ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁଲିଙ୍ଗ ପଦର ଗ୍ରାମବାସୀ ଓ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟି

ଥୁଆମୁଳ ରାମପୁର,୩୦/୦୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ୱର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମି ପଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି କଡ଼ା ସମାଲୋଚନା କରିଛନ୍ତି। କୁର୍କୁଟି ମୌଜାର ଖାତା ନଂ ୨୨ ଓ ପ୍ଲଟ ନଂ ୧୯/୨୮ ଅଧୀନରେ ଥିବା ଏହି ଜଙ୍ଗଲ ଜମିକୁ ଗ୍ରାମବାସୀ ୧୯୯୧ ମସିହା ପୂର୍ବରୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରିଆସୁଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏହି ଜମିକୁ ଶିଳ୍ପ ସଂସ୍ଥାକୁ ଟେକିଦେବା ପାଇଁ ହେଉଥିବା ପ୍ରୟାସକୁ ଗ୍ରାମବାସୀ ବେଆଇନ ବୋଲି ଦର୍ଶାଇଛନ୍ତି। ସମ୍ବିଧାନର ପଞ୍ଚମ ଅନୁସୂଚୀ, ପେସା (PESA) ଆଇନ ଏବଂ FRA ଅନୁଯାୟୀ, ଗ୍ରାମସଭାର ସହମତି ବିନା ଆଦିବାସୀ ଅଞ୍ଚଳରେ ଜମି ହସ୍ତାନ୍ତର କରାଯାଇପାରିବ ନାହିଁ। ଏହା ଓଡ଼ିଶା ଜମି ସଂସ୍କାର ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଅବସରରେ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟିର ସମ୍ପାଦକ ବ୍ରିଟିଶ କୁମାର ଏବଂ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନିକ ଅବହେଳା ବିରୋଧରେ ଗର୍ଜିଥିଲେ। ସେମାନେ କହିଛନ୍ତି ଯେ, ଭୂମିହୀନ ଆଦିବାସୀଙ୍କୁ ଜମି ପଟା ଦେବା ପରିବର୍ତ୍ତେ କମ୍ପାନୀକୁ ଜମି ଦେବା ଏକ ଗଣତନ୍ତ୍ର ବିରୋଧୀ ପଦକ୍ଷେପ। ଏହି ଦାବିପତ୍ର ପ୍ରଦାନ ସମୟରେ ରାମ କୃଷ୍ଣ ମାଝୀ, ସୁରଜ୍ ମାଝୀ, ଲିମୁ ମାଝୀ, ବେଲ ମାଝୀଙ୍କ ସମେତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ପ୍ରଶାସନ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଗ୍ରାମବାସୀମାନେ ଏହି ଜମିରେ ଧାନ ଓ ମାଣ୍ଡିଆ ଚାଷ କରି ନିଜର ଗୁଜରାଣ ମେଣ୍ଟାଇବାକୁ ଚାହୁଁଥିବା ବେଳେ, ତୁରନ୍ତ ତଦନ୍ତ କରି ଜଙ୍ଗଲ ଜମି ପଟା ପ୍ରଦାନ ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *