ସାନଖେମୁଣ୍ଡି ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ରାଜବାଟିରୁ ଶଙ୍ଖଭବନ ଯାଏଁ ଲମ୍ବିଛି ଅଭିଯୋଗ

ବ୍ରହ୍ମପୁର: ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଗଞ୍ଜାମ ଜିଲାରେ ବିଜେଡ଼ି ସଙ୍ଗଠନ ମଧ୍ୟରେ ଗୋଷ୍ଠୀ କନ୍ଦଳ ସମ୍ପର୍କିତ ଖବର ଅଧିକ ବାହାରକୁ ଆସିଛି। ପ୍ରାୟ ତିନି ବର୍ଷ ତଳୁ ଗୋପାଳପୁର,ଦିଗପହଣ୍ଡିରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଏବେ ଅନ୍ୟ ଆସନ ଗୁଡିକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି। ଗତଥର ବିଜେଡି ଜିଲ୍ଲାର ଅନ୍ୟ ୧୨ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ସାନଖେମୁଣ୍ଡି ଆସନରେ ଦଳ ପରାଜିତ ହୋଇଥିଲା। ଏହା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରାଧାନ୍ୟ ଦିଆଗଲା। ମାତ୍ର ଏହାର ସୁଫଳ ଅଦ୍ୟାବଧି ଦେଖିବାକୁ ମିଳିନାହିଁ। ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ ନେତା ରମେଶ ଜେନା ସକ୍ରିୟ ଥିବା ବେଳେ, ବିଜେଡି ବହୁ ଗୋଷ୍ଠୀରେ ବିଭକ୍ତ ହୋଇଛି। ସାନଖେମୁଣ୍ଡି ବିଜେଡି କଳି ସ୍ଥାନୀୟ ହୋଇ ରହିନାହିଁ। ଏହା ଭାୟା ବ୍ରହ୍ମପୁର ଦେଇ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି।

ଗୋଷ୍ଠୀ କନ୍ଦଳ ଏତେ ତୀବ୍ରତର ହେବାରେ ଲାଗିଛି ଯେ, ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କ ବିରୋଧରେ ୩ଜଣ ଜିଲା ପରିଷଦ ସଦସ୍ୟ ଏବଂ ୨୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଦଳର ଶୀର୍ଷ ନେତୃତ୍ୱ ସମ୍ମୁଖରେ ଆପତ୍ତି ଜଣାଇଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁବନେଶ୍ଵର(କେନ୍ଦ୍ର) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସାନଖେମୁଣ୍ଡି ଦାୟିତ୍ୱ ଦିଆଯାଇଥିଲା। ସମସ୍ତଙ୍କୁ ଏକାଠି କରିବାରେ ସେ ସାମୟିକ ସଫଳ ହୋଇଥିଲେ। ବିଧାୟକ ରମେଶଙ୍କ ପ୍ରାଦୁର୍ଭାବ ସତ୍ତ୍ୱେ ବିଜେଡ଼ି ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଲା। କିନ୍ତୁ ନିର୍ବାଚନ ପରେ ଅନନ୍ତ ନାରାୟଣ ଜେନା ଦଳୀୟ ଶୀର୍ଷ ନେତୃତ୍ୱ କ୍ରମେ ନିଜ ନିର୍ବାଚନମଣ୍ଡଳୀରେ ଫୋକସ୍ କଲେ। ମାତ୍ର ଶୀର୍ଷ ନେତୃତ୍ୱର ଅନୁପସ୍ଥିତି କାରଣରୁ ବିଜେଡି ଗୋଷ୍ଠୀଗୁଡ଼ିକ ପୁଣି ଥରେ ସକ୍ରିୟ ହୋଇଗଲେ। ବିଶେଷକରି ସାନଖେମୁଣ୍ଡି ଜନ୍ମିତ ନେତ୍ରୀ ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ତାଙ୍କର ଘନିଷ୍ଠ ଧିରେ ଧିରେ ସକ୍ରିୟ ହେବାରେ ଲାଗିଲେ। ଅନ୍ୟପଟେ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେଉଥିବା ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କ ବିରୋଧରେ କର୍ମୀମାନଙ୍କ ଅସନ୍ତୋଷ ମଧ୍ୟ ବଢ଼ିଚାଲିଛି। ନନ୍ଦିନୀ ଦେବୀ ନିଜର ନିର୍ଦ୍ଧିଷ୍ଟ କେତେକ ଘନିଷ୍ଠଙ୍କ ଦ୍ୱାରା ସେ ପରିଚାଳିତ ହେଉଛନ୍ତି ବୋଲି ସ୍ଥାନୀୟ କର୍ମୀମାନେ ଅଭିଯୋଗ କରିଛନ୍ତି । ନିର୍ବାଚନମଣ୍ଡଳୀରେ ଏମିତି କିଛି ନେତା ଅଛନ୍ତି, ଯେଉଁମାନେ ବିଧାୟକ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି ଏବଂ ସମାନ୍ତରାଳ ସଂଗଠନ କରୁଛନ୍ତି। ତେବେ ଗତ ମାସରେ ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ନୀଳମାଧବ ରାଉତଙ୍କୁ ଦଳରୁ ନିଲମ୍ବନ ପରେ କନ୍ଦଳ ଆହୁରି ତୀବ୍ରତର ହୋଇଛି। ତାଙ୍କ ନିଲମ୍ବନ ପଛରେ ନନ୍ଦିନୀ ଦେବୀଙ୍କ ଗୋଷ୍ଠୀର ହାତ ଥିବା କୁହାଯାଉଛି। ଏହାର ପ୍ରତିବାଦରେ ବିଜେଡ଼ିରୁ ବହୁ ନେତା ଇସ୍ତଫା ମଧ୍ୟ ଦେଇଛନ୍ତି। ବରିଷ୍ଠ ନେତାମାନେ ବୁଝାସୁଝା କରିବା ସତ୍ତ୍ୱେ ସେମାନେ ଇସ୍ତଫା ପ୍ରତ୍ୟାହାର କରିନାହାନ୍ତି।

ଅନ୍ୟପଟେ କେବଳ ସଂଗଠନ ନୁହଁ, ବରଂ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ନେଇ ମଧ୍ୟ ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହୋଇପଡ଼ିଛି। ନନ୍ଦିନୀ ଦେବୀଙ୍କ ପରାମର୍ଶ କ୍ରମେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ତରଫରୁ ୪ଟି ପଞ୍ଚାୟତକୁ ୧ କୋଟି ୨୫ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଇଥିଲା। ଏହାର ପ୍ରତିବାଦରେ ଅନ୍ୟ ଅଞ୍ଚଳର ନେତାମାନେ ଆଗକୁ ଆସିଥିଲେ। ଗତ ଜୁନ ମାସ ୨୫ରେ ପାଟପୁର ବୁଦ୍ଧେଶ୍ୱର ମନ୍ଦିରରେ ୩ଜଣ ଜିଲା ପରିଷଦ ସଦସ୍ୟ ଏବଂ ୨୨ଟି ପଞ୍ଚାୟତର ସମିତି ସଭ୍ୟ ଏବଂ ସରପଞ୍ଚ ଏକାଠି ବୈଠକରେ ଯୋଗଦେଇଥିଲେ। ଏହି ବୈଠକ ପରେ ବହୁ ପଦାଧିକାରୀ ଏବଂ କର୍ମୀ ବିଜେଡ଼ିରୁ ଇସ୍ତଫା ମଧ୍ୟ ଦେଇଥିଲେ। କଥା ସାଂସଦ ବିଷୋୟୀଙ୍କ ପାଖରେ ପହଞ୍ଚିବା ପରେ ସେ ନିଜେ ଗତ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ଗସ୍ତ କରିଥିଲେ। ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ କରିଥିଲେ। ପୁଣିଥରେ ୭୫ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା ସହିତ ପୂର୍ବରୁ ଘୋଷଣା କରାଯାଇଥିବା ୧କୋଟି ୨୫ ଲକ୍ଷ ଟଙ୍କାକୁ ସମସ୍ତ ୨୬ଟି ପଞ୍ଚାୟତରେ ଉନ୍ନତିକରଣ ଦିଗରେ ଖର୍ଚ୍ଚ କରିବାକୁ ଶ୍ରୀମତା ବିଷୋୟୀ ପରାମର୍ଶ ଦେଇଥିଲେ।

ତେବେ ଅସନ୍ତୋଷର ନିଆଁକୁ ଲିଭାଇବାକୁ ସାଂସଦ ଉଦ୍ୟମ କରିଥିଲେ ମଧ୍ୟ ଏହା ବିଫଳ ହୋଇଛି। ଶେଷରେ ସାନଖେମୁଣ୍ଡି ଝଗଡ଼ା ସ୍ଥାନୀୟ ରାଜବାଟିରୁ ବାହାରି ଶଙ୍ଖ ଭବନରେ ପହଞ୍ଚିଲାଣି। ନିର୍ବାଚନମଣ୍ଡଳୀର ୩ଜଣ ଜିଲା ପରିଷଦ ସଦସ୍ୟ ଏବଂ ୨୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଅନ୍ୟ ନେତାମାନେ ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତିନିଧି ସାମନାରେ ଫେରାଦ ହେଲେ। ଏହି ଗୋଷ୍ଠୀ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ବିରୋଧରେ ଅଭିଯୋଗ ସହିତ ସଂଗଠନକୁ ସଜାଡ଼ିବା ପାଇଁ ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି। ତେବେ ଦଳର ସାଧାରଣ ସଂପାଦକ(ସଂଗଠକ) ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀ ଦାସ ସମ୍ବଲପୁରରେ ଥିବା ଯୋଗୁ ସାକ୍ଷାତ ହୋଇପାରିନଥିଲା। ମାତ୍ର ଗୋଷ୍ଠୀ ଭିଡ଼ିଓ କଲ୍ରେ ବବିଙ୍କ ସହ କଥା ହୋଇଥିଲେ। ମାତ୍ର ଏତେ ସବୁ ସତ୍ତ୍ୱେ ବି କନ୍ଦଳ ଥମିବାର ନାଁ ଧରୁନି।