କାଲି ଉଦ୍ଘାଟନ ହେବ ହାୱଡ଼ା-ପୁରୀ ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’

କୋଲ୍କାତା: ମେ ୧୮ ତାରିଖ ଦିନ ହାୱଡ଼ା-ପୁରୀ-ହାଓଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଉଦ୍ଘାଟନ କରାଯିବ ବୋଲି ଗତକାଲି ଦକ୍ଷିଣପୂର୍ବ ରେଳବାଇ ଜାରି କରିଥିବା ‘ପ୍ରେସ୍ ରିଲିଜ୍’ରେ ଉଲ୍ଲେଖ କରାଯାଇଛି।ଓଡ଼ିଶାର ପୁରୀରେ ଏହି ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ ବୋଲି ସୂଚନାରୁ ଜଣାପଡିଛି । ଉଦ୍ଘାଟିତ ହେବା ପରେ ଏହା ହାୱଡ଼ାରେ ପହଞ୍ଚିବ।
ସୂଚନାଯୋଗ୍ୟ, ‘୨୨୮୯୫/୨୨୮୯୬’ ହାଓଡ଼ା-ପୁରୀ-ହାୱଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ହେବ ପଶ୍ଚିମବଙ୍ଗର ଦ୍ବିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ୍’। ପ୍ରଥମ କରି ଓଡ଼ିଶାକୁ ଯିବା ପାଇଁ ନିର୍ଦ୍ଧାରିତ ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ରେଳବାଇର ଦିକ୍ଷିଣପୂର୍ବ ଡିଭିଜନ୍ ଅଧୀନରେ ଚଳାଚଳ କରିବ।
‘ଆଇଆର୍ସିଟିସି ଆପ୍’ରେ ଯାତ୍ରୀ ମାସୁଲ ସଂକ୍ରାନ୍ତରେ କୌଣସି ସଦ୍ୟତମ ସୂଚନା ପ୍ରଦାନ କରାଯାଇ ନ ଥିବା କଥା ରେଳବାଇ ସୂତ୍ରରୁ ପ୍ରକାଶ। କିନ୍ତୁ, ଗୁରୁବାର ଦିନ ଉଦ୍ଘାଟନ ପରେ ‘ଆପ୍’ ଅଥବା ‘ୱେବ୍ସାଇଟ୍’ ମାଧ୍ୟମରେ ଟିକେଟ୍ କିଣାଯାଇ ପାରିବ। ଏଥିରେ ଥିବା ‘ଚେୟାର୍କାର୍’ ଟିକେଟ୍ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍ ଚେୟାର୍’ ଟିକେଟ୍ର ମୂଲ୍ୟ ୨୯୦୦ ଟଙ୍କାର ଅଟେ ।