ମୋହର ନାଁ ବିଜ୍ଞାପନ, ୨୭ ଟଙ୍କାରେ ହୁଏନା ସଶକ୍ତିକରଣ

ଭୁବନେଶ୍ୱର: (ସତ୍ୟଜିତ ମିଶ୍ର)- ଇଂରାଜୀରେ ଏକ ବିଶ୍ୱସ୍ତରୀୟ ପତ୍ରିକା Heritageର ସମ୍ପାଦନା କରୁଥାନ୍ତି ଚେତନାର ନିଶବ୍ଦ କଥାକାର ମନୋଜ ଦାସ।
ପତ୍ରିକାଟି ସୁଦୃଶ୍ୟ, ଅତୀବ ମନୋରମ, ତତସହିତ ଥିଲା କଳା, ସ୍ଥାପତ୍ୟ, ସାହିତ୍ୟର ଏକ ଚମତ୍କାର blend. ନିଜକୁ ଚିପୁଡି ଦେଇଥିଲେ ସେ।
ମନୋଜ ଦାସ ଯେତେବେଳେ ଚିପୁଡି ହୁଅନ୍ତି ସେତେବେଳେ ଅମୃତ ଝରେ। ଧୀରେ ଧୀରେ Heritage ର୍ ସ୍ଥାନ କଫିଟେବୁଲ ରୁ ଉଠିଯାଇ ତକିଆ ତଳେ ରହିଲା। ଶାଶ୍ୱତର ସ୍ପର୍ଶରେ ସୁନିଦ୍ରା ହେଲା।
ଇତିହାସ ସାକ୍ଷୀ ଅଛି, ଭଲ ସହ ଲଢ଼ିବା ପାଇଁ ମନ୍ଦର ଅସ୍ତ୍ର ଓ ଢାଲ ସବୁବେଳେ ଥାଏ। ସେୟା ହିଁ ହେଲା। Heritage ପାଇଁ ବିଜ୍ଞାପନ ଦାତା ମିଳିଲେ ନାହିଁ। ବିଜ୍ଞାପନ ଦାତା ଯୋଗାଡ଼ କରିବାର କଳା ସମ୍ପାଦକଙ୍କୁ ଜଣା ନଥିଲା ଓ ସେ ଆୟତ୍ତ କରିବାକୁ ଚାହୁଁ ବି ନଥିଲେ।
ଶେଷରେ ଦେଶର ଅନ୍ୟତମ ବଡ଼ କମ୍ପାନି ITC ଆଗେଇ ଆସିଲା Heritage ର ପ୍ରାୟୋଜକ ହେବା ପାଇଁ।
ସ୍ବର୍ଗତ ମନୋଜ ଦାସ ଚିନ୍ତାମୁକ୍ତ ହେବେ କଣ ଚିନ୍ତା ମଗ୍ନ ହେଲେ।
ଚେତନାର ତରଙ୍ଗ ସହ ବିଜ୍ଞାପନ ମୋହର ସଂଘାତ ହେଲା।
ଚେତନା ଜିତିଲା।
ମନୋଜ ବାବୁ ITC ର ବିଜ୍ଞାପନକୁ ନା କହିଲେ। ITC ହେଉଛି ଦେଶର ଅଗ୍ରଣୀ Tobacco ପ୍ରସ୍ତୁତକାରୀ କମ୍ପାନୀ। ଆପଣ ଯେଉଁ ଶସ୍ତା ଓ ଦାମୀ ସିଗାରେଟ ପିଉଛନ୍ତି ସବୁ ITC ର୍। ଏବେ ଅବଶ୍ୟ ITC ହୋଟେଲ ଶିଳ୍ପରେ ପ୍ରବେଶ କଲାଣି।
ତେବେ ସେ ଯାହା ହେଉ, ଯୁବ ସମାଜକୁ ବିଭ୍ରାନ୍ତିରୁ ରକ୍ଷା ପାଇଁ ବରଂ ସେ ନିଜର ପ୍ରାଣପ୍ରିୟ ପତ୍ରିକାକୁ ଜୁଇ କାଠରେ ଚଢାଇ ଦେଲେ।
ସେ ତ ଥିଲା ସିଗାରେଟ।
ଗତକାଲି ଅର୍ଥାତ ସେପ୍ଟେମ୍ବର ୧୭, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ରେ ତାଠାରୁ ଏକ ଭୟଙ୍କର ମିଛର ବିଜ୍ଞାପନ ଦିଆ ଯାଇଥିଲା l
ବିଜ୍ଞାପନଟି ହେଉଛି, ମୋଦି ଯାହା କହିଥିଲେ, ତା କରି ଦେଲେ।
ଏଭଳି ଏକ ନିର୍ଘାତ ମିଛକୁ ନିଜ ଖବରକାଗଜ ରେ ଛାପିବା ପାଇଁ ପାଶବିକ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଗଲା। ଯେଉଁମାନେ ପାଇଲେ ନୀରବ ଖୁସି, ଯେଉଁମାନେ ନପାଇଲେ ଦୁଃଖୀ।
ଏହା ଏଇଥିପାଇଁ ଏକ ବିଶାଳ ମିଛ ଯେ ନିଜେ ମୋଦି କହିଥିଲେ 2 ବର୍ଷରେ 50 ହଜାର। ସେ ଭିଡିଓ ବାର୍ତ୍ତା ସମସ୍ତଙ୍କ ପାଖେ ଅଛି। ଏବେ ଆସି ଉଦଘାଟନ କଲେ ୫ ବର୍ଷରେ ୫୦ ହଜାର। ବର୍ଷକୁ ୧୦,୦୦୦ ଟଙ୍କା l ମାସିକ ମାତ୍ର ୮୩୩ ଟଙ୍କା ଏବଂ ଦିନକୁ ମାତ୍ର ୨୭ ଟଙ୍କା l
ଗାଁ ଲୋକଙ୍କୁ ମରଣ ଭୋଜି ଦେବା ଓ ଶୁଦ୍ଧିକ୍ରିୟା ରେ ମାତି ଯେପରି ସେହି ଦଶ ଦିନ ନିଜ ଆତ୍ମୀୟର ବିୟୋଗ ମଣିଷ ଭୁଲିଯାଏ, ସେହିପରି ପ୍ରଧାନମନ୍ତ୍ରୀ ଆସୁଥିବାର ଗହଳ ଚହଳ ଭିତରେ ବୋଧହୁଏ ମାଲିକମାନେ ଭୁଲିଗଲେ ଯେ ଏହା ଏକ ମିଥ୍ୟା ବିଜ୍ଞାପନ। ମୋଦି ଯାହା କହିଛନ୍ତି, ତା କେଭେଁ ପୂରଣ କରି ନାହାନ୍ତି।
ଏ ବିଜ୍ଞାପନକୁ ମନା କରିବାର ତାକତ ଆମର ଏଥିପାଇଁ ନାହିଁ ଯେ ଆମ ଭିତରେ ଚେତନା ନାହିଁ। ମୋହ ଅଛି। ଆମ ଚେତନା ଓ ମୋହର ସଂଘାତ ହେବାର ଆଶୀର୍ବାଦ ବି ଆମେ ପାଇନୁ।
କେହି ଯେବେ ହାଡ଼ ଚୋବାଏ, ତା ପାଟିରୁ ରକ୍ତ ବାହାରେ।
ନିଜ ରକ୍ତ ସେ ଯେତେବେଳେ ଚାଖେ, ରକ୍ତର ସ୍ୱାଦ ତାକୁ ଆଲ୍ହାଦ ଦିଏ। ସେ ଭାବେ ଯେ ମୁଁ ରକ୍ତ ଭକ୍ଷଣ କରୁଛି। ସୁଧିଜନେ ୟାକୁ ହିଁ କହନ୍ତି ମୋହ।