ଇନ୍ଦିରା ଗାନ୍ଧୀ ଓ ଶେଖ ହସିନା – ମେଳ ଅଳପ – ଅମେଳ ବହୁତ
ନୂଆଦିଲ୍ଲୀ : (ବିଜୟ ସାହୁ)- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ
କନ୍ୟା ଇନ୍ଦିରା ଗାନ୍ଧୀ । ସେମିତି ବଙ୍ଗଳା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମୁଜିବୁର ରହମନଙ୍କ କନ୍ୟା ଶେଖ ହସିନା । ଏହା ହେଲା ଉଭୟଙ୍କ ଭିତରେ ବଡ଼ ମେଳ । କିନ୍ତୁ ବଡ଼ ଅମେଳ ହେଲା ନେହରୁଙ୍କ କନ୍ୟା ପିଲା ଦିନୁ ରାଜନୈତିକ ପରିବେଶରେ ବଢି ଥିଲେ ଓ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ବିଶ୍ୱ ନେତା ଓ ବିଶ୍ଵ କୂଟନୀତି ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିଥିଲେ, ହସିନାଙ୍କ ସେଇ ସୁଯୋଗ ନଥିଲା । ଏପରି କି ମୁଜୀବୁର ରହମନ ପ୍ରଧାନମନ୍ତ୍ରୀ ହେବା ଓ ହତ୍ୟା ହେବା ସମୟ ଅବଧି ମଧ୍ୟରେ ହସିନାଙ୍କ ବଙ୍ଗଳା ଦେଶ ରାଜନୀତିରେ କୌଣସି ଉପସ୍ଥିତି ନଥିଲା । ଭାରତରେ ରାଜନୈତିକ ଶରଣାର୍ଥୀ ଭାବରେ ଥିଲେ ।
1981ରେ ବଙ୍ଗଳା ଦେଶକୁ ଫେରିଲେ ଓ ହୁସେନ ମହମ୍ମଦ ଏରଶାଦଙ୍କ ସାମରିକ ଶାସନ ବିରୁଦ୍ଧରେ ଆୱାମୀ ଲିଗର ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନରେ ସାମିଲ ହେଲେ । ଏହି ଆନ୍ଦୋଳନ କେବଳ ଆୱାମୀ ଲିଗର ନଥିଲା, ଏଥିରେ କମ୍ୟୁନିଷ୍ଟ ଗୋଷ୍ଠୀ ବଙ୍ଗଳା ଦେଶ ଜାତୀୟତା ପାର୍ଟି ,ଜାତୀୟ ସମାଜ ତାନ୍ତ୍ରିକ ଦଳ, ବାଂଲାଦେଶ କମ୍ୟୁନିଷ୍ଟ ପାର୍ଟି, ଜାତୀୟ ଆୱାମୀ ପାର୍ଟି, ଜାମାତ -ଇ-ଇସଲମ ଗୋଷ୍ଠୀ ଇତ୍ୟାଦି । ଏହି ଆନ୍ଦୋଳନ ଶେଷରେ ବାଂଲାଦେଶରେ ବିଶାଳ ଗଣ ଆନ୍ଦୋଳନରେ ରୂପାନ୍ତରିତ ହେଇଥିଲା ।
1991 ମସିହା ନିର୍ବାଚନରେ ଖାଲିଦା ଜିଆଙ୍କ ବାଂଲାଦେଶ ଜାତୀୟତା ବାଦୀ ପାର୍ଟି ସଂଖ୍ୟା ଗରିଷ୍ଠତା ଅର୍ଜନ କଲା । ହସିନା ଏହି ନିର୍ବାଚନରେ ବ୍ୟାପକ ଅସାଧୁ ଉପାୟ ଗ୍ରହଣ କରା ଯାଇଥିବା ଅଭିଯୋଗ କରି ପାର୍ଲିଆମେଣ୍ଟ ବର୍ଜ୍ଜନ କଲେ । ତାପରେ ସେ ହିଂସାତ୍ମକ ଆନ୍ଦୋଳନର ନେତୃତ୍ବ ନେଲେ । ଖାଲିଦା ଇସ୍ତଫା ଦେଲେ ଓ ଏକ କାମଚଳା ସରକାର ମାଧ୍ୟମରେ ଅନୁଷ୍ଠିତ 1996 ନିର୍ବାଚନରେ ପ୍ରଧାନମନ୍ତ୍ରୀ ହେଲେ । ପୁଣି 2001ରେ ଖାଲିଦା ଜିଆ କ୍ଷମତାକୁ ଫେରିଲେ । 2006 ରୁ 2008 ପର୍ଯ୍ୟନ୍ତ ରାଜନୈତିକ ଅସ୍ଥିରତା ସୃଷ୍ଟି ହେଲା । ହସିନାଙ୍କ ବିରୁଦ୍ଧରେ ଆର୍ଥିକ ଅପରାଧ ଅଭିଯୋଗ ହେଲା ଓ ସେ ଜେଲ ଗଲେ । ପୁଣି 2008 ମସିହାରେ ଜେଲରୁ ଫେରି ନିର୍ବାଚନରେ ଜିତିଲେ ଓ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେଲେ । ଏହି ସମୟରେ ହିଁ ଶେଖ ହସିନାଙ୍କ ଏକଚ୍ଛଦ୍ରବାଦୀ ଶାସନ ବାଂଲାଦେଶରେ ତୀବ୍ର ଅସନ୍ତୋଷର ଭିତ୍ତିଭୂମି ସୃଷ୍ଟି କଲା । ବ୍ୟାପକ ମାନବିକ ଅଧିକାର ହନନ ଅଭିଯୋଗ ଆସିଲା । 2014, 2018 ଓ 2024 ନିର୍ବାଚନକୁ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ , ନାଗରିକ ସମାଜ , ମିଡ଼ିଆ ମଧ୍ୟ ଧୋକାଧଡି ଅଭିଯୋଗ କଲେ । Human Rights Watch ଡକୁମେଣ୍ଟାରୀ ପ୍ରସ୍ତୁତ କରି ବଳପୂର୍ବକ ଅନ୍ତର୍ଦ୍ଧାନ,ବିରୋଧୀ ରାଜନେତାଙ୍କୁ ବିନା ବିଚାରରେ ହତ୍ୟାକାଣ୍ଡ ପ୍ରମାଣକୁ ନଥିଭୁକ୍ତ କରିଥିଲେ । ଏହାକୁ ପ୍ରଚାର କରିବାକୁ ସାମ୍ବାଦିକ ଓ ସାମାଜିକ କର୍ମୀ ମଧ୍ୟ ଜେଲ ଓ ହତ୍ୟାକାଣ୍ଡର ଶିକାର ହେଇଥିଲେ । ଆର୍ଥିକ କ୍ଷେତ୍ରରେ ମଧ୍ୟ ବ୍ୟାପକ ହରିଲୁଟ ଖବର ପ୍ରକାଶ ହେଲା । 2024 ର ଏକ ସରକାରୀ ଅଡିଟ ରିପୋର୍ଟ ଅନୁଯାୟୀ ହସିନାଙ୍କ 2009 ରୁ 2024 ଶାସନ କାଳରେ ବାର୍ଷିକ 16 ବିଲିୟନ ଡଲାର ମନୀଲଣ୍ଡରିଂ ହେଇଥିବା ତଥ୍ୟ ପ୍ରକାଶ ହେଲା ।
2022 ରୁ ହସିନାଙ୍କ ଇସ୍ତଫା ଦାବୀ କରି ବିରୋଧୀ ଦଳମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ଯାହା 2024 ଗୃହଯୁଦ୍ଧରେ ପରିଣତ ହେଇଥିଲା ଓ ହସିନା ନିଜର ବିଶ୍ୱସ୍ତ ସାମରିକ ଅଧିକାରୀଙ୍କ ସହାୟତା ରେ ଭାରତ ପଳାୟନ କରିଥିଲେ । ଏ କ୍ଷେତ୍ରରେ ଭାରତ ସରକାରଙ୍କ ଗୋଇନ୍ଦା ବିଭାଗର ହାତ ରହିଛି ବୋଲି ମଧ୍ୟ ବାଂଲାଦେଶ ମିଡ଼ିଆ ପ୍ରଚାର କରିଥିଲା ।
ସଂକ୍ଷେପରେ କହିବାକୁ ଗଲେ କ୍ଷମତାରେ ରହିବାର ଅତ୍ୟଧିକ ଜିଦ ଓ ନିଜର ଆୱାମୀ ଲିଗ କର୍ମୀଙ୍କ ମାଧ୍ୟମରେ ନିର୍ମମ ଦମନଲୀଳା ହିଁ ବାଂଲାଦେଶ ଯୁବ ଛାତ୍ର ବିଦ୍ରୋହର କାରଣ । ଏକ୍ଷେତ୍ରରେ ଆମେରିକା ଓ ବିଦେଶୀ ଶକ୍ତିଙ୍କ ହାତ ନିଶ୍ଚୟ ଥିଲା, କିନ୍ତୁ ମୂଳ କାରଣ ହେଉଛି ହସିନା ଙ୍କ ତାନାସାହି ଶାସନ ଓ କ୍ଷମତାର ଅମରତ୍ୱ ତୃଷ୍ଣା ।
ଅନ୍ୟ କ୍ଷେତ୍ରରେ ଇନ୍ଦିରା ଗାନ୍ଧୀଙ୍କ ଦୂରଦୃଷ୍ଟି ଓ ପରିସ୍ଥିତି ଅନୁଯାୟୀ ମୁକାବିଲା କରିବା ଅଭିଜ୍ଞତା ଅଧିକ ଥିଲା ।
ଯେତେବେଳେ ଜରୁରୀ ପରିସ୍ଥିତି ଜାରୀ କରିଥିଲେ ସେତେବେଳେ ଜୟ ପ୍ରକାଶ ନାରାୟଣ ତାଙ୍କର ଜୀବନୀ ଲେଖକଙ୍କୁ କହିଥିଲେ –
“Do you know . This woman is vicious . I don’t think I will be getting out of jail alive under the rule of this lady ”
କିନ୍ତୁ ଇନ୍ଦିରା ଜେପିଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରି ଜେଲରୁ ମୁକ୍ତ କରିଥିଲେ ଓ ନିର୍ବାଚନ ମଧ୍ୟ ଘୋଷଣା କରିଥିଲେ । ସେ ଜାଣିଥିଲେ ନିଶ୍ଚୟ ହାରିବେ । କିନ୍ତୁ ଜନତାଙ୍କ ରୋଷର ପରିପ୍ରକାଶ ପାଇଁ ନିର୍ବାଚନ ମାଧ୍ୟମରେ ଗୋଟିଏ Safety Valve ଦେଇଥିଲେ ।
ନିର୍ବାଚନରେ ହାରିବା ପରେ ବିରୋଧୀମାନେ ବିଶେଷକରି ଚରଣ ସିଂହଙ୍କ ଗୋଷ୍ଠୀ ସଂଜୟ ଗାନ୍ଧୀଙ୍କ ପ୍ୟାଣ୍ଟ ଖୋଲି ରାଜରାସ୍ତାରେ ନଶବନ୍ଦୀ କରିବା ଓ ଇନ୍ଦିରା ଗାନ୍ଧୀଙ୍କୁ ଫାଶୀ ଦେବା ଦାବୀ କରିଥିଲେ ।
କିନ୍ତୁ ଇନ୍ଦିରାଙ୍କ ପକେଟରେ ସେତେବେଳେ ରାଷ୍ଟ୍ରୀୟ ସ୍ୱୟଂ ସଂଘର କିଛି ତୁଙ୍ଗ ନେତା ( ଵାଲା ସାହେବ ଦେଓରସ ଓଗେର ) ପଶି ସାରିଥିଲେ ।
ତେଣୁ ଗିରଫ ହେଇ ସାହା କମିଶନ ନିକଟରେ ହାଜର ହେଲେ ଓ ବର୍ତ୍ତମାନର SIR ମୋକଦ୍ଦମା ଉଭେଇ ଗଲା ଭଳି କମିଶନ ରିପୋର୍ଟ ମଧ୍ୟ ଉଭେଇ ଯାଇଥିଲା ।
ଏକଥା ମଧ୍ୟ ଉଲ୍ଲେଖ କରା ଯାଇପାରେ 1977 ନିର୍ବାଚନ ପରେ
ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ଜେପି ଚରଣ ସିଂହଙ୍କ ଟୋକାଦଳଙ୍କ ଇନ୍ଦିରା ବିରୋଧୀ ଉନ୍ମାଦ ଦେଖି କିଛି ଅଘଟଣ ଘଟି ପାରେ ଆଶଙ୍କା କରି ବିଜୟ ଉତ୍ସବ ରେ ମଧ୍ୟ ଯୋଗ ନ ଦେଇ ଇନ୍ଦିରା ଗାନ୍ଧୀଙ୍କ କ୍ୱାର୍ଟରରେ ପହଞ୍ଚି ଥିଲେ ଓ ପଚାରି ଥିଲେ – ଇନ୍ଦୁ କେମିତି ଅଛ ?
ସେଇ ମୁହୂର୍ତ୍ତରେ ହିଁ ଇନ୍ଦିରା ଜାଣି ପାରିଥିଲେ ଅପେକ୍ଷାର ଫଳ ନିଶ୍ଚୟ ମଧୁର ହେବ । କିନ୍ତୁ ମାତ୍ର 18 ମାସ ଅପେକ୍ଷା କରିବାକୁ ପଡିଥିଲା ।
ହସିନାଙ୍କ ସେଭଳି ଦୂରଦୃଷ୍ଟି ନଥିଲା । ଅନ୍ୟଥା 2022 ରେ ଇସ୍ତଫା ଦେଇ ପରିଥାନ୍ତେ ।ନିର୍ବାଚନରେ ନିଶ୍ଚୟ ହାରିଥାନ୍ତେ । କିନ୍ତୁ ଫାଶୀ ପାଇବା ପରିସ୍ଥିତି ସୃଷ୍ଟି ହେଇ ନଥାନ୍ତା ।
ଆଜି କଣ ହେବ କିଏ କହିବ । ପୂରା ଦେଶ ତାଙ୍କ ଉପରେ ପ୍ରତିଶୋଧ ଚାହୁଁଛି । କେହି ବି ଜଣେ ତାଙ୍କ ସମର୍ଥନରେ ଆତ୍ମ ବଳିଦାନ ଦେବାକୁ ଘୋଷଣା କରି ନାହାଁନ୍ତି । କାରଣ ଆୱାମୀ ଲିଗ ନେତାମାନେ ନିଜର କର୍ମୀମାନଙ୍କୁ ଅସହାୟ ଅବସ୍ଥାରେ ଛାଡି ବିଦେଶରେ ମଉଜ କରୁଛନ୍ତି ।।
କଥା ଏତିକି ।।
