କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର, ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ନେଉଛନ୍ତି ନିଷ୍ପତ୍ତି ….

ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଗସ୍ତ କାର୍ଯ୍ୟକ୍ରମ ଇତି ମଧ୍ୟରେ ଅହେତୁକ ବହୁତ ବୃଦ୍ଧି ପାଇଛି । ଯାହାକି ସ୍ଥାନୀୟ ଏବଂ ରାଜ୍ୟ ରାଜନୈତିକ ବାତାବରଣ ଉଷ୍ମ କରିଛି। ।ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକସଭାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଆଲୋଚନା ଜୋର ଧରିଛି । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜାରି ରହିଛି। ତେଣୁ କୌଣସି ଗୋଟିଏ ଆସନ ସ୍ଥିର ହୋଇ ପାରି ନ ଥିବାରୁ ଉଭୟ ଆସନର ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଶେଷଥର ପାଇଁ ୨୦୦୯ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ ପରାଜିତ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ନିର୍ବାଚନ ସମ୍ମୁଖୀନ ହୋଇନାହାଁନ୍ତି । କେନ୍ଦ୍ର ବିଜେପି ନେତୃତ୍ୱଙ୍କ ନିକଟତମ ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ 2 ଥର ବାହାର ରାଜ୍ୟରୁ ରାଜ୍ୟସଭା ଯାଇସାରିଲେଣି। ମାତ୍ର ନିଜ ରାଜ୍ୟରୁ ଯାଇ ନ ଥିବାରୁ ତାଙ୍କୁ ନେଇ ଏକ ନକରାତ୍ମକ ଆଲୋଚନା ମଧ୍ୟ ରହିଛି। ତେଣୁ ଆସନ୍ତା ନିର୍ବାଚନରେ ସେ ଏହି ଧାରଣା ଭାଙ୍ଗିବାକୁ ନିଶ୍ଚିତ ଲଢିବେ। ତାଙ୍କ ସମେତ ବହୁ ରାଜ୍ୟସଭା ନେତାଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।

2000 ଏବଂ 2004ରେ ବିଜେଡ଼ି ବିଜେପି ମେଣ୍ଟ ସପକ୍ଷରେ ପ୍ରବଳ ହାୱା ଥିବା ବେଳେ ହିଁ ସେ ବିଧାୟକ ଓ ସାଂସଦ ଭାବରେ ଜିତି ପାରିଥିଲେ । କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ସଂଘ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି ଲୋକସଭା ଜିତି ଆସ ନଚେତ ମନ୍ତ୍ରୀ ପଦ ହାତରୁ ଯିବ। ତେଣୁ ଶ୍ରୀ ପ୍ରଧାନ ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ ଜୋରଦାର କରିଛନ୍ତି। ଜନ୍ମମାଟି ଜିଲ୍ଲା ଢେଙ୍କାନାଳରୁ ଯିବା, ତାଙ୍କର ଇଚ୍ଛା ମାତ୍ର ସ୍ଥାନୀୟ ରାଜନୈତିକ ସ୍ଥିତି ତାଙ୍କୁ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରୁଛି। ବିଗତ ଛ’ମାସ ହେବ ମନ୍ତ୍ରୀ ପ୍ରଧାନଙ୍କ ତାଳଚେର- ଅନୁଗୋଳ ଗସ୍ତ ବହୁତ ବଢି ଯାଇଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଶହୀଦ ବାଜି ରାଉତଙ୍କ ନାଁରେ ସର୍ବଭାରତୀୟ ଫୁଟବଲ କପର ଆଯୋଜନା ହେଉ, କି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀରଙ୍କ ସହ ଆସିବା ହେଉ ଆହୁରି ଅନେକ କାର୍ଯ୍ୟକ୍ରମ ଏହି ଅଂଚଳ କରାଇବାରୁ ଚର୍ଚ୍ଚା ଏବେ ଜୋରରେ ଯେ ଶ୍ରୀ ପ୍ରଧାନ ଢେଙ୍କାନାଳ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେବୋଲି ଏକ ବାତାବରଣ ତିଆରି କରାଯାଉଛି।

ନିକଟରେ ତାଳଚେରରେ ମୋଦି ସରକାରର ନଅ ବର୍ଷ ପୂର୍ତ୍ତି ଅଵସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲା ବେଳେ ସ୍ଥାନୀୟ ସାଂସଦ ଓ ବିଧାୟକ(ଉଭୟ ବିଜେଡି ଅର୍ଥାତ ରାଜ୍ୟ ଶାସକ ଦଳର)ଙ୍କ ବିରୋଧରେ ପଦେ କଥା ବି କହିନଥିଲେ । ତେଣୁ ବିଜେଡି ନେତୃତ୍ୱକୁ ସେ ଅପସେଟ୍ କରିବାକୁ ଚାହୁଁ ନ ଥିବା ଆଲୋଚନା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ସତପଥିଙ୍କୁ ମଧ୍ୟ ଧର୍ମେନ୍ଦ୍ର ଭେଟିଥିଲେ। କେତେକ ନିର୍ବାଚନୀ ସର୍ଭେ ସଂସ୍ଥା ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ଆସନଟି ଶ୍ରୀ ପ୍ରଧାନଙ୍କ ପାଇଁ ଅଧିକ ସହଜ ହେବ ବୋଲି ରିପୋର୍ଟ ପ୍ରଦାନ କରିଛି। ମାତ୍ର ଆଗାମୀ 3 ମାସ ମଧ୍ୟରେ ଢେଙ୍କାନାଳ ଏବଂ ରାଜ୍ୟ ରାଜନୀତିରେ ବ୍ୟାପକ ହଟଟମଟ ଦେଖିବାକୁ ମିଳିପାରେ। ତେଣୁ ନଭେମ୍ବର ଆଡକୁ ଶ୍ରୀ ପ୍ରଧାନ ମନସ୍ଥିର କରିପାରନ୍ତି ବୋଲି ଆଶା କରାଯାଉଛି।