରଳ ନେତୃତ୍ୱମାନେ ସୃଷ୍ଟି ହୋଇଛନ୍ତି । ଗାନ୍ଧୀଜୀଙ୍କ ନେତୃତ୍ୱରେ ପରିଚାଳିତ ସତ୍ୟାଗ୍ରହ ସଂଗ୍ରାମର ସଫଳତା ପରେ ଭାରତ ସ୍ୱାଧୀନ ହେଲା ଏବଂ ଏହା ପରେ ପରେ ବିଶ୍ୱର ଅନେକ ଦେଶ ଔପନିବେଶିକ ଶାସନର ବିଲୋପ ପାଇଁ ପ୍ରେରଣା ପାଇଲେ ।
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‍ ଓବାମା ‘ଏ ପ୍ରମିଜଡ୍‍ ଲ୍ୟାଣ୍ଡ୍‍’ ପୁସ୍ତକ ରଚନା କରିଛନ୍ତି । ଏଥିରେ ତାଙ୍କ ଭାରତ ଗସ୍ତ ବେଳେ ମୁମ୍ବାଇର ମଣି ଭବନରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୋଇଥିଲା ତାହାର ସେ ଭାବବିହ୍ୱଳ ବର୍ଣ୍ଣନା ଦେଇଛନ୍ତି । ଗାନ୍ଧୀଜୀଙ୍କ ଆତ୍ମଜୀବନୀ ସତ୍ୟର ପ୍ରୟୋଗ ପ୍ରକାଶ ପାଇବାର ଢ଼େର୍‍ ପୂର୍ବରୁ ଯୋଶେଫ ଡୋକ୍‍ ନାମକ ଜଣେ ବିଦେଶୀ ଦକ୍ଷିଣ ଆଫ୍ରିକାରେ ଲେଖିଥିଲେ ଗାନ୍ଧୀଜୀଙ୍କ ପ୍ରଥମ ଜୀବନୀ । ଏହାପରେ ନୋବେଲ ପୁରସ୍କାର ବିଜୟୀ ରୋମାରୋଲାଁ ଲେଖିଲେ ଗାନ୍ଧୀଜୀଙ୍କ ଅନ୍ୟ ଏକ ଆକର୍ଷଣୀୟ ଜୀବନୀ । ଏହି ପୁସ୍ତକଟି ଏତେ ପ୍ରଭାବଶାଳୀ ଥିଲା ଯେ ଏହା ପଢ଼ି ବ୍ରିଟିଶ ନୌସେନାର ଭାଇସ୍‍ ଆଡମିରାଲଙ୍କ ଝିଅ ମିସ୍‍ ମେଡଲିନ୍‍ ସ୍ଲେଡ୍‍ ପାଶ୍ଚାତ୍ୟର ବିଳାସ ବ୍ୟସନଭରା ଜୀବନ ଛାଡି ଛୁଟି ଆସିଲେ ସାବରମତି ଆଶ୍ରମରେ ଗାନ୍ଧୀଜୀଙ୍କ ଶିଷ୍ୟା ହେବା ପାଇଁ । ପରବର୍ତ୍ତୀ ସମୟରେ ସେ ପରିଚିତା ହେଲେ ମୀରାବେନ୍‍ ନାମରେ । ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଗାନ୍ଧୀଜୀଙ୍କ ପ୍ରବର୍ତ୍ତିତ ରଚନାତ୍ମକ କାର୍ଯ୍ୟକ୍ରମ କ୍ଷେତ୍ରରେ ମୀରାବେନ୍‍ଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା ।
ଅନ୍ୟ ଜଣେ ମାର୍କିନ ସାମ୍ବାଦିକ ଲୁଇ ଫିସର୍‍ ଗାନ୍ଧୀଙ୍କ ଉପରେ ଲେଖିବା ପାଇଁ ତାଙ୍କୁ ସାକ୍ଷାତ କରିବା ଲାଗି ସେବାଗ୍ରାମ ଆଶ୍ରମକୁ ଆସିଥିଲେ ୧୯୪୨ ଜୁନ୍‍ ମାସରେ । ବିଦ୍ୟୁତ୍‍ ସଂଯୋଗ ନଥିବା ଏକ ଅପନ୍ତରା ମଫସଲ ଗାଁରେ ଥିବା ସେବାଗ୍ରାମ ଆଶ୍ରମରେ ଜୁନ୍‍ ମାସର ଝାଞ୍ଜିରେ ସିଝି ଯାଉଥିବା ଲୁଇ ଫିସର୍‍ଙ୍କୁ ରକ୍ଷା କରିବା ପାଇଁ ଗାନ୍ଧୀଜୀ ତାଙ୍କୁ ପାଣି କୁଣ୍ଡରେ ବସାଉଥିଲେ । ଗାନ୍ଧୀଙ୍କ ସହ ପ୍ରତ୍ୟକ୍ଷ ସଂପର୍କରେ ଆସି ଲୁଇ ଫିସର ପ୍ରଥମେ ଲେଖିଲେ ‘ଏ ଉଇକ୍‍ ୱିଥ୍‍ ଗାନ୍ଧୀ’ ଶୀର୍ଷକ ଏକ ବହି । ଏହାପରେ ‘ଗାନ୍ଧୀ ଆଣ୍ଡ୍‍ ଷ୍ଟାଲିନ’ ନାମରେ ସେ ଆଉ ଖଣ୍ଡେ ଚମତ୍କାର ବହି ବି ଲେଖିଲେ । ତେବେ ଗାନ୍ଧୀଜୀଙ୍କୁ ହତ୍ୟା କରାଯିବା ପରେ ଲୁଇ ଫିସର୍‍ ଯେଉଁ ପୂର୍ଣ୍ଣାଙ୍ଗ ଗାନ୍ଧୀ ଜୀବନୀ ୧୯୫୦ ମସିହାରେ ପ୍ରକାଶ କଲେ ତାହା ବିଶ୍ୱର କୋଣେ ଅନୁକୋଣେ ଜନାଦୃତ ହେଲା ।  ଫିସର୍‍ଙ୍କ ରଚିତ ଗାନ୍ଧୀ ଜୀବନୀକୁ ଆଧାରକରି ରିଚାର୍ଡ ଆଟେନ୍‍ବରୋ ନିର୍ମାଣ କଲେ ବିଶ୍ୱ ପ୍ରସିଦ୍ଧ ‘ଗାନ୍ଧୀ’ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ବିଭିନ୍ନ ବିଭାଗରେ ଅନେକ ପୁରସ୍କାର ସାଉଁଟିବା ସହ ସାରା ପୃଥିବୀରେ ଦର୍ଶକୀୟ ଆଦୃତି ଲାଭ କରିଛି । ହିନ୍ଦୀ ସମେତ ଆଉ ଅନେକ ଭାଷାରେ ବି ଏହି ଚଳଚ୍ଚିତ୍ର ଡବିଂ ହୋଇଛି । ୟୁନେସ୍କୋ ଗାନ୍ଧୀବାଣୀର ସମ୍ଭାରକୁ ନେଇ ପ୍ରକାଶ କରିଛି ଅନନ୍ୟ ବିଶ୍ୱସ୍ତରୀୟ ପୁସ୍ତକ ‘ଅଲ୍‍ ମେନ୍‍ ଆର ବ୍ରଦର୍ସ’ ।
ମାର୍କିନ ସାମ୍ବାଦିକ ୱେବ୍‍ ମିଲର୍‍ ବିଶ୍ୱଯୁଦ୍ଧ ସମୟରେ ବିଭିନ୍ନ ଦେଶକୁ ଯାଇ ଚମତ୍କାର ସମ୍ବାଦ ପରିବେଷଣ କରିଛନ୍ତି । ତେବେ ୧୯୩୦ରେ ଗାନ୍ଧୀଜୀଙ୍କ ଦାଣ୍ଡି ଅଭିଯାନ କାଳରେ ଲବଣ ସତ୍ୟାଗ୍ରହୀମାନଙ୍କ ଉପରେ ହେଉଥିବା ନିର୍ମମ ଆକ୍ରମଣ ସତ୍ତ୍ୱେ ସ୍ୱାଧୀନତା ପିପାଷୁ ସତ୍ୟାଗ୍ରହୀମାନେ ଯେଭଳି ବିନା ପ୍ରତିରୋଧରେ ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଥିଲେ ତାହାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସମଗ୍ର ବିଶ୍ୱକୁ ଚମତ୍କାର ଭାବେ ମିଲର୍‍ ଜଣାଇଥିଲେ । ରେଜିନାଲ୍ଡ ଡୋନାଲ୍ଡ ନାମକ ଅନ୍ୟ ଜଣେ ଇଂରେଜ ଯୁବକ ଗାନ୍ଧୀ ଦର୍ଶନରେ ଆକର୍ଷିତ ହୋଇ ଭାରତ ଆସି ସାବରମତି ଆଶ୍ରମରେ ସନ୍ଥର ଜୀବନ କାଟୁଥିଲେ । ନିଜେ ଖଦି ପିନ୍ଧିବା ସହ ସୂତା କାଟୁଥିଲେ ଏବଂ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଏକାଦଶ ବ୍ରତର ଅନୁପାଳନ ନିଜ ଜୀବନ ଉପରେ କରୁଥିଲେ । ଖଦି ପରିହିତ ଏହି ଇଂରେଜ ଯୁବକ ଜଣକ ଲବଣ ସତ୍ୟାଗ୍ରହ ସଂକ୍ରାନ୍ତରେ ଗାନ୍ଧୀଜୀଙ୍କର ପତ୍ର ବାହକ ହୋଇ ଯାଇଥିଲେ ବଡଲାଟଙ୍କ ପାଖକୁ । ଆଉଜଣେ ନାଜି ସାମ୍ବାଦିକ ବୁଟ୍ଟୋ ଓଡ଼ିଶାରେ ୧୯୩୪ ମଇ-ଜୁନ୍‍ ମାସର ମୁଣ୍ଡଫଟା ଖରା ସମୟରେ ଗାନ୍ଧୀଜୀଙ୍କ ପଦଯାତ୍ରାରେ ନିଜକୁ ସାମିଲ କରିବା ସହ ଚମତ୍କାର ରଚନା ଲେଖି ଯାଇଛନ୍ତି । ସି.ଏଫ୍‍.ଆଣ୍ଡୃଜ୍‍, ହେନେରି ପୋଲକଙ୍କ ଭଳି ବିଦେଶୀମାନେ ଗାନ୍ଧୀଜୀଙ୍କ ସହ ଏକାକାର ହୋଇ ଭାରତ ମାତାର ସେବାରେ ନିଜକୁ ସମର୍ପି ଦେଇଥିଲେ । ଏମିତି ଉଦାହରଣ ଅନେକ ।
ଗାନ୍ଧୀଜୀ ଏପରିି ଏକ ବିରଳ ବ୍ୟକ୍ତିତ୍ୱ ଯେ ଭାରତ ଭୂଇଁରୁ ସେ ଯେଉଁ ବ୍ରିଟିଶ ସାମ୍ରାଜ୍ୟର ପତନ ଘଟାଇଲେ ସେହି ବ୍ରିଟିଶ ଜାତି ସେମାନଙ୍କ ଗର୍ବ, ଗୌରବ ଓ ପରମ୍ପରାର ପ୍ରତୀକ ପାର୍ଲାମେଣ୍ଟ ସମ୍ମୁଖରେ ଗାନ୍ଧୀଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରି ସତ୍ୟ ଓ ଅହିଂସାର ଅନନ୍ୟ ପୂଜାରୀଙ୍କ ନିକଟରେ ଆଜିର ଦିନରେ ବି ମଥାନତ କରୁଛି । ଗାନ୍ଧୀଜୀଙ୍କ ଜନ୍ମଦିନ ଅକ୍ଟୋବର ୨କୁ ମିଳିତ ଜାତିସଂଘର ପ୍ରସ୍ତାବ କ୍ରମେ ସମଗ୍ର ବିଶ୍ୱ ପାଳୁଛି ଆନ୍ତର୍ଜାତିକ ଅହିଂସା ଦିବସ ଭାବେ । ଆମ ଦେଶରେ ବି ତାଙ୍କ ବଳିଦାନ ଦିବସକୁ ପାଳନ କରାଯାଏ ସହିଦ୍‍ ଦିବସ ଭାବରେ । ସ୍ୱାଧୀନତା ପାଇଁ ଯେଉଁମାନେ ବଳିଦାନ ଦେବା ସହ କାରା ଓ ନିର୍ଯାତନା ବରଣ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏହି ଦିନରେ ସଂସ୍କୃତି ସଂପନ୍ନ ଭାରତୀୟମାନେ ଗାନ୍ଧୀଜୀଙ୍କ ମାଧ୍ୟମରେ କୃତଜ୍ଞତାର ସହ ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଚାରପତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଏପରିକି ବିଦ୍ୟାଳୟର ଶିଶୁମାନେ ମଧ୍ୟ ଗାନ୍ଧୀଜୀଙ୍କୁ ଅତିଥି ଓ ତିଥିରେ ସ୍ମରଣ କରିଥାନ୍ତି ।
ଲିଓ ଟଲଷ୍ଟୟଙ୍କ ଭଳି ବିଶ୍ୱ ମାନବମାନେ ଗାନ୍ଧୀଜୀଙ୍କୁ ପ୍ରଶଂସାରେ ବାରମ୍ବାର ପୋତି ପକାଇଛନ୍ତି । ଆଲବର୍ଟ ଆଇନଷ୍ଟାଇନଙ୍କ ଭଳି ବୈଜ୍ଞାନିକ ତାଙ୍କ ପ୍ରକୋଷ୍ଠରେ ଗାନ୍ଧୀଜୀଙ୍କର ଫଟୋଚିତ୍ର ରଖୁଥିଲେ । ଗାନ୍ଧୀଜୀଙ୍କ ଜୀବନ ଓ ବିଚାର ଏତେ ଆକର୍ଷଣୀୟ ଥିଲା ଯେ ସେ ସଂପର୍କରେ ଆଇନଷ୍ଟାଇନ୍‍ ଲେଖନ୍ତି, ‘ଭବିଷ୍ୟତର ବଂଶଧରମାନେ ହୁଏତ ବିଶ୍ୱାସ କରିବେ ନାହିଁ ଯେ ଏଭଳି ଜଣେ ମଣିଷ ରକ୍ତ ମାଂସର ଶରୀର ଧରି ଏ ଧରାପୃଷ୍ଠରେ ଦିନେ ଚଲାବୁଲା କରୁଥିଲେ ।’ କେବଳ ଭାରତ ନୁହେଁ, ଜାତିସଂଘ ସମେତ ବହୁ ଦେଶ ସେମାନଙ୍କ ପତାକାକୁ ଗାନ୍ଧୀଜୀଙ୍କ ପ୍ରତି ସମ୍ମାନ ଜଣାଇ ଅର୍ଦ୍ଧନମିତ କରିଥିଲେ । ଜର୍ଜ ବର୍ଣ୍ଣାଡ଼ ଶ କହିଥିଲେ, ‘ଅତି ଭଲ ହେବା କେତେ ବିପଦଜନକ ତାହାର ନିଦର୍ଶନ ଗାନ୍ଧୀ ହତ୍ୟା ।’ ଗାନ୍ଧୀଜୀଙ୍କୁ ହତ୍ୟା ପରେ ବିଶ୍ୱର କୋଣ ଅନୁକୋଣରୁ ଭାରତ ସରକାରଙ୍କ ନିକଟକୁ ଆସିଥିଲା ୩୪୪୧ଟି ଭାବବିହ୍ୱଳ ଶୋକବାର୍ତ୍ତା । ଦେଶ ବିଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଗାନ୍ଧୀଜୀଙ୍କ ସଂପର୍କରେ ଯେଉଁ ହୃଦୟସ୍ପର୍ଶୀ ବାର୍ତ୍ତାମାନ ଦେଇଛନ୍ତି ତାହା ଇତିହାସର ଦସ୍ତାବିଜ୍‍ । ଇଂଲଣ୍ଡର ସମ୍ରାଟଙ୍କଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟ୍‍ଲି, ଉପପ୍ରଧାନମନ୍ତ୍ରୀ ହରବର୍ଟ ମୋରିସନ୍‍ଙ୍କ ସମେତ ମନ୍ତ୍ରିମଣ୍ଡଳ ଓ ସଂସଦର ବହୁ ସଦସ୍ୟ ଏବଂ ଗଣତନ୍ତ୍ରପ୍ରେମୀ ବୁଦ୍ଧିଜୀବୀମାନେ ଗାନ୍ଧୀଜୀଙ୍କ ଜୀବନୀ ଓ ବିଚାର ସଂପର୍କରେ ଲେଖିଥିବା ବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡକ୍ଟର ଗିଲବର୍ଟ ମୁରେ ଲେଖିଥିଲେ, ‘ଗାନ୍ଧୀ ହେଉଛନ୍ତି ବିଶ୍ୱର ଆଲୋକ ।’ ସେତେବେଳେ ସମଗ୍ର ବିଶ୍ୱର ଛୋଟବଡ ପ୍ରାୟ ସବୁ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲା ଗାନ୍ଧୀଜୀଙ୍କ ସଂପର୍କରେ । ବେଲଜିୟମ, ଚେକୋସ୍ଲୋଭିଆ, ଡେନମାର୍କ, ଫିନ୍‍ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍‍, ଇଟାଲୀ, ନରୱେ, ପର୍ତ୍ତୁଗାଲ, ନେଦରଲାଣ୍ଡ, ପୋଲାଣ୍ଡ, ସ୍ୱିଜରଲାଣ୍ଡ, ତୁର୍କି ଆଦିର ରାଷ୍ଟ୍ରମଖ୍ୟମାନଙ୍କ ବକ୍ତବ୍ୟ ଏ ସଂକ୍ରାନ୍ତରେ ପ୍ରଣୀଧାନଯୋଗ୍ୟ । ସେତେବେଳର ଆମେରିକାର ରାଷ୍ଟ୍ରପତି ଟ୍ରୁମାନଙ୍କ ଠାରୁ ଆରମ୍ଭକରି ରୁଜ୍‍ଭେଲ୍ଟ ଏବଂ ବହୁ ସିନେଟର ଓ ଗଭର୍ଣ୍ଣର ଗାନ୍ଧୀଜୀଙ୍କ ସଂପର୍କରେ ଗଭୀର ଶୋକ ବ୍ୟକ୍ତ କରିଥିଲେ । ବ୍ରାଜିଲ, ଚିଲି, ପାନାମା, କଲମ୍ବିଆ, ପେରୁ, ଆବିସିନିଆ, ମରକ୍କୋ, ସୁଦାନ, ଜିମ୍ବାୱେ, ଆଫଗାନିସ୍ତାନ, ଇଜିପ୍ଟ, ଇରାକ୍‍, ଲେବାନନ, ପାଲେଷ୍ଟାଇନ, ସିରିଆ, ବର୍ମା, ଚୀନ୍‍, ଇଣ୍ଡୋନେସିଆ, ଜାପାନ, ନେପାଳ, ଫିଲିପାଇନ୍ସ, ସିଚେଲସ, ତିବ୍ଦତ, ଅଷ୍ଟ୍ରେଲିଆ, ପାକିସ୍ତାନ ଆଦିରୁ ବି ଶୋକବାର୍ତ୍ତାର ସୁଅ ଛୁଟିଥିଲା । ଏଗୁଡିକ ମଧ୍ୟରେ ମହମ୍ମଦ ଅଲ୍ଲୀ ଜିନ୍ନା, ଲିଆକତ ଅଲ୍ଲୀ ଖାଁ ଆଦିଙ୍କ ବକ୍ତବ୍ୟ ବେଶ୍‍ ଉଲ୍ଲେଖନୀୟ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଆଲୁଅ ଲିଭିଗଲା’ । ରାଜଗୋପାଳଚାରୀ ଉଲ୍ଲେଖ କରିଥିଲେ ଯେ ସତ୍ୟ ପାଇଁ ସକ୍ରେଟିସ୍‍ ଓ ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ଭଳି ଗାନ୍ଧୀଜୀଙ୍କ ବଳିଦାନ ବିଶ୍ୱ ଇତିହାସକୁ ଉଜ୍ଜୀବିତ କରି ରଖିବ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଥିଲେ ଯେ ଗାନ୍ଧୀଜୀଙ୍କୁ ହତ୍ୟା କରାଯିବା ପରେ ବି ଗାନ୍ଧୀ ବିଚାର ଶହ ଶହ ବର୍ଷ ପାଇଁ ଭାରତ ସମେତ ବିଶ୍ୱକୁ ଆଲୋକିତ କରିବ ଏବଂ ଯେଉଁ କୃତଘ୍ନ ଓ କୁଚକ୍ରୀ ଗୋଷ୍ଠୀ ଗାନ୍ଧୀଙ୍କୁ କାପୁରୁଷ ଭାବେ ହତ୍ୟାକଲେ ସେମାନେ କାଳକାଳ ପାଇଁ କଳଙ୍କର ବୋଝ ମୁଣ୍ଡାଇ ଚାଲିବେ । ଗାନ୍ଧୀଜୀଙ୍କୁ ମରାଯାଇଥିବା ଗୁଳି ବାସ୍ତବରେ ମାନବବାଦ ଉପରେ ଭୟଙ୍କର ଆକ୍ରମଣ ବୋଲି ଉଲ୍ଲେଖ କରିବା ସହ ଦୁଃଖ ଓ ଅନ୍ଧକାର ଭିତରେ ଗାନ୍ଧୀଜୀ ଆଲୋକବର୍ତ୍ତିକା ଥିଲେ ବୋଲି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ତାଙ୍କ ଶୋକାଞ୍ଜଳିରେ ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ । ମହମ୍ମଦ କରିମ୍‍ ଚଗ୍‍ଲା, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ସି.ଭି. ରମନ୍‍, ତେଜ ବାହାଦୂର ସାପ୍ରୁ, ଶେଖ୍‍ ଅବଦ୍ଦୁଲା, କମଳାଦେବୀ ଚଟ୍ଟୋପାଧ୍ୟାୟ, ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ତିବ୍ଦତର ଦଲାଇଲାମା, ଭାଟିକାନର ପୋପ୍‍, ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଭାଇ ଶରତ ଚନ୍ଦ୍ର ବୋଷ୍‍  ଆଦି ସେ ସମୟରେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ଆଜିର ଦିନରେ ବି ଅଧିକ ପ୍ରାସଙ୍ଗିକ । ଗାନ୍ଧୀଙ୍କ ପାର୍ଥିବ ଶରୀରକୁ ତିନୋଟି ଗୁଳି ମରାଯାଇଥିବା ବେଳେ ତାଙ୍କ ବିଚାର ପ୍ରତି ଲକ୍ଷ ଲକ୍ଷ ଗୁଳି ଚଳାଯାଉଥିଲେ ମଧ୍ୟ ଗାନ୍ଧୀ ବିଚାର ମରିବା ପରିବର୍ତ୍ତେ ଦିନକୁ ଦିନ ସମଗ୍ର ବିଶ୍ୱରେ ଅଧିକ ପ୍ରାସଙ୍ଗିକ ହେଉଛି ।
ବିଶ୍ୱରେ ଭାରତର ପରିଚିତି ମହାତ୍ମା ଗାନ୍ଧୀ । ଶତାଧିକ ରାଷ୍ଟ୍ରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରହିଛି । ଗାନ୍ଧୀଜୀ ଓ ଯୀଶୁଙ୍କ ଉପରେ ବିଶ୍ୱରେ ସର୍ବାଧିକ ପୁସ୍ତକ ଲେଖାଯାଇଛି । ଓଡ଼ିଆ ସମେତ ବିଭିନ୍ନ ଭାଷାରେ ପ୍ରକାଶିତ ଗାନ୍ଧୀ ସାହିତ୍ୟ ବିଶ୍ୱର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି । ହିଂସାର ଦାବାନଳରେ ଛଟପଟ ହେଉଥିବା ବିଶ୍ୱ ପାଇଁ ଏବେ ଏକମାତ୍ର ଉପଚାର ‘ଗାନ୍ଧୀ ବିଚାର’ ବୋଲି ଦଳମତ ନିର୍ବିଶେଷରେ ଅନେକ ରାଷ୍ଟ୍ରନୀତିଜ୍ଞ, ସମାଜ ବିଜ୍ଞାନୀ ଓ କ୍ରାନ୍ତିକାରୀ ସ୍ୱୀକାର କରୁଛନ୍ତି । ଗାନ୍ଧୀ କେବଳ ଭାରତର ନୁହନ୍ତି, ସେ ସମଗ୍ର ବିଶ୍ୱର ଅମୂଲ୍ୟ ସମ୍ପତ୍ତି ଓ ଅଲିଭା ଶିଖା । ଗାନ୍ଧୀ ବିଚାରକୁ ମାରିବା ପାଇଁ ସାମାଜିକ ଗଣମାଧ୍ୟମରେ କିଛି ଅସାମାଜିକ ବ୍ୟକ୍ତି ନିମ୍ନ ରୁଚିର ଆପତ୍ତିଜନକ ମନ୍ତବ୍ୟମାନ ଦେଉଥିବା ବେଳେ ଏହି ଅମୃତ ବିଚାର କିନ୍ତୁ ଦେଶ ବିଦେଶରେ ପ୍ରସାରିତ ହେଉଛି ।

Leave a Reply

Your email address will not be published. Required fields are marked *