୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଦାବି ଉପସ୍ଥାପନ କଲା ଭାରତ

ନୂଆଦିଲ୍ଲୀ: ଏକ ସୂତ୍ରରୁ ଜଣାପଡିଛି ଯେ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧ ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଚିଠି ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ବହୁବାର ଭାରତରେ ୨୦୩୬ରେ ଅଲିମ୍ପିକ୍ସ ଆୟୋଜିତ ହେବା କଥା କହିଛନ୍ତି। ୨୦୨୪ ଅଲିମ୍ପିକ୍ସ ପ୍ୟାରିସରେ ଖେଳାଯାଇଥିଲା। ଏହାପରେ ପରବର୍ତ୍ତୀ ଅର୍ଥାତ୍ ୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍ ଆଞ୍ଜେଲସରେ ଖେଳାଯିବ। ୨୦୩୨ ଅଲିମ୍ପିକ୍ କ୍ରୀଡ଼ା ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ହେବ। କିନ୍ତୁ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା କେଉଁଠି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।