ଭୁବନେଶ୍ୱର : (ବିଜୟ ସାହୁ)-ବର୍ତ୍ତମାନ ଆମ ଓଡ଼ିଶାରେ ଯେମିତି ରାଜନୀତିରେ ଘମାସନ ଚାଲିଛି ତାର ଶ୍ରେୟ ଆମେ ମିଡ଼ିଆକୁ ଦେବା ଉଚିତ । ଏବଂ ଏହାର ସମସ୍ତ ଶ୍ରେୟ ଡ ହରେକୃଷ୍ଣ ମହତାବ ପାଇବା ପାଇଁ ଯୋଗ୍ୟ ।
ମୁଁ କିଛି କଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆତ୍ମଜୀବନୀରୁ ଉଲ୍ଲେଖ କରିବି । ଅବଶ୍ୟ ମୋ ଭାଷାରେ । ବନ୍ଧୁମାନେ ଫାଙ୍କ ସୂତାଗୁଡିକୁ ଯୋଡ଼ି ଦେବେ ।

1964-65 ବେଳେ ଆମେରିକାର ୱାଲକଟ ନାମକ ଜଣେ ଚୋରା ସୁନା ଚାଲାଣକାରୀଙ୍କ ଚର୍ଚ୍ଚା ଦେଶରେ ବହୁତ ହେଉଥିଲା । ଏହି ବ୍ୟକ୍ତିଙ୍କ ସହିତ ବିଜୁବାବୁଙ୍କ ନା ଯୋଡିବାରେ ବିଶିଷ୍ଟ ସମାଜବାଦୀ ନେତା ସୁରେନ୍ଦ୍ର ଦ୍ବିବେଦୀ ଆଦୌ ପଛେଇ ନଥିଲେ ।
ସେତେବେଳେ ବିଜୁବାବୁଙ୍କ ସେ ଜଣେ ତୀବ୍ର ସମାଲୋଚକ/ନିନ୍ଦୁକ ଥିଲେ ।
1965 ଜୁନ15 ତାରିଖରେ ଗୋଟିଏ ବିମାନ ରାତିଦଶଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବହୁସମୟ ଘୁରୁ ଥିବା ଦେଖି ସନ୍ଦେହ କରି ରାଉତରାୟ ବିଜୁବାବୁଙ୍କ ବିମାନ ବନ୍ଦର ଘରକୁ ଫୋନ କଲେ । ବିଜୁବାବୁ ତୁରନ୍ତ ବିମାନ ବନ୍ଦରରେ ପହଞ୍ଚିଲେ । ସେ ବୁଝିଲେ ବିମାନଟି ବୋଧେ ବିପଦରେ ପଡି ଅବତରଣ କରିବାକୁ ଚାହୁଁଛି । ରାତିରେ ସେତେବେଳେ ଏହି ସୁବିଧା ନଥିଲା । ବିଜୁବାବୁ ନିଜ ଗାଡ଼ିରେ ରନୱେ ରେ ପହଞ୍ଚି ଗାଡି ଆଲୁଅ ପକେଇଲେ । ବିମାନଟି ଓହ୍ଲେଇବା ପରେ ଓଡ଼ିଶାର ଚିଫ ପାଇଲଟ ଅଫିସର ପୋଲିସ କର୍ମଚାରୀ ଓ ଦମକଳ ପହଞ୍ଚିଲେ । ଜଣା ପଡ଼ିଲା ବିମାନଟି ଆମେରିକାର ଏକ ଘରୋଇ କମ୍ପାନୀର । କରାଚୀରୁ କଲିକତା ଅଭିମୁଖେ ଯିବା କଥା, କିନ୍ତୁ ପାଗ ଖରାପ ଯୋଗୁଁ ବହୁ ସମୟ ଆକାଶରେ ଉଡ଼ି ଜାଳେଣି ସରି ଆସୁଥିଲା । ତେଣୁ ଭୁବନେଶ୍ୱରରେ ଲାଣ୍ଡିଂ ଚାହୁଁଥିଲା ।
ନିୟମ ଅନୁଯାୟୀ ବିମାନଟିକୁ ଜବତ କରା ଯାଇଥିଲା ଓ ପାଇଲଟ ମିଷ୍ଟର ଡେଭିଡଙ୍କୁ ରାଜ୍ୟ ଅତିଥି ଭବନରେ ପୋଲିସ ସୁରକ୍ଷାରେ ରଖା ଯାଇଥିଲା । ରାତିରେ ତଦନ୍ତ ବ୍ୟୁରୋ , କେନ୍ଦ୍ର ଶୁଳ୍କ ବିଭାଗକୁ ଖବର ଯାଇଥିଲା ।

ପରଦିନ ସକାଳେ ପ୍ରଜାତନ୍ତ୍ରରେ
” କଟକରେ ସୁନା ଶସ୍ତା ” ଶିର୍ଷକରେ
ରୋଚକ ଖବର ପ୍ରକାଶ ପାଇଲା ଓ ବିଜୁବାବୁ ନିଶିଥରେ ବିମାନ ବନ୍ଦର ଭିତରକୁ ପଶି କିପରି ସୁନା ଚାଲାଣକାରୀ ସହ କାରବାର କରୁଥିଲେ ତାହା ପ୍ରକାଶିତ ହେଇଥିଲା ।
ଖବର ପଢି ନୀଳମଣି ରାଉତରାୟ ପ୍ରଜାତନ୍ତ୍ର ଅଫିସକୁ ଫୋନ କରି ଏହି ମିଥ୍ୟା ଖବର କିଏ ଦେଇଥିଲେ ଜାଣିବାକୁ ଚାହିଁଲେ । ଉତ୍ତର ମିଳିଲା  ସ୍ୱୟଂ ଆଜ୍ଞା ଏହି ଖବରର ସ୍ରଷ୍ଟା ।

ବୀରେନ ମିତ୍ର ଓ ତାଙ୍କର ପରିବାର କୁ ସର୍ବସ୍ୱାନ୍ତ କରିବା କ୍ଷେତ୍ରରେ ମହାତାବ ବାବୁଙ୍କ ଯେଉଁ ଷଢ଼ଯନ୍ତ୍ର ଥିଲା ଓ ମୃତ୍ୟୁ ପରେ ବି ମିତ୍ର ପରିବାର କିପରି ଆଇନ ଜାଲରେ ଛନ୍ଦି ରହିଛନ୍ତି ସେ କଥା ନୀଳମଣି ରାଉତରାୟ ଲେଖିଛନ୍ତି । ସମସ୍ତେ ପଢିବା ଉଚିତ ।
ଏହି ଷଢ଼ଯନ୍ତ୍ରକୁ ଜଷ୍ଟିସ ସରଜୁପ୍ରସାଦ କମିଶନ ଲେଖିଛନ୍ତି । ହରେକୃଷ୍ଣ ମହତାବ ନିଜେ ଅଭିଯୋଗ ଉଠେଇ ଥିଲେ କଂଗ୍ରେସ ସଭାପତି କାମରାଜ ନାଦେରଙ୍କ ନିକଟରେ କଂଗ୍ରେସ ଓ ବିରୋଧୀ ଦଳର କିଛି ବିଧାୟକଙ୍କ ସ୍ବାକ୍ଷର ମାଧ୍ୟମରେ ଓ ଏହାକୁ ପ୍ରକାଶ କରିଥିଲେ ଇଣ୍ଡିଆନ ଏକ୍ସପ୍ରେସରେ କୁଳଦୀପ ନାୟାର । ବହୁତ ରୋଚକ ଘଟଣା । ଅବଶ୍ୟ ଶେଷରେ ଜଷ୍ଟିସ ସରଜୁପ୍ରସାଦ ଯେଉଁ ରିପୋର୍ଟ ଦେଇଥିଲେ ତାର ଉପସଂହାରରେ ଲେଖିଥିଲେ ଶ୍ରୀ ମହତାବ ନିଜର ମୁଖ୍ୟମନ୍ତ୍ରୀ କ୍ଷମତା ପ୍ରୟୋଗ କରି ଅସାଧୁ ଉପାୟରେ ସିରାଜଉଦଲା କମ୍ପାନୀକୁ କ୍ରୋମାଇଟ ଖଣି ଲିଜ ଦେଇଥିଲେ । ଏହା ଦ୍ଵାରା ରାଜ୍ୟର ପ୍ରଭୂତ କ୍ଷତି ହେଇଛି ।

ବୀରେନ ମିତ୍ର ଓ ବିଜୁବାବୁଙ୍କ ବିରୁଦ୍ଧରେ ମହତାବ ଯିବା କ୍ଷେତ୍ରରେ ପ୍ରଜାତନ୍ତ୍ର ପ୍ରଚାର ସମିତିର ଜମି ଓ ସମ୍ପତ୍ତି ହଡପ ମଧ୍ୟ ଏକ କାରଣ ହେଇପାରେ ।

ରାଉତରାୟ ଲେଖିଛନ୍ତି ପ୍ରଜାତନ୍ତ୍ର ଓ ଏହାର ମାଲିକାନା ପରିଚାଳନା ସଂସ୍ଥା ( ପ୍ରଜାତନ୍ତ୍ର ପ୍ରଚାର ସମିତି) ସେଇ ସମୟର ବହୁ ଆଦର୍ଶବାଦୀ, ଉଚ୍ଚ ଶିକ୍ଷିତ ଯୁବକଙ୍କର ଆଶା ଆକାଂକ୍ଷାର ପୀଠସ୍ଥଳୀ ଥିଲା । ମହତାବ ବାବୁ ବି କଥା କଥାରେ ଗାନ୍ଧୀଙ୍କ ତ୍ୟାଗ କଥା କହୁଥିଲେ ।ତେଣୁ ସେ ସମିତିର ଚେୟାରମ୍ୟାନ ଥିବାରୁ ସମସ୍ତେ ବିଶ୍ୱାସ କରୁଥିଲେ ।
ପ୍ରଥମ ଅବସ୍ଥାରେ ନବ ବାବୁ ଓ ନିତ୍ୟାନନ୍ଦ କାନୁନଗୋ ସମିତି ସହ ସମ୍ପର୍କିତ ଥିବାରୁ ଯୁବକମାନଙ୍କ ଭରସା ଥିଲା । ସମସ୍ତେ କଂଗ୍ରେସ ଓ ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ବାର୍ତ୍ତାବହ ହେବ ।ବୀରେନ ମିତ୍ର କଟକ ସହରରୁ ବହୁତ ଚାନ୍ଦା ଯୋଗାଡ଼ କରିଥିଲେ । ଜମିଦାର ମୋତିଲାଲ ପଣ୍ଡିତଙ୍କ ଜମିଦାନ ବଡ଼ ଅବଦାନ ଥିଲା । କିନ୍ତୁ ଉଦାର ଚାନ୍ଦା ଦାତା ଟ୍ରଷ୍ଟବୋର୍ଡ଼ରେ ରହିବାକୁ ଚାହୁଁ ନଥିବାରୁ ପ୍ରଥମେ ନୀଳମଣି ରାଉତରାୟ ଓ ବୀରେନ ମିତ୍ର ଟ୍ରଷ୍ଟବୋର୍ଡ଼ ମେମ୍ବର ଥିଲେ । ମହତାବ ବାବୁ କୌଣସି ବୈଠକ ନ କରି ଟ୍ରଷ୍ଟବୋର୍ଡ଼ ଗଠନ କରନ୍ତି ଓ ଭାଙ୍ଗନ୍ତି । ଦୁଇ ତିନିଥର ବିଜୁବାବୁ, ବୀରେନ ମିତ୍ର ଓ ରାଉତରାୟ ମଧ୍ୟ ରହିଛନ୍ତି ଓ ବାହାରି ଯାଇଛନ୍ତି ।
ଏହି ସ୍ଥିତି ଦେଖି ବିରୋଧୀ ପକ୍ଷ ଅର୍ଥ ଓ ସମ୍ପତ୍ତି ତୋଷରପାତ ଅଭିଯୋଗ କଲେ ।
ଅଭିଯୋଗ ରାଜ୍ୟପାଳ ଆସାଫ ଅଲ୍ଲୀଙ୍କ ନିକଟକୁ ଗଲା । ସେ ବିଜୁବାବୁଙ୍କ ଠାରୁ ସବୁକଥା ଜାଣିଥିଲେ । କଟକ ଆସି ମହତାବ ଙ୍କ ସହ ବୈଠକ କଲେ ।ବୈଠକରେ ବିଜୁବାବୁ, ବୀରେନ ମିତ୍ର, ଚକ୍ରଧର ସାମଲ,କେଶବ ସାମଲ , ରାମପ୍ରସାଦ ମହାନ୍ତି, ଚିନ୍ତାମଣି ଆଚାର୍ଯ୍ୟ, କ୍ଷେତ୍ରମୋହନ ମଙ୍ଗରାଜ ପ୍ରମୁଖ ଥିଲେ । ସବୁ କଥା ଶୁଣି ସେ ବିରକ୍ତ ହେଲେ ଓ ଚାନ୍ଦା ଆଦାୟ ପାଇଁ ବ୍ଲାକମେଲ ହେଉଛି ବୋଲି କହିଲେ । ବୀରେନ ମିତ୍ର ଟିକିଏ ଉଚ୍ଚ ସ୍ୱରରେ କହିବାରୁ ତାଙ୍କୁ ଧମକ ଦେଲେ । ବିଜୁବାବୁ ପରିସ୍ଥିତିକୁ ହାଲୁକା କରିଥିଲେ ।କିନ୍ତୁ ରାଜ୍ୟପାଳ ଅସନ୍ତୁଷ୍ଟ ହେଇ ଫେରି ଥିଲେ ।
1967 ମସିହାରେ ସର୍ବଶ୍ରୀ ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ବ୍ରଜ ମୋହନ ମହାନ୍ତି, ସନ୍ତୋଷ ସାହୁ, ଚିନ୍ତାମଣି ପାଣିଗ୍ରାହୀ , ଚିନ୍ତାମଣି ଜେନା, ରାମଚନ୍ଦ୍ର ଉଲାକା ରାଷ୍ଟ୍ରପତି ଙ୍କ ନିକଟରେ ଅଭିଯୋଗ କରି ଲେଖିଲେ ପ୍ରଚାର ସମିତି ହେଉଛି ଗୋଟିଏ ଚୋରଙ୍କ ଆଡ୍ଡା । ସେମାନେ ଜଷ୍ଟିସ ସରଜୁପ୍ରସାଦ କମିଶନଙ୍କ ଫାଇଣ୍ଡିଙ୍ଗକୁ ମଧ୍ୟ ଯୋଡ଼ି ଥିଲେ ।
ଅତଏବ ପ୍ରଚାର ସମିତି ଓ କଂଗ୍ରେସ ଅନୁଷ୍ଠାନର ସମ୍ପତ୍ତି ହଡ଼ପ କରି ବ୍ୟକ୍ତିଗତ ସମ୍ପତ୍ତି କରା ଯାଇଥିଲା ।
ମୋକଦ୍ଦମାରେ ନୀଳମଣି ରାଉତରାୟ ଓ ବିଜୁବାବୁଙ୍କୁ ମଧ୍ୟ ପକ୍ଷ କରା ଯାଇଥିଲା । ଦୁହେଁ ଅଭିଯୋଗ ସତ୍ୟ ବୋଲି ସାଖ୍ୟ ଦେଇଥିଲେ ।
ବିଜୁବାବୁଙ୍କ ସହ ମହାତାବଙ୍କ ଦୂରତ୍ୱ ବଢ଼ିଲା ।
ଦ୍ୱିତୀୟତଃ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ
ବିଶିଷ୍ଟ ଶିଳ୍ପପତି ରାଜନେତା ଦିଲ୍ଲୀପ ରାୟଙ୍କ ଅଜା ନୀଳମଣି ରାଉତରାୟଙ୍କ ସ୍ମୃତି-ଅନୁଭୂତି ପୁସ୍ତକରେ ଉଲ୍ଲଖିତ ଘଟଣା ପ୍ରବାହ 
ବର୍ତ୍ତମାନର ଓଡ଼ିଶା ମିଡ଼ିଆ ଘମାସନ ରାଜନୀତିର ପ୍ରେରଣା ସ୍ରୋତ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସ୍ୱାଧୀନତା ସଂଗ୍ରାମ କାଳର କଟକ ସ୍ୱରାଜ ଆଶ୍ରମ ସହ ଜଡ଼ିତ ଥିବା ସ୍ମୃତିକୁ ବଜାୟ ରଖିବା ଉଦେଶ୍ୟରେ କମିଟିର ନାମ ସ୍ୱରାଜ ଆଶ୍ରମ ପରିଚାଳନା ରଖା ଯାଇଥିଲା । ଏକଥା ଆମେ ଇତିହାସରୁ ଜାଣିଛେ । ଏହାକୁ ଉଜାଗର କରି ରାଉତରାୟ ଲେଖିଛନ୍ତି ଜମି ଖଣ୍ଡିକ ସରକାରଙ୍କ ଠାରୁ କିଣା ଯାଇଥିଲା ଯାହାକୁ ହରେକୃଷ୍ଣ ମହତାବ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତନ କରିଥିବା ହେତୁ ବିବାଦ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲା ।
ସେ ଲେଖିଛନ୍ତି ସମିତି ଠାରୁ ସବୁ କଥା ଲୁଚାଇ ରଖା ଯାଇଥିଲା ବୋଲି ବିଜୁ ପଟ୍ଟନାୟକ ମଧ୍ୟ ତାଙ୍କର ଲିଖିତ ଜବାବରେ ଅଦାଲତରେ ଦାଖଲ କରିଥିଲେ । ନୀଳମଣି ରାଉତରାୟ ମଧ୍ୟ କହିଥିଲେ ଶ୍ରୀ ମହତାବ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ନିଭୃତରେ କପଟାଚରଣ କରି ଅନ୍ୟାୟ ଓ ଅସାଧୁ ଉପାୟରେ କଂଗ୍ରେସ ଆଦର୍ଶ ଓ ରଚନାତ୍ମକ କାର୍ଯ୍ୟର ପ୍ରସାର ପାଇଁ ଯେଉଁ ଜମି ଖଣ୍ଡକ ଉପରେ ଭାରତର ଜାତୀୟ କଂଗ୍ରେସର ତତ୍କାଳୀନ ସଭାପତି ଶ୍ରୀଯୁକ୍ତ ସଞ୍ଜୀବ ରେଡି ଏକ ପବିତ୍ର ଉତ୍ସବରେ 1960 ମସିହା ମଇ ମାସ 16 ତାରିଖରେ ଶିଳାନ୍ୟାସ କରିଥିଲେ ଏବଂ ଯେଉଁ ସ୍ମୃତିଉଦ୍ରେକକାରୀ ମାର୍ବଲ ପଥର ଖଣ୍ଡିକ ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ୍ବ ସେଠାରେ ଦଣ୍ଡାୟମାନ ଥିଲା ସେହି ସମ୍ପତ୍ତିକୁ କଂଗ୍ରେସକୁ କିପରି ଦଗାବାଜି କରି ବଞ୍ଚିତ କରା ଯାଇଛି, ସେ ସବୁ ବିଷୟରେ ବିଜୁ ପଟ୍ଟନାୟକ  ତାଙ୍କ ଜବାବରେ ବର୍ଣ୍ଣନା କରିଛନ୍ତି ।

ପାଠକଙ୍କ ଅବଗତି ନିମନ୍ତେ ପ୍ରଜାତନ୍ତ୍ର ପ୍ରଚାର ସମିତି ଓ କଂଗ୍ରେସ ଅର୍ଥର ଅବିଚାରିତ କାରବାର ସମ୍ପର୍କରେ ବିଚାରପତି ସରଜୁପ୍ରସାଦଙ୍କର ଏକ ସ୍ପଷ୍ଟ ରାୟକୁ ନୀଳମଣି ରାଉତରାୟ ଲେଖିଛନ୍ତି –
” ଏକାମ୍ର ନିବାସ ସମ୍ପର୍କରେ ପ୍ରମାଣଗୁଡିକୁ ବିଚାର କରିବା ପୂର୍ବରୁ  ଶ୍ରୀ ମହତାବ ବ୍ୟାଙ୍କ ଖାତା ଜମାର  ₹28578.31 କଂଗ୍ରେସ ଓ ପ୍ରଜାତନ୍ତ୍ର ପ୍ରଚାର ସମିତିର ଓ ଅବଶିଷ୍ଟ ପରିମାଣ ତାଙ୍କର ବ୍ୟକ୍ତିଗତ ବିନ୍ଦୁକୁ ମୁଁ ତର୍ଜମା କରିବି । ସମସ୍ତ ଟଙ୍କା ଚେକ ମାଧ୍ୟମରେ ଜମା ହେଇଥିବା କଥାକୁ ଶ୍ରୀ ମହତାବ ସ୍ୱୀକାର କରିଛନ୍ତି । ମୁଁ ବୁଝି ପାରୁନି, କାହିଁକି ପ୍ରଜାତନ୍ତ୍ର ପ୍ରଚାର ସମିତି ଓ କଂଗ୍ରେସ ସଂଗଠନ ପାଇଁ ଦୁଇଟି ସ୍ୱତନ୍ତ୍ର ଖାତା ଖୋଲା ଯାଇ ନଥିଲା ।
ଦୁଇଟି ପାଣ୍ଠିକୁ ମିଶେଇବା ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଖାତାରେ ଚଞ୍ଚକତା ଏବଂ ତୋଷରପାତ କରିବା ଦିଗକୁ ଇଙ୍ଗିତ କରୁଛି । ଅବଶ୍ୟ ମୋ ପାଖରେ କୌଣସି ତଥ୍ୟ ନାହିଁ ଯାହାଦ୍ୱାରା ଶ୍ରୀ ମହତାବଙ୍କ ଉପରୋକ୍ତ ବିବୃତିକୁ ଯାଞ୍ଚ କରି ପାରିବି । ତାଙ୍କର ସ୍ପଷ୍ଟୀକରଣ ହେଉଛି ସେ ଯେତେବେଳେ 1956 ମସିହା ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ , ସେତେବେଳେ ତୁରନ୍ତ ସେ 1957 ଫେବୃଆରୀ ସାଧାରଣ ନିର୍ବାଚନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ । ସେତେବେଳେ କଂଗ୍ରେସ ସଂଗଠନ ଭଙ୍ଗ(Supersede) କରା ଯାଇଥିବାରୁ ଓ କଂଗ୍ରେସ ସଂଗଠନ ବଳବତ୍ତର ନଥିବାରୁ କଂଗ୍ରେସକୁ ମିଳୁଥିବା ପାଣ୍ଠିକୁ ନିଜର ବ୍ୟାଙ୍କ ଖାତାରେ ଜମା କରିଥିଲେ । ମୋର ଏକ୍ଷେତ୍ରରେ ସନ୍ଦେହ ରହିଛି, ତଥାପି  ସେତେବେଳେ ଶ୍ରୀ ମହତାବ ଯେହେତୁ କଂଗ୍ରେସର ମୁଖିଆ ଥିଲେ ତେଣୁ ତାଙ୍କ ବୟାନକୁ ଗ୍ରହଣ କରୁଛି ଏବଂ ଖାତାରେ ଜମା ହେଇଥିବା ₹28578.31 ପାଣ୍ଠି କଂଗ୍ରେସ ଓ ପ୍ରଜାତନ୍ତ୍ର ପ୍ରଚାର ସମିତିର ଯୁକ୍ତିକୁ ଗ୍ରହଣ କରୁଛି ।”
ନୀଳମଣି ରାଉତରାୟ ଲେଖିଛନ୍ତି, ମହତାବ ବାବୁଙ୍କ ନିଜ ସ୍ବୀକାରୋକ୍ତିରୁ ଦୁଇଟି କଥା ପ୍ରମାଣିତ ହେଇ ଯାଉଛି ।ଗୋଟିଏ କଥା ହେଲା ନିଜ ତହବିଲରେ ସାଧାରଣ ଅନୁଷ୍ଠାନମାନଙ୍କର ଅର୍ଥକୁ ଜମା କରି ରଖିବା ଦ୍ୱାରା ସାଧାରଣ ଅର୍ଥ ଅପବ୍ୟବହାର ଓ ସନ୍ଦେହ ଜନକ କାଗଜପତ୍ର ଦାଖଲ କରିବାକୁ ପ୍ରଶ୍ରୟ ଦେବା । ଅନ୍ୟଟି ହେଲା ମହତାବ ବାବୁ କ୍ଷମତାରେ ଥିବା ବେଳେ ଓଡ଼ିଶାରେ ବିଧିବଦ୍ଧ କଂଗ୍ରେସ ଅନୁଷ୍ଠାନ ନଥିବାର ଯୁକ୍ତି ଦର୍ଶାଇ କଂଗ୍ରେସ ସମ୍ପତ୍ତିକୁ ନିଜ ସମ୍ପତ୍ତି ସହ ସାମିଲ କରି କାରବାର କରିବା ।ଏହା ନିଶ୍ଚୟ ଯେକୌଣସି ଗାନ୍ଧୀ ବିଚାରଧାରାର ପ୍ରବର୍ତ୍ତକଙ୍କ ପକ୍ଷରେ ଅସଦାଚରଣ ବିବେଚିତ ହେବ ।ବିଚାରପତି ସରଜୁପ୍ରସାଦଙ୍କ ଉଲ୍ଲଖିତ ମନ୍ତବ୍ୟକୁ ପ୍ରଜାତନ୍ତ୍ର ପ୍ରଚାର ସମିତିକୁ ଅତୀତରେ ଯେଉଁମାନେ ଚୋରର ବସାଘର କହିଥିଲେ କିମ୍ବା ଯେଉଁମାନେ ଏହି ସାଧାରଣ ଟ୍ରଷ୍ଟ ସମ୍ପତ୍ତି ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ ହେବା ଆଶଙ୍କା କରୁଛନ୍ତି ,ତାହାର କିଛି ଯଥାର୍ଥତା ଥିବାର ଜଣା ପଡୁଛି ।
ଶ୍ରୀ ରାଉତରାୟ ଲେଖିଛନ୍ତି, ଏହା ଥିଲା 15 ବର୍ଷ ତଳେ ଜଷ୍ଟିସ ସରଜୁପ୍ରସାଦଙ୍କ ନାନା ଅଭିଯୋଗ ଉପରେ ରାୟ । ମାତ୍ର ଇତି ମଧ୍ୟରେ ଶ୍ରୀ ମହତାବ ଅଶୀତି ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ବର ବୁକୁ ଉପରେ କଂଗ୍ରେସ ତଥା ଗାନ୍ଧୀଆଦର୍ଶର ପ୍ରଚାର ଓ ପ୍ରତିଷ୍ଠାନ ପାଇଁ ଉଦିଷ୍ଟ ଭୂ ସମ୍ପତ୍ତିର ଅପ ବ୍ୟବହାର କରି ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ସୁରମ୍ୟ ଓ ମଦ୍ୟଶାଳାଯୁକ୍ତ ସୌଖୀନ ପଞ୍ଚ ତାରକା ହୋଟେଲ ନିର୍ମାଣ ସମ୍ପର୍କରେ କୋର୍ଟ କଚେରୀ ଠାରୁ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମାଜିକ ପ୍ରତିଷ୍ଠାର ଅପବ୍ୟବହାର,ଶଠତା,
ପ୍ରବଞ୍ଚନା,ଭ୍ରଷ୍ଟାଚାର ଭଳି ଯେଉଁ ଗୁରୁତର ଅଭିଯୋଗ କରିଛନ୍ତି,ତାହା ଲକ୍ଷ୍ୟ କଲେ ବିସ୍ମୟାଭିଭୂତ ହେବାକୁ ପଡୁଛି ।ତୃତୀୟତଃ
ବର୍ତ୍ତମାନ ଆମେ ଓଡ଼ିଶାରେ ଦଳ
ଡିଆଁ ଦେଖି ଆଶ୍ଚର୍ଯ୍ୟ ହେଉଛେ ।
କିନ୍ତୁ ଏଇଟା ଆମ ରାଜନୀତିର ଜେନେଟିକ ପ୍ରୋବ୍ଲେମ ।ଅବଶ୍ୟ ସରକାରକୁ ବଞ୍ଚେଇବା ପାଇଁ ଆମର ପୂର୍ଵସୁରୀ ନେତାମାନେ କରୁଥିଲେ, ଏବେ କେବଳ ଗୋଟିଏ ଦଳ ଶାସନ କରିବା ପାଇଁ ଏବର ସରକାର କରୁଛନ୍ତି ।
ଏ ସମ୍ପର୍କରେ କିଛି କଥା ଶ୍ରୀ ନୀଳମଣି ରାଉତରାୟଙ୍କ ଆତ୍ମକଥାରୁ ମୋ ଶୈଳୀରେ ଉଲ୍ଲେଖ କରିବି, ଅବଶ୍ୟ ଏହାର କୌଣସି ଫାଇଦା ନାହିଁ, କେବଳ ଇତିହାସକୁ ପଶ୍ଚାତ ଲୋକନ କରିବା କଥା ।

କେବଳ ବିଧାନସଭା ଅଧିବେଶନ ବେଳେ ଦୁର୍ବଳ ସଭ୍ୟମାନଙ୍କୁ ଦଳ ବଦଳ ପାଇଁ ଚେଷ୍ଟା ହେଉ ନଥିଲା, ଅଧିବେଶନ ପରେ ମଧ୍ୟ ସେଇ କାର୍ଯ୍ୟ ଅବ୍ୟାହତ ରହୁଥିଲା । ମଝିରେ ମଝିରେ କିଏ କଂଗ୍ରେସରୁ ଯାଇ ଗଣତନ୍ତ୍ର ଦଳ ରେ ମିଶୁ ଥିଲା, କିଏ ଏ ପାଖରୁ ଯାଇ ସେ ପାଖରେ ବସୁଥିଲା ।
ସମୟ ସମୟରେ ବିରୋଧୀ ଦଳ ଦାବୀ କରୁଥିଲେ ସରକାର ସଂଖ୍ୟା ନାହିଁ, ତୁରନ୍ତ ଭାଙ୍ଗ । ଖବର କାଗଜ ଏ କଥା ଛାପୁ ଥିଲେ । ଥରେ ମୟୁରଭଞ୍ଜର ତିନି ଜଣ ଝାଡ଼ଖଣ୍ଡ ସଭ୍ୟଙ୍କ ଗୋଟିଏ ଟେଲିଗ୍ରାମ ସମର୍ଥନ ପ୍ରତ୍ୟାହାର ନେଇ  ରାଜ୍ୟପାଳଙ୍କ ପାଖରେ ପହଞ୍ଚିଲା ।
ବିରୋଧୀ ଦଳ ନେତା ରାଜ୍ୟପାଳଙ୍କୁ ଭେଟି ସରକାର ବରଖାସ୍ତ ଦାବୀ କଲେ । ରାଜ୍ୟପାଳ କହିଲେ ଚିଠି ଦେଖାଅ । ପର ଦିନ ସକାଳ 9ରେ ଚିଠି ଦେଖେଇବାକୁ ନିର୍ଦ୍ଦେଶ ଦେଲେ ।
ଏଣେ ମୁଖ୍ୟମନ୍ତ୍ରୀ ମହତାବ ଖବର ପାଇଲେ କଳାହାଣ୍ଡି ମହାରାଜା ପ୍ରତାପ କିଶୋର ଦେଓ ରାଇରଙ୍ଗପୁର ଯାଇ ସେହି ସଭ୍ୟଙ୍କ ସହ ରହିଛନ୍ତି ।ବିଜୁବାବୁ ଓ ବୀରେନ ମିତ୍ର ପଠାଗଲା । ନୀଳମଣି ରାଉତରାୟ( ଉପ ମୁଖ୍ୟମନ୍ତ୍ରୀ ) ଭୁବନେଶ୍ୱରରେ ନଥିଲେ । ବସ୍ତା ଉପ ନିର୍ବାଚନ ପାଇଁ ଯାଇଥାନ୍ତି । ଦିନ ଗୋଟାଏ ବେଳେ ସେ ଭୁବନେଶ୍ବରକୁ ଫେରିବା ବେଳେ ଗାଡ଼ିରେ ଶୋଇ ପଡ଼ିଥିଲେ ।ଭଦ୍ରକରେ ଡ୍ରାଇଭର ଗାଡି ଅଟକାଇ କହିଲା ବିଜୁବାବୁ ଓ ବୀରେନ ମିତ୍ର
ବାଟରେ ଠିଆ ହେଇଛନ୍ତି । ଗାଡି ଖରାପ ହେଇ ଥିବାରୁ ଗ୍ୟାରେଜ ରେ ମରାମତି ପାଇଁ ଦେଇଛନ୍ତି । ନୀଳମଣି ରାଉତରାୟଙ୍କ ଗାଡ଼ିରେ ରାଇରଙ୍ଗପୁର ବାହାରିଲେ । ସନ୍ଧ୍ୟାରେ ପହଞ୍ଚି ସେଇ ସଭ୍ୟମାନଙ୍କୁ ଭେଟିଲେ । ବହୁ କଷ୍ଟରେ ଜାଣିଲେ ମହାରାଜା ସେମାନଙ୍କ ଠାରୁ ଗୋଟିଏ କାଗଜରେ ଦସ୍ତଖତ କରି ନେଇ ଯାଇଛନ୍ତି । ଏମାନଙ୍କ ସହ ରାଇରଙ୍ଗପୁର ସ୍ଥାନୀୟ କର୍ମୀ ମଧ୍ୟ ଯୋଗଦେଲେ । ତାପରେ ତିନିଜଣ ସଭ୍ୟ ଅନେକ ବୁଝାଶୁଝା ପରେ ଆଉ ଗୋଟିଏ ଚିଠି ଲେଖିଲେ । ଜବରଦସ୍ତି ଓ ନାନାଦି ପ୍ରଲୋଭନ ଦେଖେଇ ମହାରାଜା ପୂର୍ଵ ଚିଠି ଲେଖେଇ ଥିଲେ ବୋଲି ଏହି ଚିଠିରେ ରହିଲା ।
ଚିଠି ଧରି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ବାଟରେ ସେମାନେ ମହାରାଜାଙ୍କ ଗାଡି ଦେଖି ଜୋରରେ ଗାଡି ଚଳେଇବାକୁ ଡ୍ରାଇଭରକୁ କହିଲେ  । ପ୍ରାୟ ଭୋର ଚାରିଟା ବେଳେ ଗାଡି ଖଣ୍ଡତାରା ଘାଟ ପାଖରେ ଏମାନଙ୍କ ଗାଡି ପହଞ୍ଚିଲା । ମହାରାଜା ପଛରେ ରହି ଯାଇଥିଲେ ।ସେତେବେଳେ ପୋଲ ହେଇ ନଥିଲା । ନାଉରିଆ ବୀରେନ ମିତ୍ରଙ୍କୁ ପୂର୍ବରୁ ଚିହ୍ନି ଥିଲା ।
ଡଙ୍ଗାରେ ଘାଟ ପାର ହେବା ପରେ ବୀରେନ ମିତ୍ର ଶହେ ଟଙ୍କା ବକ୍ସିସ ଦେଇ କହିଲେ, ସକାଳ 9 ପୂର୍ବରୁ ଅନ୍ୟ କୌଣସି ଗାଡି ପାର କରିବୁ ନାହିଁ ।
ନାଉରିଆ ବୀରେନ ମିତ୍ରଙ୍କ କଥା ଓ ଶହେ ଟଙ୍କା ବକ୍ସିସ ପାଇ ଡଙ୍ଗା ଭିତରେ ପାଣି ଭର୍ତ୍ତି କରିଦେଲା ।
ପରେ ଜଣାଗଲା ମହାରାଜା ଘାଟ ରେ ପହଞ୍ଚି ବହୁତ ଅନୁରୋଧ କରିଥିଲେ । କିନ୍ତୁ ନାଉରିଆ ପାଣି ଖାଲି କରି ଡଙ୍ଗା ଉଠେଇବାକୁ ବହୁତ ସମୟ ଲାଗିବ କହି ମହାରାଜାଙ୍କୁ ଅଟକେଇ ଦେଇଥିଲା । ସେ ଦିନ ଏଗାର ପର୍ଯ୍ୟନ୍ତ ଭୁବନେଶ୍ୱରରେ ପହଞ୍ଚି ପାରି ନଥିଲେ ।
ଏଣେ ମୁଖ୍ୟମନ୍ତ୍ରୀ ମହତାବ ଚିଠି ନେଇ ରାଜ୍ୟପାଳଙ୍କ ନିକଟରେ ପହଞ୍ଚି ଥିଲେ ।
ନୀଳମଣି ରାଉତରାୟ ଲେଖିଛନ୍ତି ସଭ୍ୟ ସଂଖ୍ୟା କମ ଥିବାରୁ ବିଧାନସଭାରେ ଗୋଟିଏ ଗୋଟିଏ ଘାଟି ପାର ହେବା ପାଇଁ ବିପୁଳ ବ୍ୟୟ କରିବାକୁ ପଡୁଥିଲା । କିନ୍ତୁ ଶହେ ଟଙ୍କା ବକ୍ସିସ ଦ୍ଵାରା ଵିଚାରା ନାଉରିଆ ସେଇ କାର୍ଯ୍ୟ କରି ଦେଇଥିଲା ।

ସେଇ ବଲେ ଚୋର : ଧେବର ଭାଇ

ରାଉତରାୟ ଲେଖିଛନ୍ତି , ସେତେବେଳେ ସଭ୍ୟମାନଙ୍କୁ କିଣା ବିକା ସମ୍ବାଦ ବହୁତ ପ୍ରଚାର ହେଉଥାଏ ଓ କଂଗ୍ରେସ ବଦନାମ ହେଉଥାଏ । ବିଜୁ ପଟ୍ଟନାୟକ ଟଙ୍କା ଖର୍ଚ୍ଚ କରୁଥାନ୍ତି । ଖଣି ମାଲିକମାନେ
ଭୁବନେଶ୍ୱରରେ ରହୁଥାନ୍ତି । କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ ପହଞ୍ଚୁ ଥାଏ ।  ଏହା ଦ୍ଵାରା କଂଗ୍ରେସ କଳଙ୍କିତ ହେଉଛି ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କ ଧାରଣା ହେଉଥିଲା ।ତେଣୁ ସତ୍ୟାସତ୍ୟ ତଦନ୍ତ ପାଇଁ କଂଗ୍ରେସ ସଭାପତି ଶ୍ରୀ ୟୁ ଏନ ଧେଵର ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥାନ୍ତି । କିଛି କଂଗ୍ରେସ ସଭ୍ୟ ମଧ୍ୟ ତାଙ୍କୁ ଭେଟି କଂଗ୍ରେସ ସରକାର ବଞ୍ଚେଇବା ପାଇଁ ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିଲେ ।ଏ ଅଭିଯୋଗ ବିଷୟରେ ମୁଖ୍ୟମନ୍ତ୍ରୀ ମହତାବ ଶ୍ରୀ ଧୀବରଙ୍କ ନିକଟରେ ନିଜେ କିଛି ଜାଣନ୍ତି ନାହିଁ ବୋଲି ସଫା ସଫା କହୁଥିଲେ । ଯେଉଁମାନେ କହୁଛନ୍ତି, ସେମାନେ ହୁଏତ ସେମାନଙ୍କ ସ୍ଵାର୍ଥ ପାଇଁ କହୁଥିବେ ଏଭଳି ଉତ୍ତର ମହତାବ ବାବୁ ଦେଉଥାନ୍ତି ।
ନୀଳମଣି ରାଉତରାୟ ଲେଖିଛନ୍ତି, “ତାପରେ ଆମେମାନେ ଯେତେବେଳେ ଶ୍ରୀ ଧେବରଙ୍କୁ ଦେଖାକରୁ ସେ ଆମ୍ଭମାନଙ୍କୁ ସେ କଥା ପଚାରିଥିଲେ । ଗୋଟିଏ ସଂଖ୍ୟାନ୍ୟୁନ ସରକାରକୁ ସ୍ଥାୟୀ କରିବା ପାଇଁ ଯାହା ସବୁ କରା ଯାଉଥିଲା ,ତାହା ଆମେ ତାଙ୍କ ପାଖରେ କିଛି କିଛି କହିଥିଲୁ ।ଦଳର ନେତା ସେକଥା ଜାଣନ୍ତି କି ପଚାରିବାରୁ ଆମେ କହିଥିଲୁ, ଦଳର ନେତା ସେକଥା ଜାଣନ୍ତି ଓ ତାଙ୍କ ଗୋଚରରେ ଏସବୁ କାର୍ଯ୍ୟ ହେଉଛି ।
ଦଳର ନେତା ଏସବୁ କଥା ଜାଣନ୍ତି ନାହିଁ ବୋଲି ତାଙ୍କୁ କହିଛନ୍ତି ବୋଲି କହି ଶ୍ରୀ ଧେବର କହିଲେ- ଯା’ର ଜନ୍ୟ କରି ଚୁରି ସେଇ ବୋଲେ ଚୋର ।

(କ୍ରମଶଃ )
(କ୍ରମଶଃ )

Leave a Reply

Your email address will not be published. Required fields are marked *