RSS@100 : ହିନ୍ଦୁରାଷ୍ଟ୍ର ବିଚାର ଓ ଇଂରେଜ ମୋହର
ନୂଆଦିଲ୍ଲୀ :(ବିଜୟ ସାହୁ)-ସାବରକର ଓ ଗୋଲୱାକରଙ୍କ ହିନ୍ଦୁ ରାଷ୍ଟ୍ର ଦର୍ଶନ ଇଂରେଜ ଶାସକ ମଧ୍ୟ ଉନବିଂଶ ଶତାବ୍ଦୀରେ ମୋହର ମାରିଥିଲେ । ସେତେବେଳେ ଭାରତରେ ଏହି ଦୁଇ ହିନ୍ଦୁତ୍ୱ ଦାର୍ଶନିକଙ୍କ ପ୍ରଭାବ କେବଳ ତଦାନୀନ୍ତନ କେନ୍ଦ୍ର ପ୍ରୋଭିନ୍ସ ଓ ମହାରାଷ୍ଟ୍ରର ନାଗପୁରର ସୀମିତ ଅଞ୍ଚଳରେ ବ୍ରାହ୍ମଣଙ୍କ ମଧ୍ୟରେ ଥିଲା ।
ବ୍ରିଟେନର ଜଣେ ରାଜନୀତିଜ୍ଞ ଥିଲେ ସ୍ତ୍ୟାନଲେ ବାଲଡ଼ୱିନ । ସେ କନଜର୍ଭେଟିଭି ପାର୍ଟିରୁ ପ୍ରଥମ ବିଶ୍ଵଯୁଦ୍ଧ ପରେ ଓ ଗ୍ରେଟ ଡିପ୍ରେସନ ସମୟରେ ତିନି ଥର ପ୍ରଧାନମନ୍ତ୍ରୀ ହେଇଥିଲେ ।
ତାଙ୍କ ତଳେ ଥିଲେ ଚେମ୍ବରଲିନ, ଚର୍ଚିଲ ଯିଏ ମଧ୍ୟ ପ୍ରଧାନମନ୍ତ୍ରୀ ହେଇଥିଲେ ।
ମୁଁ ପୂରା ବ୍ରିଟେନ ଆଡେ ଯାଉନି । କେବଳ ଭାରତ ହିନ୍ଦୁ ରାଷ୍ଟ୍ର ତତ୍ୱକୁ ପୁଷ୍ଟ କରିବା ପାଇଁ ସେ ଯେତିକି ପ୍ରାଗଐତିହାସିକ ଆର୍ଯ୍ୟ ଜାତି ତଥ୍ୟ ବ୍ରିଟିଶ ପାର୍ଲିଆମେଣ୍ଟ ପଟଳ ଉପରେ ରଖିଥିଲେ ମୁଁ ତହିଁରୁ କିଛି ଉଲ୍ଲେଖ କରିବି ।
7 ନଭେମ୍ବର 1929 ,ବ୍ରିଟିଶ ପାର୍ଲିଆମେଣ୍ଟର ନିମ୍ନ ସଦନ (House of Commons ) ରେ ବର୍ଣ୍ଣବାଦୀ ତତ୍ତ୍ୱ ଉପରେ ତର୍କ କରି କହିଥିଲେ ଯେଣୁ ଇଂରେଜ,ରାଜପୁତ ଓ ବ୍ରାହ୍ମଣମାନେ ମୂଳ ଆର୍ଯ୍ୟ ଜାତିର ଅଙ୍ଗ ବିଶେଷ, ତେଣୁ ଭାରତରେ ବ୍ରିଟିଶ ଶାସନକୁ କୌଣସି ପ୍ରକାରେ ଆଧିପତ୍ୟ ଭାବରେ ବିଚାର କରିବା ଉଚିତ ନୁହେଁ । ସେ ଏହି ରୋଚକ ତର୍କରେ କହି ଥିଲେ –
ଦୁଇ ବଂଶାବଳୀ ଶାଖା ଈଶ୍ୱରଙ୍କ କୃପାରୁ ପୁଣି ପରସ୍ପର ସହିତ ମିଳନ ହେଇଛନ୍ତି , ଅତଏବ ଉଭୟେ ମିଳିମିଶି କାର୍ଯ୍ୟ କରିବା ଦରକାର । ଭାରତରେ ବ୍ରିଟିଶ ଶାସନ ପ୍ରତିଷ୍ଠା କରି ଈଶ୍ୱର ବ୍ରିଟିଶ ଜାତିକୁ କହିଛନ୍ତି , ‘ ଦୀର୍ଘ ବିଚ୍ଛେଦ ପରେ ତୁମ୍ଭେ ଓ ଭାରତୀୟଙ୍କ ମିଳନ ଘଟିଛି । ଅତଏବ, ମନେରଖିବା ଉଚିତ ଯେ ତୁମ୍ଭେ ହେଉଛ ଏକା ମାଂସର ମାଂସ, ଏକା ରକ୍ତର ରକ୍ତ । ଯେତେ ଶୀଘ୍ର ସମ୍ଭବ ସେମାନଙ୍କୁ ତୁମ୍ଭମାନଙ୍କ ସ୍ତରକୁ ଉନ୍ନୀତ କରିବା ତୁମ୍ଭର କର୍ତ୍ତବ୍ୟ । ଉଭୟେ ଦୁଇ ଭାଇ ସଦୃଶ କାର୍ଯ୍ୟ କରି ମାନଵଜାତିର ବିବର୍ତନ କର ।’ ( H D Sharma’s 100 Best Pre-independence Speeches)
ଭାଇସରାୟ ଲର୍ଡ଼ ଇରୱିନଙ୍କ ଅକ୍ଟୋବର 31,1929ରେ ଭାରତରେ Dominion Status for India ରିପୋର୍ଟ ବ୍ରିଟିଶ ମିଡ଼ିଆରେ ପ୍ରକାଶ ପାଇବା କିଛି ଦିନ ପରେ ବ୍ରିଟିଶ ନିମ୍ନ ସଦନରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ Conservative Party ନେତା ଭାବରେ ସ୍ତ୍ୟାନଲେ ବାଲଡ଼ୱିନ ଉପରୋକ୍ତ ତର୍କ କରିଥିଲେ ।
ପୂରା ଭାଷଣଟି api.parliament. uk ରେ ଉପଲବ୍ଧ ।
ସାବରକରଙ୍କ 1923 ରେ ହିନ୍ଦୁ ଗୋଟିଏ ସ୍ୱତନ୍ତ୍ର ଜାତି ( nation ) ବୋଲି ଦାବୀ ଓ ଗୋଲୱାକରଙ୍କ ପରବର୍ତ୍ତୀ ସମୟରେ ସମର୍ଥନ ଯୋଗୁଁ ଏହା ମୁସଲିମ ଲିଗକୁ ଦ୍ବି-ଜାତୀୟ ତତ୍ତ୍ୱର ଆଦର୍ଶଗତ ଭିତ୍ତି ପ୍ରଦାନ କରିଥିଲା । ମହମ୍ମଦ ଇକବାଲ ବ୍ରିଟିଶ ପାର୍ଲିଆମେଣ୍ଟରେ ସ୍ତ୍ୟାନଲେ ବାଲଡ଼ୱିନ ଓ ସାବରକରଙ୍କ ତତ୍ତ୍ୱର ଖିଅ ଧରି 1930 ଡିସେମ୍ବର ଆଲାହବାଦ ମୁସଲିମ ଲିଗ ଅଧିବେଶନରେ ସଭାପତି ଉଦବୋଧନ ବେଳେ ଭାରତର ପଶ୍ଚିମ ଅଞ୍ଚଳରେ ମୁସଲିମ ଅଞ୍ଚଳ ଗଠନ ବିଚାର ପ୍ରକାଶ୍ୟ ରେ ଘୋଷଣା କଲେ ।
ସେ କହିଲେ -ଭାରତ ହେଉଛି ଭିନ୍ନ ଭିନ୍ନ ଭାଷା କହୁଥିବା, ଭିନ୍ନ ଭିନ୍ନ ଧର୍ମ ପାଳନ କରୁଥିବା ବିଭିନ୍ନ ଜାତିର ମଣିଷ ଗୋଷ୍ଠୀଙ୍କୁ ନେଇ ଗଢି ଉଠିଥିବା ଏକ ମହାଦେଶ । ସେମାନଙ୍କ ଜୀବନ ଚର୍ଯ୍ୟା ସମାନ ଜାତୀୟ- ଚେତନା ଦ୍ଵାରା ନିର୍ଦ୍ଧାରିତ ନୁହେଁ ।
ଭାରତରେ ହିନ୍ଦୁ-ମୁସଲିମ ସାମ୍ପ୍ରଦୟିକ ରାଜନୀତିକୁ ତୀକ୍ଷ୍ଣ ଭାବରେ ସମୀକ୍ଷା କରିଥିବା
ଡ ଆମ୍ବେଦକର କହିଥିଲେ –
ଏକଥା ଆଶ୍ଚର୍ଯ୍ୟ ଲାଗିପାରେ, ମିଷ୍ଟର ସାବରକର ଓ ମିଷ୍ଟର ଜିହ୍ନା ଗୋଟିଏ ଜାତି ବନାମ ଦ୍ଵି-ଜାତି ପ୍ରଶ୍ନରେ ପରସ୍ପରକୁ ବିରୋଧ କରିବା ପରିବର୍ତ୍ତେ ଉଭୟେ ସମ୍ପୂର୍ଣ୍ଣ ଭାବରେ ଏକମତ । ଉଭୟେ କେବଳ ସ୍ୱୀକାର କରୁ ନାହାନ୍ତି, ବରଂ ସହମତି ପ୍ରକାଶ କରୁଛନ୍ତି ଯେ ଭାରତରେ ଦୁଇଟି ଜାତି ରହିଛି – ଗୋଟିଏ ହିନ୍ଦୁ ଜାତି ଓ ଅନ୍ୟଟି ମୁସଲିମ ଜାତି । ଦୁହିଁଙ୍କ ମଧ୍ୟରେ କେବଳ ପାର୍ଥକ୍ୟ ହେଉଛି, କେଉଁ ନିୟମ ଓ ସର୍ତ୍ତରେ ଦୁଇ ଜାତି ଜୀବନ ଯାପନ କରିବେ ।
ବର୍ଣ୍ଣ-ଭିତ୍ତିକ ଜାତୀୟତାବାଦକୁ ସ୍ପଷ୍ଟ ଭାବରେ ଆଗକୁ ନେଇଥିବା ହିନ୍ଦୁତ୍ୱ ପ୍ରବକ୍ତା ଗୋଲୱାକର ବସ୍ତୁତଃ ମୁସଲିମ-ସଂପ୍ରଦାୟିକତାର ପରିପୂରକ ଥିଲେ । ମୁସଲିମମାନେ ହିନ୍ଦୁ ସାମ୍ପ୍ରଦାୟିକତାବାଦୀଙ୍କ ତର୍କକୁ
ଉତ୍ଥାପନ କରି ମୁସଲିମ ଏକ ସ୍ୱତନ୍ତ୍ର ଜାତି ଆଧାରରେ ନିଜ ହୋମ ଲ୍ୟାଣ୍ଡ ଦାବି ଉଠେଇ ଥିଲେ । ଗୋଲୱାକର ମଧ୍ୟ 1947 ଅକ୍ଟୋବର ମାସରେ ଯେତେବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ କ୍ୟାଡରମାନଙ୍କୁ ଉଦ୍ବୋଧନ ଦେଇଥିଲେ , ସେତେବେଳେ କହିଥିଲେ, “I owe my love for sangh to Mr
Jinnah ”
ତେଣୁ ଭାରତ ବିଭାଜନ ପାଇଁ ଦ୍ଵି ଜାତୀୟ ତତ୍ତ୍ୱର ଦାର୍ଶନିକ ଗୁରୁ କିଏ ବୁଝିବା ମୁସ୍କିଲ ।
ବ୍ରିଟିଶ ଚତୁର ବଣିକ ଜାତି । ଇଷ୍ଟ ଇଣ୍ଡିଆ କମ୍ପାନୀ ମାଧ୍ୟମରେ ବ୍ରିଟିଶ ଔପନିବେଶିକ ଶାସକଙ୍କ ଭାରତରେ ଏକ ସଫଳ ପ୍ରୟୋଗ ଥିଲା ଧର୍ମ ଧର୍ମ ଭିତରେ ବିଭେଦ ସୃଷ୍ଟି କରି ଦୀର୍ଘ କାଳ ଶାସନ କରିବା ।
1857 ବିଦ୍ରୋହରେ ଭାରତର ଦୁଇ ମୁଖ୍ୟ ଧର୍ମୀୟ ସମ୍ପ୍ରଦାୟ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଲଢେଇ କରିଥିଲେ । ଏହାକୁ ଦମନ କରିଦେବା ପରେ ବ୍ରିଟିଶ ରାଜ ଭିତରେ ଆତଙ୍କ ଭାବନା ଦୂର ହେଇ ନଥିଲା । କାରଣ 1860 ପର୍ଯ୍ୟନ୍ତ ପୁଣି ବ୍ରିଟିଶ ସରକାରଙ୍କୁ ଭାରତରୁ ବିତାଡିତ କରିବା ପାଇଁ ବିଦ୍ରୋହୀମାନେ ସଂଗଠିତ ହେଉଥିଲେ ।ତେଣୁ ବ୍ରିଟିଶ ସରକାର ଦୁଇ ବୃହତ ସମ୍ପ୍ରଦାୟ ଭିତରେ ବିବାଦ ସୃଷ୍ଟି କରି ଶାସନ କରିବା ଚିନ୍ତା କଲେ ।
ଭାରତ ପାଇଁ ନିଯୁକ୍ତ ବୈଦେଶିକ ମନ୍ତ୍ରୀ ( Secy of state for India) ସାର ଚାର୍ଲସ ଉଡ଼ 1862 ରେ ଭାଇସରାୟ ଲର୍ଡ଼ ଏଲଗିନଙ୍କୁ ଚିଠି ଲେଖିଲେ –
” ଆମେ ଭାରତରେ ଆମର କ୍ଷମତା କୁ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ବିରୁଦ୍ଧରେ ଉସକେଇ ବଜାୟ ରଖି ପାରିଛେ ଓ ଆମକୁ ସେଇ ନୀତି ଚାଲୁ ରଖିବାକୁ ପଡିବ ।
ତେଣୁ ସମସ୍ତଙ୍କ ଭିତରେ ଏକ ସାମୁହିକ ଅନୁଭୂତି ସୃଷ୍ଟି ନ ହେବା ପାଇଁ ଆମେ ଯଥାସାଧ୍ୟ ଚେଷ୍ଟା କରିବୁ “
ଏହି ଯଥାସାଧ୍ୟ ଚେଷ୍ଟା ହେଉଛି ଦ୍ଵି ଜାତୀୟ ତତ୍ତ୍ୱକୁ ଦୁଇ ସମ୍ପ୍ରଦାୟ ଭିତରେ ସୃଷ୍ଟି କରିବା ପାଇଁ ଦୁଇ ସମ୍ପ୍ରଦାୟର ଦଲାଲଙ୍କୁ ବ୍ୟବହାର କରିବା ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଉପରେ ଦୀର୍ଘ 40 ବର୍ଷ ଗବେଷଣା କରି ଅନେକ ପୁସ୍ତକ ଲେଖିଥିବା ଡ ଶ୍ୟାମସୁଲ ଇସଲାମ ଲେଖିଛନ୍ତି –
1857 ବିଦ୍ରୋହର ମୌଳିକ ସତ୍ୟ ହେଉଛି ଏହାର ନେତୃତ୍ୱରେ ଥିଲେ ନାନା ସାହେବ, ବାହାଦୂର ସାହା ଜାଫର, ମୌଲଭି ଅହମ୍ମଦ ସାହା,ତାନ୍ତିଆ ଟୋପେ,ଖାନ ବାହାଦୂର ଖାନ,ରାଣୀ ଲକ୍ଷ୍ମୀ ବାଈ,ବେଗମ ହୟରତ ମହଲ, ଆଜିମୁଲ୍ଲା ଖାନ ଓ ଫିରୋଜ ସାହା ଭଳି ବିଭିନ୍ନ ବର୍ଗର ନେତା ।
ଏହି ସଂଗ୍ରାମରେ ମୌଲବୀ, ପଣ୍ଡିତ, ଗ୍ରନ୍ଥୀ,ଜମିଦାର, କୃଷକ,ବଣିକ, ଓକିଲ,ନୌକର, ମହିଳା , ଛାତ୍ର ଓ ବିଭିନ୍ନ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଅଞ୍ଚଳ ଇଷ୍ଟ ଇଣ୍ଡିଆ କମ୍ପାନୀର ବର୍ବର ଶାସନ ବିରୁଦ୍ଧରେ ଏକଜୁଟ ହେଇଥିଲେ ଓ ସର୍ବାଧିକ ତ୍ୟାଗ ଓ ବଳିଦାନକୁ ପ୍ରଦର୍ଶନ କରିଥିଲେ ।
ଅଯୋଧ୍ୟା ଥିଲା ହିନ୍ଦୁ-ମୁସଲିମ ଏକତାର ଏକ ପ୍ରତୀକ କ୍ଷେତ୍ର । ଏଠାରେ ମୌଲବୀ, ମହନ୍ତ ,ସାଧାରଣ ମୁସଲିମ ଓ ହିନ୍ଦୁ
ବ୍ରିଟିଶ ବିରୁଦ୍ଧରେ ସଂଗଠିତ ହେଇଥିଲେ ଏବଂ ସହିଦତ୍ୱ ବରଣ କରିଥିଲେ ।ମୌଲାନା ଅମୀର ଅଲ୍ଲୀ ଓ ଅଯୋଧ୍ୟା ହନୁମାନ ଗଡି ମନ୍ଦିରର ପୂଜକ ବାବା ରାମଚନ୍ଦ୍ର ଦାସ ମିଳିତ ଭାବରେ ସଶସ୍ତ୍ର ପ୍ରତିରୋଧରେ ସାମିଲ ହେଇଥିଲେ । ବ୍ରିଟିଶ ସେନା ଉଭୟଙ୍କୁ ଲଢେଇ ବେଳେ କବ୍ଜା କରି
କୁବେର ତିଲା ତେନ୍ତୁଳି ଗଛରେ ଫାଶୀ ଦେଇଥିଲେ । ଅଚନ ଖାନ ଓ ସମ୍ଭୁ ପ୍ରସାଦ ଶୁକ୍ଳା ଫୈଜାବାଦ ଜିଲ୍ଲାରେ ରାଜା ଦେବି ବକ୍ସ ସିଂହଙ୍କ ସେନାର ନେତୃତ୍ୱ ନେଇ ଅନେକ ଜାଗାରେ ବ୍ରିଟିଶ ସେନାଙ୍କୁ ପରାସ୍ତ କରିଥିଲେ । କିନ୍ତୁ କେତେକ ଦଲାଲ ଙ୍କ ବିଶ୍ଵାସ ଘାତକତା ଯୋଗୁଁ ପରେ କବ୍ଜା ହେଇଥିଲେ । ବ୍ରିଟିଶ ଭବିଷ୍ୟତ ରେ ହିନ୍ଦୁ ମୁସଲିମ ଏକତା ମାଧ୍ୟମରେ ସମ୍ଭାବ୍ୟ ଲଢେଇକୁ ରୋକିବା ପାଇଁ ଦୀର୍ଘ ଦିନ ଜେଲରେ ନିର୍ମମ ଅତ୍ୟାଚାର କରିବା ପରେ ଉଭୟଙ୍କ ଅଙ୍ଗ ଛେଦନ କରିଥିଲେ ଓ ମୁଣ୍ଡକୁ ଛେଚରା କରି ଦେଇଥିଲେ ।
କୋଟା ରାଜ୍ୟର ଶାସକ ମହାରାଓ ବ୍ରିଟିଶ ସହିତ ଚକ୍ରାନ୍ତ କରୁଥିବା ଜାଣି
ରାଜାଙ୍କ ଜଣେ ମୁଖ୍ୟ ଦରବାରୀ ଓ ପ୍ରସିଦ୍ଧ ସାହିତ୍ୟିକ ଲାଲା ଜୟ ଦୟାଲ ଭଟ୍ଟନଗର ରାଜାଙ୍କ ଜଣେ ମୁସଲିମ ସେନାପତିଙ୍କ ସହାୟତାରେ ବିଦ୍ରୋହ କରି ରାଜଗାଦି ଦଖଲ କରିଥିଲେ ।
କୋଟାକୁ ପଡୋଶୀ ରାଜାମାନଙ୍କ ସହାୟତାରେ ପୁଣି ଦଖଲ କରିବା ଉଦ୍ୟମ ହେବା ପରେ ଉଭୟେ 1859 ପର୍ଯ୍ୟନ୍ତ ଗରିଲା ଯୁଦ୍ଧ କରିଥିଲେ । ଜଣେ ଗୁପ୍ତଚରର ଖବର ଯୋଗୁଁ ଦୁହେଁ ଧରା ପଡ଼ିଥିଲେ ଓ ସେପ୍ଟେମ୍ବର 17, 1860 ରେ ଫାଶୀ ପାଇଥିଲେ ।
ହରିୟାଣାର ହାନସୀ ସହରରେ ହିନ୍ଦୁ-ମୁସଲିମ-ଜୈନମାନେ ଉଲ୍ଲେଖ ଯୋଗ୍ୟ ଏକତା ପ୍ରଦର୍ଶନ କରିଥିଲେ । ବାହାଦୂର ସାହା ଜାଫର ମୁନିର ବାଗ ଓ ହୁକୁମଚାନ୍ଦ ଜୈନଙ୍କୁ କମାଣ୍ଡର ନିଯୁକ୍ତି ଦେଇଥିଲେ । ଦୁହେଁ ପଶ୍ଚିମ ଦିଲ୍ଲୀ ଅଭିଯାନର ନେତୃତ୍ବ ନେଇ ଅନେକ ଲଢେଇ ଜିତିଥିଲେ ।କିନ୍ତୁ ପାତିଆଲା, ନଭା, କାପୁରତାଲା, କାଶ୍ମୀର ଓ ପଟୌଡ଼ି ଦେଶୀୟ ରାଜାଙ୍କ ବିଶ୍ୱାସ ଘାତକତା
ଯୋଗୁଁ କବ୍ଜା ହେଇଥିଲେ ଓ 19, 1859ରେ ଜଘନ୍ୟ ଭାବରେ ଫାଶୀ ପାଇଥିଲେ । ସେମାନଙ୍କ ଧର୍ମୀୟ ବିଧି ଅନୁଯାୟୀ ସତ୍କାର ନ ହେବାରୁ ହୁକୁମଚାନ୍ଦଙ୍କ 13 ବର୍ଷର ପୁତୁରା ଫକୀର ଚାନ୍ଦ ପ୍ରତିବାଦ କରି ଫାଶୀ ପାଇଥିଲେ ।
ରାଣୀ ଲକ୍ଷ୍ମୀ ବାଈଙ୍କ ପ୍ରତିରୋଧ ଲଢେଇ ଉଲ୍ଲେଖଯୋଗ୍ୟ ଥିଲା ।କିନ୍ତୁ ସଫଳତାର ଅନେକ କୃତିତ୍ୱ ମୁସଲିମ କମାଣ୍ଡର ଗୁଲାମ ଘଉସ ଖାନ ଓ ଖୁଦା ବକ୍ସଙ୍କୁ ଯିବ । ଉଭୟେ ଝାନସୀ ଦୁର୍ଗକୁ ସୁରକ୍ଷା ଦେବାକୁ ଯାଇ ଜୁନ 4, 1858ରେ ହତ୍ୟା ହେଇଥିଲେ ।ରାଣୀଙ୍କ ମୁସଲିମ ଯୁବତୀ ଅଙ୍ଗରକ୍ଷୀ ମୁନଜାରଙ୍କ ସହ ଗୁଆଲିୟର ଠାରେ ରାଣୀ କୋଟାଇ-ଇ-ସରାଇ ଯୁଦ୍ଧରେ ମୃତ୍ୟୁ ବରଣ କରିଥିଲେ ।
ସେହିପରି ମାଲବା, ରୋହିଲ ଖଣ୍ଡ,ଦିଲ୍ଲୀ ଲଢେଇ ମଧ୍ୟ ହିନ୍ଦୁ-ମୁସଲିମ ଏକତାର ନିଦର୍ଶନ ଥିଲା । କିନ୍ତୁ ଅନେକ ଦେଶୀୟ ରାଜାଙ୍କ ବିଶ୍ୱାସ ଘାତକତା ଯୋଗୁଁ ଶେଷରେ ବ୍ରିଟିଶରାଜ ପ୍ରତିଷ୍ଠା ହେଲା ।
ଏହି ଗୌରବଜ୍ୱଳ ସଂଗ୍ରାମକୁ ଅଜିମୁଲ୍ଲା ଖାନ ଉର୍ଦ୍ଦୁ କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ ।
ଅତଏବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ମୁସଲିମ ଲିଗର ଦ୍ଵି ଜାତୀୟ ତତ୍ତ୍ୱ ବ୍ରିଟିଶ ଫ୍ୟାକ୍ଟ୍ରିର ଏକ ଉତ୍ପାଦ ମାତ୍ର ।।
