ରେଭେନ୍ସା ନାମ ବଦଳ: ଅଣ ଐତିହାସିକଙ୍କ ଅଯଥା ମୁଣ୍ଡବିନ୍ଧା
ଭୁବନେଶ୍ୱର: (ବିଜୟ ସାହୁ) -ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ବୋଧେ କୌଣସି ଐତିହାସିକ ବୈଠିକୀରେ
ଯୋଗଦେଇ ପାରିଲେ ନାହିଁ । ତେଣୁ କେବଳ କଟକ ସାଂସଦ ଭତୃହରୀ ମହତାବ , ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ କବି-ପ୍ରଶାସକ
ହରପ୍ରସାଦ ଦାସଙ୍କ ବିବୃତି ମୁଁ ଶୁଣିପାରିଲି ।
ଭତ୍ତୃହରୀ ମହତାବ ଏଥର ରେଭେନ୍ସା କଲେଜ କେବଳ ନୁହେଁ ଇଣ୍ଡିଆର ନାଁ ମଧ୍ୟ ବଦଳାଇବା କଥା ବୈଠିକୀରେ ଉଠେଇଛନ୍ତି । ଅମର ଶତପଥୀ ନାଁ ପରିବର୍ତ୍ତନ ସପକ୍ଷରେ ସରକାର ଉଦ୍ୟମ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଓ ଓଡ଼ିଶାର ନୂଆ ଇତିହାସ ଲେଖିବା ଉଚିତ ବୋଲି କହିଛନ୍ତି । ଶ୍ରୀ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ କପିଳେନ୍ଦ୍ର ଦେଵ ରଖିବାକୁ ଘୋଷଣା କରିଛନ୍ତି ।
ମୋର ପ୍ରଥମ ପ୍ରତିକ୍ରିୟା ସ୍ୱରୂପ ନିମ୍ନ ନିବେଦନ –
ଭତ୍ତୃହରୀ ଆଉ ମିଡ଼ିଆରେ ଏସବୁ ଚର୍ଚ୍ଚା ନ କରି ଅଥବା ବାରମ୍ବାର ବୈଠିକୀ ନ କରି ଶିକ୍ଷାମନ୍ତ୍ରୀଙ୍କ ସହାୟତାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।
ଅମର ଶତପଥୀ ଅଯଥା ରାଜନୀତି ରେ ସମୟ ବରବାଦ ନ କରି ଇତିହାସ ଲେଖିବାରେ ଲାଗି ପଡନ୍ତୁ ।
ଶ୍ରୀ ଦାସ ମଧ୍ୟ ପ୍ରଥମେ କପିଳେନ୍ଦ୍ରଙ୍କ ଉପରେ ଏକ ନୂଆ ତଥ୍ୟ ସମ୍ବଳିତ ଇତିହାସ ଲେଖନ୍ତୁ ।
ଭତ୍ତୃହରୀ ମହତାବ ଇତିହାସ ବଦଳାଇବା କାର୍ଯ୍ୟ ପ୍ରଥମେ ସୟେଦ ସେମିନାରୀ ହାଇସ୍କୁଲରୁ ଆରମ୍ଭ କରନ୍ତୁ । କାରଣ ଏହା ଜଣେ ପାକିସ୍ତାନ ପ୍ରଧାନମନ୍ତ୍ରୀ Husen
Shaeed Suhrawardyଙ୍କ ପରିବାର ଦ୍ୱାରା ପ୍ରତିଷ୍ଠିତ ଓ ନାମିତ । ଯେଉଁ ପରିବାରର କନ୍ୟା ରେଭେନ୍ସା ଗାର୍ଲସ ହାଇସ୍କୁଲରେ ମଧ୍ୟ ଶିକ୍ଷକ ଥିଲେ ଓ ରକ୍ଷଣଶୀଳ ଝିଅମାନଙ୍କୁ ବିଦ୍ୟାଳୟକୁ ନେବା ଆଣିବା ପାଇଁ ମାସିକ 250 ଟଙ୍କାରେ ଘୋଡ଼ା ଗାଡି ବ୍ୟବସ୍ଥା ମଧ୍ୟ କରିଥିଲେ ।
ଅମର ଶତପଥୀ ପ୍ରଥମେ ଚଣ୍ଡୀଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ନାଁ ପରିବର୍ତ୍ତନ କରିବା ଉଦ୍ୟମ କରନ୍ତୁ, କାରଣ ସେ ଓଡ଼ିଶାର ଲୋକ ନ ଥିଲେ । ଦ୍ଵିତୀୟ ରେ ସେ ଯେଉଁ ଓଡ଼ିଶା ଇତିହାସ ଲେଖିବେ ସେଥିରେ ବଡଚଣା ଅଧ୍ୟାୟଟି ହୁଏନସାଂ- ଫାହିୟାନଙ୍କ କାଳଖଣ୍ଡରୁ ଆରମ୍ଭ କରନ୍ତୁ ଓ ବ୍ରିଟିଶ କାଳଖଣ୍ଡରେ ବଡଚଣା ଅଞ୍ଚଳର ଗୌରବୋଜ୍ୱଳ ଲଢେ଼ଇ ଗୁଡିକୁ ସ୍ଥାନିତ କରନ୍ତୁ ।
ଯଦି ପ୍ରୋକ୍ତ ଦାୟିତ୍ୱଗୁଡିକ ବୈଠିକୀ
ଐତିହାସିକମାନେ ନ କରନ୍ତି ତାହେଲେ ଲୋକ ଭାବିବେ ସେମାନେ ସମ୍ଭବତଃ Nakoshi Syndrome ଦ୍ଵାରା ସଂକ୍ରମିତ ।
ମହାରାଷ୍ଟ୍ରର ସତରା ଜିଲ୍ଲାରେ ଏହି Syndrome ଦ୍ଵାରା ପିତାମାତା ବହୁ କାଳରୁ ସଂକ୍ରମିତ , ଯେଉଁ ପିତାମାତାଙ୍କର ଦୁଇଟି ଝିଅ ପରେ ଅଧିକା ଝିଅ ଜନ୍ମ ହୁଅନ୍ତି । ବର୍ତ୍ତମାନ ମଧ୍ୟ ଏହି Syndrome ବଳବତ୍ତର ରହିଛି ।
ମରାଠି ଭାଷାରେ ଗୋଟିଏ ଶବ୍ଦ ଅଛି – ନାକୋଶି । ଏହାକୁ ଆମେ ଓଡ଼ିଆରେ ଅନାମିକା କହି ପାରିବା ବା ଇଂରାଜୀରେ Unnamed .
ଅଧିକ ଝିଅ ଜନ୍ମ ହେଲେ ବାପମା ସେମାନଙ୍କୁ ପୋଷି ପାରୁ ନଥିଲେ ବୋଲି ସେମାନେ ନାକୋଶି ନାଁ ଦେଉଥିଲେ ଓ ନାକୋଶି ପଦାର୍ପଣ କରିବା ଦିନ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ ଆଗକୁ ଯେମିତି ନାକୋଶିମାନେ ଜନ୍ମ ନ ହୁଅନ୍ତି । ଈଶ୍ୱର ବୋଧେ ସେମାନଙ୍କ ପ୍ରାର୍ଥନା ଶୁଣୁଥିବା ହେତୁ ସେଇ ଅଞ୍ଚଳରେ ମହିଳା ଲିଙ୍ଗ ଅନୁପାତ 881ରେ ରହିଛି । ଅର୍ଥାତ ସେମାନେ ଅବଞ୍ଚିତା ।
ବର୍ତ୍ତମାନ ଆମ ରାଜ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେଭେନ୍ସା ସାହେବଙ୍କୁ ନ’ଅଙ୍କ ଦୁର୍ଭିକ୍ଷର କଳଙ୍କିତ ନାୟକ କରି ରେଭେନ୍ସା କଲେଜ ନାଁ ବଦଳାଇବା ପାଇଁ ବିତର୍କ ଆରମ୍ଭ କରିବା ପରେ ରାଜ୍ୟର କେତେକ ନାକୋଶି ଅବସର ପ୍ରାପ୍ତ ପ୍ରଶାସକ , ରାଜନେତା ରେଭେନ୍ସା କଲେଜର ନାମ ପରିବର୍ତ୍ତନ ସପକ୍ଷରେ ମତ ଦେଲେଣି ଓ ଓଡ଼ିଶା ଇତିହାସ ପୁନଃ ଲିଖନ କରିବାକୁ ଦାବୀ କଲେଣି ।
ଏମାନେ ପ୍ରଶାସନରେ ବହୁ ବର୍ଷ ରହିଛନ୍ତି , କ୍ଷମତା ରାଜନୀତିରେ ବହୁ ବର୍ଷ ରହିଛନ୍ତି , କିନ୍ତୁ କେବେ ସେମାନଙ୍କ ମୁଣ୍ଡରେ ଏକଥା ଜୁଟି ନ ଥିଲା । ହଠାତ କେନ୍ଦ୍ର ମନ୍ତ୍ରୀ ପ୍ରସ୍ତାବ ଦେବା ପରେ ସେମାନଙ୍କ ମୁଣ୍ଡରେ ଏକଥା ପଶିବା କାରଣ କଣ ?
ସେମାନେ ବର୍ତ୍ତମାନ ବିଭିନ୍ନ ଦିଗରୁ ନ
ନାକୋଶି ପ୍ରଜାତି। ନିଜର ପରିଚୟ ସନ୍ଧାନରେ ଧର୍ମେନ୍ଦ୍ରଙ୍କ ଦୟା ଭିକ୍ଷା ପାତ୍ର ହେଉଛନ୍ତି ।
ଯେଉଁ ଦିନରୁ ଧର୍ମେନ୍ଦ୍ର ପ୍ରଧାନ କଥାଟି ଉଠେଇଲେଣି ସେଇ ଦିନରୁ ରେଭେନ୍ସା ସାହେବ , ନ’ଅଙ୍କ ଦୁର୍ଭିକ୍ଷ ଇତିହାସରେ ଏୟା ଥିଲା ସେୟା ଥିଲା ଦୁଇ ଚାରି ଧାଡି କହୁଛନ୍ତି , କିନ୍ତୁ କଣ ଥିଲା ସ୍ପଷ୍ଟ କରୁ ନାହାନ୍ତି । ଖୋଜିବାକୁ ପଡ଼ିବ , ଇତିହାସ ଲେଖିବାକୁ ପଡ଼ିବ କହି ରେଭେନ୍ସା କଲେଜକୁ ବଦନାମ କରିବା , ରେଭେନ୍ସାଭିଆନଙ୍କ ଭାବାବେଗକୁ ଆହତ କରିବା ଛଡା ଆଉ କିଛି କରୁ ନାହାନ୍ତି ।
ଯଦି ଏତେ ଜ୍ଞାନୀ ଓ ଇତିହାସ ସମ୍ପର୍କରେ ଏତେ ପ୍ରଜ୍ଞା ରହିଛି ତାହେଲେ ବଡ଼ ବଡ଼ ଇତିହାସ ପୁସ୍ତକ ରଚନା କରିବାକୁ କିଏ ବାଧା ଦେଉଛି । ପ୍ରଚୁର ସାଧନ ତ ଥିବ, ସେଇ ଇତିହାସକୁ ମୁଦ୍ରଣ କରି ବଜାରରକୁ ଛାଡିଦେଲେ ହୁଏତ ନୋବେଲ ପୁରସ୍କାର ମଧ୍ୟ ପାଇଯିବେ ।
ମହତାବ ଗୋଟିଏ କଥା କାଲି କହିଥିବା ଶୁଣିଲି । ମାତ୍ର 15 ଟଙ୍କା ଅଭାବରୁ ରେଭେନ୍ସା ବାଳିକା ବିଦ୍ୟାଳୟ ତାଙ୍କ ନାଁ ରେ 1873 ରେ କରିବା ପାଇଁ ବାଧ୍ୟକଲେ ଓ ମୟୁରଭଞ୍ଜ ମହାରାଜାଙ୍କ ଦ୍ଵାରା ପ୍ରସ୍ତାବ ଆଣି ପାସ କରେଇ ଦେଲେ ।
ପୁଣି କୁଆଡ଼େ ହିନ୍ଦୁ ଇଂରାଜୀ ସ୍କୁଲକୁ କଟକ ଇଂରାଜୀ ସ୍କୁଲ ରେଭେନ୍ସା ସାହେବ କରେଇ ଥିଲେ ।
ମହତାବ ଜୀ କୁଆଡୁ ଏମିତି ତଥ୍ୟ ଆଣୁଛନ୍ତି ବୁଝିବା ମୁସ୍କିଲ ।
ଆମେ ଯେତିକି ଇତିହାସରୁ ଜାଣୁ 1823 ମସିହାରେ ଆଙ୍ଗଲୋ-ଇଣ୍ଡିଆନ ପିଲାଙ୍କ ପାଇଁ କଟକରେ ପ୍ରଥମେ ଗୋଟିଏ ଇଂଲିଶ ଚାରିଟୀ ସ୍କୁଲ ହେଇଥିଲା । ଦାନ ଟଙ୍କାରେ ନିର୍ଭର କରି ଏହି ସ୍କୁଲ ଖୋଲି ଥିଲା । 1829ରେ ସେହି ପିଲାଙ୍କ ପାଇଁ ଗୋଟିଏ ବୋଡିଙ୍ଗ ସ୍କୁଲ ଖୋଲିଥିଲା । ଏହି ସ୍କୁଲ ବହୁଦିନ ଭଲ ଚାଲିଲା । କିନ୍ତୁ 1841ରେ ଗୋଟିଏ ସରକାରୀ ଇଂରାଜୀ ସ୍କୁଲ ହେବାରୁ ଏହି ସ୍କୁଲ କୁ ସେଥିରେ ମିଶେଇ ଦିଆ ଗଲା ।
କିନ୍ତୁ ଇଷ୍ଟ ଇଣ୍ଡିଆନ ବାଳିକାଙ୍କ ପାଇଁ ସେଥିରେ କୌଣସି ବ୍ୟବସ୍ଥା ନ ଥିବାରୁ ସଟନ ସାହେବ ଓ ତାଙ୍କର ମେମ ଗୋଟିଏ ସାମାନ୍ୟ ବାଳିକା ସ୍କୁଲ ଖୋଲି ସେମାନଙ୍କ ପଢା ଦାୟିତ୍ୱ ନେଲେ । 1855 ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ୱ ନେଇଥିଲେ । ତାପରେ ଖ୍ରୀଷ୍ଟାନ ମିଶନ ସେଇ ଦାୟିତ୍ୱ ନେଲେ । 1881ରେ କଟକ କ୍ୟାଥୋଲିକ ମିଶନ ଗୋଟିଏ କନଭେଣ୍ଟ ଓ ବୋଡିଙ୍ଗ ଖୋଲିବାରୁ ଆଙ୍ଗଲୋ ଇଣ୍ଡିଆନ ପୁଅ ଝିଅ ମାନେ ସେଇ ସ୍କୁଲରେ ଭର୍ତ୍ତି ହେଲେ ।
ଏହା ଦେଖି ବ୍ୟାପ୍ଟିଷ୍ଟ ମିଶନ ଗୋଟିଏ ସ୍କୁଲ ଖୋଲି ତା ନାଁ
ପ୍ରଟେଷ୍ଟାଣ୍ଟ ଇଉରୋପୀୟାନ ସ୍କୁଲ ଦେଲେ ।
ରେଭେନ୍ସା କଲେଜିଏଟ ସ୍କୁଲ –
ଓଡ଼ିଶାର ସର୍ବ ପୁରାତନ ହାଇସ୍କୁଲ । ଏହାର ସମୃଦ୍ଧ ସାହିତ୍ୟିକ ଐତିହ୍ୟ , ଗୌରବମୟ ସଫଳତା , ପରମ୍ପରା ଓ ଲେଗସୀ ଯୋଗୁଁ ଏହାର ଷ୍ଟାଟସ ପ୍ରାଚୀନ ତକ୍ଷଶିଳା ଓ ନାଳନ୍ଦା ସହ ସମତୁଲ ଥିଲା ।
ଏହି ବିଦ୍ୟାଳୟକୁ ରେଭେରେଣ୍ଡ ୱିଲିୟମ 1822 ମସିହା ମେ ମାସରେ ଗୋଟିଏ ଇଂଲିଶ ସ୍କୁଲ ଭାବରେ ପ୍ରତିଷ୍ଠା କରିଥିଲେ । 1841 ରେ ସରକାର ଏହାର ପରିଚାଳନା ହାତକୁ ନେଲେ ଓ ଏହା ପ୍ରଖ୍ୟାତ କଟକ ସ୍କୁଲ ଭାବରେ 1841 ପରେ ପରିଚିତ ହେଲା । 1851 ରେ ଏହା କଟକ ଜିଲ୍ଲା ସ୍କୁଲ ଭାବରେ ପରିଚିତ ହେଲା । 1875ରେ ଏହା ଓଡ଼ିଶାର ପ୍ରଥମ ହାଇସ୍କୁଲ ହେଲା ଓ ଓଡ଼ିଶାର ତଦାନୀନ୍ତନ ଡିଭିଜନ କମିଶନର ଟି ଇ ରେଭେନ୍ସାଙ୍କ ନାମରେ ନାମିତ ହେଲା ।
ଏହି ସ୍କୁଲର ଛାତ୍ର ହେଉଛନ୍ତି ମଧୁସୂଦନ ଦାସ, ଗୌରୀଶଙ୍କର ,
ଗଦ୍ଦର ପାର୍ଟିର ଅନ୍ୟତମ ପ୍ରତିଷ୍ଠିତା ସହୀଦ କର୍ତ୍ତାର ସିଂ ସରଭା , ସୁଭାଷ ଚନ୍ଦ୍ର ବୋଷ,ପ୍ରାଣକୃଷ୍ଣ ପରିଜା, ସୟେଦ ମହମ୍ମଦ , ଦୟାନିଧି ଚୌଧୁରୀ, କୁମାରେନ୍ଦ୍ର ମଲ୍ଲିକ , ଅଫଜୁଲ ଉଲ ଅମିନ, କରାମତ ଅଲି କରାମତ ,ପ୍ରଦୀପ କୁମାର ମହାନ୍ତି ,ବିଜୁ ପଟ୍ଟନାୟକ, ଚିତ୍ତରଞ୍ଜନ ଦାସ, ମିହିର ସେନ , ରାଧାନାଥ ରଥ ପ୍ରମୁଖ । ଏହାର ପ୍ରଖ୍ୟାତ ପ୍ରଧାନ ଶିକ୍ଷକ ଥିଲେ ବେଣୀ ମାଧବ ଦାସ, ନାରାୟଣ ପ୍ରସାଦ ମହାନ୍ତି ଯାହାଙ୍କ ପ୍ରଭାଵରେ ସୁଭାଷ ବୋଷ ଓ ସହୀଦ କର୍ତ୍ତାର ସିଂହଙ୍କ ବିପ୍ଲବୀ ଚରିତ୍ର ଗଢି ଉଠିଥିଲା ।
ମଧୁସୂଦନ ଦାସ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ Pioneering Role ନେଇଥିଲେ ଓ ଗୌରୀ ଶଙ୍କର ରାୟ ଗୋଟିଏ ଭୂମିଗତ ପ୍ରେସ କରି ଥିଲେ ଯାହା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ବେଳେ ଏହି ପ୍ରେସରେ ମୁଦ୍ରିତ ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ମୁଖ୍ୟ ଭୂମିକା ପାଳନ କରିଥିଲା ।
ରେଭେନ୍ସା ବାଳିକା ହାଇସ୍କୁଲ :
ଓଡ଼ିଶା ବ୍ରିଟିଶ ଅଧୀନକୁ 1803ରେ ଆସିଲା । ଏହା ପରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସୁଦୂର ପ୍ରସାରୀ ଦିଗନ୍ତ ସୃଷ୍ଟି ହେଲା । 1866ର ନ’ଅଙ୍କ ଦୁର୍ଭିକ୍ଷ ମୂଳରେ ପ୍ରଶାସନିକ କାରଣ ସମେତ ଓଡ଼ିଶାରେ ଯୋଗାଯୋଗର ଅଭାବ ମୁଖ୍ୟ କାରଣ ଥିଲା । ଇଂରେଜ ଶିକ୍ଷା ର ଆଗମନ ସହ ଏକ ନୂଆ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହେଲେ । ଓଡ଼ିଆ ଭାଷା , ସଂସ୍କୃତି , ପରମ୍ପରା କୁ ଦମନ କରିବା ପାଇଁ ପ୍ରୟାସ ହେଲା । କଲିକତାର ଇଂରାଜୀ ଶିକ୍ଷିତମାନେ ବିଭିନ୍ନ ସର୍ଭିସରେ ନିଯୁକ୍ତି ପାଇଲେ ଯେହେତୁ କଲିକତାରୁ ପ୍ରଶାସନକୁ ନିୟନ୍ତ୍ରଣ କରା ଯାଉଥିଲା । ଓଡ଼ିଶା ବେଙ୍ଗଲ, ବିହାର, ସେଣ୍ଟ୍ରାଲ ପ୍ରୋଭିନ୍ସ ଓ ମାଡ୍ରାସ ସହ ମିଶି ଥିଲା ।
ପ୍ରୋକ୍ତ କାରଣ ଯୋଗୁଁ ଆଧୁନିକ ଶିକ୍ଷା ଉନବିଂଶ ଶତାବ୍ଦୀରେ ବିଳମ୍ବିତ ହେଇଥିଲା । ଉର୍ଦ୍ଦୁ , ପାର୍ସି ଓ ପରେ ଇଂରାଜୀ ସାମାଜିକ ଅବସ୍ଥାରେ ସଙ୍କଟ ସୃଷ୍ଟି କଲା । ପାରମ୍ପରିକ ଚାଟଶାଳୀ ଓ ସଂସ୍କୃତ ଟୋଲ ପୁଅଙ୍କ ପାଇଁ ଶିକ୍ଷା ଅଧ୍ୟୟନ ର କେନ୍ଦ୍ର ଥିଲା । ଆସ୍ତେ ଆସ୍ତେ ପ୍ରାଥମିକ ବିଦ୍ୟାଳୟରେ ଇଂରାଜୀ ପାଠ ପ୍ରଚଳନ ହେଇ ହାଇସ୍କୁଲ ପର୍ଯ୍ୟନ୍ତ ଗଲା । ବିଦ୍ୟାଳୟରେ ରକ୍ଷଣଶୀଳ ସାମାଜିକ ପ୍ରତିବନ୍ଧ ଯୋଗୁଁ ଝିଅମାନେ ଶିକ୍ଷାରୁ ବଞ୍ଚିତ ଥିଲେ ।
ସମ୍ଭ୍ରାନ୍ତ ପରିବାରରେ ଝିଅମାନଙ୍କୁ ଘରୋଇ ଟିଉସନ ମାଧ୍ୟମରେ ଓଡ଼ିଆ ଓ ସଂସ୍କୃତ ଭାଷାରେ ଶିକ୍ଷା ଦିଆ ଯାଉଥିଲା ।
ମଧ୍ୟବିତ୍ତ ଓ ନିମ୍ନ ଆୟ ବର୍ଗରେ ଝିଅ ମାନଙ୍କ ଏହି ସୁଯୋଗ ନଥିଲା । ଯେହେତୁ ଝିଅମାନେ ରୋଷେଇ ଘର ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟତଃ ଧାରଣା ଥିଲା ।
1869ରେ ଅବିନାଶ ଚାଟାର୍ଜୀ ତାଙ୍କ ଘରେ ମାତ୍ର 6 ଜଣ ଛାତ୍ରୀ ଙ୍କୁ ନେଇ ଗୋଟିଏ ନିମ୍ନ ବିଦ୍ୟାଳୟ ଖୋଲିଲେ ।କାଳିଗଳି ଠାରେ 3ଟି ବଖୁରୀରେ ବିଦ୍ୟାଳୟ ଆରମ୍ଭ ହେଲା । ଧନେଶ୍ୱର ଶତପଥୀ ଶିକ୍ଷକ ନିଯୁକ୍ତି ହେଲେ । ସେ ବଙ୍ଗଳା ଭାଷା ମାଧ୍ୟମରେ ଶିକ୍ଷା ଦାନ କଲେ। 1873ରେ ଏହା ଟି ଇ ରେଭେନ୍ସା ଙ୍କ ନାମରେ ନାମିତ ହେଲା । 1883ରେ ଏହା ମିଡିଲ ମାତୃଭାଷା ବିଦ୍ୟାଳୟ ( Middle Vernacular School ) କୁ ଉନ୍ନୀତ ହେଲା ।
1873ର ମାସିକ ଗ୍ରାଣ୍ଟ 1883ରେ 26 ଟଙ୍କାକୁ ବୃଦ୍ଧି ହେଲା । 1901 ରେ ସମୁଦାୟ 56 ଜଣ ଛାତ୍ର ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର 4 ଜଣ ଛାତ୍ର । ପ୍ରଥମ ଶ୍ରେଣୀରେ ହିନ୍ଦୁ ଝିଅ 43 ଜଣ , ବାକି ସମସ୍ତେ ବ୍ରାହ୍ମ ଓ ଖ୍ରୀଷ୍ଟାନ । 1902 ରେ ଏହାକୁ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରାଗଲା । ସମୁଦାୟ 83 ଛାତ୍ର । ସେମାନଙ୍କ ମଧ୍ୟରୁ 66 ଜଣ ହିନ୍ଦୁ , 2ବ୍ରାହ୍ମ , 3ଜଣ ଖ୍ରୀଷ୍ଟାନ ଝିଅ , 16 ଜଣ ପୁଅ । ସମସ୍ତ 66 ଛାତ୍ରୀ ବେଙ୍ଗଲି ।
1903ରେ ବିଦ୍ୟାଳୟକୁ ସମ୍ପ୍ରସାରଣ ବନ୍ଦ କରିବାକୁ ଚକ୍ରାନ୍ତ ହେଲା ଯେହେତୁ ଓଡ଼ିଆ ଛାତ୍ରୀ ବେଶି ନଥିଲେ । 1904 ଇନ୍ସପେକ୍ଟର ଅଫ ସ୍କୁଲ ରିପୋର୍ଟରେ ଏହି ଶୋଚନୀୟ ଅବସ୍ଥାର କାରଣଗୁଡିକ ପଦାକୁ ଆସିଲା । ବେଙ୍ଗଲି ଝିଅଙ୍କ ପାଇଁ ମାସିକ ଫି ଦୁଇ ଅଣା, ଓଡ଼ିଆ ଝିଅଙ୍କ ପାଇଁ 8ଅଣା ଯୋଗୁଁ ଓଡ଼ିଆ ଝିଅଙ୍କ ସଂଖ୍ୟା ହ୍ରାସ ଦର୍ଶା ଯାଇଥିଲା ।
ରେବା ରାୟ ଓଡ଼ିଆ ମଡେଲ ସ୍କୁଲ ଆରମ୍ଭ କରି ଓଡ଼ିଆ ଝିଅମାନଙ୍କୁ ରେଭେନ୍ସା ବାଳିକା ସ୍କୁଲରୁ ନେଇଗଲେ । ରେଭେନ୍ସା କର୍ତ୍ତୃପକ୍ଷ ମଡେଲ ସ୍କୁଲ ଠାରୁ ଦୂରରେ ଓ ରକ୍ଷଣଶୀଳ ଝିଅମାନଙ୍କସ୍ୱାଧୀନତା ପାଇଁ ଏକ Covered Place ରେ ରେଭେନ୍ସା ବାଳିକା ବିଦ୍ୟାଳୟ କରିବାକୁ ପରାମର୍ଶ ଦେଲେ । ପରିଚାଳନା କର୍ତ୍ତୃପକ୍ଷ ବିଦ୍ୟାଳୟକୁ ମାସିକ 250 ଟଙ୍କା ଗ୍ରାଣ୍ଟ ମଞ୍ଜୁର କଲେ, କିନ୍ତୁ ମଡେଲ ସ୍କୁଲକୁ ମାସିକ 300 ଟଙ୍କା ମଞ୍ଜୁର କଲେ । ଏହି ପାତର ଅନ୍ତର ନୀତି ଯୋଗୁଁ ବିଦ୍ୟାଳୟ ପରିଚାଳନା କମିଟି ମଧୁବାବୁଙ୍କୁ ଭେଟିଲେ । ମଧୁବାବୁ ଦାୟିତ୍ୱ ଗ୍ରହଣ କରି କମିଟିର ସଭାପତି ହେଲେ । ତାଙ୍କର ପାଳିତ ଝିଅ ଶୈଳବାଳା ସେକ୍ରେଟାରୀ ହେଲେ ।ଅନ୍ୟାନ୍ୟ ସଭ୍ୟ ହେଲେ ବି ବି ପା ଲି ତ , ଗୋପାଳ ପ୍ରହରାଜ । ମଧୁବାବୁ ମାସିକ 500 ଟଙ୍କା ଗ୍ରାଣ୍ଟ ପାଇଁ ସରକାରଙ୍କୁ ଲେଖିଲେ ଯେଉଁଥିରୁ ସେ 250 ଟଙ୍କା ଦେବେ । ଏହା ସତ୍ତ୍ୱେ ଶିକ୍ଷା ବିଭାଗ ଏହାକୁ କେବଳ ମଧ୍ୟ ଇଂରାଜୀ ସ୍କୁଲ ପର୍ଯ୍ୟନ୍ତ ସ୍ୱୀକୃତି ଦେଲେ, ହାଇସ୍କୁଲ ଅନୁମତି ଦେଲେ ନାହିଁ । ଶୈଳବାଳା ସ୍ୱତନ୍ତ୍ର ଅଭିଯାନ କରି ଛାତ୍ର ସଂଖ୍ୟା ବଢ଼େଇଲେ । ଇନ୍ସପେକ୍ଟର ଅଫ ସ୍କୁଲ ରିପୋର୍ଟ ଦେଲେ ‘ ପରିଚାଳନା କମିଟି ସ୍କୁଲକୁ ହାଇସ୍କୁଲ ପର୍ଯ୍ୟନ୍ତ ଉନ୍ନୀତ କରିଛନ୍ତି ଓ ପରିଚାଳନା ଦାୟିତ୍ବ ଦକ୍ଷ ହାତରେ ଅଛି , ଅଧିକାଂଶ ହିନ୍ଦୁ ଓ କେତେକ ସମ୍ମାନିତ ଓଡ଼ିଆ ପରିବାରର । 1908 ରେ ମିଷ୍ଟର କୁଚଲ ରେବା ରାୟଙ୍କୁ ପବ୍ଲିକ ସ୍କୁଲ ରେଭେନ୍ସା ବାଳିକା ସ୍କୁଲ ସହ ମିଶ୍ରଣ କରିବାକୁ ସୁପାରିଶ କଲେ । କିନ୍ତୁ ସେ ରାଜି ହେଲେ ନାହିଁ । ତେଣୁ ମଡେଲ ସ୍କୁଲର ଗ୍ରାଣ୍ଟ ସ୍ଥଗିତ ହେଇଗଲା ଓ 1909 ରେ ସ୍କୁଲ ବନ୍ଦ ହେଇଗଲା ।
ଶୈଳବାଳା ଲେଡି ଅଧ୍ୟକ୍ଷ ହେଲେ ଓ ବିଦ୍ୟାଳୟକୁ ହାଇସ୍କୁଲରେ ପରିଣତ କଲେ । କଲିକତା ବିଶ୍ୱବିଦ୍ୟାଳୟ 1909 ରେ ଦୁଇଜଣ ଛାତ୍ରୀଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ପାଇଁ ଅନୁମତି ଦେଲେ ଓ ପାସ କଲେ । 5 ବର୍ଷର ସଫଳତା ଦେଖି ସରକାର ଏହାକୁ ହାତକୁ ନେଲେ । 1919 ରେ ଏହା ବର୍ତ୍ତମାନର ବିଲ୍ଡିଂ କୁ ସ୍ଥାନନ୍ତରିତ ହେଲା । କ୍ୟାମ୍ପସ ଭିତରେ ଏକ ପୂର୍ଣ୍ଣାଙ୍ଗ ହଷ୍ଟେଲ ମଧ୍ୟ ନିର୍ମାଣ ହେଲା । ମଧୁବାବୁଙ୍କ ନାଁ ରେ ମହିଳା ହାଇସ୍କୁଲ ନାମିତ କରିବା ପାଇଁ ଚାପ ପ୍ରୟୋଗ ସତ୍ତ୍ୱେ ମଧୁବାବୁ ନାକଚ କରିଦେଲେ ଓ ରେଭେନ୍ସା ବାଳିକା ବିଦ୍ୟାଳୟ ନାଁ ପୂର୍ଵ ଭଳି ରହିଲା ।
ମିସେସ ବ୍ୟାଙ୍କ 1913ରେ ବିଦ୍ୟାଳୟର ଲେଡି ପ୍ରିନ୍ସିପାଲ ହେଲେ । ଆଇ ଏ ଶ୍ରେଣୀ ଖୋଲା ହେଲା । ସୁତରାଂ ଭବିଷ୍ୟତ ଶୈଳବାଳା ମହାବିଦ୍ୟାଳୟ ପାଇଁ 1913 ରେ ହିଁ ପ୍ରସ୍ତୁତି ଆରମ୍ଭ ହେଇ ଯାଇଥିଲା ।
ତେଣୁ ରେଭେନ୍ସା ସାହେବ ମାତ୍ର 15 ଟଙ୍କା ପାଇଁ କୋଉ ହିନ୍ଦୁ ହାଇସ୍କୁଲ ବନ୍ଦ କରିଥିଲେ ବା କୋଉ ବାଳିକା ବିଦ୍ୟାଳୟ ବନ୍ଦ କରିଥିଲେ ଇତିହାସ ରେ ନାହିଁ ।
ତଥ୍ୟ – ମଧୁବାବୁଙ୍କ ଜୀବନୀ, ରେଭେନ୍ସା କଲେଜିଏଟ ସ୍କୁଲ ଓ ରେଭେନ୍ସା ଗାର୍ଲସ ହାଇସ୍କୁଲର ରେକର୍ଡ, ଶୈଳବାଳା ମହାବିଦ୍ୟାଳୟର ଇତିହାସ ଉପରେ ଆଧାରିତ ।।