ପୁରୀରୁ ଫେରାର ଗୁଡ୍ଡୁ ମୁସଲିମ
ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ଅତିକ ଅହମଦଙ୍କର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ ପୁରୀରେ ଲୁଚିଥିଲା। ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମର ଏନକାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀ ଠାରେ ଠାବ କରାଯାଇଥିଲା।
ସେ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ଆଶ୍ରୟ ନେଇଥିଵା ପ୍ରାଥମିକ ଭାବେ ଦାବି କରାଯାଇଛି l ତେବେ ତା’କୁ ଟ୍ରାକ୍ କରି ୟୁପି ଏସଟିଏଫ ପୁରୀରେ ପହଞ୍ଚିଲା ବେଳକୁ ସେ ଫେରାର ହୋଇଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଥିଲା l
ଅତିକଙ୍କ ଭାଇ ଅଶରଫ ଗୁଳିମାଡ଼ରେ ପ୍ରାଣ ହରାଇବାର ଠିକ ପୂର୍ବରୁ ଗଣମାଧ୍ୟମ ଆଗରେ ଗୁଡୁ ମୁସଲିମର ନାଁ ମଧ୍ୟ ନେଇଥିଲେ। ସେ କହିଥିଲେ ଯେ “ମୁଖ୍ୟ କଥା ହେଲା ଗୁଡୁ ମୁସଲିମ…।” ଠିକ ଏତିକି କହିଥିବା ବେଳେ ଶନିବାର ୩ ଜଣ ଯୁବକ ଅତିକ ଓ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ଉତ୍ତର ପ୍ରଦେଶ ଏସଟିଏଫ ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିବା ଅତିକଙ୍କ ପୁଅ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଥିଲା।
ଉଲ୍ଲେଖଯୋଗ୍ୟ, ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ ଅନ୍ୟତମ। ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ଗୁଡୁ ମୁସଲିମ ଜଣେ ବୋମା ବିଶେଷଜ୍ଞ ଭାବେ ପରିଚିତ। ସେ ଉମେଶ ପାଲଙ୍କୁ ପ୍ରୟାଗରାଜରେ ହତ୍ୟା କରିବା ପୂର୍ବରୁ ପ୍ରଥମେ ବୋମା ମାଡ଼ କରିଥିଲା। ଏହାର ସିସିଟିଭି ଫୁଟେଜ ମଧ୍ୟ ରହିଛି। ଗୁଡୁ ମୁସଲିମକୁ ଧରିବା ପାଇଁ ପୁଲିସ୍ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।