ନୂଆ ସଂସଦ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା ହେଉ ନ ଥିବାରୁ ଉତ୍ସବରେ ଯୋଗ ଦେବେନି ୧୯ ରାଜନୈତିକ ଦଳ

ନୂଆଦିଲ୍ଲୀ : ଦେଶର ସଂସଦ ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ଗଠିତ ହୋଇଛି। ଆସନ୍ତା ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ  ହେବାକୁ ଯାଉଛି। ତେଣୁ ଏହାକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ଦେଶର 19 ବିରୋଧି ଦଳ ଦାବି କରିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ବୋଲି ସ୍ଥିର ହୋଇଛି । ଦେଶର ପ୍ରଥମ ନାଗରିକ ତଥା ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ ହେଉଥିବାରୁ  ଏହି ଉଦ୍‌ଘାଟନୀ ଉତ୍ସବକୁ କଂଗ୍ରେସ ସମେତ ମୋଟ ୧୯ଟି ବିରୋଧ ନ ଯିବା ପାଇଁ ସ୍ଥିର କରିଛନ୍ତି।

ଏହି ବିରୋଧି ଦଳ ଗୁଡ଼ିକ ହେଉଛି- ଡିଏମ୍‌କେ, ଆମ୍ ଆଦମୀ ପାର୍ଟି , ଟିଏମ୍‌ସି, ଶିବ ସେନା (ୟୁବିଟି), ସମାଜବାଦୀ ପାର୍ଟି, ସିପିଆଇ, ଜେଏମ୍‌ଏମ୍‌, କେରଳ କଂଗ୍ରେସ (ମଣି), ଭିସିକେ, ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି), ଜେଡି (ୟୁ), ଏନ୍‌ସିପି, ସିପିଆଇଏମ୍‌, ରାଷ୍ଟ୍ରୀୟ ଜନତା ଦଳ (ଆରଏଲଡି), ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମ୍‌ଏଲ), ନ୍ୟାଶନାଲ କନଫରେନ୍ସ (ଏନ୍‌ସି), ଆରଏସ୍‌ପି ଓ ଏମ୍‌ଡିଏମ୍‌କେ। କେଇ ଘଣ୍ଟା ପୂର୍ବରୁ ସମସ୍ତ ବିରୋଧି ଦଳ ଏକ ମିଳିତ ପ୍ରେସ୍ ବାର୍ତ୍ତା ପ୍ରେରଣ କରିଥିଲେ।

ଏହି ମିଳିତ ବିବୃତ୍ତିରେ ବିରୋଧିଙ୍କ ପକ୍ଷରୁ କୁହାଯାଇଛି ଯେ, ମହାମହିମ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ପ୍ରଧାନମନ୍ତ୍ରୀ ନିଜେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବା ନିଷ୍ପତ୍ତି ଆମ ଗଣତନ୍ତ୍ର ପ୍ରତି କେବଳ ଅପମାନ ନୁହେଁ, ଏହା ଗଣତନ୍ତ୍ରକୁ ଆକ୍ରମଣ ସଦୃଶ । ରାଷ୍ଟ୍ରପତି କେବଳ ଭାରତର ମୁଖ୍ୟ ନୁହନ୍ତି, ସେ ସଂସଦର ଜଣେ ଅବିଚ୍ଛେଦ୍ୟ ଅଂଶ। ରାଷ୍ଟ୍ରପତିଙ୍କ ବିନା ପାର୍ଲାମେଣ୍ଟ ଚାଲିପାରିବ ନାହିଁ। ତଥାପି ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂଆ ସଂସଦ ଭବନର ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ସହିତ ସମ୍ବିଧାନରେ ରହିଥିବା ନିୟମର ଉଲ୍ଲଂଘନ ମଧ୍ୟ। ଦେଶ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ପାଇ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଣଦେଖା କରି ଅପମାନ କରିଥିବା ବିବୃତ୍ତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *