ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର ଏହି ଅଞ୍ଚଳର ଅର୍ଥନୀତିକୁ ଅଭିବୃଦ୍ଧି କରିବ: ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର; ଭାରତ ସରକାରଙ୍କ ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଏବଂ ସାଉଦି ଆରବ ନିବେଶ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଫିକି ଦ୍ୱାରା ଆୟୋଜିତ ଭାରତ-ସାଉଦି ଆରବ ନିବେଶ ଫୋରମରେ ଅଭିଭାଷଣ ଦେଇ ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଥିଲେ ଯେ, “ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର ଅର୍ଥନୀତିକୁ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୃଷ୍ଟି କରିବା ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଭାରତୀୟ ଏବଂ ସାଉଦି ବ୍ୟବସାୟ ମାନଙ୍କ ପାଇଁ ସହଯୋଗ ଏବଂ ଲଭାନ୍ଵିତ ହେବା ନିମନ୍ତେ ଏହା ମଧ୍ୟ ଏକ ଉତ୍ତମ ସୁଯୋଗ ହେବ” ।
ଏହି ଅବସରରେ ସେ ଘରୋଇ ତଥା ବିଦେଶୀ ନିବେଶକଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଥିବା ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ୟବସାୟକୁ ସଶକ୍ତ କରିବା ଏବଂ ଅଣ ତୈଳ ରପ୍ତାନି ବୃଦ୍ଧି ପାଇଁ ସାଉଦି ଆରବର ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଥିଲେ । “ବିଶ୍ବସ୍ତରୀୟ ଭିତ୍ତିଭୂମିରେ ବିପୁଳ ପରିମାଣର ବିନିଯୋଗ କରିବା ସହିତ, ସାଉଦି ଆରବ ଏହାର ବ୍ୟବସାୟକୁ ସଶକ୍ତ କରିବା ଏବଂ ଅଣ- ତୈଳ ରପ୍ତାନିକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସଂସ୍କାର ଆଣିଛି । ଗତ ବର୍ଷ ବାଣିଜ୍ୟରେ ୨୩ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା, ଯାହାକି ପାଞ୍ଚ ବର୍ଷ ମଧ୍ୟରେ ଦୁଇ ଗୁଣ ବୃଦ୍ଧି ପାଇଛି । ଏହି ସମ୍ପର୍କକୁ ମଜବୁତ କରିବା ପାଇଁ ଫିକି ଇନଭେଷ୍ଟ ଇଣ୍ଡିଆ ଭାରତ ଏବଂ ଅନ୍ୟମାନଙ୍କ ସହ କାର୍ଯ୍ୟ କରିବ” ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏବଂ ସାଉଦି ଆରବର ଶିଳ୍ପ ତଥା ନିବେଶ ମନ୍ତ୍ରୀ ମାନ୍ୟବର ଖାଲିଦ ଅଲ ଫଲିହ୍ ଉପସ୍ଥିତ ରହି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *