ବେଲୁଚିସ୍ଥାନ ପାକିସ୍ଥାନରୁ ବିଚ୍ଛିନ୍ନ ପ୍ରସଙ୍ଗ: ସମ୍ଭାବନା ଓ କଳ୍ପନା…

ନୂଆଦିଲ୍ଲୀ : (ବିଜୟ ସାହୁ)-ଆମେ ବର୍ତ୍ତମାନ ଯେଉଁ ବେଲୋଚିସ୍ଥାନକୁ ସ୍ୱାଧୀନ ହେଇଗଲା ବୋଲି ମିଡିଆରେ ଶୁଣୁଛେ ସେଇ ବେଲୋଚିସ୍ଥାନର ଉତ୍ପତ୍ତି ଓ ଇତିହାସ ସମ୍ପର୍କରେ ଟିକିଏ ଦୃଷ୍ଟିପାତ କଲେ ଉତ୍ତମ ହେବ ।
ଖାନାତେ ହେଉଛି ଏକ ତୁର୍କୀ ଶବ୍ଦ । ଏହାର ଅର୍ଥ ହେଉଛି ଏକ Political Entitiesର ଲର୍ଡ଼ ବା ଶାସକ । ଇଉରୋପ ଭାଷାଗୁଡିକ ରେ ମଧ୍ୟ ତ୍ରୟୋଦଶ ଶତାବ୍ଦୀରେ ଏହି ଶବ୍ଦ ଜଣାଥିଲା । ମଧ୍ୟଯୁଗୀୟ ଲାଟିନରେ ଚାନିସ,ମଧ୍ୟଯୁଗୀୟ ଗ୍ରୀକ ରେ କାନେସ,ପ୍ରାଚୀନ ଫରାସୀରେ ଚାନ,ରୁଷିୟ ଭାଷାରେ ଖାନୁର ।ସମୟକ୍ରମେ ଏହା ଅବକ୍ଷୟ ହେଇ ଖାନାତେ ରେ ପରିଣତ ହେଇଥିଲା । ଖାନ ଶବ୍ଦଟି ଖାନାତେ ଶବ୍ଦରୁ ଆସିଲା ଓ ଏକ ସମ୍ମାନ ଜନକ ପଦବୀ ଭାବରେ ବିବେଚିତ ହେଲା । ଯେଉଁମାନେ ଖାନାତେ ର ଶାସକ ହେଲେ ସେମାନେ ଖାନା ପଦବୀ ଗ୍ରହଣ କଲେ । ଏଇ ଯେମିତି ଆମ ଗଜପତି ଉପାଧି ପୁରୀ ରାଜାମାନେ ଗ୍ରହଣ କରିଛନ୍ତି ।
ଖାନା ଶବ୍ଦ ସହ ଅଷ୍ଟାଦଶ ଶତାବ୍ଦୀରେ ଇଂରେଜ ଭାଷାରେ ate ପ୍ରତ୍ୟୟ ଯୋଡି ହେଇ Khanate ହେଲା । ଅର୍ଥାତ ଗୋଟିଏ ଭୂଖଣ୍ଡର ରାଜାଙ୍କୁ Khanate କୁହାଗଲା ।
ଐତିହାସିକ ଭାବରେ ମଙ୍ଗୋଲ ସାମ୍ରାଜ୍ୟର ଉତ୍ତରସୁରୀ ଭାବରେ ଖାନାତେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଥିଲେ । ଚେଙ୍ଗିଜ ଖାନଙ୍କ ମୃତ୍ୟୁ ପରେ ତାଙ୍କ ସାମ୍ରାଜ୍ୟ ଚାରୋଟି ଖାନାତେ ରେ ବିଭାଜିତ ହେଲା , ନିଜର ବଂଶଧର ଙ୍କୁ ସାମ୍ରାଜ୍ୟପତି କରିବା ପାଇଁ ।
ଚେଙ୍ଗିଜ ଖାଁ ମୁସଲିମ ନ ଥିଲେ ।
ବେଲୋଚିସ୍ଥାନ ଏହି ଭଳି ଏକ ଖାନାତେ । ଏହାର ରାଜଧାନୀ କାଲାତ ଥିଲା ।ଭାରତ ବିଭାଜନ ପୂର୍ବରୁ କାଲାତ ଏକ ଦେଶୀୟ ରାଜ୍ୟ ଥିଲା । ଅହମ୍ମଦ ୟାର ଖାନ ଏହାର ଶାସକ ଥିଲେ ।
1857 ପରେ ବ୍ରିଟିଶ ରାଜ୍ ଭାରତୀୟ ଉପମହାଦେଶରେ ଥିବା ଶହ ଶହ ଛୋଟ ବଡ଼ ଗଡଜାତ ବା ଦେଶୀୟ ରାଜ୍ୟକୁ ବ୍ରିଟିଶ ଶାସନ ଅଧୀନରେ ରଖି ନଥିଲା । ପାକିସ୍ତାନ ଅଞ୍ଚଳରେ ମଧ୍ୟ କେତେକ ଗଡଜାତ ଥିଲା । ସେମାନଙ୍କ ମଧ୍ୟରେ 4ଟି ଗଡଜାତ ଉଲ୍ଲେଖଯୋଗ୍ୟ ।
ଗଡଜାତଗୁଡ଼ିକ ଗୋଟିଏ Chamber of Council Of Princes ଗଠନ କରି ବ୍ରିଟିଶ ରାଣୀ ମାଙ୍କ ସହ ବିଭିନ୍ନ Treaty, Aggrement, Award, Honour, Salute ଇତ୍ୟାଦି ମାଧ୍ୟମରେ ନିଜ ଶାସନ କରୁଥିଲେ ।
ବ୍ରାହୁଈ କନଫେଡେରେସି ଭାବରେ ପରିଚିତ କାଲାତ ଖାନେଟ ଅଞ୍ଚଳ ଥିଲା । ଏହା ମୋଗଲ ସମ୍ପ୍ରସାରଣ ଭୟ ଯୋଗୁଁ 1666ରେ ଗଠନ ହେଇଥିଲା । ଅଷ୍ଟାଦଶ ଶତାବ୍ଦୀ ମଧ୍ୟଭାଗ ପର୍ଯ୍ୟନ୍ତ ଏହା
ବେଲୁଚିସ୍ଥାନର ବିସ୍ତ୍ରୁତ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତାରିତ ଥିଲା । ପଶ୍ଚିମ ରେ କର୍ମାନ ରୁ ଆରମ୍ବ କରି ପୂର୍ବରେ ସିନ୍ଧ ପର୍ଯ୍ୟନ୍ତ , ଉତ୍ତରରେ ହେଲମଣ୍ଡ ନଦୀରୁ ଆରମ୍ଭ କରି ଦକ୍ଷିଣରେ ଆରବ ସାଗର ପର୍ଯ୍ୟନ୍ତ । ଆଦ୍ୟ ଉନବିଂଶ ଶତାବ୍ଦୀରେ ଏହାର ବହୁତ ଅଞ୍ଚଳ ଇରାନ ଓ ଆଫଗାନିସ୍ତାନ ଅଧିନକୁ ଚାଲି ଯାଇଥିଲା । କାଲାତ ନଗରୀକୁ ବ୍ରିଟିଶ 1839ରେ ଦଖଲ କରିଥିଲା ।
1876 ରେ Treaty of Kalat କୁ କାଲାତର ଖାନ ଓ ବ୍ରାହୁଈ ସର୍ଦ୍ଦାର ମାନେ ସ୍ବାକ୍ଷର କରିବା ପରେ ଏହା ବ୍ରିଟିଶ ଭାରତର ଏକ ସ୍ୱାୟତ ରାଜ୍ୟ ହେଲା । କିନ୍ତୁ ବ୍ରିଟିଶ ଏହାକୁ ଭାରତର ଅନ୍ୟାନ୍ୟ ଗଡଜାତ ଠାରୁ ଭିନ୍ନ କରି ସିକିମ ଭୁଟାନ ପରି ‘ଖ’ ଶ୍ରେଣୀୟ ଦେଶୀୟ ରାଜ୍ୟ ପାହ୍ୟାରେ ରଖିଥିଲା । ବ୍ରିଟିଶ ଭାରତ ହାତରେ ବୈଦେଶିକ ବ୍ୟାପାର , ଆଭ୍ୟନ୍ତରୀଣ ବିଦ୍ରୋହ ଦମନ ପାଇଁ ସୈନ୍ୟ ସହାୟତା ଇତ୍ୟାଦି ରହିଲା । ବେଲୁଚିସ୍ଥାନ ଏଜେନ୍ସି ଦାୟିତ୍ୱରେ ଏହାର Supervision ରହିଲା ।
ସୁତରାଂ 1947 ବ୍ରିଟିଶର କ୍ଷମତା ହସ୍ତାନ୍ତର ପୂର୍ବରୁ ବେଲୁଚିସ୍ଥାନ ଏକ ଗଡଜାତ ଥିଲା । କିନ୍ତୁ ଏହା ଅନ୍ୟାନ୍ୟ ଗଡଜାତ ଭଳି ଚେମ୍ବର ଅଫ ପ୍ରିନ୍ସଲୀ ଷ୍ଟେଟସର ସଭ୍ୟ ନ ଥିଲା । Treaty ବଳରେ Khan of Kalat ର ଶେଷ ଶାସକ ଖାନ ମୀର ଅହମ୍ମଦ ୟାର ଖାନ ବ୍ରିଟିଶ ଭାରତରୁ ସିଧାସଳଖ ସ୍ୱାଧୀନତା ଦାବୀ କଲେ । 1946ରେ ସେ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କୁ ତାଙ୍କର ପକ୍ଷ ବ୍ରିଟିଶ ରାଜ ଦରବାରରେ ଉପସ୍ଥାପନ କରିବା ପାଇଁ ଆଇନ ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଥିଲେ ।
ଜିହ୍ନା ଜଣେ ବ୍ରିଟିଶ ବାରିଷ୍ଟର ଥିଲେ । ବମ୍ବେ ହାଇକୋର୍ଟରେ ପ୍ରବୀଣ ଓକିଲ ଥିଲେ । ନିଜକୁ ସବୁଠାରୁ ବଡ ସାମ୍ବିଧାନିକ ଓ ସିଭିଲ ଓକିଲ ଭାବେ ବିଚାର କରୁଥିଲେ । ଏହା ବି ମିଛ ନୁହେଁ । କିନ୍ତୁ ଓକିଲ ଭାବରେ ମହକିଲ ପକ୍ଷ ନେବା ଓ ରାଜନେତା ଭାବରେ ମହକିଲର ସ୍ୱାର୍ଥ ପଛରେ ଶେଷ ପର୍ଯ୍ୟନ୍ତ ଠିଆ ହେବା ସହଜ କଥା ନୁହେଁ । ଜିହ୍ନାଙ୍କ କ୍ଷେତ୍ରରେ ସେୟା ହେଇଥିଲା ଓ ବେଲୁଚି ଜନତା ତାଙ୍କ ପିଠିରେ ଛୁରୀ ମାରିଲେ ବୋଲି ଗୋଟିଏ ଗୋଷ୍ଠିର ଅଭିଯୋଗ ।
ଯେତେବେଳେ ଭାରତକୁ କ୍ଷମତା ହସ୍ତାନ୍ତର ପାଇଁ ବ୍ରିଟିଶ କ୍ୟାବିନେଟ ମିଶନ 1946ରେ ଆସିଲା ସେତେବେଳେ ମୀର ଅହମ୍ମଦ ୟାର ଖାନ ପାକିସ୍ତାନରେ ମିଶ୍ରଣ ନ ହେଇ ସ୍ୱାଧୀନ ରହିବାକୁ ସଂଗ୍ରାମ କରୁଥିଲେ । ମହମ୍ମଦ ଅଲ୍ଲି ଜିହ୍ନା ମଧ୍ୟ ତାଙ୍କର ଦାବୀକୁ ପୂର୍ଣ ସମର୍ଥନ କରୁଥିଲେ ।
ଜିହ୍ନା ସାହେବ ବ୍ରିଟିଶ କ୍ୟାବିନେଟ ମିଶନକୁ ଖାନଙ୍କ ପକ୍ଷରୁ Memorandum ମଧ୍ୟ ଦେଇଥିଲେ ଯେଉଁଥିରେ ଯୁକ୍ତି ରଖିଥିଲେ Distinct geographical and political status ଯୋଗୁଁ ବେଲୋଚିସ୍ଥାନକୁ ସ୍ୱତନ୍ତ୍ର ସାଧାରଣତନ୍ତ୍ର ( Sovereign ) ହେବା ବ୍ରିଟିଶ ପ୍ଲାନ ଅନୁଯାୟୀ ଆଇନ ସଂଗତ । ତାଙ୍କର ଉଦେଶ୍ୟ ଥିଲା Khan of Kalat ର ପ୍ରଜାମାନଙ୍କ ମଙ୍ଗୋଲ କାଳରୁ ଦୁର୍ଦ୍ଧଶ ଲଢେ଼ଇ ଦୃଷ୍ଟିରୁ ଏହାକୁ ପାକିସ୍ତାନ ସହ ମିଶ୍ରଣ କରି ଅଯଥା ରାତି ପାହିଲେ ସଂଘର୍ଷକୁ ଗଲେ ପାକିସ୍ତାନ ନିଜକୁ ସମ୍ଭାଳି ପାରିବ ନାହିଁ । ବରଂ ବେଲୋଚିସ୍ଥାନର ସ୍ୱାଧୀନତା ପଛରେ ଠିଆ ହେଲେ ଗୋଟିଏ ପଡୋଶୀ ବନ୍ଧୁ ରାଷ୍ଟ୍ରର ନାଗରିକମାନେ ପାକିସ୍ତାନୀଙ୍କୁ ବଡ଼ ଭାଇ ଭଳିଆ ସମ୍ମାନ ଦେବେ । ତେଣୁ ଜିହ୍ନା କେବଳ ସେମାନଙ୍କ ଶାସକଙ୍କ ସର୍ତ୍ତରେ ନିରାପତ୍ତା ସାହାଯ୍ୟ କରି ସେମାନଙ୍କ ଶାସନ କାଲାତ ହାତରେ ଛାଡ଼ିଦେବାକୁ ଚାହୁଁଥିଲେ । ତାଙ୍କର ଭାବନାରେ ସେତେବେଳେ କୌଣସି ଗଫଲତି ନ ଥିଲା । ସବୁ ଭାରତୀୟ ନେତା ମଧ୍ୟ ଏକା ପ୍ରକାର ଭାବୁଥିଲେ । ଯେତେ ଭାଇ ସେତେ ଘର । ତଥାପି ଗୋଟିଏ କୁଟୁମ୍ବ ତ ? କେତେବେଳେ ତୁଣ ଲୁଣ ଦରକାର ହେଲେ ଏ ଭାଇ ଘରୁ ସେ ଭାଇ ଘରକୁ ଯିବ ।
ଅବଶ୍ୟ ସଂଘ ନେତୃତ୍ୱର ବିଚାର ଟିକିଏ ଅଲଗା ଥିଲା । ସେମାନଙ୍କ ଆଦର୍ଶଗତ ଓ ରାଜନୈତିକ ଗୁରୁ ବିନାୟକ ଦାମୋଦର ସାବରକର ନେପାଳ ନରେଶକୁ ହିନ୍ଦୁ ସାମ୍ରାଟ କରି ହିନ୍ଦୁ ରାଜ୍ୟଗୁଡିକର ପରାମର୍ଶ ଦାତା ଅର୍ଥାତ ଚାଣକ୍ୟ ହେବା କାମନା ରଖିଥିଲେ । ଅନ୍ୟମାନେ ଅର୍ଥାତ ହିନ୍ଦୁ ସାମ୍ରାଟ ନେପାଳ ନରେଶଙ୍କ ପଣ୍ଡିତ ମଣ୍ଡଳୀ ହେବେ ।
4 ଅଗଷ୍ଟ 1947 ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହ୍ୱାନ ହେଲା । ସେଥିରେ ଭାରତର ଶେଷ ଭାଇସ ରାୟ ଲର୍ଡ଼ ମାଉଣ୍ଟବାଟେନ, Khan of Kalat ମୀର ଖାନ, କାଲାତର ମୁଖ୍ୟମନ୍ତ୍ରୀ, ମହମ୍ମଦ ଅଲ୍ଲୀ ଜିହ୍ନା ଓ ପଣ୍ଡିତ ଜବାହରଲାଲ ନେହରୁ ଯୋଗଦେଲେ । ଏହି ବୈଠକରେ ଜିହ୍ନା ମୀର ଖାନଙ୍କ ଦାବୀକୁ ସମର୍ଥନ କଲେ । ଫଳରେ ଅଗଷ୍ଟ 15, 1947ରୁ କାଲାତ ସ୍ୱାଧୀନ ରାଷ୍ଟ୍ର ହେବାପାଇଁ ଜିହ୍ନା ରାଜି ହେଲେ । ନେହରୁ ମଧ୍ୟ ବିରୋଧ କଲେ ନାହିଁ । ସର୍ଦ୍ଦାର ପଟେଲ ମଧ୍ୟ ସେଥିପାଇଁ ଆଗ୍ରହୀ ନଥିଲେ । ଭାରତୀୟ ନେତାଙ୍କ ପାଇଁ କେବଳ ହାଇଦ୍ରାବାଦ ଓ ଜାମ୍ମୁ-କାଶ୍ମୀର ଦେଶୀୟ ରାଜ୍ୟ ସମସ୍ୟା ଥିଲା ।
ଖାରଣ ଓ ଲାସ ବେଲାକୁ ମିଶ୍ରଣ କରି ବେଲୁଚିସ୍ଥାନକୁ ଗଠନ ପାଇଁ ଜିହ୍ନା ଜୋର ଦେଇଥିଲେ ଓ ସର୍ଵ ପକ୍ଷ ରାଜି ହେଇଥିଲେ ।
ଆଲୋଚନା ପରେ 11ଅଗଷ୍ଟ 1947ରେ କାଲାତ ଓ ମୁସଲିମ ଲିଗ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହେଲା । ଏଥିରେ କାଲାତକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରାଗଲା , ମୁସଲିମ ଲିଗ ଏହାର ସାର୍ବଭୌମତ୍ୱକୁ ସ୍ୱୀକାର କଲା ।
ଅଗଷ୍ଟ 15 ରେ ଭାରତ ନିଜର ସ୍ୱାଧୀନତା ଘୋଷଣା କଲା ଓ ସେଇଦିନ କାଲାତ ମଧ୍ୟ ନିଜର ସ୍ୱାଧୀନତା ଘୋଷଣା କଲା ।
କାଲାତରେ ପାରମ୍ପରିକ ଝଣ୍ଡା ଉଡାଗଲା ଓ ଉତ୍ସବରେ Khan of Kalat ଙ୍କ ନାମରେ ଖୁତବା ପାଠ ହେଲା । ମୀର ଖାନ ସ୍ୱାଧୀନ ଶାସକ ହେଲେ ।
ମୀର ଖାନ ଭାବିଥିଲେ ବ୍ରିଟିଶ ଉନବିଂଶ ଶତାବ୍ଦୀ ଶେଷ ଭାଗରେ Treaty ମାଧ୍ୟମରେ ଯେଉଁ ଅଞ୍ଚଳ ଗୁଡିକ ଅଧିଗ୍ରହଣ କରିଥିଲେ 1947 ପରେ ତାହା ତାଙ୍କ ରାଜ୍ୟକୁ ଫେରେଇ ଦିଆଯିବ ।
କିନ୍ତୁ 12 ସେପ୍ଟେମ୍ବରରେ ବ୍ରିଟିଶ ହୁକୁମନାମା ଜାରୀ କଲେ କାଲାତ ସ୍ୱାଧୀନ ରାଷ୍ଟ୍ର ହେଲେ International responsibility ନେବା ପାଇଁ ମୀର ଖାନଙ୍କ କ୍ଷମତା ନାହିଁ । ମୀର ଭାବୁଥିଲେ ଜିହ୍ନା ମାଉଣ୍ଟବାଟେନଙ୍କ ସହ ଲଢେ଼ଇ କରିବେ ।
ମୀର ଖାନ ଅକ୍ଟୋବର ମାସରେ ପାକିସ୍ତାନ ଭ୍ରମଣ କଲେ । ପାକିସ୍ତାନର ବେଲୁଚି ଜନତା ହଜାର ହଜାର ସଂଖ୍ୟାରେ କରାଚୀ ଠାରେ ପହଞ୍ଚି ତାଙ୍କୁ King Of Beluchistan ଭାବରେ ସମ୍ବର୍ଦ୍ଧନା ଦେଲେ । କିନ୍ତୁ କୂଟନୈତିକ ପରମ୍ପରା ଅନୁଯାୟୀ ତାଙ୍କୁ ଗଭର୍ଣର ଜେନେରାଲ କିମ୍ବା ପାକିସ୍ତାନ ପ୍ରଧାନମନ୍ତ୍ରୀ Receive କଲେ ନାହିଁ । ଏଥିରୁ ଜଣା ପଡ଼ିଲା ପାକିସ୍ତାନର
ମତିଗତି ବଦଳିବା ଆରମ୍ଭ କରିଛି ।
Beloch Nationalism : its Origin & Development up to 1980 – ପୁସ୍ତକରେ ଲେଖକ Taj Mahammad Breseeg ଲେଖିଛନ୍ତି ଜିହ୍ନା ଓ ଖାନ ଙ୍କ ମଧ୍ୟରେ ଯେତେବେଳେ ବୈଠକ ହେଲା ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜିହ୍ନାଙ୍କୁ ଉପଦେଶ ଦେଲେ ଇସଲମବାଦ ସହ ମିଶ୍ରଣ ପ୍ରକ୍ରିୟା ତ୍ୱରାନ୍ୱିତ କର ।
ଜିହ୍ନାଙ୍କ ପ୍ରସ୍ତାବ ପରେ ଖାନ ଅବିଳମ୍ବେ ସାଂସଦମାନଙ୍କ ବୈଠକ ଡାକି ପାର୍ଲିଆମେଣ୍ଟର ଉଭୟ ସଦନରେ ସର୍ଵ ସମ୍ମତି କ୍ରମେ ମିଶ୍ରଣ ବିରୁଦ୍ଧରେ ପ୍ରସ୍ତାବ ଗ୍ରହଣ କଲେ ।
ତଥାପି ପାକିସ୍ତାନର ଚାପ ବଢି ଚାଲିଥାଏ ।
ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଖାନ ତାଙ୍କର କମାଣ୍ଡର ଇନଚାର୍ଜ ବ୍ରିଗ୍ରେଡିୟର ଜେନେରାଲ ପର୍ଭସଙ୍କୁ ସେନା ସଂଗଠିତ କରିବା ଓ ଅସ୍ତ୍ର ଶସ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଲେ ।
ସେ ବେଲୋଚ ସର୍ଦ୍ଦାରମାନଙ୍କ ସମର୍ଥନ ମଧ୍ୟ ଲୋଡିଲେ । ମାତ୍ର ଦୁଇଜଣଙ୍କ ବ୍ୟତୀତ ଅନ୍ୟମାନେ ପାକିସ୍ତାନ ସପକ୍ଷରେ ରହିଲେ । ବ୍ରିଟିଶ ସରକାର ଅସ୍ତ୍ର ଶସ୍ତ୍ର ପାଇଁ ଲଣ୍ଡନ ପର୍ଯ୍ୟନ୍ତ ନିବେଦନ ଗଲା । କିନ୍ତୁ ସବୁ ଉଦ୍ୟମ ବ୍ୟର୍ଥ ହେଲା ।
ଜିହ୍ନା ଯେତେବେଳେ ଦେଖିଲେ ଖାନ ମିଶ୍ରଣ ପ୍ରକ୍ରିୟା ପାଇଁ ସମୟ ବରବାଦ କରୁଛନ୍ତି , ସେ ଖାରଣ, ଲାସ ବେଲା ଓ ମାରକନ ଅଞ୍ଚଳକୁ ମାର୍ଚ୍ଚ 18, 1948ରେ ବେଲୋଚିସ୍ଥାନରୁ ଅଲଗା ଘୋଷଣା କରିଦେଲେ । ଏହାପରେ କାଲାତ କେବଳ ଗୋଟିଏ ଛୋଟ ଦ୍ବୀପ ଭଳି ରହିଗଲା । ଏକଥା ଲେଖିଛନ୍ତି Dushka H Saiyid ତାଙ୍କର ପୁସ୍ତକ -The Accession Of Kalat : Myth & Reality ରେ ।ଅଧିକାଂଶ ବେଲୋଚ ନେତା ଖାନଙ୍କୁ ଅସହାୟ କରି ଛାଡ଼ିଗଲେ ।
ସେହି ସମୟରେ ଖାନ ବ୍ୟାକୁଳ ହେଇ ଭାରତ ସରକାର ଓ ଆଫଗାନିସ୍ତାନ ରାଜାଙ୍କୁ ସହାୟତା ଭିକ୍ଷା କଲେ । କିନ୍ତୁ କିଛି ଲାଭ ହେଲା ନାହିଁ ।
ମାର୍ଚ୍ଚ 27, 1948 ରେ ଅଲ ଇଣ୍ଡିଆ ରେଡିଓ ଘୋଷଣା କରି ସାରିଥିଲା ଖାନ ଭାରତରେ ମିଶ୍ରଣ ପାଇଁ ନିବେଦନ କରିଥିଲେ, କିନ୍ତୁ ଭାରତ ମନା କରିଥିଲା । ଏହି ବିଷୟକୁ ଗୃହ ସଚିବ ଭି ପି ମେନନ ରେଡିଓରେ ଘୋଷଣା କରେଇ ଦେଇଥିଲେ । ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲ ଓ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମେନନଙ୍କ ବିବୃତ୍ତିକୁ ଖଣ୍ଡନ କରିଥିଲେ । ସେତେବେଳକୁ ମୀର ଖାନ ମେନନଙ୍କ ବିବୃତ୍ତିକୁ ସତ୍ୟ ବୋଲି ସ୍ୱୀକାର କରି ନେଇଥିଲେ ।
26 ମାର୍ଚ୍ଚରେ ପାକିସ୍ତାନ ସେନା ବେଲୋଚିର ଉପକୂଳ ଅଞ୍ଚଳ ପାସନୀ, ଜୀୱାନୀ ଓ ତର୍ବତରେ ପହଞ୍ଚି ଯାଇଥିଲେ । ତେଣୁ ଖାନ ଙ୍କ କୌଣସି ଉପାୟ ନଥିଲା । ସେଦିନ ହିଁ ସେ ମେନନଙ୍କ ବିବୃତ୍ତି କୁ ଖଣ୍ଡନ କରି ପାକିସ୍ତାନରେ ମିଶ୍ରଣ ଘୋଷଣା କଲେ । ମାତ୍ର 227 ଦିନ ସ୍ଵାଧୀନତା ପରେ କାଲାତ ପାକିସ୍ତାନର ଏକ ଅବିଚ୍ଛିନ୍ନ ଅଙ୍ଗ ହେଇଗଲା ।
ମୀର ଖାନ ପାକିସ୍ତାନ ସହିତ ଯେତେବେଳେ ମିଶ୍ରଣ ସନନ୍ଦ ସ୍ବାକ୍ଷର କରୁଥିଲେ ସେତେବେଳେ ବିବୃତ୍ତି ଦେଲେ – The Merger Document as a ” dictate of history ” .
Taj Mohhamad Bressig ତାଙ୍କ ପୁସ୍ତକରେ ଲେଖିଛନ୍ତି –
” I confess , I knew I was exceeding the mandate ..( but ), had I not taken the immediate step of signing the Kalat’s merger option , the British agent to Governor- General could have played havoc by leading Pakistan army into a fratricide war against the Beluches ”
କାଲାତକୁ ଜବରଦସ୍ତି ପାକିସ୍ତାନ ସହ ମିଶ୍ରଣ ଯୋଗୁଁ ବେଲୁଚି ଜନତା ଙ୍କ ଭିତରେ କ୍ରମାଗତ ଅସନ୍ତୋଷ ଓ ବିଦ୍ରୋହ ସୃଷ୍ଟି ହେଇଛି । ବେଲୁଚି ଅନେକ ଜାତୀୟତାବାଦୀ ନେତାଙ୍କ ମତ ହେଉଛି ସେମାନଙ୍କ ସ୍ୱାତନ୍ତ୍ର୍ୟ ଓ ସାଂସ୍କୃତିକ ଅସ୍ମିତା ପ୍ରତି ବିଶ୍ୱାସଘାତ ଜିହ୍ନା କରିଛନ୍ତି । କିନ୍ତୁ ଏମାନେ ସମସ୍ତେ ସ୍ୱତନ୍ତ୍ର କ୍ଷମତା ଦାବୀ କରିଛନ୍ତି, ପାକିସ୍ତାନରୁ ଅଲଗା ହେବା ଦାବୀ କେବଳ ନିର୍ଦ୍ଦିଷ୍ଟ ଜନଗୋଷ୍ଟି ( ବୁଗତି )ମଧ୍ୟରେ ସୀମିତ ରହିଛି ।
ସେମାନେ ବିଭିନ୍ନ ସମୟରେ ବିଦ୍ରୋହ କରିଛନ୍ତି । 1948ରେ ମୀର ଖାନ ଙ୍କ ଭାଇ ଅବଦୁଲ କରିମ ବିଦ୍ରୋହ କରି ବନ୍ଦୀ ହେଇଛନ୍ତି ।
1958, 1962, 1970 ପାଖାପାଖି ବିଦ୍ରୋହ ହେଇଛି । କିନ୍ତୁ ପାକିସ୍ତାନ ଦମନ କରି ଦେଇଛି ।
2005 ରେ ପାକିସ୍ତାନର ପ୍ରାକ୍ତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବେଲୁଚିସ୍ଥାନର ପ୍ରାକ୍ତନ ରାଜ୍ୟପାଳ ନବାଵ ଆକବର ଖାନ ବୁଗତି ବିଦ୍ରୋହ କରିଛନ୍ତି । ତାଙ୍କର ମୁଖ୍ୟ 15 ଦଫା ଦାବୀ ଭିତରେ ବେଲୁଚିସ୍ଥାନର ପ୍ରାକୃତିକ ସମ୍ପଦ ଉପରେ ଗରିଷ୍ଠ ଭାଗ ଦାବୀ ଅନ୍ତର୍ଭୁକ୍ତ ଥିଲା । ତାପର ବର୍ଷ ସେ ହତ୍ୟା ହେଲେ ।ଏହାକୁ ସାମରିକ ଶାସକ ପରଭେଜ ମୂଷାରଫ କରିଥିଲେ ବୋଲି କୁହାଯାଏ । ବୁଗତିଙ୍କ ହତ୍ୟାର କିଛି ଦିନ ପରେ ଜଣେ ବେଲୁଚି ନେତା ତାଙ୍କ ବିମାନକୁ ରକେଟ ମାଡରେ ହତ୍ୟା କରିଥିଲେ ।
ଜିହ୍ନାଙ୍କ ପୋଜିସନ ଓ ମତ 1947 ଶେଷ ଆଡକୁ ବଦଳି ଯାଇଥିଲା । ବ୍ରିଟିଶ ବୁଝେଇ ଦେଲା କାଲାତ ଯଦି ଗୋଟିଏ ସ୍ୱାଧୀନ ରାଷ୍ଟ୍ର ହୁଏ ତାହେଲେ ଆନ୍ତର୍ଜାତିକ ସ୍ତରରେ ତିଷ୍ଟି ପାରିବ ନାହିଁ ଓ ବିଦେଶୀ ପ୍ରଭାବରେ ଆସିବାକୁ ବାଧ୍ୟ । ଵିଶେଷ କରି ଆଫଗାନିସ୍ତାନ ଓ ସୋଭିଏତ ୟୁନିୟନ ପ୍ରଭାବ ବିସ୍ତାର କରିବେ । The British memorandum on September 12, 1947, deemed Kalat unfit for independent international responsibilities, prompting Jinnah to push for its merger with Pakistan.
ବେଲୁଚି ସମସ୍ୟା ଇତିହାସର ଏକ ଜଟିଳ ଜାତୀୟତା ସମସ୍ୟା । ଯେମିତି ଭାରତର ଜାତିଗତ ସମସ୍ୟା , ବରଂ ଆହୁରି ଅଧିକ ।
କିନ୍ତୁ ଏହି ସମସ୍ୟାକୁ ସମାଧାନ କରିବା ଭଳି ରାଷ୍ଟ୍ର ନାୟକ ପାକିସ୍ତାନ ରେ କେହି ନାହାନ୍ତି ନାହାନ୍ତି । ପାକିସ୍ତାନରେ କେବେ ବି ଗଣତନ୍ତ୍ରର ଚେର ତଳକୁ ଯାଇନାହିଁ । ସବୁବେଳେ ସାମରିକ-ଆଇ ଏସ ଆଇ ମେଣ୍ଟ ପାକିସ୍ତାନରେ ନିର୍ବାଚିତ ସରକାରକୁ କାର୍ଯ୍ୟ କରିବାକୁ ଦେଇ ନାହାନ୍ତି । ପାକିସ୍ତାନ ନାଗରିକ ସମାଜର ସ୍ୱର କୁ ସାମରିକ ସରକାର ଦମନ କରି ଆସିଛି ।
ସନ୍ତ୍ରାସବାଦ ହେଉଛି ସାମରିକ ପ୍ରଶାସନ ପୁଷ୍ଟ ଏକ ଉପଜାତ ଯାହାକୁ ରାଜନୈତିକ ନେତୃତ୍ୱ ସେଲ୍ୟୁଟ ମାରନ୍ତି । ସେଲ୍ୟୁଟ ନ ମାରିଲେ ଗୁଳିରେ ଯାଆନ୍ତି ।
ବେଲୁଚିସ୍ଥାନର ଯେଉଁ ନେତାମାନେ ବିଦ୍ରୋହ କରୁଛନ୍ତି ସେମାନେ କେତେ ଦୂର ପ୍ରକୃତ ପ୍ରଗତିଶୀଳ ଗଣତାନ୍ତ୍ରିକ ସ୍ୱାଧୀନ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ପରୀକ୍ଷିତ ହେଇନାହିଁ ।
ହୁଏତ ପ୍ରାକୃତିକ ସମ୍ପଦ ଉପରେ ବିଭିନ୍ନ ଗୋଷ୍ଠୀର ଲକ୍ଷ୍ୟ । ଯେମିତି ମଧ୍ୟପ୍ରାଚ୍ୟର ତୈଳ ସମ୍ପଦ ଉପରେ ଆମେରିକାର ପ୍ରଭୁତ୍ୱ ଲକ୍ଷ୍ୟ ।
ଭାରତର କର୍ପୋରେଟ ଗୋଷ୍ଠୀଙ୍କ ହାତ ବାରିସୀ ହେଇ ଭାରତ ସରକାର ଯଦି ଏହି ବିଷୟରେ ଗଭୀର ଚିନ୍ତା ନ କରି ଛନ୍ଦି ହୁଏ ବେଲୁଚି ବିଦ୍ରୋହରେ ଘିଅ ଢାଳେ ତାହା ଭାରତର ଜନତାଙ୍କ ସ୍ୱାର୍ଥ ଅନୁକୂଳ ହେବ ନାହିଁ । ପାକିସ୍ତାନ ତାର ମିତ୍ର ରାଷ୍ଟ୍ର ମାନଙ୍କ ସହାୟତାରେ ପଞ୍ଜାବରୁ ଗୁଜରାଟ ପର୍ଯ୍ୟନ୍ତ ଅସ୍ଥିରତା ସୃଷ୍ଟି ପାଇଁ କୌଶଳ ବାହାର କରିବ । ଆମେ ଟିକସ ଦେଇ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବା । ଜାମ୍ମୁ କାଶ୍ମୀରର ସର୍ତ୍ତ ମୂଳକ ଚୁକ୍ତି ଯଦି ଆମକୁ କାଶ୍ମୀର ଭାରତର ବୋଲି ଅଧିକାର ଦେଇଛି , ସେମିତି ବେଲୁଚିସ୍ଥାନର ମିଶ୍ରଣ ଚୁକ୍ତି ପାକିସ୍ତାନକୁ ବେଲୁଚିସ୍ଥାନ ଉପରେ ଅଧିକାର ଦେଇଛି । ସେମାନେ ଗୋଟିଏ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ହେବେ କି ନାହିଁ ତାହା ଅନେକ ବିନ୍ଦୁ ଉପରେ ନିର୍ଭର କରେ ।