ଜିଏସ୍‌ଟି ଠକେଇ ରୋଗିବ ଡାଟା ଆନାଲିଟିକ୍ସ

               ଜିଏସ୍‌ଟିରେ ହେଉଥିବା ଠକେଇକୁ ରୋକିବା ଲାଗି ଜିଏସ୍‌ଟି ଗୁଇନ୍ଦା ମହାନିର୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ଡାଟା ଆନାଲିଟିକ୍ସ ବ୍ୟବହାର କରାଯାଉଛି। ଯୋଗାଣ ଶୃଙ୍ଖଳରେ ରହୁଥିବା ତାରତମ୍ୟକୁ ଧରିବାରେ ତାହା ସହାୟକ ହୋଇପାରିବ। ଗତ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଥିବାରୁ ତାହାର ମୁକାବିଲା କରିବା ଲାଗି ପ୍ରୟାସ ଚାଲିଛି । ଜଣେ ଅଧିକାରୀ କହିଛନ୍ତି ଯେ ଯୋଗାଣ ଶୃଙ୍ଖଳ ଲାଗି ଯେତିକି ଟଙ୍କାର ଜିଏସ୍‌ଟି ପୈଠ କରାଯାଇଛି, ସେଥିପାଇଁ ସବୁ ସ୍ତରରେ ଜିଏସ୍‌ଟି ପୈଠ ହୋଇଛି ନା ନାହିଁ ତାହା ଜାଣିବା ଲାଗି ଡାଟା ଆନାଲିଟିକ୍ସକୁ ବ୍ୟବହାର କରାଯାଉଛି। ପୁରୁଣା ଟିକସ ବ୍ୟବସ୍ଥାରେ ଗୋଟିଏ କ୍ଷେତ୍ରରୁ କେତେ ଟିକସ ମିଳୁଛି ଏବଂ ଜିଏସ୍‌ଟି ଲାଗୁ‌ ହେବା ପରେ କେତେ ମିଳୁଛି, ସେହି ତଥ୍ୟକୁ ଅନୁଶୀଳନ କରାଯାଉଛି। ଯେହେତୁ ଜିଏସ୍‌ଟି ବ୍ୟବସ୍ଥାରେ ଏକପ୍ରକାର ସ୍ଥିରତା ଆସିଲାଣି, ତେଣୁ ସରକାର ଏବେ ଠକେଇ ରୋକିବା ଉପରେ ଅଧିକ ଜୋର ଦେଉଛନ୍ତି। ଟିକସ ଏଡ଼ାଇବା କିମ୍ବା ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ବ୍ୟବସାୟୀଙ୍କ ଲାଗି ଯଦି ନିୟମରେ ଅଧିକ ପରିବର୍ତ୍ତନ ଦରକାର ହେବ ତେବେ ସେଥିପାଇଁ ଜିଏସ୍‌ଟି ପରିଷଦକୁ ପ୍ରସ୍ତାବ ଦେବା ବିଷୟରେ ମଧ୍ୟ ବିଚାର କରାଯାଉଛି।  ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଠକେଇ ରୋକିବା ଓ ଜିଏସ୍‌ଟି ସଂଗ୍ରହ ବଢ଼ାଇବା ଲାଗି ଉଦ୍ୟମ କରାଯାଉଛି। ସାମଗ୍ରୀ ଉପରେ ଉତ୍ପାଦନ ସ୍ତରଠାରୁ ନଜର ରଖାଯାଉଛି। ବର୍ଷକ ଭିତରେ ଜିଏସ୍‌ଟି ଠକେଇରେ ଦୁଇ ଗୁଣା ବୃଦ୍ଧି ଘଟିଛି। କେବଳ ଡିଜିଜିଆଇର ଅଧିକାରୀମାନେ ଗତ ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କା ଅସୁଲ କରିବାରେ ସଫଳ ହେହାଇଛନ୍ତି। ୨୦୨୦-୨୧ରେ ଜିଏସ୍‌ଟି ଠକେଇ ମାମଲା ୧୨,୫୯୫ ଥିଲା। ୨୦୨୧-୨୨ରେ ତାହା ୧୨,୫୭୪କୁ ଏବଂ ୨୦୨୨-୨୩ରେ ୧୪ ହଜାରକୁ ବୃଦ୍ଧି ପାଇଛି। ବିଭିନ୍ନ ଉପା‌ୟରେ ଅସାଧୁ ବ୍ୟବସାୟୀମାନେ ଜିଏସ୍‌ଟି ଠକେଇ କରୁଛନ୍ତି। ୨୦୧୭-୨୦୨୩ ମଧ୍ୟରେ ୩.୦୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଚିହ୍ନଟ ହୋଇଛି ବୋଲି ଲୋକସଭାରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତ ମାସରେ ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *