ହ୍ରାସ ପାଉଛି କି ଧର୍ମେନ୍ଦ୍ର ପ୍ରଧାନଙ୍କ କର୍ତ୍ତୃତ୍ୱ, ମହଙ୍ଗା ପଡିବ କି ୨୪ ରାଜନୀତି
ଭୁବନେଶ୍ୱର,୧୩/୬ : ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନ ଏବଂ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଗୋଟିଏରେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପରାଜୟ ହୋଇଛି। ଦ୍ୱିତୀୟଟିରେ କ୍ଷମତାରୁ ଚାଲି ଯାଇଛି। ହେଲେ ଏହି 2ଟି ଘଟଣା ସହ ରାଜ୍ୟ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଆଗାମୀ ଭବିଷ୍ୟତ ଜଡିତ ରହିଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ କର୍ନାଟକ ଦାୟିତ୍ୱରେ ରହିଥିଲେ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ସଭାପତି ଜେପି ନଡ୍ଡା, ବରିଷ୍ଠ ନେତା ବିଏଲ୍ ସନ୍ତୋଷଙ୍କ ସହ ଶ୍ରୀ ପ୍ରଧାନଙ୍କ ଭାଗ୍ୟରେ ମଧ୍ୟ ହାରିବା ପିଠା ପଡିବ। ଅବଶ୍ୟ ସେ ହାରିବା ପାଇଁ ଦାୟୀ ନୁହଁନ୍ତି। ହେଲେ ଆଗାମୀ ଦିନରେ ଥିବା ନିର୍ବାଚନ ଗୁଡ଼ିକରେ ତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିବ। ଆଗାମୀ ଦିନରେ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡ଼ରେ ନିର୍ବାଚନ ରହିଛି। ତେଣୁ ଧର୍ମେନ୍ଦ୍ରଙ୍କ ନିଯୁକ୍ତି ପୂର୍ବରୁ ବିଜେପି ଶୀର୍ଷ ନେତୃତ୍ୱ ଚିନ୍ତା କରିବେ। ଏକଦା ଧର୍ମେନ୍ଦ୍ରଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ନେଇ ଚିନ୍ତା କରାଯାଉଥିଲା। ହେଲେ ନଡ୍ଡାଙ୍କ ପରେ ସେହି ପଦ ପାଇଁ ଭୂପେନ୍ଦ୍ର ଯାଦବ, ପଡନବିସ୍ ଙ୍କ ନାଁ ଚର୍ଚ୍ଚା ହେଲାଣି।
ଅପରପକ୍ଷରେ ଓଡ଼ିଶାର ବିଜେପିର ଅନ୍ୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ କର୍ତ୍ତୃତ୍ୱ ହ୍ରାସରେ ଖୁସି ହେଉଛନ୍ତି। ଧର୍ମେନ୍ଦ୍ର ଏକାଧିକ ଦାୟିତ୍ୱରେ ବିଫଳ ହେଲେ ତାଙ୍କ ଉପରେ ଓଡ଼ିଶାର ଦାୟିତ୍ୱ ପୂର୍ଣ୍ଣ ଭାବେ ଦେବା ନେଇ ନେତୃତ୍ୱ ଚିନ୍ତା କରିବ। ଏମିତି ବି ତାଙ୍କୁ ମନମୋହନ ସାମଲଙ୍କ ନିଯୁକ୍ତିରେ ଅଣଦେଖା କରାଯାଇଥିଲା। ସୁନୀଲ ବଂଶଲ ଏବଂ ଡିପୁରନ୍ଦେଶ୍ୱରୀ ତାଙ୍କୁ ବାଇପାସ୍ କରି ରାଜ୍ୟର ଅନ୍ୟ ନେତାଙ୍କୁ ବେଶୀ ଗୁରୁତ୍ୱ ଦେବାକୁ ମୋଦିଙ୍କୁ ସୁପାରିସ୍ କରିଛନ୍ତି। ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ ଏହି ସୁଯୋଗ ସଦବ୍ୟବହାର କରି ଧର୍ମେନ୍ଦ୍ରଙ୍କ କର୍ତ୍ତୃତ୍ୱ ରାଜ୍ୟରେ ଆହୁରି ହ୍ରାସ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି।