RSS@100 ଓଡ଼ିଶାରେ କେମିତି ହିନ୍ଦୁତ୍ୱ ରାଜନୀତି ପ୍ରବେଶ କଲା ?

ଭୁବନେଶ୍ୱର :(ବିଜୟ ସାହୁ)-ଇତିହାସ, ଲୋକକଥା ଓ ମାଦଳା ପାଞ୍ଜି ସୂତ୍ରରୁ ଜଣା ପଡେ ଓଡ଼ିଶାର ଦାଣ୍ଡମୁକୁନ୍ଦ ଗାଁର ବିଧବା ବ୍ରାହ୍ମଣୀ ଲଳିତା ହେଉଛନ୍ତି ପ୍ରଥମ ମୁସଲିମ ଓ ତାଙ୍କର ପୁତ୍ର ଲାଲ ବେଗଙ୍କ ପୁତ୍ର ହେଉଛନ୍ତି ସାଲବେଗ ।
ସେମିତି କଟକ ଜିଲ୍ଲାର ଜଣେ ବ୍ରାହ୍ମଣ ଗଙ୍ଗାଧର ଷଡଙ୍ଗୀ ହେଉଛନ୍ତି ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିୟାନ ।

ଉପରୋକ୍ତ ଦୁଇ ଧର୍ମାନ୍ତର ଘଟଣା ଯଥାକ୍ରମେ ସପ୍ତଦଶ ଶତାବ୍ଦୀ ଓ ଉନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ଵିତୀୟ ଦଶକରେ ଘଟିଥିଲା ।
ଧର୍ମାନ୍ତର ପରେ ଏମାନଙ୍କ ପରବର୍ତ୍ତୀ ପିଢ଼ି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିଲେ ।

ଐତିହାସିକଙ୍କ ମତରେ ଓଡ଼ିଶାର ପରବର୍ତ୍ତୀ ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ କେବେ ପରସ୍ପର ପ୍ରତି ଶତ୍ରୁତା ଆଚରଣ କରୁ ନଥିଲେ , ଯଦିଓ ବେଳେ ବେଳେ ଆଞ୍ଚଳିକ ସ୍ତରରେ ପରସ୍ପର ଭିତରେ ଝଗଡା ହେଉଥିଲା । ଓଡ଼ିଆମାନଙ୍କୁ ବ୍ୟାପକ ଭାବରେ ଇସଲାମ ଅଥବା ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତର କରା ଯାଇ ନଥିଲା । ତେଣୁ ସଂଖ୍ୟାଧିକ ହିନ୍ଦୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶନ୍ଧି ପର୍ଯ୍ୟନ୍ତ ଅନ୍ୟ ଧର୍ମ ଦ୍ୱାରା ଖତରା ଅନୁଭବ କରି ନଥିଲେ । ସମସ୍ତଙ୍କ ଭିନ୍ନ ଭିନ୍ନ ଧର୍ମ ସତ୍ତ୍ୱେ ଓଡ଼ିଆ ସାଂସ୍କୃତିକ ପରମ୍ପରାରେ ସମାନ ଭାଗିଦାର ଥିଲେ । ଯାହାକୁ ଜଗନ୍ନାଥ ସଂସ୍କୃତି କୁହା ଯାଉଛି ।
ଏଭଳି ଏକ ମିଳିତ ସାଂସ୍କୃତିକ ପରମ୍ପରା ବିଶିଷ୍ଟ ରାଜ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ହିନ୍ଦୁତ୍ୱ ରାଜନୀତି କିପରି ବିସ୍ତାର ଲାଭ କଲା ଓ ରାଜ୍ୟ କ୍ଷମତାକୁ ଆସିଲା ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ବ୍ରିଟିଶ ଶାସନ ଅମଳରୁ “ଜଗନ୍ନାଥ ଓଡ଼ିଆ ହିନ୍ଦୁ ଓ ଭାରତୀୟ ହିନ୍ଦୁ ଆନ୍ତଃ-ସମ୍ପର୍କ ଅବଧାରଣା ” ହିନ୍ଦୁତ୍ୱ ପ୍ରସାର ପାଇଁ ଏକ ଆଦର୍ଶ ଅଥଚ ଜଟିଳ ସ୍ଥିତି ବୋଲି ପରିକଳ୍ପନା କରି ଆସିଛି ।

ପ୍ରାକ-ଉପନିବେଶ ଓ ଉପ ନିବେଶ କାଳରେ ଉଚ୍ଚ ଜାତି ମଧ୍ୟବିତ୍ତଙ୍କ ଜଗନ୍ନାଥ ଧାର୍ମିକ ପରମ୍ପରା ଓ ଓଡ଼ିଆମାନଙ୍କ ଧର୍ମୀୟ- ସାମାଜିକ-ସାଂସ୍କୃତିକ ଓ ରାଜନୈତିକ ଜୀବନରେ ପ୍ରଭାବକୁ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଭଲ ଭାବରେ ଅନୁଶୀଳନ କରିଥିଲା ।
ଜଗନ୍ନାଥ ସଂସ୍କୃତି ଯେହେତୁ ଅନ୍ୟାନ୍ୟ ସଂସ୍କୃତି ଯଥା ଜୈନ ସଂସ୍କୃତି, ବୌଦ୍ଧ ସଂସ୍କୃତି, ଇସଲାମ ସଂସ୍କୃତି ,ମହିମା ଧର୍ମ ଇତ୍ୟାଦିକୁ ନିଜ ସହିତ ସମିଶ୍ରଣ କରି ଦେଇଥିଲା, ତେଣୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ସେତେବେଳେ ହିନ୍ଦୁତ୍ୱ ଦର୍ଶନକୁ ଜଗନ୍ନାଥ ସଂସ୍କୃତିର ସମାନ୍ତରାଳ ଭାବରେ ନ ଦର୍ଶାଇ ଏହାକୁ ଏକ ଓ ଅଭିନ୍ନ ଭାବରେ ବିଚାର କରୁଥିଲା ।
ଆର ଏସ ଏସ ଜଗନ୍ନାଥଙ୍କୁ ଏକ ବନବାସୀ ଦେବତା ଓ ଓଡ଼ିଶା ଗୋଟିଏ ବନବାସୀ ରାଜ୍ୟ ଭାବରେ ବିଚାର କରୁଥିଲା ।
1936 ରେ ଯେତେବେଳେ କୂଳବୃଦ୍ଧ ମଧୁସୂଦନଙ୍କ ଆଜୀବନ ପ୍ରୟାସରେ ବିହାରରୁ ଅଲଗା ହେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା, ସେତେବେଳେ ଆଧୁନିକ ଓଡ଼ିଆର ସୀମାନ୍ତରେ ଥିବା କେତେକ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଛାଡି ମାତ୍ର 6 ଟି ଜିଲ୍ଲା କଟକ, ପୁରୀ,ବାଲେଶ୍ଵର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ କୁ ନେଇ ଏହି ପ୍ରଦେଶ ଗଠନ ହେଇଥିଲା । ଏକା ଆଇନ ଓ ଏକା ଦିନରେ ବ୍ରିଟିଶ ପାର୍ଲିଆମେଣ୍ଟ ସିନ୍ଧ ମୁସଲିମ ପ୍ରଦେଶ ଗଠନ ଘୋଷଣା ହେଇଥିଲା । ଭାରତୀୟ ଜାତୀୟ କଂଗ୍ରେସର କିଛି ନେତା ଯେହେତୁ ବିହାରରୁ ଓଡ଼ିଶା ଅଲଗା କରିବାକୁ
ବିଭିନ୍ନ କାରଣ ଯୋଗୁଁ ସମର୍ଥନ କରୁ ନଥିଲେ , ଏହାର ସୁଯୋଗ ନେଇ  ଓଡ଼ିଶା ସୀମାନ୍ତ ରାଜ୍ୟମାନଙ୍କର  କିଛି ଶକ୍ତି ଏହାକୁ ଇଂରେଜ ସରକାରଙ୍କ ହିନ୍ଦୁ ତୁଷ୍ଟିକରଣ ବୋଲି ପ୍ରଚାର କଲେ ।
(ବିଶିଷ୍ଟ ଐତିହାସିକ ବିସ୍ମୟ ପତିଙ୍କ ପୁସ୍ତକ -Resisting domination :Peasants and the National Movement in Orissa (1920-1950) ଦ୍ରଷ୍ଟାବ୍ୟ) । କିନ୍ତୁ ଓଡ଼ିଆ ମଧ୍ୟବିତ୍ତଙ୍କ ଗୋଟିଏ ଗୋଷ୍ଠୀର ବୌଦ୍ଧିକତା ଉପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଗଭୀର ପ୍ରଭାବ ପକାଇଥିଲା ।ସେମାନେ ଏହାକୁ ଗ୍ରହଣ କରିଥିଲେ ଓ ଏହାକୁ ଉତ୍ସବ ଭାବରେ ପାଳନ କରିଥିଲେ । ଅନ୍ୟ ପକ୍ଷରେ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର ପୁସ୍ତକ Odia Language and Culture ରେ ଲେଖିଥିଲେ, ରାଜନୈତିକ ଦୃଷ୍ଟି କୋଣରୁ ନୂତନ ସିନ୍ଧ ପ୍ରଦେଶ ଗଠନ ଏକ ଉପଜାତ ( bi-product ) ।  ଭାରତୀୟ ଜନଗଣଙ୍କ ଭିତରେ ରହିଥିବା ସାମ୍ପ୍ରଦାୟିକ ପ୍ରବଣତା ବେମାରୀକୁ ଚିକିତ୍ସା ନକରି କେବଳ କିଛି ଉପଶମ ପାଇଁ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ଗରୀବ ଓଡ଼ିଶା କୁ ଏକ ହିନ୍ଦୁ ପ୍ରଦେଶ ଭାବରେ ଫୋପାଡି ଦିଆ ଯାଇଛି । ସାମ୍ପ୍ରଦୟିକ ବିଭାଜନ ମାଧ୍ୟମରେ ଶାସନ କରିବା ଏହାର ମୂଳ ଲକ୍ଷ୍ୟ ।
ବ୍ରିଟିଶ ଉପନିବେଶ କାଳ ଜନଗଣନାରେ ଉପମହାଦେଶର ଯେଉଁ ଧର୍ମୀୟ ସାଂକ୍ଷିକ ଧ୍ରୁବୀକରଣ ହେଇଥିଲା , ସେହି ତଥ୍ୟରେ ଓଡ଼ିଶା କୁ ଏକ ହିନ୍ଦୁପ୍ରାଧାନ୍ୟ ପ୍ରଦେଶ ଭାବରେ ଉଲ୍ଲେଖ କରା ଯାଇଥିଲା ( Indian religious identity and Indian Census ) ।
ସ୍ୱାଧୀନତା ପରେ ଯେଉଁ ଜନଗଣନା ହେଇ ଚାଲିଲା ତାହାକୁ ଜନଗଣନା ବିଭାଗ ଅନୁରୂପ ଭାବରେ ପ୍ରାଧାନ୍ୟ ଦେଲା । 1991 ଜନଗଣନାରେ ଓଡ଼ିଶାର ହିନ୍ଦୁ ସଂଖ୍ୟା 94.67 % ଭାବରେ ଦର୍ଶା ଯାଇଛି ।
ସୁତରାଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ବିଂଶ ଶତାବ୍ଦୀର ତିରିଶ ଦଶକରୁ ଓଡ଼ିଶାକୁ ଗୋଟିଏ ହିନ୍ଦୁ ପ୍ରଦେଶ ଭାବରେ ବିଚାର କରି ଆସିଛି ।
ଆଧୁନିକ ଓଡ଼ିଶାର ଆଦ୍ୟ ଇତିହାସ ଅସ୍ପଷ୍ଟ ହେଇ ଆସିଛି । ବର୍ତ୍ତମାନର ଓଡ଼ିଶାର ଭୂଖଣ୍ଡ ଇତିହାସର ବିଭିନ୍ନ କାଳଖଣ୍ଡରେ ଭିନ୍ନ ଭିନ୍ନ ନାମରେ ପରିଚିତ ହେଇଛି । ଉତ୍କଳ, କଳିଙ୍ଗ, କୋଶଳ ଓ ଉଡ୍ର । ଓଡ଼ିଶାର ସ୍ଥଳାକୃତି ଓ ଭୂଗୋଳ ( Topo- graphy and Geography ) ଏହାର ଇତିହାସକୁ ମୂଳତଃ ରୂପ ଦେଇଛି । ଏହା ମୁଖ୍ୟତଃ ଦୁଇଟି ଅଞ୍ଚଳକୁ ନେଇ ଗଠିତ – ଉପକୂଳ ସମତଳ ଓ ପର୍ବତ ତଳ ଉଚ୍ଚଭୂମି । ଜଙ୍ଗଲ ଓ ପାର୍ବତ୍ୟ ଅଞ୍ଚଳ ଦୁର୍ଗମ ଥିଲା ଓ ନଦୀ ବ୍ୟବସ୍ଥା ପ୍ରତିକୂଳ ଥିଲା । ତେଣୁ ଏକ ଧାରଣା ସୃଷ୍ଟି ହେଇଥିଲା ଓଡ଼ିଶା ସବୁବେଳେ ଭୌଗଳିକ ଓ ସ୍ଥାନୀୟ କାରଣରୁ ଅଜ୍ଞାତ  (Mano Mohan Ganguli -Orissa and Her Remains :Ancient and Medieval )।
ଏହା ବ୍ୟତୀତ ଉତ୍ତର ଭାରତ ଓ କେନ୍ଦ୍ର ଭାରତରେ ମୁସଲିମ ଶାସନର ପ୍ରାୟ ତିନି ଶତାବ୍ଦୀ ପରେ ଓଡ଼ିଶାର କିଛି ଭାଗ ମୁସଲିମ ଶାସନ ଅଧିନକୁ ଆସିଥିଲା ( 1568) ।
ଏପରି କି ଓଡ଼ିଶାର କିଛି ଅଞ୍ଚଳ ଦଖଲ କରିଥିବା ଆକବରଙ୍କ ଜେନେରାଲ ଜୟ ସିଂହ ମଧ୍ୟ ଏହାକୁ ଦଖଲ କରିବା ଓ ମାନବିକ ଅଭିଳାଷ ଯୋଜନା କରିବା ପାଇଁ ଉପଯୁକ୍ତ ଅଞ୍ଚଳ ନୁହେଁ ବୋଲି ବିଚାର କରିଥିଲେ । ତେଣୁ ଓଡ଼ିଶାର ଭୌଗଳିକ ସ୍ଥିତି ଓ ସ୍ଥଳାକୃତି  ଏହାର ମୂଳ ନିବାସୀ ସଂସ୍କୃତି ଓ ସାଂସ୍କୃତିକ ପରିଚୟକୁ ବହୁଳାଂଶରେ ସୁରକ୍ଷିତ ରଖିଥିଲା ।
ଅନ୍ୟ ପକ୍ଷରେ ଏହାର ଉପକୂଳ  ଉତ୍ତର ଓ ଦକ୍ଷିଣର ପଡୋଶୀ ଭୂଖଣ୍ଡ ସହିତ ଭଲ ଭାବରେ ସଂଯୋଗ ଥିବାରୁ ବିଭିନ୍ନ ସମୟରେ ସେମାନଙ୍କ ସାଂସ୍କୃତିକ ପ୍ରବାହ ଉପକୂଳ ଓଡ଼ିଶାର ମୂଳ ନିବାସୀ ସଂସ୍କୃତି ସହ
ସାମିଲ ହେଇଥିଲା । ଆର୍ଯ୍ୟ ଓ ଦ୍ରାବିଡ଼ମାନେ ସ୍ବଦେଶୀଙ୍କ ସହ ପାରସ୍ପରିକ ମିଶ୍ରଣ ହେଇଥିଲେ । ଓଡ଼ିଶାର ନୌ ବଣିକ ସମ୍ପ୍ରଦାୟ ଭାବରେ ପରିଚିତ ସାଧବମାନେ ଦକ୍ଷିଣ ପୂର୍ବ ଏସିଆ ବିଶେଷ କରି ଇନ୍ଦୋନେସିଆ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା କରିଥିଲେ ।
କେତେକ ଐତିହାସିକ ବିଶେଷ କରି ବ୍ରିଟିଶ ଐତିହାସିକ କପିଳ ସଂହିତାକୁ ଉଲ୍ଲେଖ କରି ଲେଖିଛନ୍ତି ଓଡ଼ିଶା ହେଉଛି ହିନ୍ଦୁମାନଙ୍କ ପବିତ୍ର ଭୂଇଁ । ବିଶ୍ୱର ସମସ୍ତ ଦେଶମାନଙ୍କ ମଧ୍ୟରେ ଭାରତ ହେଉଛି ମହାନତମ ।ଉତ୍କଳ ଏହା ମଧ୍ୟରେ ଶିଖରରେ ରହିଥିଲା । ଅବଶ୍ୟ କପିଳ ମୁନୀ ଙ୍କ ଐତିହାସିକତା ଓ ପ୍ରାମାଣିକତା ସମ୍ପର୍କରେ ମୁଖ୍ୟ ଧାରାର ଭାରତୀୟ ଐତିହାସିକ ସହମତି ପ୍ରକାଶ କରି ନାହାଁନ୍ତି । ଦେବୀ ପ୍ରସାଦ ଚଟୋପାଧ୍ୟାୟ ତାଙ୍କର Lokayat : A study in Ancient Indian Materialism ରେ କପିଳଙ୍କୁ ଏକ ପ୍ରତୀକାତ୍ମକ ପୌରାଣିକ ଅବଧାରଣା ଭାବରେ ଲେଖିଛନ୍ତି । ସାଙ୍ଖ୍ୟ ଦର୍ଶନର ପ୍ରଣେତା ଭାବରେ କପିଳ ମୁନୀଙ୍କୁ ବିଚାର କରା ଯାଇଛି ଯାହା ପ୍ରାରମ୍ଭିକ ଭାରତୀୟ ଭୌତିକ ଦର୍ଶନ ( Proto-materialism ) ।
ସାଙ୍ଖ୍ୟ , ଜୈନବାଦ ଓ ଉପନିଷଦ କାଳଖଣ୍ଡର ଏକ ବହୁଳବାଦୀ ବାତ୍ତାବରଣ ( plurastic environment ) ଭିତରେ ଗୌତମ ବୁଦ୍ଧଙ୍କ ଦର୍ଶନର ସୃଷ୍ଟି । କପିଳଙ୍କ ଦର୍ଶନ ବୁଦ୍ଧଙ୍କ ସମୟରେ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରସାର ହେଇଥିଲା ଓ ବ୍ୟାପକ ଭାବରେ ତପସ୍ୱୀ ଆନ୍ଦୋଳନକୁ ପ୍ରଭାବିତ କରିଥିଲା । ଐତିହାସିକମାନେ ଏହି ସଂଯୋଗକୁ ଗ୍ରହଣ କରିଛନ୍ତି, କିନ୍ତୁ ଅତିକଥନ ପ୍ରତି ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ।
ଓଡ଼ିଆରେ ଉଭୟ ଜୈନ ଦର୍ଶନ ଓ ବୌଦ୍ଧ ଦର୍ଶନର ବଳିଷ୍ଠ ପ୍ରଭାବ ଥିଲା
ଏହି ଦୁଇ ଦର୍ଶନ ହିନ୍ଦୁ ଧର୍ମ ଠାରୁ ସମ୍ପୂର୍ଣ୍ଣ ନୂତନ ଧର୍ମ ବା ଦର୍ଶନ ଭାବରେ ସୃଷ୍ଟି ହେଇଥିଲା ।ଖଣ୍ଡଗିରି ଓ ଉଦୟଗିରି ଶିଳାଲେଖ ପ୍ରମାଣ କରୁଛି ବୌଦ୍ଧ ଦର୍ଶନର ବହୁ ପୂର୍ବରୁ ଜୈନବାଦ ଓଡ଼ିଶାକୁ ଆସି ଯାଇଥିଲା । ଖାରବେଳଙ୍କ ଶାସନ କାଳରେ ଜୈନ ଧର୍ମ ଶିଖରରେ ପହଞ୍ଚି ଥିଲା । ଖାରବେଳଙ୍କ ମୃତ୍ୟୁ ପରେ ଜୈନ ଧର୍ମ ଆସ୍ତେ ଆସ୍ତେ ବିଲୋପ ହେଇଥିଲା ।କଳିଙ୍ଗ ଯୁଦ୍ଧ ଅନ୍ତେ ବୌଦ୍ଧ ଧର୍ମ ଓଡ଼ିଶାରେ ବିସ୍ତାର ଲାଭ କରିଥିଲା । ବୌଦ୍ଧ ସାହିତ୍ୟରେ ଉଲ୍ଲେଖ ରହିଛି, ବୁଦ୍ଧଙ୍କ ମୃତ୍ୟୁ ପରେ ତାଙ୍କର ଗୋଟିଏ ଦାନ୍ତ କଳିଙ୍ଗ ରାଜଧାନୀକୁ ଆସିଥିଲା । କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମର ବ୍ୟାପକ ପ୍ରସାର ଘଟି ପଞ୍ଚମ ଶତାବ୍ଦୀ ବେଳକୁ ଆସ୍ତେ ଆସ୍ତେ ଉଡ୍ର, କଳିଙ୍ଗ, କୋଶଳରୁ ବିଲୋପ ହେଇ ଦଶମ ଶତାବ୍ଦୀ ବେଳକୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଲୋପ ହେଇ ଯାଇଥିଲା  । ତାପରେ ଅଣ ହିନ୍ଦୁ ମାନଙ୍କୁ ହିନ୍ଦୁ ଧର୍ମ ଭିତରେ ମିଶ୍ରଣ କରି ଦିଆ ଯାଇଥିଲା । ବୁଦ୍ଧଙ୍କୁ ବିଷ୍ଣୁଙ୍କୁ ନବମ ଅବତାର ରୂପେ ଜୟ ଦେଵଙ୍କ ଗୀତଗୋବିନ୍ଦ ଠିଆ କଲା ।
ତେଣୁ ଏକଥା ସତ୍ୟ ଯେ ଓଡ଼ିଶାର ହିନ୍ଦୁ ସଂସ୍କୃତି କେବେ ବି ଅଖଣ୍ଡ ( monolithic ) ନଥିଲା ।ବରଂ ଏଠାରେ ଶୈବବାଦ, ବୈଷ୍ଣବବାଦ,ତାନ୍ତ୍ରିକବାଦ ଓ ଶକ୍ତି ବାଦ ଭଳି ବିବିଧ ଧର୍ମୀୟ ସଂସ୍କୃତି,ଧର୍ମୀୟ ଗୋଷ୍ଠୀର ଏକ ମିଳନ କେନ୍ଦ୍ର ହେଇଥିଲା ।
ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି ବ୍ରାହ୍ମଣବାଦୀ ହିନ୍ଦୁ ଧର୍ମର ପ୍ରୋତ୍ସାହକ ଗଙ୍ଗ ବଂଶ ଶାସନ କାଳରେ ବୌଦ୍ଧ ଭିକ୍ଷୁ ମାନେ ବ୍ୟାପକ ସଂଖ୍ୟାରେ ହତ୍ୟା ଓ ବିତାଡିତ ହେଇଥିଲେ ।

ଜୈନ ଧର୍ମ ଓ ବୌଦ୍ଧ ଧର୍ମ ଓଡ଼ିଶାରୁ ବିଲୋପ ହେଇଗଲେ ମଧ୍ୟ ଦୁଇ ଧର୍ମର ଅହିଂସା ଓ ଧର୍ମୀୟ ବିଚାର ଓଡ଼ିଶାର ଜନଜୀବନ ଉପରେ ଗଭୀର ପ୍ରଭାବ ପକେଇଛି ଓ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଭାରତରେ ପରିଚିତ । ଓଡ଼ିଶାର
ଉପକୂଳ ଅଞ୍ଚଳ ଓ ନଦୀ ଅବବାହିକାରେ ଅସଂଖ୍ୟ ହିନ୍ଦୁ ମନ୍ଦିର ଓ କୀର୍ତିରାଜିର ଐତିହ୍ୟ ବହନ କରି ଆସିଛି । ଯାହା ଉତ୍ତର ଭାରତର ନିର୍ମାଣ ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କିନ୍ତୁ ଏହି ଅଞ୍ଚଳ ବ୍ରାହ୍ମଣବାଦୀ ପରମ୍ପରା ଓ ଅନୁଷ୍ଠାନିକ ପବିତ୍ରତାକୁ କଠୋର ଭାବରେ ପାଳନ କରି ଆସିଛି ।  ଶତାବ୍ଦୀ ଶତାବ୍ଦୀ ଧରି ଏହି ଅଞ୍ଚଳ ଘୃଣାସ୍ପଦ ଅନ୍ଧ ବିଶ୍ୱାସ ଓ ଅପ୍ରିୟ ଜାତିଗତ ପୂର୍ବାଗ୍ରହ ଦ୍ୱାରା ମଧ୍ୟ ପ୍ରଭାବିତ । ବ୍ରାହ୍ମଣ, କରଣ ଓ ଖଣ୍ଡାୟତଙ୍କ ଭଳି ପ୍ରଭାବଶାଳୀ ସବର୍ଣ୍ଣ ହିନ୍ଦୁ ବର୍ଣ୍ଣ ସୋପାନ ତଳେ ଥିବା ନିମ୍ନ ଜାତି ଓ ଅସ୍ପୃଶ୍ୟଙ୍କ ଜୀବନ ପ୍ରଣାଳୀକୁ ନିୟନ୍ତ୍ରଣ କରି ଆସିଛନ୍ତି । ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଫାଇଦା ପାଇଁ ହିନ୍ଦୁ ବୋଲି ଦାବୀ  କରା ଯାଉଥିଲେ ମଧ୍ୟ ସବର୍ଣ୍ଣ ହିନ୍ଦୁ ସମାଜର ମର୍ଯ୍ୟାଦାରୁ ସେମାନେ ସମ୍ପୂର୍ଣ୍ଣ ବଞ୍ଚିତ । ଏମାନଙ୍କ ସଂଖ୍ୟା 15% ରୁ ବେଶୀ ।
ଅନ୍ୟ ପକ୍ଷରେ ଜଙ୍ଗଲ ଓ ମାଳଭୂମି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଆଜି ବି ଓଡ଼ିଶାରେ 62 ଟି ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି । ସେମାନେ ସମଗ୍ର ଓଡ଼ିଶାର ଜନସଂଖ୍ୟାର 25% ଓ ଭୂଖଣ୍ଡର ପ୍ରାୟ 40% ।
ଆଦିବାସୀଙ୍କ ସାଂସ୍କୃତିକ ପରମ୍ପରା, ଭାଷା, ସାମାଜିକ ଓ ଧର୍ମୀୟ ରୀତିନୀତି ସମ୍ପୂର୍ଣ୍ଣ ଅଲଗା । ଏମାନେ      ବୈଦିକ ହିନ୍ଦୁ ସୋପାନରେ ଆସୁ ନାହାନ୍ତି । ଏମାନେ ମୂଳତଃ କୌଣସି ଅତି ପ୍ରାକୃତିକ ସତ୍ତାକୁ ଉପାସନା କରନ୍ତି ନାହିଁ । ଏମାନେ ପ୍ରକୃତ ମୂଳବାସୀ ।

ଓଡ଼ିଶାର ଏଭଳି ବିବିଧତା ଭିତରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ହିନ୍ଦୁତ୍ୱ ଦର୍ଶନ କିପରି ପ୍ରସାରିତ ହେଲା ତାହା ହିଁ ବିସ୍ମୟକର କଥା ।କାରଣ ଆର ଏସ ଏସ ଏକକ ଓ ଐକ୍ୟବଦ୍ଧ ହିନ୍ଦୁ ପରିଚୟ( Single & unified hindu identity ) ଉପରେ ବିଶ୍ୱାସ କରେ ଓ ଏକକ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଏହାର ଚରମ ଲକ୍ଷ୍ୟ । 

” ଧାର୍ମିକ ପୀଡା ହେଉଛି ଏକ ସମୟରେ ପ୍ରକୃତ ପୀଡାର ଅଭିବ୍ୟକ୍ତି ଓ ପ୍ରକୃତ ପୀଡା ବିରୁଦ୍ଧରେ ଏକ ପ୍ରତିବାଦ । ଧର୍ମ ହେଉଛି ଉତ୍ପୀଡିତ ପ୍ରାଣୀର ଦୀର୍ଘଶ୍ୱାସ, ଏକ ହୃଦୟହୀନ ବିଶ୍ୱର ହୃଦୟ ଓ ଆତ୍ମାହୀନ ପରିସ୍ଥିତିର ଆତ୍ମା । ଏହା ମଣିଷର ଅଫିମ ।”

“ଧର୍ମ ସ୍ଥିତାବସ୍ଥାକୁ ନ୍ୟାୟସଂଗତ  କରିଥାଏ ।  ଏହା ଗରୀବଙ୍କୁ ସେମାନଙ୍କ ଭାଗ୍ୟ ଫଳ ସ୍ୱୀକାର କରିବାକୁ ଶିକ୍ଷା ଦେଇଥାଏ ( ଶାନ୍ତ ସ୍ଵଭାବ ମଣିଷ ପୃଥ୍ବୀର ଉତ୍ତରାଧିକାରୀ ହେବ ), ପର ଜନ୍ମରେ ପୁରସ୍କାର ପ୍ରତିଶ୍ରୁତି ପ୍ରଦାନ କରିଥାଏ ଏବଂ ବିଦ୍ୟମାନ  ପଦାନୁକ୍ରମକୁ ବିଧି ନିର୍ଦ୍ଧାରିତ ବୋଲି ଚିତ୍ରଣ କରିଥାଏ। “

ଅଫିମ ଭଳି, ଧର୍ମ ମଧ୍ୟ ଶୋଷଣ ଓ ବିଛିନ୍ନତାର ଯନ୍ତ୍ରଣାକୁ ହାଲୁକା କରିଥାଏ । ପୁଞ୍ଜିବାଦ (ଅଥବା କୌଣସି ଶ୍ରେଣୀ ସମାଜ) ର ଯନ୍ତ୍ରଣା  ଭିତରେ ବାସ କରୁଥିବା ମଣିଷଙ୍କୁ ଭାବନାତ୍ମକ ଆରାମ ଓ  ଭ୍ରମାତ୍ମକ ଆନନ୍ଦ ପ୍ରଦାନ କରିଥାଏ , ସେମାନଙ୍କୁ ଯନ୍ତ୍ରଣାର ପ୍ରକୃତ ଉତ୍ସ ଚିହ୍ନଟ ଓ ଉଚ୍ଛେଦ କରିବାରେ  ପ୍ରତିରୋଧ କରିଥାଏ  ” ।

ଓଡ଼ିଶାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଥମ ପ୍ରାନ୍ତ ସଂଘ ଚାଳକ ଓ ଅବିଭକ୍ତ କଟକ ଜିଲ୍ଲା ଅଲାଣ୍ଡ ଗ୍ରାମର ବଙ୍ଗାଳୀ ଜମିଦାର ଭୂପେନ୍ଦ୍ରନାଥ ବସୁ ( ଭୂପେନ ବସୁ) ଓ ଓକିଲ ଅଧ୍ୟାପକ ପ୍ରଳୟ  କାନୁନଗୋଙ୍କୁ ଏକ ସାକ୍ଷାତକାରରେ କହିଥିଲେ, ଓଡ଼ିଆମାନେ ବନବାସୀ ଚରିତ୍ର ବହନ କରନ୍ତି । ଏବେ ମଧ୍ୟ ବନବାସୀଙ୍କ ଭଳି ଆଦିମ ନିରୀହ ଭାବ, ସରଳତା ଓ ସାଧୁତା ଅବସ୍ଥାରେ ରହିଛନ୍ତି । ତେଣୁ ଓଡ଼ିଶାର ଲୋକଚରିତରେ ସଂଘ ଆଦର୍ଶ ଗ୍ରହଣ କରିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି ।
ପ୍ରୟାତ ବସୁ ( 1982 ଦଳେଇଘାଇ  ବନ୍ୟାବେଳେ ପ୍ରାୟ 2 ମାସ ସେଇ ଅଞ୍ଚଳରେ ରିଲିଫ କାର୍ଯ୍ୟରେ ଥିଲି ଓ ତାଙ୍କ ସହ ମୋର ସାକ୍ଷାତ ମଧ୍ୟ ହେଇଥିଲା । )
ତାଙ୍କର ଏ ଧରଣର ଅବଧାରଣା ସୃଷ୍ଟି ପଛରେ ହୁଏତ ଓଡ଼ିଶାକୁ ସେ ଏକ ଅର୍ଥନୈତିକ ଅନଗ୍ରସର, ଗରୀବ, ନିରକ୍ଷର , ପ୍ରଚଣ୍ଡ ଧାର୍ମିକ ଓ ନମ୍ର ଏବଂ ନିରଭିମାନ ପ୍ରଦେଶ ଭାବରେ  ବିଚାର କରିଥିଲେ । କିନ୍ତୁ ଏହା ଅର୍ଦ୍ଧ ସତ୍ୟ । ଓଡ଼ିଶା ଅର୍ଥନୈତିକ ଦିଗରୁ ଅନଗ୍ରସର ଓ ଗରୀବ ଓ  ତୂଳନାତ୍ମକ ନିରକ୍ଷର ପ୍ରଦେଶ ହେଇପାରେ । କିନ୍ତୁ ଓଡ଼ିଆ ପ୍ରଚଣ୍ଡ ସ୍ୱାଭିମାନୀ ଓ ଲଢୁଆ ଜାତି ଥିଲା,
ଏକଥା ବୋଧେ ସେତେବେଳେ ସଙ୍ଘ ଇତିହାସକାରଙ୍କୁ ଜଣା ନଥିଲା ।
ଏପରି କି ତାଙ୍କର ଅଞ୍ଚଳରେ ଅନେକ  ଯୋଗଜନ୍ମା ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ, ଶିକ୍ଷାବିତ, ସାହିତ୍ୟିକ , ଆଇନବିଦ, ସମାଜ ସଂସ୍କାରକ  ଜନ୍ମ ହେଇଥିଲେ । ସାରଳା ମହାଭାରତ, ଵିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ ର ସ୍ରଷ୍ଟା ସାରଳା ଦାସ ଶ୍ରୀ ବସୁଙ୍କ ଜିଲ୍ଲାର ଥିଲେ ।
ତେଣୁ ଓଡ଼ିଆ ଚରିତ୍ର କେବେ ଅଖଣ୍ଡ ଓ ସ୍ଥିର ନଥିଲା କିମ୍ବା ଓଡ଼ିଆ ଜାତି କେବେ ଆତ୍ମ ସ୍ୱାଭିମାନ ସମର୍ପଣ କରିବା ଜାତି ନଥିଲା ।

ଓଡ଼ିଆର କେବେ ଅଖଣ୍ଡ ଚରିତ୍ର ( Monolithic Culture ) ନଥିଲା। ଏହା କ୍ରମାଗତ ପରିବର୍ତ୍ତନ ହେଇ ଚାଲିଥିଲା ।
ଏଲ ଏଚ କିଙ୍ଗସ ଫୋର୍ଡ ବିହାର, ଓଡ଼ିଶା ଓ କଟକ ଗେଜେଟିୟରରେ  1730ର ବାଲେଶ୍ଵର ଚାଷୀ ମେଳି କ୍ଷେତ୍ରରେ ସାହାସିକତା ଓ ନିର୍ଭୟତାକୁ ଉଲ୍ଲେଖ କରିଛନ୍ତି । ଏ ଷ୍ଟର୍ଲିଙ୍ଗ An Account of ( Geographical , Statistical and Historical )  Orissa Paper or Cuttack ରେ ଉଲ୍ଲେଖ କରିଛନ୍ତି ସମତଳ ଅଞ୍ଚଳର କମ୍ପାନୀ ପ୍ରଦେଶ ଗୁଡିକରେ ଲୋକେ ନମ୍ର, ଅଣ -ଆକ୍ରମଣାତ୍ମକ ଥିଲେ ଓ ସେମାନଙ୍କୁ ଶାସନ କରିବା ସହଜ ଥିଲା ।
ଏହାର କାରଣ ହେଇପାରେ ଜମିଦାରମାନେ କମ୍ପାନୀ ପକ୍ଷରେ ଲୋକଙ୍କ ସମର୍ଥନ ଯୋଗାଡ଼ କରି ସେମାନଙ୍କୁ ପ୍ରଥମେ ଶାନ୍ତ କରି ପାରିଥିଲେ ।

ପ୍ରଳୟ କାନୁନଗୋ ତାଙ୍କର ସନ୍ଦର୍ଭ  The Early Years of RSS in Orissa ରେ ଲେଖିଛନ୍ତି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓଡ଼ିଶାର ଲୋକ ଚରିତକୁ ଯେଭଳି ଚିତ୍ରଣ କରୁଛି ତାହା ସତ୍ୟ ନୁହେଁ । ଓଡ଼ିଶାର ଲୋକ ଚରିତ୍ର ଗଠନ କ୍ଷେତ୍ରରେ ଏକ ଲମ୍ବା ଐତିହାସିକ ପ୍ରକ୍ରିୟା ସାମିଲ ରହିଛି।  ଏଥିରେ ବିଭିନ୍ନ କାରକ ଯୋଗଦାନ କରିଛନ୍ତି । ସ୍ଥଳକୃତି( Topography ), ପ୍ରକୃତିର କୋପ, ବିଭିନ୍ନ ଧର୍ମୀୟ ଗୋଷ୍ଠୀ ଓ ଧର୍ମ ପରମ୍ପରାର ଉତ୍ଥାନ ଓ ପତନ, ବିଭିନ୍ନ ଅଞ୍ଚଳକୁ ସାମିଲ କରି କୌଣସି ବଂଶଗତ ଶାସନର ଦୀର୍ଘ ଅନୁପସ୍ଥିତି, ଅଞ୍ଚଳର ବିଭାଜନ ଓ ସମିଶ୍ରଣ , ଚୈତନ୍ୟଙ୍କ ନବ୍ୟ ବୈଷ୍ଣବବାଦ, ମୁସଲିମ, ମରାଠା ଓ ସ୍ବଦେଶୀ ହିନ୍ଦୁ ରାଜାଙ୍କ ଅତ୍ୟାଚାର , ବ୍ରିଟିଶ ଉପନିବେଶର ହସ୍ତକ୍ଷେପ ,ଓଡ଼ିଆ ଅସ୍ମିତା ପାଇଁ ସଂଗ୍ରାମ , ସ୍ୱାଧୀନତା ସଂଗ୍ରାମ ଓ ଉପନିବେଶିକ ଶାସନ ପରବର୍ତ୍ତୀ ଅଭିଜ୍ଞତାର ଜଟିଳ ଐତିହାସିକ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଆ ଚରିତ୍ର ଗଠନ ହେଇଛି । ତେଣୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓଡ଼ିଶାକୁ ଏକ ବନବାସୀ ପ୍ରଦେଶ ଓ ଓଡ଼ିଆଙ୍କୁ ଏକ  ହିନ୍ଦୁ ଓଡ଼ିଆ ଜାତି କହିବା ଏକ ଭ୍ରମାତ୍ମକ ଅବଧାରଣା ।

ଜର୍ମାନୀ-ଅଷ୍ଟ୍ରୀୟ ବିଖ୍ୟାତ
କାଥୋଲିକ ପ୍ରିଷ୍ଟ ଓ ତୁଳନାତ୍ମକ ଧର୍ମର ବିଶିଷ୍ଟ ଗବେଷକ ଓ ଲେଖକ କ୍ଲାଉସ କେ କ୍ଲଷ୍ଟରମାୟାର A Survey of Hinduismରେ ଲେଖିଛନ୍ତି, ଜଗନ୍ନାଥ ସଂସ୍କୃତିର ମୂଳ ହେଉଛି ଭକ୍ତି ଓ ଓଡ଼ିଆମାନେ ଧର୍ମନିଷ୍ଟ ହିନ୍ଦୁ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ହିନ୍ଦୁତ୍ୱର ମୂଳ କଥା ହେଉଛି ରାଷ୍ଟ୍ର ଭକ୍ତି ।ତେଣୁ ସଙ୍ଘ ଭାବୁଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରାଷ୍ଟ୍ର ଭକ୍ତି  ଓଡ଼ିଆ ଭକ୍ତି ପରମ୍ପରାର ଅନୁପୂରକ । ଜଣେ ବରିଷ୍ଠ ପ୍ରଚାରକ ମୋରେଶ୍ୱର ଦାମୋଦର ଥାଟେ ଙ୍କୁ ଉଲ୍ଲେଖ କରି ଲେଖିଛନ୍ତି, ସଙ୍ଘ ର ରାଷ୍ଟ୍ର ଭକ୍ତି ଓ ଓଡ଼ିଆ ଜଗନ୍ନାଥ ଭକ୍ତି ମଧ୍ୟରେ ପାର୍ଥକ୍ୟ ରହିଛି । ଯଦିଓ ଓଡ଼ିଆ ମାନେ ଅତ୍ୟନ୍ତ ଧର୍ମନିଷ୍ଟ ଲୋକ, କିନ୍ତୁ ସେମାନେ ଧର୍ମକୁ ବ୍ୟକ୍ତିଗତ ବ୍ୟାପାର ଭାବରେ ଗୁରୁତ୍ୱ ଦେଇଥାନ୍ତି ।ତେଣୁ ସେମାନେ ଈଶ୍ୱର ଆଶୀର୍ବାଦ ପ୍ରାପ୍ତି ଓ ମୋକ୍ଷ ପାଇଁ ପୂଜା,ଭକ୍ତି ଭଜନ, ଉପବାସ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇଥାନ୍ତି ।କିନ୍ତୁ ସେମାନଙ୍କର ଏହି ପ୍ରକାର ଭକ୍ତି ରାଷ୍ଟ୍ର ପାଇଁ ନାହିଁ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପାଇଁ ମୁଖ୍ୟ ପ୍ରତିବନ୍ଧକ ହେଉଛି ଓଡିଆଙ୍କ ଭକ୍ତି ଓ ଆଧ୍ୟାତ୍ମିକ ଶକ୍ତିକୁ ହିନ୍ଦୁ ରାଷ୍ଟ୍ର ଆଡେ ମୁହାଁଇବା । ଓଡ଼ିଆମାନଙ୍କ ଜଗନ୍ନାଥ ଭକ୍ତି ହେଉଛି ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରିଦେବା । ନାରଦ ଙ୍କ ଭକ୍ତିସୂତ୍ରରେ ଏହାକୁ ଜଗନ୍ନାଥଙ୍କ ପରମ ପ୍ରେମ ଭାବରେ ଉଲ୍ଲେଖ କରା ଯାଇଛି । ଏହି ପରମ ପ୍ରେମ ମାଧ୍ୟମରେ ଜଣେ ଭକ୍ତ ସିଦ୍ଧି, ଅମରତ୍ୱ ଓ ସନ୍ତୁଷ୍ଟି ପ୍ରାପ୍ତ କରିବ ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ହିନ୍ଦୁ ରାଷ୍ଟ୍ର ପ୍ରତି ସମ୍ପୂର୍ଣ୍ଣ ସମର୍ପଣ କଥା କୁହେ,ତଥାପି ଏକ ମୌଳିକ ପାର୍ଥକ୍ୟ ରହିଛି । ଜଗନ୍ନାଥ ପରମ୍ପରା ହେଉଛି   ବ୍ୟାପକ ଓ ନମନୀୟ । ଏହା ଭକ୍ତ ମାନଙ୍କୁ ନୈର୍ବକ୍ତିକ ଆଧ୍ୟାତ୍ମିକ ତୃପ୍ତି ପାଇଁ ସର୍ବାଧିକ ଆଧ୍ୟାତ୍ମିକ ଓ ସତ୍ତା ମୂଳକ ସ୍ୱାଧୀନତା ପ୍ରଦାନ କରିଥାଏ ।ଅନ୍ୟ ପକ୍ଷରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରାଜନୈତିକ ହିନ୍ଦୁ ଧର୍ମ ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ଓ ଅନମନୀୟ । ଏହା ନିଜର ଅନୁଗାମୀଙ୍କୁ ଅନ୍ଧକାରମୟ ସାଂସାରିକ ପଥରେ ଇପ୍ସିତ , ବିବାଦ ପୂର୍ଣ , ଘୃଣାତ୍ମକ ଓ ଅନ୍ୟତା ଲକ୍ଷ୍ୟ ହାସଲ ପାଇଁ ଟ୍ରେନିଂ ଦେଇଥାଏ ।

Leave a Reply

Your email address will not be published. Required fields are marked *