ସିବିଆଇର ନିର୍ଦ୍ଦେଶକ ହେଲେ ଆଇପିଏସ ପ୍ରବୀଣ ସୁଦ

ନୂଆଦିଲ୍ଲୀ:ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି l ୧୯୮୬ ବ୍ୟାଚର ଏହି ଅଧିକାରୀ କର୍ଣ୍ଣାଟକ ପୁଲିସ ମହା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ l ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଗତ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟି ଦ୍ୱାରା ୩ଜଣ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀଙ୍କୁ ‘ସିବିଆଇ’ର ନିର୍ଦ୍ଦେଶକ ପଦ ପାଇଁ ତାଲିକାଭୁକ୍ତ କରାଯାଇଥିବା ସାମ୍ନାକୁ ଆସିଥିଲା। ବୈଠକ ସମୟରେ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ‘ଆଇପିଏସ୍’ ଅଧିକାରୀମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ସେଥିରୁ କର୍ଣ୍ଣାଟକର ‘ଡିଜିପି’ ପ୍ରବୀଣ ସୁଦ୍‌, ମଧ୍ୟପ୍ରଦେଶ ‘ଡିଜିପି’ ସୁଧୀର କୁମାର ସକ୍ସେନା ଓ ଫାୟାର୍‌ ସର୍ଭିସ୍‌, ସିଭିଲ୍‌ ଡିଫେନ୍‌ସ୍‌ ଏବଂ ହୋମ୍‌ ଗାର୍ଡର ‘ଡିଜି’ ତାଜ୍‌ ହସନ୍‌ଙ୍କ ନାଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇ କ୍ୟାବିନେଟ୍‌ର ନିଯୁକ୍ତି କମିଟିକୁ ପଠାଇ ଦିଆଯାଇଥିଲା। ଏବେ ୩ଜଣକ ମଧ୍ୟରୁ ପ୍ରବୀଣ ସୁଦଙ୍କୁ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *