ମୁଖ୍ୟଧାରା ଗଣମାଧ୍ୟମ ଦିନକୁ ଦିନ କ୍ଷତି କାରକ ହେଉଛି

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କିଛି ବନ୍ଧୁ କୁହନ୍ତି ମୁଁ ସମଗ୍ର ଦେଶର ମିଡିଆକୁ ସମାଲୋଚନା କରିବା ଅପେକ୍ଷା ଓଡ଼ିଶା ମିଡ଼ିଆକୁ ବେଶ ସମାଲୋଚନା କରୁଛି । ସେ ମାନେ ଭାବନ୍ତି ଜାତୀୟ ମିଡ଼ିଆ ଯେତେ ଖରାପ ହୋଇଛି, ଓଡ଼ିଶା ମିଡ଼ିଆ ସେ ଅବସ୍ଥାକୁ ଆସିନାହିଁ । ମୁଁ ଏଥିରେ ସହମତ ନୁହେଁ । ଅବଶ୍ୟ ଜାତୀୟ ମିଡ଼ିଆ ଭଳି ଓଡ଼ିଶାରେ କାଁ ଭାଁ କୌଣସି ମିଡ଼ିଆ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି । କିନ୍ତୁ ଓଡିଶା ମିଡ଼ିଆ ଜାତୀୟ ମିଡ଼ିଆ ଅପେକ୍ଷା ବେଶି ସମାଜ ଓ ଗଣତନ୍ତ୍ର ପ୍ରତି କ୍ଷତିକାରକ ହୋଇଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦିପାବଳୀ ଦିନ ସେ ଗୋପନରେ ବିଭିନ୍ନ ମିଡ଼ିଆ ମାଲିକ ଓ ସାମ୍ବାଦିକଙ୍କୁ ଭେଟି ଥିଲେ । ଅବଶ୍ୟ ଘଟଣାଟି ବାହାରେ ପ୍ରଘଟ ହୋଇ ଯାଇଥିଲା ଓ ଦବିଗଲା । ଓଡିଶାରେ କେତେକ ବଛା ବଛା ସାମ୍ବାଦିକ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓ ଫଟୋ ଉଠାଇଲେ । ବିଡ଼ମ୍ବନାର କଥା ହେଉଛି ସେମାନେ ତଦ୍ୱାରା ଗୋଟିଏ ଭଲକାମ କରିଛନ୍ତି ବୋଲି ଭାବୁଛନ୍ତି । ସେମାନେ କହୁଛନ୍ତି ସେମାନେ କୁଆଡେ ମୁଖ୍ୟମନ୍ତ୍ରୀଙ୍କୁ କେତେକ ପ୍ରସ୍ତାବ ଦେଇଛନ୍ତି ଓ ମୂଖ୍ୟମନ୍ତ୍ରୀ କୁଆଡେ ସେମାନଙ୍କୁ କହିଛନ୍ତି ଆଗକୁ ସେମାନେ ବାରମ୍ବାର ଭେଟାଭେଟି ହେବେ । ଯଦି ବରିଷ୍ଠ ମାନେ ଭାବୁଛନ୍ତି ସେମାନେ ଏହା ଦ୍ବାରା ରାଜ୍ୟ ପାଇଁ ଗୋଟିଏ ଭଲ କାମ କରିଛନ୍ତି, ତେବେ ସେହି ସେବା ସେମାନେ ଅନ୍ୟ ପାର୍ଟି ମାନଙ୍କୁ ବି ଦିଅନ୍ତୁ । ଯଦି ଅନ୍ୟ ପାର୍ଟି ମାନେ ତାଙ୍କୁ ଡାକୁ ନାହାନ୍ତି, ତାହେଲେ ଏହି ବରିଷ୍ଠ ମାନେ କଣ ଜାଣୁ ନାହାନ୍ତି ଯେ ତାଙ୍କର ଏ ସେବା ଏକ ଅସମତଳ କ୍ଷେତ୍ର ପ୍ରସ୍ତୁତ କରିବ ? ସରକାରଙ୍କ ଉପଦେଷ୍ଟା ହେବା ପାଇଁ ବିଭିନ୍ନ ଏନଜିଓ ଅଛନ୍ତି । ବ୍ୟବସାୟୀ ସଂଘ ଅଛନ୍ତି । କୃଷକ ସଂଗଠନ ଅଛନ୍ତି । ସେମାନେ ବିଭିନ୍ନ ବିଷୟରେ ସରକାରଙ୍କୁ ସଜେସନ ଦେଇ ପାରିବେ । କିନ୍ତୁ ସାମ୍ବାଦିକମାନେ ସରକାରଙ୍କୁ କି ପ୍ରକାର ସଜେସନ ଦେଇଥିବେ ? ସେମାନଙ୍କର ସାମ୍ବାଦିକତା ବ୍ୟତୀତ ଆଉ କେଉଁ କ୍ଷେତ୍ରରେ ବିଶେଷ ପ୍ରବୀଣତା ରହିଛି ? ଯଦି ଜନତାଙ୍କ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ସେମିତି କିଛି ପ୍ରସ୍ତାବ ଦେଇଛନ୍ତି, ସେହି ପ୍ରସ୍ତାବ ଗୁଡିକ ବାହାରକୁ ଆସୁନାହିଁ କାହିଁକି ? ସବୁଠାରୁ ଦୁଃଖର କଥା ଯେ ସେମାନେ ଘଟଣାଟିକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କଲେ ନାହିଁ । କ୍ଷମତା ନେତାକୁ ଅନ୍ଧ କରି ଦିଏ । କିନ୍ତୁ କ୍ଷମତା ପରିବର୍ତ୍ତନ ପରେ ଏହି ବରିଷ୍ଠ ମାନେ ବି ଅନ୍ଧ ହୋଇ ଯାଇଛନ୍ତି । ମୁଁ ବିଭିନ୍ନ ସାମ୍ବାଦିକଙ୍କ ବିଷୟରେ ବିଭିନ୍ନ କଥା ଶୁଣିଥିଲେ ମଧ୍ୟ ମୁଁ ସେସବୁ ବିଷୟକୁ ନେଇ ସେମାନଙ୍କୁ ବ୍ୟକ୍ତିଗତ ସମାଲୋଚନା କରେ ନାହିଁ । ମୋର ସମାଲୋଚନା ନୀତିଗତ । ଆଉ ଗୋଟିଏ ବିଷୟ । ଆପ୍ ଯେତେବେଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ପ୍ରତିଶୃତି ଦିଏ, ସେତେବେଳେ ପ୍ରାୟ ସବୁ ଟିଭି ସାକ୍ଷାତକାରରେ ସେମାନଙ୍କ ନେତାଙ୍କୁ ପଚରା ଯାଏ ‘ ଏତେ ଟଙ୍କା ଆସିବ କେଉଁଠୁ ? ସରକାରଙ୍କର ଏତେ ଋଣ ହୋଇ ଯାଇଛି । ‘କିନ୍ତୁ ଓଡ଼ିଶାରେ ସମସ୍ତଙ୍କ ଆଗରେ ଗୋଟିଏ ଦଳର ବଡ ବଡ ନେତା କହି ବୁଲିଲେ ସେମାନେ କ୍ଷମତାକୁ ଆସିଲେ ୧ କୋଟି ମହିଳାଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଦେବେ । କେହି ଜଣିଏ ବି ସାମ୍ବାଦିକ ସେମାନଙ୍କ ମଧ୍ୟରୁ କାହାରିକୁ ପଚାରିଲେ କି, କିମ୍ବା ନିଜ ସ୍ତମ୍ବରେ ଲେଖିଲେ କି , ଅଢ଼େଇ ଲକ୍ଷ କୋଟି ଟଙ୍କାର ବଜେଟରୁ ଗୋଟିଏ ସରକାର ମାତ୍ର ଗୋଟିଏ ଯୋଜନା ପାଇଁ କେମିତି ପଚାଶ ହଜାର କୋଟି ଖର୍ଚ୍ଚ କରି ପାରିବ ? ଏଇଟା ତ ଅତି ସରଳ କଥା ।ତାମାନେ ଏତେ ବଡ଼ ଠକେଇରେ ସେମାନେ ବି ସାମିଲ ନୁହନ୍ତି କି ? ମୋର ଅନୁରୋଧ ଏହି ବରିଷ୍ଠ ମାନେ ନିଜେ ଗୋଟିଏ ସଜେସନ ସଂଗଠନ ତିଆରି କରି ତାହାକୁ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ । ମିଡିଆ ହାତରେ ଥିଲେ, ସରକାର କେତୁଟା ବ୍ୟାଙ୍କରେ ଆକାଉଣ୍ଟ କ୍ଲୋଜ୍ କଲେ ସେଇଟା ବି ଐତିହାସିକ ଖବର ହୋଇଯାଏ । ମୋ ଜୀବନରେ ମୁଁ ବି ତିନି ଚାରୋଟି ବ୍ୟାଙ୍କରେ ମୋ ଖାତା ବନ୍ଦ କରିଛି । କିନ୍ତୁ ମୋ ପରିବାରରେ କେହି ଦିନେ କହି ନାହାନ୍ତି ଯେ ମୁଁ ଗୋଟିଏ ଐତିହାସିକ କାମ କରିଛି । ଗୋଟିଏ କାମ ଭଲ ହେଲା । ସରକାରଙ୍କ ସପକ୍ଷରେ ଦୁଇଟା ଖବର ତିଆରି ହୋଇଗଲା । ଖାତା ବନ୍ଦ ହେଲା । ସେଇଟା ଐତିହାସିକ । ଖାତା ପୁଣି ଚାଲୁ ହେଲା । ସେଇଟା ବି ଐତିହାସିକ । ଆୟୁଷ୍ମାନ କାର୍ଡ ସମସ୍ତଙ୍କୁ ମିଳିନି । ସରକାର ହୋର୍ଡିଂରେ ତାଙ୍କ ଉପଲବ୍ଧିରେ ଲେଖୁଛନ୍ତି ପର୍ଯ୍ୟାୟ କ୍ରମେ ମିଳିବ । ଏସବୁ ପର୍ଯ୍ୟାୟ କେବେ ସରିବ କାହାକୁ ଜଣା ନାହିଁ । ଏ କାର୍ଡ କାହାକୁ ମିଳିବ ଓ କାହାକୁ ନ ମିଳିବ ସେ ବିଷୟରେ କଣ ନୀତି ତିଆରି ହୋଇଛି ଜଣା ନାହିଁ । କାର୍ଡ ନେଇ କେତେ ରୋଗୀ ହସପିଟାଲରୁ ଫେରୁଛନ୍ତି ଜଣା ନାହିଁ । କିନ୍ତୁ ଦୁଇଟି କଥା ଜଣା ଅଛି । ଗୋଟିଏ ହେଲା ସରକାର ବ୍ୟାଙ୍କରେ ଖାତା କ୍ଲୋଜ୍ କଲେ । ଅନ୍ୟଟି ହେଲା ଏ ରଙ୍ଗା ପ୍ରଧାନ ସବୁବେଳେ ମିଡ଼ିଆ ବିରୁଦ୍ଧରେ ଲେଖୁଛି । କୌଣସି ବି ସରକାର କୌଣସି ରାଜ୍ୟର ଆଶାନୁରୂପ ପ୍ରଗତି କରି ପାରିବ ନାହିଁ, ଯେ ପର୍ଯ୍ୟନ୍ତ ପ୍ରଗତି ପାଇଁ ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ଏହି ପରିସ୍ଥିତି ନିର୍ଭର କରୁଛି ରାଜ୍ୟରେ ଚର୍ଚ୍ଚା କଣ ଚାଲିଛି ତାହା ଉପରେ । କିନ୍ତୁ ଆମ ରାଜ୍ୟରେ ରାଜ୍ୟର ପ୍ରଗତି ପାଇଁ କୌଣସି ଚର୍ଚ୍ଚା ନାହିଁ କି ସରକାରଙ୍କ ଉପରେ କୌଣସି ଚାପ ନାହିଁ । ବରଂ ସରକାର ନିଜର ଇନଫ୍ଲୁଏନ୍ସର ଗୋଷ୍ଠି ଜରିଆରେ ନିଜ ପ୍ରୋପାଗଣ୍ଡା କରାଉଛନ୍ତି ।ଅଳ୍ପ କେତେଜଣ ସାମ୍ବାଦିକ ମାହୋଲ ବିଗାଡୁଛନ୍ତି । ସବୁ ଦିନ ସକାଳୁ ଉଠି ଦେଖୁଛି ସେହି ଛକାପଞ୍ଚା ରାଜନୀତି ଷ୍ଟୋରୀ , କେଉଁ ଦଳ କେତେ ପାଣିରେ , କିଏ କାହା ଗୋଡ଼ ଟାଣିଲା ଓ ପାଣ୍ଡିଆନ୍ କୁଆଡେ ଗଲା । ଏସବୁ ମଧ୍ୟରୁ ୯୫% ହେଉଛି ମିଛ ଓ ଗସିପ୍ । କେବଳ ଟିଆରପି ଓ ଭିଉ ବଢ଼ାଇବା ପାଇଁ କିଛି ସାମ୍ବାଦିକ ଏଥିରେ ମାତିଛନ୍ତି । ଯେପର୍ଯ୍ୟନ୍ତ ପ୍ରଗତି ପାଇଁ ଚର୍ଚ୍ଚା ନ ହେଉଛି, ସେ ପର୍ଯ୍ୟନ୍ତ ପ୍ରଗତି ହେବ ନାହିଁ । ଓଡ଼ିଶାର ଏ ମିଡ଼ିଆ ସାରା ରାଜ୍ୟକୁ ଫାଲତୁ ଚର୍ଚ୍ଚାରେ ଡୁବାଇ ଦେଇଛି । ମୁଁ ସେଥିପାଇଁ କହି ଆସୁଛି : ଓଡ଼ିଶାର ଦୁଃଖ…… I

Leave a Reply

Your email address will not be published. Required fields are marked *