ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେମିତି ବିଶ୍ୱ ରାଜନୀତି ରଙ୍ଗମଞ୍ଚରେ ଆମେରିକା କିପରି ବୃଦ୍ଧି କରିଥିଲା ଶକ୍ତି…

ନୂଆଦିଲ୍ଲୀ : (ବିଜୟ ସାହୁ)- ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ସମାଜତାନ୍ତ୍ରିକ ଆର୍ଥିକ ବ୍ୟବସ୍ଥା ପ୍ରତିଷ୍ଠା ସମ୍ଭାବନା ସର୍ବାଧିକ ଥିଲା । କିନ୍ତୁ ପୁଞ୍ଜିବାଦୀ-ସାମ୍ରାଜ୍ୟ ବାଦୀ ବ୍ୟବସ୍ଥା ହିଁ ଶେଷରେ ନିଜର କାୟା ବିସ୍ତାର କଲା । ପୁଞ୍ଜିବାଦର ଏହି କାୟା ବିସ୍ତାର ପାଇଁ ପ୍ରାୟ 8 ଦଶନ୍ଧି ଲାଗିଗଲା । ସୋଭିଏତ କମ୍ୟୁନିଷ୍ଟ ପାର୍ଟିର 1948, ଫେବୃୟାରୀ ପଲିଟିବ୍ୟୁରୋ ଅଧିବେଶନରେ କମ୍ରେଡ଼ ମୋଲତଭ ସେତେବେଳର ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରତିବେଦନ ରଖିଥିଲେ ।
ଏହି ପ୍ରତିବେଦନର ପୃଷ୍ଠଭୂମୀ ନିମ୍ନ ପ୍ରକାର ଥିଲା –
1947 ଜୁଲାଇ 12 ରେ ପ୍ୟାରିସରେ ପଶ୍ଚିମ ଇଉରୋପର ରାଜନୈତିକ ପ୍ରତିନିଧିମାନଙ୍କ ଏକ ସମ୍ମିଳନୀ ନିର୍ଦ୍ଧାରିତ ହେଇଥିଲା । ଇତିପୂର୍ବରୁ କମ୍ରେଡ଼ ମୋଲତଭ ପଶ୍ଚିମ ଇଉରୋପ ଓ ପୂର୍ବ ଇଉରୋପ ଦେଶମାନଙ୍କର ସରକାର , ରାଜନୈତିକ ବ୍ୟକ୍ତି , ସମାଜବିତ, କମ୍ୟୁନିଷ୍ଟ ପାର୍ଟି / ଗୋଷ୍ଠୀଙ୍କ ସହ ଆଲୋଚନା କରି ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ନିକଟରେ ଆନ୍ତର୍ଜାତିକ ପରିସ୍ଥିତି ଓ ଶାନ୍ତି ସମ୍ଭାବନା ସମ୍ପର୍କରେ ଉପରୋକ୍ତ ପ୍ରତିବେଦନ ରଖିଥିଲେ ଏବଂ ପ୍ୟାରିସ ସମ୍ମିଳନୀକୁ ବର୍ଜ୍ଜନ କରିବା ସମ୍ପର୍କରେ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଧାରକ କମିଟି ଆଲୋଚନା କରିବା ଉପରେ ନିଜସ୍ଵ ମତ ଦେଇଥିଲେ । ମୋଲତଭଙ୍କ ଏହି ରିପୋର୍ଟକୁ କମ୍ରେଡ଼ ଷ୍ଟାଲିନ ବିଶ୍ୱର ସମସ୍ତ କମ୍ୟୁନିଷ୍ଟ ପାର୍ଟି/ ଗୋଷ୍ଠୀ , ଡେମୋକ୍ରାଟିକ ଦଳ , ଗୋଷ୍ଠୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ବୃହତ୍ତର ସହମତ ସୃଷ୍ଟି ପାଇଁ ଚେଷ୍ଟା କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ପ୍ରତିନିଧିମାନେ ମସ୍କୋ ପରିଦର୍ଶନ କରି ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ନେତୃମଣ୍ଡଳୀ ସହ ନିଜ ଦେଶର ପରିସ୍ଥିତି ଓ ବିଶ୍ଵ ପରିସ୍ଥିତି ଉପରେ ମତାମତ ଦେଇଥିଲେ । ଭାରତରୁ
ସି ପି ଆଇର କିଛି ପଲିଟବ୍ୟୁରୋ ଓ କେନ୍ଦ୍ରୀୟ କମିଟି ସଭ୍ୟ , ଚୀନ କମ୍ୟୁନିଷ୍ଟ ପାର୍ଟି, କୋରିଆ କମ୍ୟୁନିଷ୍ଟ ପାର୍ଟି ସମେତ ବିଶ୍ୱର ପ୍ରାୟ ସମସ୍ତ ଭୂଖଣ୍ଡରୁ ପ୍ରତିନିଧିମାନେ ମସ୍କୋ ଯାଇ ସୋଭିଏତ କମ୍ୟୁନିଷ୍ଟ ପାର୍ଟି ଓ କମ୍ରେଡ଼ ଷ୍ଟାଲିନ ସହ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ଏହି ଆଲୋଚନା 1948 ପଲିଟବ୍ୟୁରୋ ସମ୍ମିଳନୀ ପର୍ଯ୍ୟନ୍ତ ଚାଲିଥିଲା।
ଆଲୋଚନା କ୍ରମରେ କମ୍ରେଡ଼ ଷ୍ଟାଲିନ ସୂଚନା ଦେଇଥିଲେ ଯେ ସୋଭିଏତ ୟୁନିୟନ ରାଷ୍ଟ୍ରଦୂତ ମାନେ ଯେଉଁ ଖବର ପଠାଉଛନ୍ତି ସେଥିରୁ ସ୍ପଷ୍ଟ ଯେ ପ୍ୟାରିସ ସମ୍ମିଳନୀରେ ପଶ୍ଚିମୟୁରୋପ ବ୍ଲକ ଗଠନ ହେବ ଯାହା ସିଧାସଳଖ ଭାବରେ ସୋଭିଏତ ବ୍ଳକ ବିରୁଦ୍ଧରେ ଏକ ଆକ୍ରମଣାତ୍ମକ ପରିକଳ୍ପନା।
ପ୍ୟାରିସ ସମ୍ମିଳନୀର ଦୁଇଦିନ ପୂର୍ବରୁ ଚେକୋସ୍ଲୋଭିଆ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କମ୍ରେଡ଼ ଷ୍ଟାଲିନ ଚେକୋସ୍ଲୋଭିଆ ପ୍ରତିନିଧି ଦଳ ନେତା ଓ ପ୍ରଧାନମନ୍ତ୍ରୀ Gottwald , ବୈଦେଶିକ ମନ୍ତ୍ରୀ Masaryk , ଜଷ୍ଟିସ ବିଭାଗ ମନ୍ତ୍ରୀ Drtina , ବୈଦେଶିକ ବିଭାଗ ଜେନେରାଲ ସେକ୍ରେଟାରୀ
Gendrih ଓ ରାଷ୍ଟ୍ରଦୂତ Gorakଙ୍କୁ ପରିସ୍ଥିତି ସମ୍ପର୍କରେ ବୁଝେଇ ଥିଲେ ଓ ସେମାନେ ପ୍ୟାରିସ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଜୁଲାଇ 12 ସମ୍ମିଳନୀରେ ଯେତେବେଳେ ଚେକ ଗଣରାଜ୍ୟ ଏହି ସମ୍ମିଳନୀରେ ଯୋଗଦେଲା ପଶ୍ଚିମ ବ୍ଲକ ସହ ନିଜକୁ ସାମିଲ କଲା ସେତେବେଳେ କମ୍ରେଡ଼ ଷ୍ଟାଲିନ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ ଏହି ବିଷୟଟି ଥିଲା ଚେକୋସ୍ଲୋଭିଆ ଓ ସୋଭିଏତ ୟୁନିୟନ ସହ ବନ୍ଧୁତ୍ୱ ସମ୍ପର୍କ ଵିଷୟ । କିନ୍ତୁ ବର୍ତ୍ତମାନ ଚେକୋସ୍ଲୋଭିଆ ଇଚ୍ଛା ହେଉ କି ଅନିଚ୍ଛା ହେଉ, ସୋଭିଏତ ୟୁନିୟନକୁ ବିଚ୍ଛିନ୍ନ କରିବା ପାଇଁ ସହାୟତା କରୁଛି । ସୋଭିଏତ ୟୁନିୟନ ସହ ବନ୍ଧୁତ୍ବ ପୂର୍ଣ ସମ୍ପର୍କରେ ରହିଥିବା ସମସ୍ତ ଦେଶ ପ୍ୟାରିସ ସମ୍ମିଳନୀରେ ଯୋଗଦେବାକୁ ଯାଉ ନାହାଁନ୍ତି । କିନ୍ତୁ ଚେକ ଗଣରାଜ୍ୟ ଯୋଗ ଦେଉଛି ।
କମ୍ରେଡ଼ ଷ୍ଟାଲିନ 1948 ଫେବୃୟାରୀ ସ୍ପେଶାଲ ସେସନକୁ ଉଦ୍ବୋଧନ ଦେଇ କହିଥିଲେ, ଯଦିଓ ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ମୋଲତଭ ପ୍ରଦାନ କରିଥିବା ସବିଶେଷ ରିପୋର୍ଟରେ ବର୍ତ୍ତମାନର ବିଶ୍ଵ ସଙ୍କଟର କାରଣ ଉପରେ ତାଙ୍କର କିଛି ବିରୋଧଭାଷ ରହିଛି, ତଥାପି ଏକଥା ସତ୍ୟ ଯେ ବିଶ୍ଵ ଦୁଇଟି କ୍ୟାମ୍ପରେ ବିଭାଜିତ ହେଇ ସାରିଛି । ଗୋଟିଏ କ୍ୟାମ୍ପର ଜନତା ଆର୍ଥିକ ପୁଞ୍ଜି ଆୟତ୍ତ କରୁଛନ୍ତି ଓ ବିଶ୍ୱର ସଂଖ୍ୟା ଗରିଷ୍ଠ ଜନତାଙ୍କୁ ଶୋଷଣ କରୁଛନ୍ତି । ଅନ୍ୟ କ୍ୟାମ୍ପର ଉପନିବେଶଗୁଡିକର ଜନତା ନିପୀଡ଼ିତ ଓ ଶୋଷିତ ହେଉଛନ୍ତି । ଏକ ବିକଶିତ ପୁଞ୍ଜିବାଦୀ ଦେଶ ଭାବରେ ଆମେରିକା ପ୍ରଥମ କ୍ୟାମ୍ପର ଚମ୍ପିୟାନ ଭାବରେ ଅବତୀର୍ଣ୍ଣ ହେଇଛି । ଅନ୍ୟ ପକ୍ଷରେ ମାର୍କସ ଓ ଲେନିନଙ୍କ ଆଦର୍ଶରୁ ସୃଷ୍ଟି ହେଇଥିବା ନୀତି ମାଧ୍ୟମରେ ସୋଭିଏତ ୟୁନିୟନ ଦ୍ଵିତୀୟ କ୍ୟାମ୍ପର ସ୍ୱାଭାବିକ ନେତା ଭାବରେ ଅବତୀର୍ଣ୍ଣ ହେଇଛି । ଦୁଇଟି କ୍ୟାମ୍ପର ଉଦେଶ୍ୟ ଯେହେତୁ ଐତିହାସିକ ଭାବରେ ସମ୍ପୂର୍ଣ୍ଣ ପରସ୍ପର ବିରୋଧୀ, ତେଣୁ ତୁରନ୍ତ ହେଉ ଅଥବା ବିଳମ୍ବରେ ହେଉ, ଦୁଇ କ୍ୟାମ୍ପ ମଧ୍ୟରେ ସଂଘର୍ଷ ଅପରିହାର୍ଯ୍ୟ । ତେଣୁ ପରିସ୍ଥିତି ଏଭଳି ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠି ସାଲିସ ସମ୍ଭାବନା କ୍ଷୀଣ । ଯଦି ଗୋଟିଏ କ୍ୟାମ୍ପ ଅସ୍ତ୍ର ପ୍ରତିଯୋଗିତାରୁ ସ୍ବେଚ୍ଛାରେ ଓହରି ନ ଯାଏ ସଶସ୍ତ୍ର ସଂଘର୍ଷ ଅପରିହାର୍ଯ୍ୟ ।

କମ୍ରେଡ଼ ଷ୍ଟାଲିନ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡିକରେ ଅନୁଷ୍ଠିତ ହେଉଥିବା ଅନେକଗୁଡିଏ ସମ୍ମିଳନୀକୁ ଲକ୍ଷ୍ୟ କଲେ ଏକଥା ସ୍ପଷ୍ଟ ଯେ ସୋଭିଏତ ୟୁନିୟନକୁ ବିରୋଧ ଜାହିର କରୁଥିବା କ୍ୟାମ୍ପ ସହ ସମଝୋତା ସମ୍ଭବ ନୁହେଁ । ପାଣି ଓ ନିଆଁ ଏକ ସାଥ ହେବା ଅସମ୍ଭବ । କମ୍ରେଡ଼ ଷ୍ଟାଲିନ କହିଥିଲେ, ବର୍ତ୍ତମାନର ପରିସ୍ଥିତି ଶତ୍ରୁତାପୂର୍ଣ୍ଣ ଥିଲେ ବି ବିଶ୍ଵ ଶାନ୍ତି କିଛି ବର୍ଷ ତିଷ୍ଟି ରହି ପାରେ । କିନ୍ତୁ ଶେଷରେ ସଂଘର୍ଷ ଅପରିହାର୍ଯ୍ୟ । ତେଣୁ କମ୍ରେଡ଼ମାନେ କୌଣସି ପ୍ରକାର ଆଳସ୍ୟ ଭାବ ପ୍ରକଟ ନକରି ଦେଶର ସାମର୍ଥ୍ୟକୁ ଅର୍ଥନୈତିକ ଓ ସାମରିକ ଦିଗରୁ ବୃଦ୍ଧି କରିବା ପ୍ରୟୋଜନ । ଅନ୍ୟ ପକ୍ଷରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସାମ୍ରାଜ୍ୟବାଦ ବିରୁଦ୍ଧରେ ସୋଭିଏତ ୟୁନିୟନ ପ୍ରତ୍ୟେକ ପରାଧୀନ ଓ ଔପନିବେଶ ଦେଶଗୁଡିକର ବିପ୍ଳବୀ ସଂଗ୍ରାମକୁ ଜୋରଦାର ସମର୍ଥନ କରିବା ପ୍ରୟୋଜନ । ବର୍ତ୍ତମାନ ନିପୀଡନ ଓ ଶୋଷଣରୁ ମୁକ୍ତି ଅର୍ଜନର ଏତାଦୃଶ ମାର୍ଗ ହିଁ ଏକମାତ୍ର ବିକଳ୍ପ ।ସେମାନଙ୍କ ନିକଟରେ ଦ୍ଵିତୀୟ ପନ୍ଥା ନାହିଁ । ଅନେକ ପରାଧୀନ ଓ ଉପନିବେଶ ଦେଶ ମୁକ୍ତି ସଂଗ୍ରାମ ପଥରେ ଗତି କରୁଛନ୍ତି ଯାହା କି ପୁଞ୍ଜିବାଦ ପାଇଁ ଏକ ବିଶ୍ଵ ସଙ୍କଟ ସୃଷ୍ଟି କରିବ । କିନ୍ତୁ ବିକଶିତ ଦେଶଗୁଡିକର ଶ୍ରମିକ ଶ୍ରେଣୀର ଵିଜୟ ଓ ସାମ୍ରାଜ୍ୟବାଦର କବଳରୁ ନିପୀଡିତ ଜନଗଣଙ୍କ ମୁକ୍ତି Common Revolutionary Front ବିନା ସମ୍ଭବ ନୁହେଁ । ବର୍ତ୍ତମାନ ଏପରି ଏକ ସାମ୍ମୁଖ୍ୟ ରହିଛି, ଯଦିଓ ଆମେ ଏ ଯାବତ ହାସଲ କରିଥିବା ସଫଳତା ଯଥେଷ୍ଟ ନୁହେଁ । ତେଣୁ ଆମକୁ ଆହୁରି ଅଧିକ ଉଦ୍ୟମ କରିବାକୁ ହେବ । କମ୍ରେଡ଼ ଷ୍ଟାଲିନ ତାଙ୍କର ଐତିହାସିକ ଦିଗଦର୍ଶନରେ କହିଥିଲେ ସ୍ପେନ ଓ ଦକ୍ଷିଣ ଆମେରିକୀୟ ଦେଶଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ । କେନ୍ଦ୍ର ଓ ଦକ୍ଷିଣ ଆମେରିକାର ସମସ୍ତ ଦେଶର ସରକାରମାନେ ସେମାନଙ୍କ ବିଶ୍ୱସ୍ତ ସେନାଙ୍କ ବାୟୋନେଟ ମୁନରେ ତିଷ୍ଟି ରହିଛନ୍ତି । ପ୍ରତ୍ୟେକଟି ସରକାର ଗୋଟିଏ ଗୋଟିଏ ତାସ ଘର ଭଳି ତିଷ୍ଟି ରହିଛନ୍ତି । କେବଳ ଗୋଟିଏ ଶକ୍ତ ଝଡର ଆବଶ୍ୟକତା ରହିଛି । ଏହି ଝଡ଼ ସେମାନଙ୍କୁ ଭସେଇ ନେବ , କୌଣସି ଅବସ୍ଥିତିର ଛାପ ରହିବ ନାହିଁ । ଏହି ସମସ୍ତ ଦେଶରେ ଏତାଦୃଶ ଶକ୍ତି ଅର୍ଜନ କରିବା ଦରକାର ,ଯେତେବେଳେ ସମୟ ଉପନୀତ ହେବ ସେଠିକାର ଶୋଷିତ ଜନଗଣଙ୍କ ସହାୟତାରେ ଶାସନରେ ଥିବା ସ୍ବୈରାଚାରୀମାନଙ୍କୁ ଉତଖତ କରିବା ସମ୍ଭବ ହେବ । ଏହା ହେଲେ ନିପିଡ଼ିତ ଜନତାଙ୍କ ହାତକୁ କ୍ଷମତା ଆସିବ ଓ ସେମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ କଞ୍ଚାମାଲ ହାସଲରୁ ବଞ୍ଚିତ କରି ପାରିବେ । କମ୍ରେଡ଼ ଷ୍ଟାଲିନ କହିଥିଲେ, ଏହି ଦାୟିତ୍ୱ ପାଳନ କରିବା ସମ୍ଭବ । ଏହା କେବଳ କାଳ୍ପନିକ ନୁହେଁ । ଆମେ ଯଦି ଲକ୍ଷ୍ୟ କରିବା ,କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକୀୟ ଦେଶମାନଙ୍କର 70% ଜନଗଣ( କେତେକ କ୍ଷେତ୍ରରେ ଏହା ଠାରୁ ଅଧିକ) ଅବହେଳିତ ଓ ଶୋଷିତ ,ଦରିଦ୍ର ଜନଗଣ । ସେମାନେ ନିଜ ନିଜ ଦେଶର ଅତ୍ୟାଚାରୀଙ୍କ ବିରୁଦ୍ଧରେ ତୀବ୍ର ଘୃଣା ପ୍ରକାଶ କରୁଛନ୍ତି । ସେମାନଙ୍କ ମଧ୍ୟରେ ଆମର ପ୍ରଚାରକୁ ଘନୀଭୂତ କରିବା ଜରୁରୀ ।

ଯୁକ୍ତରାଷ୍ଟ୍ର ଆମେରିକା ଦକ୍ଷିଣ ଆମେରିକା ଗଣରାଜ୍ୟ ସରକାର ମାନଙ୍କୁ ନିଜର ବିଶ୍ୱସ୍ତ ସହଯୋଗୀ ବୋଲି ବିଚାର କରୁଛି ଯାହା ମଧ୍ୟ ସତ୍ୟ । କିନ୍ତୁ ଏହା ସମସ୍ତ ଗଣରାଜ୍ୟ ର ମେହନତି ମଣିଷମାନେ କେବଳ ଏକ ସମ୍ଭାବନା ସମୟକୁ ଅପେକ୍ଷା କରିଛନ୍ତି ।
କଲମ୍ବିଆର ରାଜଧାନୀ ବାଗୋତାରେ Pan-America Country ମାନଙ୍କର ଏକ ସମ୍ମିଳନୀ ଆଗାମୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । କମ୍ରେଡ଼ ଷ୍ଟାଲିନ ଏହା ସମ୍ପର୍କରେ କହିଥିଲେ, ଏହାର କୌଣସି ଫଳାଫଳ ସେମାନେ ପାଇବେ ନାହିଁ । ସେମାନଙ୍କ ଭିତରେ ଅତ୍ୟଧିକ ଦ୍ବନ୍ଦ୍ୱ ରହିଛି , ସ୍ୱାର୍ଥ ଓ ଲକ୍ଷ୍ୟ ମଧ୍ୟରେ ଅନେକ ବୈଷମ୍ୟ ରହିଛି । କେବଳ ମୁନାଫାର କ୍ଷୁଧା ଯୋଗୁଁ ସେମାନେ ଏକଜୁଟ ହେଉଛନ୍ତି ।
Com Stalin କହିଥିଲେ :
“All will be concluded in magnificent phrases of mutual solidarity and common interest, while in a really dangerous moment ,there will be such discord among them that they will be a liabilty and not an asset for the United States .”
ଏଭଳି ପୂର୍ବାନୁମାନ ଭିତ୍ତିରେ ଷ୍ଟାଲିନ କହିଥିଲେ, ଆମକୁ ବ୍ରାଜିଲ ଉପରେ ଅତ୍ୟଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରଚୁର ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ । ବ୍ରାଜିଲର କମ୍ୟୁନିଷ୍ଟ ପାର୍ଟି ପ୍ରଚଣ୍ଡ ଉତ୍ପୀଡନର ଶିକାର ହେଉଛନ୍ତି । କିନ୍ତୁ ଏହି ଉତ୍ପୀଡନ ହିଁ ଶେଷରେ ସେମାନଙ୍କୁ ମୁକ୍ତି ପ୍ରଦାନ କରିବ । ଯେଉଁମାନେ ଦୁର୍ବଳମନା ଓ ବ୍ୟବସ୍ଥା ଉପରେ ଅସନ୍ତୁଷ୍ଟ ସେମାନେ କମ୍ୟୁନିଷ୍ଟ ପାର୍ଟିର ଉତ୍ପୀଡନକୁ ଉପଲବ୍ଧି କରିବେ ସଂଗ୍ରାମରେ ଝାସ ଦେବେ । ବ୍ରାଜିଲ ପରେ ଆମକୁ ଭେନେଜୁଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ । ଏଠାରେ ପ୍ରଚୁର ତୈଳ ଭଣ୍ଡାର ରହିଛି । ଉତ୍ତର ଆମେରିକାର ପୁଞ୍ଜିପତିମାନେ ବ୍ୟାପକ ଖନନ କରୁଛନ୍ତି । ଯଦି ଯୁଦ୍ଧ ଆରମ୍ଭ ହୁଏ, ତାହେଲେ ପ୍ରଥମେ ଆମେରିକା ଇଣ୍ଡଷ୍ଟ୍ରି ମାନଙ୍କର ଏହି ତୈଳ ସମ୍ପଦ ବ୍ୟବହାରକୁ ପ୍ରତିରୋଧ କରିବାକୁ ପଡ଼ିବ । କମ୍ରେଡ଼ ଷ୍ଟାଲିନ ପାନମା କେନାଲ ଉପରେ ମଧ୍ୟ ନିଜର ଦୃଷ୍ଟିଭଙ୍ଗୀ ସ୍ପଷ୍ଟ କରିଥିଲେ । ସେ କହିଥିଲେ – In a future war surface water fleets will lose all their significance and we no reason to have any special interest in it .
ଷ୍ଟାଲିନ କହିଥିଲେ, ଯଦି ଏହାକୁ ଧ୍ୱଂସ କରାଯାଏ ତାହେଲେ ଏହାର ପୁନରୁଦ୍ଧାର ଯୋଗୁଁ ଯୁଦ୍ଧ ପରବର୍ତ୍ତୀ ବିଶ୍ୱର ଅର୍ଥନୈତିକ ବିକାଶ ବିଳମ୍ବିତ ହେବ ।
ଇଉରୋପ ସମ୍ପର୍କରେ କହିଥିଲେ, ସ୍ପେନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । ବର୍ତ୍ତମାନ ଯେଉଁ ଖବର ମିଳୁଛି ଫାଶିଷ୍ଟ ଫ୍ରାଙ୍କୋଙ୍କ ଶାସନର ଅବିଳମ୍ବେ ପତନ ହେବ ।

କମ୍ରେଡ଼ ଷ୍ଟାଲିନ ଚୀନ ଓ ଭାରତର ସଂଗ୍ରାମ ଉପରେ ମଧ୍ୟ ନିଜର ମତ ରଖିଥିଲେ । ଚୀନ ଖୁବ ଶୀଘ୍ର ନିଜ ବଳରେ ଆମେରିକାପୁଷ୍ଟ କୁମିଙ୍ଗ ଟାଙ୍ଗ ଶାସନକୁ ଚୀନର ମୁକ୍ତି ସେନା ପରାଜିତ କରିବେ ଓ ସାମ୍ରାଜ୍ୟବାଦ ବିରୋଧୀ ଡେମୋକ୍ରାଟିକ ପ୍ରତିଷ୍ଠା। କରିବେ । ସେମାନେ ସମସ୍ତ ପ୍ରକାର ଶତ୍ରୁ କବଳରୁ ନିଜକୁ ସୁରକ୍ଷା ଦେବେ ଓ ସୋଭିଏତ ୟୁନିୟନ ସହ ବନ୍ଧୁତ୍ୱ ପୂର୍ଣ। ସମ୍ପର୍କ ପ୍ରତିଷ୍ଠା କରିବେ । ଭାରତ ସମ୍ପର୍କରେ କହିଥିଲେ, ଭାରତ ଇଂଲଣ୍ଡ ଠାରୁ ସ୍ୱାଧୀନତା ଅର୍ଜନ କରିଛନ୍ତି । କିନ୍ତୁ ଏହି ସ୍ୱାଧୀନତା ଏକ କଳ୍ପନା ଭିତରେ ଗତି କରୁଛି ।ଏଠାରେ ମିଲିୟନ ମିଲିୟନ ମେହନତି ଜନଗଣ ପୁରୁଣା ଜୀବନ ଜୀଇଁବା ସ୍ୱପ୍ନ ଦେଖୁ ନାହାଁନ୍ତି । ସେମାନେ ହୃଦୟଙ୍ଗମ କରୁଛନ୍ତି ସାମ୍ରାଜ୍ୟବାଦୀମାନେ ଏସିଆ ଭୂଖଣ୍ଡ ରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ଷଢ଼ଯନ୍ତ୍ରରେ ବ୍ୟସ୍ତ । ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଜନଗଣଙ୍କୁ ଆକୃଷ୍ଟ କରୁଛି । ସେମାନେ ଯେମିତି ସ୍ୱାଧୀନତାର ପ୍ରକୃତ ସ୍ୱାଦ ସମାନ ଭାବରେ ଉପଭୋଗ କରନ୍ତି, ସେଥିପାଇଁ ଆମକୁ ସାହାଯ୍ୟ କରିବାକୁ ପଡ଼ିବ ।